You are currently viewing ଅତର ଶିଶି
Odia Story Atara Sishi (ଅତର ଶିଶି) by Dr. Abhipsa Bal

ଅତର ଶିଶି

ଦାମିକା ଅତର ଲଗାଇବାରେ ଅଭ୍ୟସ୍ତ ନ ଥିଲି ମୁଁ । ଗତ ବର୍ଷ ଜନ୍ମଦିନରେ ମୋ ପ୍ରିୟ ବନ୍ଧୁ ଜଣକ ଏହି ଅତରଟିକୁ ଭେଟି ଦେଇଥିଲେ । ଖୋଳରେ ତା’ର ଦାମ ଦେଖି ମୁଣ୍ଡ ଘୂରେଇ ଦେଇଥିଲା ମୋର ।

– କ’ଣ ମୁଣ୍ଡକୁ ବିଛା କାମୁଡ଼ି ଥିଲା? ମୋତେ ପଇସାଟା ଲଫାପାରେ ଦେଇଦେଲନି । ଏତିକିରେ ମୋର ଭଲ ଭଲ ଡ୍ରେସ୍ ଦୁଇଟା ହେଇଯାଇଥାନ୍ତା । ନଚେତ୍ ହାତ ଘଣ୍ଟା ଦେଇପାରିଥାନ୍ତ ।
– ହଁ ଯେ, This one has a good smell. ତମକୁ ନିଶ୍ଚେ ଭଲ ଲାଗିବ । କୋଉ ସବୁଦିନ ଦେଉଛି !
– ହୁଁ

ରଖିଦେଲି, କିନ୍ତୁ ଲଗାଇବାକୁ ଇଚ୍ଛା କଲିନି ଲୋଭରେ । ଏତେ ଦାମିକା ଅତର ବ୍ୟବହାର କରିବି ନା ! ହେସ୍ । ସବୁଦିନ ବାହାରିବା ସମୟରେ ଟିକେ ଠିପି ଖୋଲି ବାସ୍ନାଟି ଉପଭୋଗ କରି ବନ୍ଦ କରି ରଖିଦିଏ ।

ସବୁଦିନ ଏଇଟା ଦେଖି ମା’ ଦିନେ ଦେଖି କହିଲା, “ନେଇଯା ଫୁଲ ଟିକେ ଦେଇ ଦେ ।” ମୁଁ ନ ଶୁଣିଲା ପରି ରହିଲି । ମାସେ ପରେ ବନ୍ଧୁ ଜଣକ ପଚାରିଲେ, “ଅତର ବ୍ୟବହାର କରିଲେ? ଠିକ୍ ଲାଗିଲା?” ମୁଁ କହିଲି, “ବାସ୍ନା ଭାରି ବଢ଼ିଆ ।”

– ସବୁବେଳେ ବ୍ୟବହାର କରୁଛନ୍ତି?
– ହଁ
– ମୁଁ କହିଥିଲି ନା ଭଲ ଲାଗିବ ।
– ହଁ, ସେଥିପାଇଁ ସବୁଦିନ ଠିପି ଖୋଲୁଛି ଆଘ୍ରାଣ ନେଇ ପୁଣି ବନ୍ଦ କରି ରଖିଦେଉଛି । ଆଉ ତମ କଥା ବି ସେଇ ବାହାନାରେ ମନେ ପଡ଼ୁଛି ।

ଭୁଲ୍ ଲୋକ ହାତରେ ଜିନିଷଟି ପଡ଼ିଲାରୁ ଆରମ୍ଭ ହୋଇ ଅଧ ଘଣ୍ଟିଆ ବକ୍ତବ୍ୟରେ ଶେଷ ହେଲା ବନ୍ଧୁଙ୍କ କ୍ଷୋଭ । ମଲା ମଣିଷ ! ଅତରର ପ୍ରତିଟି ଆଘ୍ରାଣରେ ବନ୍ଧୁଙ୍କୁ ମନେ ପକେଇବାର ଯେଉଁ ଖୁସି ମିଳୁଥିଲା ତାହା ବନ୍ଧୁ ଜଣଙ୍କୁ ବୁଝାଇବାକୁ ଶବ୍ଦ ପାଉ ନଥିଲି । ମୁଁ କଥା ବୁଲାଇବାକୁ, ଦେଖା ହେବାକୁ ପ୍ରସ୍ତାବ ଦେଲି । “ହଉ ବହୁତ ଦିନ ହେଲା ଦେଖା ହେଇନ । ରବିବାର ଦିନ ଆସ କେଉଁଠାରେ ଗୋଟେ ବସିବା ।”

ରବିବାର ଦିନ ଦେଖା କରିବାକୁ ଯିବା ପାଇଁ ପ୍ରସ୍ତୁତ ହେଉଥାଏ । ଶେଷରେ ଭାବିଲି ଆଜି ଟିକେ ଲଗେଇଦେବା ଅତରଟା । ବାହାର କରି ଟିକେ ହାତରେ ମାରିଲି । ବାଃ ! କି ବାସ୍ନା । ଲଗେଇକି ଆଲମାରୀରେ ରଖୁ ରଖୁ ହାତରୁ ଖସିଗଲା । ମୁହୂର୍ତ୍ତକ ମଧ୍ୟରେ ଅତର ଶିଶି ଭାଙ୍ଗି ଚୂର୍ଣ୍ଣବିଚୂର୍ଣ୍ଣ । ଆଖିରୁ ଦୁଇ ଟୋପା ଲୁହ ଝରି ଅତର ସହ ମିଶିଗଲା । ଭାବି ପାରିଲିନି ହଠାତ୍ କ’ଣ ହେଲା ଆଉ କ’ଣ କରିବି । କିଛି ସମୟ ସ୍ତବ୍ଧ ହେଇଯାଇଥିଲି । ତା’ପରେ ଆଲମାରୀରୁ କିଛି ଡ୍ରେସ୍ କାଢ଼ି ଆଣି ତା’ ଉପରେ ପକାଇଦେଲି । ଆଉ ତା’ପରେ ଅତର ଶିଶିର ଭଗ୍ନାଶେଷକୁ ସାଇତି ରଖିଦେଲି ।

ଆଜିକୁ ଆଠ ମାସ ହେବ ରହିଛି । ଏବେ ବି ତା’ର ବାସ୍ନା ସେମିତି ରହିଛି । ବୋଧ ହୁଏ ମୋ ଭାଗ୍ୟରେ ତାହା ଲେଖା ନଥିଲା । ବହୁତ ଥର ଭାବିଲି ଫିଙ୍ଗିବା ପାଇଁ କିନ୍ତୁ ମନ ମାନୁନି । ମନ କଥା ବି ସେମିତି ସାଇତି ରଖିଛି କାଳେ କେବେ ଯଦି ହୢଦୟ ଭାଙ୍ଗିଯିବ ।

ଡ. ଅଭିପ୍ସା ବଳ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଡ. ଅଭିପ୍ସା ବଳ ପେଷାରେ ଜଣେ ଅଧ୍ୟାପିକା, କିନ୍ତୁ କେବେ କେମିତି ମନ ହେଲେ ଗପ ଟିକିଏ ଲେଖିଦିଅନ୍ତି । ତାଙ୍କ ଗପଗୁଡ଼ିକ ମୁଖ୍ୟତଃ ସତ୍ୟଘଟଣା ଉପରେ ଆଧାରିତ । ତାଙ୍କ ରଚିତ ଗପଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।