You are currently viewing ମାଛକାନ୍ଦଣା ଜଳପ୍ରପାତ
Machhakandana Waterfall (ମାଛକାନ୍ଦଣା ଜଳପ୍ରପାତ) of Similipal National Part, Mayurbhanj, Odisha

ମାଛକାନ୍ଦଣା ଜଳପ୍ରପାତ

ଆମ ଓଡ଼ିଶାରେ ଅନେକ ଜଳପ୍ରପାତ ରହିଛି ଆଉ ସେମିତି ଏକ ଜଳ ପ୍ରପାତ ହେଉଛି ମାଛକାନ୍ଦଣା ଜଳପ୍ରପାତ ।

ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ଏହି ଜଳପ୍ରପାତଟି ପାଖରେ ପହଞ୍ଚିବାକୁ ହେଲେ ପାହାଡ଼ ଚଢ଼ି ପାହାଡ଼ିଆ ଝରଣା ପାର୍ ହେବାକୁ ପଡ଼ିଥାଏ । ବାରିପଦାଠାରୁ ୨୨ କିଲୋମିଟର ଦୂର ଲୁଲୁଙ୍ଗ ଓଟିଡିସି ବଙ୍ଗଳା ପର୍ଯ୍ୟନ୍ତ ଯିବାକୁ ପଡ଼େ ଏବଂ ଏହାପରେ ଆରମ୍ଭ ହୁଏ ମୁଖ୍ୟ ଯାତ୍ରା । ପାହାଡ଼ ଚଢ଼ି ପାଖାପାଖି ୮ କିଲୋମିଟର ପର୍ଯ୍ୟନ୍ତ ଯିବାକୁ ପଡ଼ିଥାଏ, ଏହି ଜଳପ୍ରାପାତଟିର ଝଲକ ପାଇଁ ।

ଲୁଲୁଙ୍ଗ ପର୍ଯ୍ୟନ୍ତ ଆପଣମାନେ ଗାଡ଼ିରେ ଯାଇପାରିବେ ଏବଂ ସେଠାରୁ ୨ କିଲୋମିଟର ଚାଲିବା ପରେ ହାତୀଟ୍ରାପ ପାହାଡ଼ ଚଢ଼ିବାକୁ ହୁଏ । ସେଠାରୁ ୩ କିଲୋମିଟର ଗଲାପରେ ଟାଙ୍ଗିବେଣ୍ଟ ପାହାଡ଼ ଉପରେ ୩ କିଲୋମିଟର ଯିବା ପରେ ଶୁଣାଯାଏ ମାଛକାନ୍ଦଣା ଜଳପ୍ରପାତର ମନଲୋଭା ଶବ୍ଦ । ଶବ୍ଦ ଶୁଣି ପାରୁଥିଲେ ମଧ୍ୟ ଜଳପ୍ରପାତଟିକୁ ଦେଖିବାକୁ ହେଲେ ଆହୁରି ଅଧାକିଲୋମିଟର ଚାଲିବାକୁ ପଡ଼େ ବାମପଟକୁ ।

ଏହା ହେଉଛି ତିନିଗୋଟି ଜଳପ୍ରପାତର ସମଷ୍ଟି । ପ୍ରଥମ ଜଳପ୍ରପାତ ନିକଟରେ ରହିଛି ଏକ ଗୁମ୍ପା, ଯେଉଁଠି ଦର୍ଶକମାନେ ଖରାବର୍ଷାରେ ଆଶ୍ରୟ ନେଇପାରିବେ । ପବନରେ ଦ୍ୱିତୀୟ ଜଳପ୍ରପାତର ଜଳକଣା ଗୁଡ଼ିକ ଉପରଆଡ଼କୁ ଆସୁଥାଏ ଆଉ ଅସ୍ତଗାମୀ ସୂର୍ଯ୍ୟ ସେଠାରେ ଇନ୍ଦ୍ରଧନୁର ଭ୍ରମ ସୃଷ୍ଟି କରେ ।

ତୃତୀୟ ଜଳପ୍ରପାତଟିକୁ ଦେଖିବାକୁ ହେଲେ ତଳକୁ ଓହ୍ଲାଇବାକୁ ପଡ଼ିଥାଏ, ଯାହାକୁ ଦେଖିବା ସମସ୍ତଙ୍କ ଭାଗ୍ୟରେ ନଥାଏ । ପାହାଡ଼ ଚଢ଼ିବାରେ ଅଭ୍ୟସ୍ତ ନଥିବା ଲୋକଟିଏ ତା’ ନିକଟରେ ପହଞ୍ଚିବାର ସାହାସ କରେନାହିଁ ।

ଦୁର୍ଭାଗ୍ୟର ବିଷୟ ଯେ ଶିମିଳିପାଳର ଏହି ସୁନ୍ଦର ଝରଣାଟି ପାଖରେ ପହଞ୍ଚିବା ପାଇଁ ସେତେଟା ସୁବିଧା ନାହିଁ, କିନ୍ତୁ ନିଜ ଚେଷ୍ଟାରେ ଆପଣମାନେ ଥରେ ଯାଇ ଏହାକୁ ଉପଭୋଗ କରିପାରିବେ ।

– ସଂଗ୍ରାମ କେଶରୀ ସେନାପତି

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସଂଗ୍ରାମ କେଶରୀ ସେନାପତି, ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ପ୍ରତିଷ୍ଠାତା ତଥା ସମ୍ପାଦକ । ସେ ଓଡ଼ିଆରେ ଗଳ୍ପ, ପ୍ରବନ୍ଧ ଆଦି ଲେଖାଲେଖି କରନ୍ତି ଏବଂ ଓଡ଼ିଆ ଉଇକିମିଡ଼ିଆର ବିଭିନ୍ନ ପ୍ରକଳ୍ପରେ ପ୍ରାୟତଃ କାର୍ଯ୍ୟ କରନ୍ତି ।