You are currently viewing କରୁଣା
Odia Story Karuna (କରୁଣା) by Biswanath Kinkar Rout

କରୁଣା

ସକାଳ ୧୦ଟା । ରମାକାନ୍ତ ସାରେ ପିଲାଙ୍କୁ ପଢ଼େଇ ସାରି ଉଠିଲେ । ବିଛଣାରେ ବସିବାକୁ ଯାଉଛନ୍ତି କି ରୋଷେଇ ଘରୁ ଘରଣୀଙ୍କ ଆବାଜ୍ ଆସିଲା, “ରୁଟି ଦେଇ ଦେବିକି ଖାଇବାକୁ?” ସାରେ କହିଲେ, “ରୁହ ଟିକେ ଗଡ଼ି ପଡ଼େ, ଏତେ ଶୀଘ୍ର କାହିଁକି !” “ଶୁଣ ଖାଇ ସାରିଲେ ପରିବା ଆଣିବାକୁ ଯିବ । ବେଶୀ ଲେଟ୍ ହେଲେ ଭଲ ପରିବା ସବୁ ସରିଯିବ, ଶେଷରେ ଶୁଖିଲା ପୋକା ପଚା ପରିବା ମିଳିବ ।” “ହଁ ତ ! ଠିକ୍ କଥା ।” ସାରେ ଜଲଦି ୨ ଖଣ୍ଡ ରୁଟି ଖାଇ ସ୍କୁଟି ଧରି ବାହାରି ପଡ଼ିଲେ । ଘରଣୀ ଆଣି ଲିଷ୍ଟ୍ ଦେଇଗଲେ । ସାରେ ଟିକେ ଆଖି ବୁଲେଇ ଆଣିଲେ । ବାଇଗଣ, ବିଲାତି, ଜହ୍ନି, ସଜନା ଛୁଇଁ, ଓଉ, କାକୁଡ଼ି, ଝୁଡ଼ଙ୍ଗ, ପୋଟଳ, କାଙ୍କଡ଼… । ସାରେ ଲିଷ୍ଟ୍ ଦେଖି ରାଗିଗଲେ । କହିଲେ, “ଏତେ ସବୁ ନାଁ ଲେଖିବା କ’ଣ ଦରକାର ଥିଲା । ଏକାଥରକେ ତ ପରିବା ବଜାରଟା ନେଇ ଆସିବ ବୋଲି କହିଥାନ୍ତ ।” ଘରଣୀ ତାଙ୍କ ସ୍ୱଭାବ ସୁଲଭ ହସ ହସି କହିଲେ, “ହଉ ସେୟା କରିବ । ବଜାରଟା ନେଇ ଆସିବ ।” ଏତିକି କହି ଭିତରକୁ ଚାଲିଗଲେ ।

ସାରେ ଆଉ କହିବେ କ’ଣ । ଗାଡ଼ି ଷ୍ଟାର୍ଟ କରି ଚାଲିଲେ ବଜାର ଅଭିମୁଖେ । ବାଟରେ ୨ ସାଇଡ଼କୁ ଚାହିଁ ଚାହିଁ ଯାଉଥାନ୍ତି । କାରଣ ବେଳେ ବେଳେ ଗାଁ ପରିବା ଚାଷୀ ବି ନିଜ ନିଜର ପରିବା ଧରି ବିକନ୍ତି । ବଜାରଠୁ ଶସ୍ତା ଆଉ ତାଜା ପରିବା । କିନ୍ତୁ କାହିଁ କେହି ଦେଖା ଗଲେନି । ବୋଧେ ପ୍ରବଳ ବର୍ଷା ଯୋଗୁଁ ପରିବା ତୋଳା ହେଇ ପାରିନି । ଯାଇ ବଜାରରେ ପହଞ୍ଚିଲେ । ନାରଣ (ଚିହ୍ନା ପରିବା ଦୋକାନୀ) କହିଲା, “ସାରେ କ’ଣ ଦେବି?” ସାରେ କହିଲେ, “ତୁ ଆଗ ସବୁର ଦାମ୍ କହିଲୁ ।” ସେ ଆରମ୍ଭ କଲା, “ବାଇଗଣ ୫୦, ବିଲାତି ୫୫, ଜହ୍ନି ୪୦, ଭେଣ୍ଡି ୪୦, ଜୁଡ଼ଙ୍ଗ ୫୦, ପୋଟଳ ୯୦, କାଙ୍କଡ଼ ୮୦, ସଜନା ଛୁଇଁ ୧୦୦…” ସାରେ କହିଲେ, “ଏବେ ବ୍ରେକ୍ ଲଗା । ଏଇ ଲିଷ୍ଟ୍ ନେ । ପୋଟଳ, କାଙ୍କଡ଼ ଛାଡ଼ି ଆଉ ସବୁ ଦେଇ ଦେ ।” ନାରଣ ସବୁ ଦେଇ ହିସାବ କରିବାରେ ଲାଗିଲା । ସାରେ ତାକୁ ୫୦୦ ଟଙ୍କିଆ ନୋଟ୍‌ଟେ ବଢ଼େଇ ପଇସା ଫେରି ପାଇବା ପାଇଁ ଅପେକ୍ଷା କଲେ । ନାରଣ ହିସାବ କରି ସାରି କହିଲା, “ସାରେ ଆଉ ୬୦ ଟଙ୍କା ଦିଅନ୍ତୁ ।” ସାରେ ଚମକି ପଡ଼ିଲେ । କ’ଣ ହେଲା ୫୦୦ ଟଙ୍କା ବି କମ୍ ପଡ଼ିଲା । ଦେଖିଲା ବେଳକୁ ବ୍ୟାଗ୍ ବି ପୂରିନି । ହଉ । ବାକି ଟଙ୍କା ଦେଇ ବ୍ୟାଗ୍ ଧରି ଘର ମୁହାଁ ହେଲେ । ଗୋଟିଏ ଚିନ୍ତା ହେଲା ପୋଟଳ ଆଣି ନାହାନ୍ତି । ଘରଣୀ ପଚାରିଲେ କହିବେ କ’ଣ ।

ଏମିତି ଭାବୁ ଭାବୁ ଗାଁ ସ୍କୁଲ ପାଖା ପାଖି ରାସ୍ତା ପାଖରେ ୭୦/୭୫ ବର୍ଷର ବୁଢ଼ୀଟିଏ ଖରାରେ ବସିଥିବାର ଦେଖିଲେ । ନିଜ ପିନ୍ଧା ଲୁଗା କାନି ବିଛେଇ କିଛି ପୋଟଳ ରଖି ବସିଥାଏ । ସାରେ ଗାଡ଼ି ବ୍ରେକ୍ ମାରି ସ୍ଲୋ କଲେ ଆଉ ପଚାରିଲେ, “ମାଉସୀ ପୋଟଳ କେତେ ଲେଖାଁ?” ବୁଢ଼ୀ ଉତ୍ତର ଦେଲା, “ବାବୁରେ ଦାମ୍ କ’ଣ ମୁଁ ଜାଣିନି । ୫୦ ଟଙ୍କା ଦେଇ ନେଇଯା’ ।” ସାରେ ଅନୁମାନ ଲଗେଇଲେ ପୋଟଳ କେଜିଏରୁ ଅଧିକ ହେବ । ବଜାରରେ ତ ୯୦ ଟଙ୍କା । ନିହାତି ଲାଭ ଅଛି । ସେଇଠୁ ଗାଡ଼ି ଷ୍ଟାର୍ଟ ବନ୍ଦ କରି ଓହ୍ଲେଇ ବୁଢ଼ୀ ପାଖକୁ ଗଲେ । କହିଲେ ମାଉସୀ ଦେଇଦିଅ । ବୁଢ଼ୀ ପୋଟଳ ଗୋଟେଇବାରେ ଲାଗିଲା । ସାରେ ବ୍ୟାଗ୍‌ରେ ରଖିସାରି ପଇସା କାଢ଼ି ଦେଲା ବେଳେ ପଚାରିଲେ, “ମାଉସୀ ବଜାରରେ ପୋଟଳ ତ ଅଧିକ ଦାମ୍ । ତମେ ଶସ୍ତାରେ ବିକୁଛ କାହିଁକି?” ବୁଢ଼ୀ କହିଲା “ବାବୁରେ ଶସ୍ତା କ’ଣ ଦାମ୍ କ’ଣ ମୁଁ ଜାଣିନି । ଘରେ ଚାଉଳ ୨ଟା ଛଡ଼ା ଆଉ କିଛି ନାହିଁ । ପୁଅ ବୋଉ ୨ ଜଣ ଡାକତର ଖାନାରେ । କରୁଣା ନାଗି ଯାଇ ୭ ଦିନ ହେଲା ଅଛନ୍ତି । ଘରେ ୧୫ ବରଷର ନାତୁଣୀ ଆଉ ମୁଁ । କ’ଣ ଆଉ କରିମି । ବିଲରେ ପୁଟଳ ୨ଟା ଛଡ଼ା ଆଉ କିଛି ନଥିଲା । ସେଇକୁ ଦେଇ ଆଳୁ, ଡାଲି, ତେଲ, ଲୁଣ ନେଲେ ଆମେ ୨ ଜଣ ୨ ଦିନ ବଞ୍ଚିଯିବୁ ।” ସାର୍‌ଙ୍କ ହାତ ପର୍ସରେ ଅଟକି ଗଲା । କିଛି ଭାବି ପାରିଲେନି । ନିଜକୁ ବହୁତ ଛୋଟ ଅନୁଭବ କଲେ । ପୋଟଳ ୨୦ ଟଙ୍କା ଅଧିକ ଥିଲା ବୋଲି ତାଙ୍କ ପରି ଧନୀ ଲୋକ ପୋଟଳ କିଣିଲାନି । କିନ୍ତୁ ଏ ଗରିବ ବୁଢ଼ୀ ୧୦୦ ଟଙ୍କାର ଜିନିଷକୁ ୫୦ ଟଙ୍କାରେ ବିକିବାର ସାହସ ରଖିଛି !! ଆଖିରେ ଲୁହ ଜକେଇ ଆସିଲା । କହିଲେ, “ମାଉସୀ ଏଇଠି ବ୍ୟାଗ୍‌ରହିଲା, ମୁଁ ୫ ମିନିଟ୍‌ରେ ଆସୁଛି ।” ବୁଢ଼ୀ କହୁଥାଏ, “ବାବୁରେ ଶୀଘ୍ର ଆସିବୁ । ଘରେ ନାତୁଣୀ ଏକୁଟିଆ ଅଛି ।” ସାରେ କିନ୍ତୁ କିଛି ଶୁଣିବା ପାଇଁ ସେଠାରେ ନଥିଲେ । ସ୍କୁଲ ପାଖ ତେଜରାତି ଦୋକାନରୁ ୨ କେଜି ଆଳୁ, ୧ କେଜି ଡାଲି, ୫୦୦ ମିଲି ସୋରିଷ ତେଲ ଆଉ ଲୁଣ ପ୍ୟାକେଟ୍ ଧରି ପହଞ୍ଚିଲେ । ବୁଢୀ କହଲା, “ବାବୁରେ ପଇସା ଦେ, ମୁଁ ଯାଏ । ଆଳୁ ତେଲ ନେଲେ ନାତୁଣୀ କ’ଣ ମୁଠାଏ ରାନ୍ଧିବ ।” ସାର୍ ଆଣିଥିବା ସଉଦା ମୁଣିଟିକୁ ବଢ଼ାଇ ଦେଇ କହିଲେ, “ମାଉସୀ ଦୋକାନ ଯିବା ଦରକାର ନାହିଁ । ମୁଁ ସବୁ ନେଇ ଆସିଛି । ଏଇ ନିଅ ଆଉ ଘରକୁ ଯାଅ । ଆଚ୍ଛା ତୁମ ଘର କେଉଁଠି?” ମାଉସୀ ଉତ୍ତର ଦେଲା, “ବାବୁରେ ପଦମପୁର ।” ସାରେ ହିସାବ କଲେ । ଏଇଠୁ ପ୍ରାୟ ୩ କିଲୋମିଟର ହେବ । ଏଇ ଖରାରେ ବୁଢ଼ୀଟା ଚାଲି ଚାଲି ଆଉ ଏ ସଉଦା ବୋଝ ଉଠେଇ କେମିତି ଯିବ? ସେ ତା’ ସଉଦା ବ୍ୟାଗ୍‌କୁ ଗାଡ଼ିରେ ରଖି କହିଲେ, “ମାଉସୀ ତୁମେ ମୋ ପଛରେ ବସ । ମୁଁ ତୁମକୁ ତୁମ ଘରେ ଛାଡ଼ି ଦେବି ।” ହେଲେ ବୁଢ଼ୀ ଟିକେ ସଙ୍କୋଚ ପ୍ରକାଶ କରି କହିଲା, “ନାହିଁରେ ବାବୁ । ତୁ କାହିଁକି କଷ୍ଟ କରିବୁ । ମୁଁ ଗୋଟେ ଗୋଟେ ଚାଲିଯିବି ।” ସାରେ ଦେଖିଲେ ଟିକେ ମିଛ ନ କହିଲେ ବୁଢ଼ୀ ରାଜି ହେବନି । ସେ କହିଲେ, “ଏଥିରେ କଷ୍ଟ କ’ଣ, ମୋ ଘର ତ ସେଇ ପଟରେ । ମୁଁ ତୁମ ଗାଁ ଦେଇ ଯିବି, ସେଇଠି ତୁମ ଘର ପାଖରେ ଓହ୍ଲେଇ ଦେବି ।” ଯାହାହେଉ ବୁଢ଼ୀ ରାଜି ହେଲା ।

ସାରେ ତାକୁ ଛାଡ଼ି ଘରେ ପହଞ୍ଚିଲା ବେଳକୁ ଦିପହର ୧ଟା ବାଜିଲାଣି । ଘରଣୀ ପଚାରିଲେ, “ଏତେ ଲେଟ୍ କାହିଁକି ହେଲା? ଗାଧୋଇ ଖାଇବନି କି?” ସାରେ କିଛି ନକହି ବ୍ୟାଗଟା ରଖିଦେଇ ବିଛଣା ଉପରେ ବସି ପଡ଼ିଲେ । କାନ୍ଥରେ ଲାଗିଥିବା ଜଗନ୍ନାଥ ଫଟୋକୁ ଚାହିଁ କହିଲେ, “ହେ କରୁଣାମୟ, ତୁମ କରୁଣାର ଏ କି ଅକରୁଣ ଦୃଶ୍ୟ ଦେଖେଇଲ ପ୍ରଭୁ !”
ଜୟ ଜଗନ୍ନାଥ ।

– ବିଶ୍ୱନାଥ କିଙ୍କର ରାଉତ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ବିଶ୍ୱନାଥ କିଙ୍କର ରାଉତ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।