ପ୍ରସାଦ
ପ୍ରସାଦ

ପ୍ରସାଦ

ନିକଟ ଅତୀତରେ ମୋ ଘର ପାଖ ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ ପାଳନ ହେଉଥାଏ । କଲୋନିର ପ୍ରାୟ ଲୋକ ସନ୍ଧ୍ୟାରେ ପ୍ରସାଦ ପାଇବାକୁ ଆସିଥାନ୍ତି । ମୁଁ ଓ ମୋ ଭାଇ ମଧ୍ୟ ସେଠାକୁ ଯାଇଥାଉ । ବଫେ ସ୍ଟାଇଲ୍, ଅର୍ଥାତ୍ ସମସ୍ତେ ପ୍ରସାଦ ନେଇ ମନ୍ଦିର ସାମ୍ନାରେ ଛିଡ଼ା ହୋଇ ଖାଇବା ବ୍ୟବସ୍ଥା ହୋଇଥାଏ । ମୁଁ ଓ ମୋ ଭାଇ ମଧ୍ୟ ପ୍ରସାଦ ନେଇ ଗୋଟାଏ ପାଖରେ ଛିଡ଼ାହୋଇ ଖାଉଥାଉ ।

କିଛି ସମୟ ପରେ ଦେଖିଲି ବୁଢ଼ୀଟିଏ ଖଲିଟେ ଧରି ପ୍ରସାଦ ଆଣିବାକୁ ଗଲା । ପଛରୁ ଖିରି ବାଢ଼ୁଥିବା ଲୋକାଟି ହଠାତ୍ ଚିତ୍କାର କରି ଉଠିଲେ “ଆରେ ସେ ବୁଢ଼ୀ…. ସେ ବୁଢ଼ୀ ପୁଣିଥରେ…. ତାକୁ ଡ଼ାକିଲ ଏଠାକୁ..” ବୁଢ଼ୀ କିଛି ଶୁଣିପାରିଲା କି ନାହିଁ କେଜାଣି । ଅନ୍ନ, ଡ଼ାଲମା, ଖଟା ନେଇ ତା’ ସାଙ୍ଗରେ ଆସିଥିବା ଆଉ ଏକ ବୁଢ଼ୀକୁ ନେଇ ଧରେଇଦେଲା । ବୁଢ଼ୀ ଅତି ଯତ୍ନରେ କାନିରେ ଗୁଡ଼ାଇ ଧରିଲା । ଏଥର ପ୍ରଥମ ବୁଢ଼ୀଟି ଆଉ ଏକ ଖଲି ନେଇ ଖିରି ଆଣିବାକୁ ଗଲା । ଖିରି ବାଢ଼ୁଥିବା ଲୋକଟି ବୁଢ଼ୀକୁ ସନ୍ଦେହରେ ଜେରା କରିବା ପରି ପଚାରିଲା, “ତୁମେ ଖାଉଥିବା ଖଲିଟି କୁଆଡ଼େ ଗଲା?” ବୁଢ଼ୀ, ଟିକେ ହସିଦେଇ କହିଲା,’ପକେଇଦେଲି’ । ବୁଢ଼ୀ ଖିରି ନେଇ ଚାଲିଯାଉଥିବା ବେଳେ ଖିରି ବାଢ଼ୁଥିବା ଲୋକଟି କହୁଥାଏ, “ଦେଖୁଛ ଦେଖୁଛ ଏମାନଙ୍କ ଗୁଣ, କୁଆଡ଼ୁ ମାଗଣା ପାଇଲେ ହାଜିର ହୋଇଯିବେ, ଖାଇବେ ତ’ ଖାଇବେ ସାଙ୍ଗରେ ନେଇକରି ମଧ୍ୟ ଯିବେ ।”

ଏଥିରୁ ମୁଁ ଯାହା ବୁଝିଲି, ବୁଢ଼ୀଟି ବୋଧହୁଏ ଆଗରୁ ଖାଇସାରିଥିଲା, ନାତି କି ନାତୁଣୀ ପାଇଁ କ’ଣ ଦିଇଟା ପ୍ରସାଦ ନେଉଥିଲା । ଏମିତି କିଛି ଭାବୁ ଭାବୁ ଶୁଣିଲି, ଜଣେ ଭଦ୍ର ବ୍ୟକ୍ତି ମୋ ପାଖରେ ଛିଡ଼ାହୋଇ ଖାଉଥିବା ମହିଳାଙ୍କୁ ଆସି ପଚାରିଲେ, “ମାଡ଼ାମ୍ ! ଟିଫିନ୍ କ୍ୟରେଜ୍ ଆଣିଛନ୍ତି କି? ବହୁତ ଖିରି ବଳିଛି, ଘରକୁ ନେଇଯାଆନ୍ତେ ।” ମନେ ମନେ ଭାବିଲି ଏଇ କଥା ପଦକ ଯଦି ସେ ବୁଢ଼ୀଟିକୁ ପଚରା ଯାଇଥାନ୍ତା, ହୁଏତ ସେ ହସ ଅପାମାନ ଢାଙ୍କିବା ପାଇଁ ନୁହେଁ ବରଂ ଆନନ୍ଦ ଉଲ୍ଲାସର ହସ ହୋଇଥାନ୍ତା ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପଲ୍ଲବୀ ପୂଜାପଣ୍ଡା

ପଲ୍ଲବୀ ପୂଜାପଣ୍ଡା ଜଣେ କ୍ଷୁଦ୍ରଗଳ୍ପ ଲେଖିକା, କବି, ଅଧ୍ୟାପିକା, ପାଠିକା । ତାଙ୍କ ରଚିତ କବିତା ପ୍ରାୟ ସବୁବେଳେ ଫେସବୁକରେ ସେ ଛାଡ଼ୁଥିଲେ, ମାତ୍ର ପରେ ପ୍ରଥମେ ଶୁଭପଲ୍ଲବ ଜରିଆରେ ପତ୍ରିକାରେ ପ୍ରକାଶ ପାଇବା ଆରମ୍ଭ କରିଥିଲା । ସେ ଶୁଭପଲ୍ଲବର ଅନେକ ଗଳ୍ପ, କବିତାକୁ ଅଡ଼ିଓ ଭାବରେ ରେକର୍ଡ଼ କରିଛନ୍ତି ।

Leave a Reply

Close Menu