You are currently viewing ପ୍ରତିଶୋଧ ପରାୟଣ ସମୟ
Odia Story Pratishodh Parayana Samaya (ପ୍ରତିଶୋଧ ପରାୟଣ ସମୟ) by Suchismita Sahoo

ପ୍ରତିଶୋଧ ପରାୟଣ ସମୟ

ଆଜି ଗୋଟେ ନିଆରା କାହାଣୀ କହିବାକୁ ଯାଉଛି । ଆଶାକରେ ଯୁବପୀଢ଼ିଙ୍କୁ କିଛି ସଚେତନତା ଦେବ ମୋ କାହାଣୀ । କାହାଣୀର ନାୟିକା ସରିତା । ତନୁ ପାତଳୀ ସରିତା ଥିଲା ଛଅ ଭାଇରେ ଗୋଟିଏ ଭଉଣୀ; ଭାରି ଗେହ୍ଲେଇ । ଛୋଟ ପ୍ରଜାପତିଟେ ପରି ଖୁସିରେ ନାଚି ଗାଇ ଘରସାରା ଘୁରି ବୁଲୁଥିଲା । ପିଲାଦିନେ ବହୁତ ଭଲ ପାଠ ପଢ଼ୁଥିଲା । ପଢ଼ା ସହ କବିତା ଆବୃତ୍ତି, ଭାଷଣ ପ୍ରତିଯୋଗିତା, ଚିତ୍ରାଙ୍କନ, ଖେଳକୁଦ ସବୁଥିରେ ସେ ଥିଲା ଆଗୁଆ । ହେଲେ ନିଜ ଅଳସୁଆମି ଗୁଣ ଯୋଗୁଁ କିଛି ବି କାମ ପ୍ରତି ଯତ୍ନଶୀଳ ନଥିଲା । ତଥାପି ସବୁକିଛି କୁଶଳ ଥିଲା ତା’ ଜୀବନରେ । ହଠାତ ଦିନେ ବାପାଙ୍କ ଖିଆଲିଆମି ଗୁଣ ଆଉ ବଦଖର୍ଚ୍ଚ ପାଇଁ ଘରର କରଜ ଏତେ ବଢ଼ିଗଲା ଯେ, ମାଆ ସମ୍ପୂର୍ଣ୍ଣ ପାଗେଳି ନହେଲେ ବି ମାନସିକ ଭାବେ ଅସୁସ୍ଥ ହେଇଗଲେ । ଭାଇମାନେ ଘରର ଦାୟିତ୍ୱ ନେବାକୁ ଯାଇ, ପଦାକୁ ଗୋଡ଼ କାଢ଼ିଲେ ଅର୍ଥ ଆଶାରେ । ଘରେ ରହିଗଲେ କେବଳ ସେ ଆଉ ତା’ ମାଆ । ମାନସିକ ଭାରସାମ୍ୟ ହରେଇଥିବା ମା’କୁ ଛାଡ଼ି ସେ ଉଚ୍ଚ ଶିକ୍ଷା ପାଇଁ ଆଉ ବାହାରକୁ ଯାଇ ପାରିଲା ନାହିଁ । ଗାଁ କଲେଜରେ ସ୍ନାତକ ପଢ଼ା ଶେଷ କଲା । ଘରର ଦାୟିତ୍ୱ ଆଉ ନିଜର ଅଳସୁଆ ଗୁଣ ଯୋଗୁଁ ସେଇଠି ତା’ ପଢ଼ାରେ ଡୋରି ବାନ୍ଧି ଦେଲା । ପାଞ୍ଚ ପାଞ୍ଚ ଭାଇ ଥାଉ ଥାଉ ତା’ର ଚାକିରିର କିଛି ଆବଶ୍ୟକ ନାହିଁ କହି ପଢ଼ାକୁ ସମ୍ପୂର୍ଣ୍ଣ ଅବହେଳା କରୁଥିଲା, ଯଦିଓ ବ୍ୟାଙ୍କରେ ଚାକିରୀ କରିବାକୁ ତା’ର ଇଚ୍ଛା ଥିଲା ।

ଏମିତି ୭-୮ ବର୍ଷ ବିତିଗଲା । ଆ ଭିତରେ ତା’ ଭାଇମାନେ ସମସ୍ତେ ହାତକୁ ଦୁଇ ହାତ ହେଇଗଲେ । ସମସ୍ତେ ନିଜ ପରିବାର ନେଇ ବାହାରେ ନିଜ ନିଜ ଦୁନିଆରେ ବ୍ୟସ୍ତ । ଗାଁ ଘରେ ସରିତା ଓ ତା’ ମାଆଙ୍କ ସହ ରହୁଥିଲେ କେବଳ ଜଣେ ଭାଉଜ । ବିବାହ ପରେ ଭାଇମାନେ ସମୂର୍ଣ୍ଣ ବଦଳିଗଲେ । ଭାଇମାନଙ୍କ ସହ ବିବାହ ପୂର୍ବ ଆଉ ପରର ସମ୍ପର୍କ କଥା ଅଲଗା । ବିବାହ ପରର ବାତାବରଣରେ ମନ ଖୋଲି କିଛି ମାଗିବାକୁ ଭଉଣୀକୁ ସଂକୋଚବୋଧ ଅନୁଭବ ହୁଏ । ଠିକ ଏମିତି ସବୁ ଘଟିଲା ସରିତାର ଜୀବନରେ । ଶେଷରେ ଶିକ୍ଷା ଆଉ ନିଜ ଗୋଡ଼େ ନିଜେ ଛିଡ଼ାହେବାର ଆବଶ୍ୟକତା ସେ ବେଶ୍ ଅନୁଭବ କରିପାରିଲା । ଖାଲି ଅର୍ଥ ନୁହେଁ, ସ୍ୱାଭିମାନରେ ବଞ୍ଚିବାକୁ ଯେ ଚାକିରୀ ଲୋଡ଼ା, ବହୁତ ଭଲଭାବେ ଏ କଥା ସେ ବୁଝିଗଲା । ହେଲେ ଏତେବେଳକୁ ତ ଲେଡ଼ି ଗୁଡ଼ କହୁଣିକୁ ବହିଗଲାଣି । ସରକାରଙ୍କ ଚାକିରୀ ପାଇଁ ଧାର୍ଯ୍ୟ ଥିବା ବୟସ ସୀମା ଯୋଗୁଁ, ତା’ ହାତରେ ଥିଲା ଆଉ ମାତ୍ର ଗୋଟିଏ ବର୍ଷ । ସେ ବହୁତ ପରିଶ୍ରମ କରିବାକୁ ଇଚ୍ଛା କଲା, ଏଇ ଗୋଟିଏ ବର୍ଷର ସଠିକ ବ୍ୟବହାର କରିବାର ଯୋଜନା କଲା । ଘରର ଦାୟିତ୍ୱ ଏବେ ଭାଇ ଆଉ ଭାଉଜଙ୍କ ଉପରେ ଛାଡ଼ିଦେଇ ସେ ଏବେ କେବଳ ନିଜ ପଢ଼ାରେ ମନ ଦେବାକୁ ସ୍ଥିର କଲା ।

ହେଲେ ସମୟ ତାକୁ ସେ ସୁଯୋଗ ଆଉ ଦେଲାନି । ସେ ଅନେକ ନଷ୍ଟ କରିଛି ସମୟକୁ, ଏବେ ସମୟର ପାଳି । ଗାଁରେ ଥିବା ଭାଉଜଙ୍କର ନଅମାସର ଗୋଟିଏ ପୁଅ ରିଙ୍କୁ, ତା’ ସହ ସେ ଗର୍ଭବତୀ ବି ଥିଲେ । ତେଣୁ ରିଙ୍କୁର ସମସ୍ତ ଦାୟିତ୍ୱ ସରିତା ଉପରେ ଠିକ ଯେମିତି ସେ ପିଉସୀ ନୁହେଁ ଦ୍ୱିତୀୟ ମାଆ । ଏଇ କିଛିଦିନ ତଳେ ଭାଇଙ୍କର ଗୋଟିଏ ଝିଅ ହେଲା । ସେ ଜାଣି ପାରୁନଥିଲା ସେ ଖୁସି ହେବ କି ଦୁଃଖ କରିବ । ଗାଁର ନୀତି ନିୟମ ଯୋଗୁଁ, ଦଶ ଦିନ ଭାଉଜ କାହାକୁ ଛୁଇଁବେନି । ସିଜରିଂ ହେଇ ପିଲା ହେଇଥିବାରୁ ସେ ଗୋଟିଏ ମାସ ଯାଏ ସମ୍ପୂର୍ଣ୍ଣ ବିଶ୍ରାମ କରିବେ; ଟିକେ ବି ପାଣି ହାତ ହେବେନି । ତେଣୁ ଘରର ସବୁ କାମର ଭାର ତା’ରି ଉପରେ ଲଦା ହେଇଗଲା । ପ୍ରତ୍ୟହ ଘର କାମ ସରୁ ସରୁ ରାତି ଏଗାର-ବାର । ସେବେ ପଢ଼ିବାକୁ ଚେଷ୍ଟା କଲେ ବି ଏତେ କ୍ଲାନ୍ତ ହେଇଯାଇଥାଏ ଯେ, ଆଖି ଆପେ ଆପେ ମୁଦି ହେଇଯାଏ ତା’ର । ପଢ଼ିବାକୁ ଅନେକ ଇଚ୍ଛା ଥିଲେ ବି ପଢ଼ିପାରୁନି ବୋଲି ବହୁତ କଷ୍ଟ ଲାଗେ ତାକୁ । ଆଉ କିଛି ମାସ ପରେ ତା’ ବୟସ ଯୋଗୁଁ ଯେ ସେ ଚାକିରୀର ଆବେଦନ ପତ୍ର ବି ଦାଖଲ କରିପାରିବନି ଭାବି ଆହୁରି ଭାଙ୍ଗିପଡ଼େ ।

ଦିନେ ସ୍ଥିର କଲା ଘର ଛାଡ଼ି ଭୁବନେଶ୍ୱର ପଳେଇବ । ସେଠି ରହି ତା’ ସ୍ୱପ୍ନକୁ ସାକାର କରିବ । ଘରଲୋକଙ୍କ ଆଗେ ଏହି ମତ ରଖନ୍ତେ, ସବୁ ଅଶାନ୍ତି, ସେ ଚାଲିଗଲେ ଘରର ଦାୟିତ୍ୱ କିଏ ନେବ ଭାବି । ତା’ର ଏହି ନିଷ୍ପତ୍ତି ଯୋଗୁ ପରୋକ୍ଷ ଭାବେ ସମସ୍ତେ ତାକୁ ସ୍ୱାର୍ଥପର କହିଲେ । ଦୀର୍ଘ ୭-୮ ବର୍ଷ ଧରି ଘରର ଦାୟିତ୍ୱ ନେବାକୁ ଯାଇ ଯେ ସେ ନିଜ ଭବିଷ୍ୟତକୁ ବଳି ଚଢ଼େଇ ଦେଇଛି, ଏକଥା କ୍ଷଣିକେ ସବୁ ଭୁଲିଗଲେ । ଛାଡ଼; ସମାଜ ଏମିତି, ଯେତେ ଦେଲେ ବି ଯାହା ଦିଆ ହେଇନି ସେଇ କଥା ହିଁ କହିବ । ତଥାପି ସେ ତା’ ନିଷ୍ପତ୍ତିରେ ଅଟଳ ରହିଲା ଆଉ ଘରର ଅନିଚ୍ଛା ସତ୍ତ୍ୱେ ଭୁବନେଶ୍ୱର ପଳେଇଲା ନିଜ ସ୍ୱପ୍ନ ସାକାର ଆଶାରେ । ସେଠି ଗୋଟେ ବ୍ୟାଙ୍କିଙ୍ଗ କୋଚିଂ କେନ୍ଦ୍ରରେ ଆଡ଼ମିଶନ ନେଲା ଆଉ ଗୋଟେ ଭଡ଼ାଘରେ ରହିଲା ।

ପାଖପାଖି ଗୋଟେ ମାସ ତା’ ପଢ଼ାପଢ଼ି ଠିକ୍‌ଠାକ୍ ଚାଲିଲା । ହେଲେ ସମୟ ଯେତେବେଳେ ତାକୁ ନଷ୍ଟ କରିବାକୁ ନିଷ୍ପତ୍ତି ନେଇଛି, ତାକୁ ବଞ୍ଚେଇବ କିଏ । କୋଉଠି ଥିଲା କେଜାଣି ହଠାତ ମାଡ଼ି ଆସିଲା କରୋନା ରୋଗ । ସରକାର ଗୋଟେ ମାସ ପାଇଁ ତାଲାବନ୍ଦର ନିଷ୍ପତ୍ତି ନେଲେ, ସବୁ ସ୍କୁଲ, କଲେଜ ବନ୍ଦ ହେଇଗଲା; ଆଉ ତା’ ସାଙ୍ଗଙ୍କୁ କୋଚିଂ କେନ୍ଦ୍ର ବି । ଘର ମାଲିକ ବି ଆଉ ଘରେ ରଖିବାକୁ ଦେଲାନି, ବାଧ୍ୟ କଲା ଘର ଛାଡ଼ିବାକୁ । ଶେଷରେ ଉପାୟଶୂନ୍ୟ ହେଇ, ସେ ଘରମୁହାଁ ହେଲା । ଜାଣିଥିଲା ଘରେ ସମସ୍ତେ ତାକୁ ରହସ୍ୟ କରି ମଜା ଉଡ଼େଇବେ । ସେଇୟା ହିଁ ହେଲା, ଘରେ ପହଞ୍ଚୁ ପହଞ୍ଚୁ, ଭାଉଜ କହି ଉଠିଲେ, ହେଇଲୋ ମୋ P.O. ନଣନ୍ଦ ଆଇଲେଣି, ବନ୍ଦାଣ ଥାଳି ଯୋଗାଡ଼ କରିକି ଆଣେ ମୁଁ । ଏ କଥା ସରିତା ହୃଦୟକୁ କୋରି ଦେଉଥିଲା, ଭୋ ଭୋ ହେଇ କାନ୍ଦିବାକୁ ଇଚ୍ଛା ହେଉଥିଲା । ତଥାପି ଭାଉଜଙ୍କ କଥାର କିଛି ପ୍ରତିକ୍ରିୟା ନଦେଇ ଚୁପଚାପ ନିଜ ରୁମ୍‌କୁ ପଳେଇଲା । ଅନେକ କାନ୍ଦିଲା ଭଗବାନଙ୍କୁ ଚାହିଁ । କାହିଁକି ଏ କରୋନା ଆସିଲା, କାହିଁକି ତା’ ସ୍ୱପ୍ନ ଆରମ୍ଭ ହେବା ପୂର୍ବରୁ ଶେଷ ହେଇଗଲା, ଏମିତି ଅନେକ ଅଭିଯୋଗ ବାଢ଼ିଦେଲା ଭଗବାନଙ୍କ ଆଗେ । କିଛିକ୍ଷଣରେ ନିଜକୁ ସମ୍ଭାଳି ତାଲାବନ୍ଦ ଶେଷ ହେବା ମାତ୍ରେ ପୁଣି ଭୁବନେଶ୍ୱର ପଳେଇବାର ଦୃଢ଼ ନିଷ୍ପତି ନେଲା । ହେଲେ କରୋନାର ପ୍ରଭାବ ପୂରା ଭାରତକୁ ଖେଳିଗଲା, କରୋନାରୂପୀ ରାକ୍ଷାସ ଗର୍ଭରେ ସବୁ ଧୀରେ ଧୀରେ ଲୀନ ହେବାକୁ ଲାଗିଲେ । ତେଣୁ ବାଧ୍ୟ ହେଇ ସରକାର ତାଲାବନ୍ଦ ବଢ଼େଇବାକୁ ଲାଗିଲେ । ତାଲାବନ୍ଦ ସହ ବନ୍ଦୀ ହେଇଗଲା ସରିତାର ସ୍ୱପ୍ନ । ଦୁଇ ଦୁଇଟା ପିଲା ଓ ଘରର ଦାୟିତ୍ୱବୋଧ ଆଗରେ ସବୁଦିନ ପାଇଁ ବଳି ପଡ଼ିଗଲା ତା’ର ସ୍ୱପ୍ନ । ସତଚେଷ୍ଟା ପରେ ବି ସେ ନିଜ ପଢ଼ା ପାଇଁ ଟିକେ ବି ସମୟ କାଢ଼ି ପାରିଲାନି । ଏବେ କର୍ମ ବ୍ୟସ୍ଥତାରେ ତା’ର ଦିନ ସିନା କଟିଯାଏ । ହେଲେ ରାତି କଟେ ଅନୁତାପର ଲୁହରେ । ସେ ଜାଣି ପାରୁନଥିଲା କାହାକୁ ଦାୟୀ କରିବ । ଘର ଲୋକଙ୍କୁ, କରୋନାକୁ ନା ନିଜକୁ । ଅତୀତରେ ନିଜର ଖାମଖିଆଲି ଆଉ ଅଳସୁଆମୀ କାର୍ଯ୍ୟଗୁଡ଼ା ତା’ ଆଖି ସାମନାରେ ଭାସି ଉଠୁଥିଲା । କେତେ ଯେ ନଷ୍ଟ ନ କରିଛି ସେ ସମୟକୁ । ଦଶମ ପରେ ଟିକେ ବି ଯତ୍ନଶୀଳ ନଥିଲା ନିଜ ପଢ଼ାପ୍ରତି । ଆଉ ଆଜି ଚେଷ୍ଟା କରି ବି ପଢ଼ି ପାରୁନି ସେ । ନିଜ କାହାଣୀକୁ ଉଦାହରଣ ଦେଇ ସେ ଅନେକ ଯୁବପିଢ଼ିଙ୍କୁ ସମୟ ନଷ୍ଟ ନକରି ଠିକ ସମୟରେ କର୍ତ୍ତବ୍ୟ କରିବାକୁ ଅନୁରୋଧ କରୁଛି । କିଛି ତା’ କଥା ଶୁଣୁଛନ୍ତି ଆଉ କିଛି ହସରେ ଉଡ଼େଇ ଦେଉଛନ୍ତି । ହତାଶ ହେଇ ଅନୁତାପ ଭରା ଆଖିରେ ସେ କେବଳ ଚାହିଁ ରହୁଛି ଆକାଶକୁ; ମାଗୁଛି ଆଉ ଗୋଟେ ସୁଯୋଗ ନିଜକୁ ଗଢ଼ିତୋଳିବାର ।

– ସୁଚିସ୍ମିତା ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସୁଚିସ୍ମିତା ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।