You are currently viewing କାହ୍ନୁ ବିନା ଗୋପ ଶୂନ୍ୟ
Odia Poem Kanhua Bina Gopa Shunya (କାହ୍ନୁ ବିନା ଗୋପ ଶୂନ୍ୟ) by Srinibas Samal

କାହ୍ନୁ ବିନା ଗୋପ ଶୂନ୍ୟ

ଅଛି ସେ କଦମ୍ବ ବନ
ଶୁଭୁନି ମୁରଲୀ ସ୍ଵନ
ନଦୀ ପଠା ଲାଗେ ଖାଲି,
ଶ୍ରୀହୀନ ଲାଗେ ମନ ବୃନ୍ଦାବନ
କହ୍ନେଇ ନାହିଁତ ବୋଲି ।

ଲୁଚେଇ କାନ୍ଦେ ରାଧିକା
ଚଉଦିଗ ହେଲା ଫିକା
ଗହନ ଗୁମର ପ୍ରୀତି
ସରଗ ସୁଷମା ହୀନ ତା ଉପମା
ସରାଗେ ନଥାଏ ମତି ।

ପୁରିଛି ଲବଣୀ ହାଣ୍ଡି
ଯଶୋଦା ପାରୁନି ଦଣ୍ଡି
ବସି ଖୁଆ ବାଡ଼ି ପାଶେ
ବାତ୍ସଲ୍ୟ ମମତା ନୟନ ଯୁଗଳୁ
ଧାର ଧାର ବୋହି ଆସେ ।

ନିଛାଟିଆ କ୍ରୀଡ଼ାଭୂଇଁ
ସଞ୍ଜ କି ଆସିଲା ନଇଁ
ଗୋପ ଚାଟ ମେଳେ ଫାଟ,
ଭାଙ୍ଗିଲା ମନର କୌତୁକ ଭିଆଣ
ଭ୍ରମଣ ରମଣ କଷ୍ଟ ।

ଉଡ଼ୁନି ଗୋଗୋଷ୍ଠ ଧୂଳି
ଶୁଭୁନି ଘଣ୍ଟି ଘାଗୁଡ଼ି
ନାହିଁ ଗାଁ ଦାଣ୍ଡେ ଭେଟ,
ଛାତିର ଛନକା ମଉଳି ଗଲାଣି
ପ୍ରାଣ କି ଛାଡ଼ିବ ଘଟ ।

– ଶ୍ରୀନିବାସ ସାମଲ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଶ୍ରୀନିବାସ ସାମଲ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।