You are currently viewing କନ୍ଥା
Odia Poem Kantha (କନ୍ଥା) by Golak Bihari Giri

କନ୍ଥା

ଆଜି ଯେତେ ଦୂରେଥିଲେ ଦୂରତା ସାଜେନା ବାଧକ
4ଜି ନେଟ୍ଓର୍କ କି ଜିଅ ଫୋନ୍
ସମସ୍ତଙ୍କଠାରୁ ଉର୍ଦ୍ଧ୍ୱରେ ଯାହାର କଥା,
ସେ ମୋ ମା’ର ପୁରୁଣା ଲୁଗାରେ ତିଆରି କନ୍ଥା…

ମା’ କୋଳରେ ଶୁଇବାର ନିଦ
ତା’ ଆଲିଙ୍ଗନରେ ଅପୂର୍ବ ଶାନ୍ତି
ସବୁ ଏବେ ଏବେ ଅନୁଭବ ହୁଏ
ଦୂରେଇଯାଏ ବ୍ୟଥା,
ଯେବେ ମୋ ପାଖରେ ଥାଏ
ମୋ ମା’ ହାତତିଆରି କନ୍ଥା…

ତା’ ପିନ୍ଧା ଲୁଗାର ବାସ
ମୋ ପାଇଁ ତା’ ମମତାର ନିଶ୍ୱାସ
ତା’ ସ୍ନେହ ବୋଳା ଗାଳି
ମିଠା ମିଠା ଆକଟ
ସବୁ ଏବେ ଏବେ ମନେ ପଡ଼େ
କିଛି ବ୍ୟକ୍ତ ପୁଣି କିଛି ଅବ୍ୟକ୍ତ କଥା,
ଯେବେ ମୋ ଶେଜରେ ଥାଏ,
ମୋ ମା’ର ପୁରୁଣା ଲୁଗାରେ ତିଆରି କନ୍ଥା…

ତା’ ଫୁଟଣ ଦିଆ ଆଳୁ ଭଜା
ନଡ଼ିଆ ସଜନା ଶାଗ
ଅମୃତଭଣ୍ଡା ସିଝା
ସବୁ ମୋ ପାଇଁ ଶ୍ରେଷ୍ଠ ବ୍ୟଞ୍ଜନ
ସେ ମୋ ମାଆ ମୁଁ ତା’ ପୁଅ,
ତା’ ବିନା ମୁଁ ଏକା ଏକା,
ଯେବେ ମୋ ଶେଜରେ ଥାଏ
ମୋ ମା’ ପୁରୁଣା ଲୁଗାରେ ତିଆରି କନ୍ଥା…
ପୁରୁଣା ଲୁଗାରେ ତିଆରି କନ୍ଥା…

– ଗୋଲକ ବିହାରୀ ଗିରି

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଗୋଲକ ବିହାରୀ ଗିରି ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।