You are currently viewing ମରଣ ମୋ ପାଇଁ ଶ୍ରେୟ
Odia Story Marana Mo pain Sreya by Anasuya Panda

ମରଣ ମୋ ପାଇଁ ଶ୍ରେୟ

ବିକଟାଳ ଶବ୍ଦ କରି ଆମ୍ବୁଲାନ୍ସଟା କଲୋନୀ ଭିତରକୁ ମାଡ଼ି ଆସୁଥିଲା । ପଛକୁ ପଛ ଦଶ ବାରଟି କାର୍ ଆଉ କେତେଗୁଡ଼ିଏ ବାଇକ୍ ଆପାର୍ଟମେଣ୍ଟ ଆଗରେ ଆସି ପହଞ୍ଚିଗଲା । କମ୍ପିଉଠିଲା କମ୍ପାଉଣ୍ଡଟି । ସାମ୍ନାରେ ମାରୁଆଡ଼ି ଭୋଜନାଳୟ । ଚୌଧୁରୀ ବାବୁ କାନ୍ଦି କାନ୍ଦି ଗଡ଼ି ଯାଉଥାନ୍ତି । ଚୌଧୁରୀ ବାବୁଙ୍କ ବାପା ବାଲକୋନିରୁ ପଡ଼ି ଯାଇଛନ୍ତି । ମୁଣ୍ଡ ଫାଟି ଯାଇଛି । ଆଖିପତାରେ ବହୁତ ଆଘାତ ଲାଗିଛି । ନାକରୁ ରକ୍ତ ବାହାରୁଛି । ଖନେଇ ଖନେଇ କଥା କହୁଛନ୍ତି, “ମୋର ଆଉ ଏ ଭୁଲ ହେବନି । ମତେ ଡାକ୍ତରଙ୍କ ପାଖକୁ ନେଇଚାଲ ।” ସହକର୍ମୀମାନଙ୍କ ସହାୟତାରେ ଆମ୍ବୁଲାନ୍ସରେ ବୃଦ୍ଧଙ୍କୁ ପାଖ ଡାକ୍ତରଖାନାକୁ ନେଇଗଲେ । ସାଇ ପଡ଼ିଶାର ସମସ୍ତେ ଗଦା ହୋଇଗଲେ । ସହାନଭୁତିର ସାନ୍ଦ୍ରତା ବାତାବରଣକୁ ଆହୁରି କାରୁଣ୍ୟ କରିଦେଲା । କେତେଜଣ ସହକର୍ମୀ ଓ ସହ ଧର୍ମିଣୀମାନଙ୍କର ଶାଣିତ ମନ୍ତବ୍ୟ ତୀବ୍ର ଗତିରେ ଆଲୋଚନାର ବିଷୟ ବସ୍ତୁକୁ ବେଶୀ ରହସ୍ୟମୟ କରିପକାଇଲା ।

ଭିଡ଼ ଭିତରେ ପାଖ କଲୋନୀର ମହିଳା ଜଣେ ଉତ୍ସୁକତାରେ ପଚାରି ବସିଲେ, “କ’ଣ ହେଇଥିଲା ଚୌଧୁରୀ ବାବୁଙ୍କ ବାପାଙ୍କର ଯେ ଏମିତି ବାଲକୋନିରୁ ଗଳି ପଡ଼ିଲେ !? ଏତେ ଉଞ୍ଚା ଲୁହାବାଡ଼ ଅଛି । ପୁଣି କେମିତି ତଳେ ପଡ଼ିଗଲେ? ବଡ଼ ତାଜୁବ୍ କଥା ଏଇଟା !!”

ପାଖ ଆପାର୍ଟମେଣ୍ଟର ଜଣେ ଘରଣୀ ମହାଶୟା ନୀରବତା ଭଙ୍ଗକରି ଆଲୋଚନା ପ୍ରସଙ୍ଗରେ କହିଉଠିଲେ, “ଚୌଧୁରୀ ବାବୁ ଏମିତି ମିଛି ମିଛିକା କାନ୍ଦୁଛନ୍ତି । ସବୁ ଦେଖି ନ ଦେଖିବା ପରି ସେ ରୁହନ୍ତି । ଖାଲି କଣ ବଡ଼ ଚାକିରୀ କି ବହୁତ ପାଠ ପଢ଼ିଦେଲେ ମଣିଷ ବଡ଼ ହୁଏ । ପକେଟରେ ପଇସା ସିନା ଅଛି, ହେଲେ ଭାରି ଛୋଟିଆ ମନ ତାଙ୍କର । ପୋଷାକ, ଘରର ଆସବାସ, ଚାଲି ଚଳନ, କଥାବାର୍ତ୍ତା ଯେତେ ଆଧୁନିକ, ପ୍ରକୃତରେ ସେମାନେ ସେମିତି ନୁହଁନ୍ତି । ଆମେ ତାଙ୍କ ପୁରୁଣା ପଡ଼ୋଶୀ ଥିଲୁ । ଜାଣିଛୁ ଚୌଧୁରୀ ବାବୁଙ୍କ ସ୍ତ୍ରୀ କୁକୁର ମାଙ୍କଡ଼ ଭଳି ତାଙ୍କ ଶ୍ଵଶୁରଙ୍କୁ ବ୍ୟବହାର କରନ୍ତି । ବୁଢ଼ା ଶୋଉଥିବା ଘରକୁ ସ୍ଵାମୀ କି ପୁଅ କାହାରିକୁ ଯିବାକୁ ଦିଅନ୍ତିନି । ଶ୍ଵଶୁର ନିଜ ବାସନଠାରୁ ଲୁଗା ସଫାଭଳି ଯାବତୀୟ ନିଜର କାମ ସବୁକୁ ପ୍ରତିଦିନ ଅଶି ବର୍ଷରେ ସେ ନିଜେ କରନ୍ତି । ବୋହୁ ମା’ ତାଙ୍କୁ ଚାହା, ଅନ୍ୟାନ୍ୟ ଖାଇବା ଜିନିଷ ଅତି ଅନାଦରରେ ଟେକିକରି ତାଙ୍କ ଅଲଗା ଥାଳିରେ ଦେଇ ଦିଅନ୍ତି । ସେ ମଉସା ସମ୍ପୂର୍ଣ ସୁସ୍ଥ । ତଥାପି ତାଙ୍କୁ ଏମିତି ବ୍ୟବହାର କରାଯାଇଥାଏ । ଚୌଧୁରୀ ବାବୁ କି ତାଙ୍କର ଏକମାତ୍ର ପୁଅ କେହି କେବେ ତାଙ୍କ ଶୋଇବା ଘରକୁ ପ୍ରବେଶ କରନ୍ତିନାହିଁ । କାଳେ ଇନଫେକ୍ସନ ହେଇଯିବ । କେତେ କ’ଣ ଗତିରୋଧକ ମନ୍ତବ୍ୟ ଦେଇ କାହାରିକୁ ତାଙ୍କ ଶେଯ ପାଖକୁ ଛାଡ଼ନ୍ତିନି । କିନ୍ତୁ, ଜନଗହଳି ପୂର୍ଣ୍ଣ ରାସ୍ତା ଡେଇଁ ମନ୍ଦିରକୁ ପ୍ରତିଦିନ ଯିବାକୁ ବୁଢ଼ାଙ୍କୁ ତାଗିଦ୍ ଥାଏ । ଏମିତି କି କାମବାଲି ସ୍ତ୍ରୀ ଲୋକଟି ଦୟା ପରବଶହୋଇ ବୋହୁମା’ଙ୍କୁ କହେ, “ମାଡ଼ାମ୍ ମୋର କିଛି ହେବନି, ମୁଁ ମଉସାଙ୍କ ବାସନ ମାଜି ଦେବି । ଲୁଗା ସଫା କରିଦେବି ।” ତାକୁ ବି ସେତେକ କରେଇ ଦିଅନ୍ତିନି । ଏମାନେ କ’ଣ ମଣିଷ !! ବାପା ପୁଅ ମା ତିନିହେଁ ଅମଣିଷ । ଏମାନଙ୍କ ଭିତରେ ମାନବିକତା ହିଁ ନାହିଁ । ବୁଢ଼ା ଲୋକଟିକୁ ପେଟପୂରା ଖାଇବାକୁ ବି ଦିଅନ୍ତିନି । ଗୋଟେ ଅସୁସ୍ଥ ଆବର୍ତ୍ତରେ ଘାଣ୍ଟି ହେଉଥିଲେ ବୁଢ଼ା ବାପାଟି ।”

ଆଲୋଚନାକୁ ଦୀର୍ଘାୟିତ କରି ବାଷ୍ପାକୁଳ କଣ୍ଠରେ କହି ଚାଲିଥାନ୍ତି ସେହି ମହିଳା ଜଣକ, “ସେଥିପାଇଁ ବୋଧେ ସବୁଦିନ ମନ୍ଦିରର ପୂଜାରୀ ନନା, ଚୌଧୁରୀ ବାବୁଙ୍କ ବାପାଙ୍କୁ ଠାକୁରଙ୍କ ପ୍ରସାଦ ଦିଅନ୍ତି ଖାଇବାକୁ । ମୁଁ ପ୍ରାୟ ମନ୍ଦିର ଯାଏ । ଦେଖେ, ସେ ତ ଭଲ ସୁସ୍ଥ ଲୋକଙ୍କ ପରି ବସି କ’ଣ ମନ୍ତ୍ର ବୋଲୁଥାନ୍ତି । ଚୌଧୁରୀ ବାବୁଙ୍କ ମା’ ଅବୟସରେ ସ୍ୱାମୀଙ୍କୁ ଏକମାତ୍ର ସନ୍ତାନ ପାଖରେ ଛାଡ଼ି ଆରପାରିକୁ ଚାଲିଯାଇଥିଲେ । ପୁଅ ଗାଡ଼ି କିଣିବ ବୋଲି ମାଆର ଚିକିତ୍ସାରେ ଅବହେଳା କରିଦେଲା । କିନ୍ତୁ ମୁଁ ତ ଆଶ୍ଚର୍ଯ୍ୟ ହଉଛି, ନିଜର ଜନ୍ମିତ ପୁଅଜଣକ କେମିତି ଏତେ ନିଷ୍ଠୁର ହୋଇପାରିଲା ବାପାଟା ପାଇଁ ! ବୋହୁଟା ସିନା ପର ଝିଅ । ନିଜ ରକ୍ତର ନୁହେଁ । ଦେଖିନି ତାଙ୍କର ପିଲାଦିନ କଷ୍ଟ । ଆଉ ନାତିମାନେ ତ ଜେଜେ, ମାଆମାନଙ୍କୁ ଠାକୁର ଭଳି ବହୁତ ଭକ୍ତି କରନ୍ତି, ଯତ୍ନ ନିଅନ୍ତି । ଆନ୍ତରିକ ଭଲ ପାଆନ୍ତି । କେମିତି ସଂସ୍କାର ଶିଖିବେ ଆଉ ପିଲାମାନେ । ସେମାନେବି ସେଇଆ କରିବେ ବଡ଼ ହେଲେ ବାପ ମାଆମାନଙ୍କର । ବୁଢ଼ା ପୁଅକୁ ଛାଡ଼ି ଦଣ୍ଡେ ରହି ପାରନ୍ତିନି । ବୋହୁର କଥାବାର୍ତ୍ତା ସବୁବେଳେ ଅସଂଲଗ୍ନ ଶୁଭେ । ନାନା ଛି ଛାକର, ହତାଦର ସତ୍ତ୍ୱେ, ପୁଅ ପାଖରେ ପଡ଼ିଥାନ୍ତି । ଜୀବନ ତାଙ୍କର ପୁତ୍ରମୟ ଥିଲା ।”

ମହାପାତ୍ର ବାବୁଙ୍କ ସ୍ତ୍ରୀ ଏବେ ଚୌଧୁରୀ ବାବୁଙ୍କ ପରିବାରର ନୂଆ ପଡ଼ୋଶୀ । ସେ ସେଇଠୁ ତାଙ୍କର ସମ୍ଭାଷଣଟି ଆରମ୍ଭ କଲେ, “ଆଜି ସକାଳୁ ଘରେ ଜୋରରେ ପାଟି ତୁଣ୍ଡ ହେଉଥିଲା । ଚୌଧୁରୀ ବାବୁଙ୍କ ସ୍ତ୍ରୀ ଶ୍ଵଶୁରଙ୍କୁ ଟାଣି ଟାଣି ବାଲକୋନି କି ଆଣୁଥିଲେ । ମୁଁ ଚାହିଁଥିଲି । ତାଙ୍କ ଉପରେ ଗାଳିଦେଉଥିଲେ । ମୁଁ କ’ଣ ମିଛ କହିବି ବଡ଼ ଲୋକଙ୍କ ନାଁରେ । ମୁଁ ଚାହିଁଚି ଚୌଧୁରୀ ମଉସାଙ୍କୁ ରାଗରେ ପେଲିଦେଲେ ବାଲକୋନିରୁ । ଏବେ କୁମ୍ଭୀର କାନ୍ଦଣା କେବଳ ଲୋକ ଦେଖାଣିଆ । ମୁଖା ତଳେ ପ୍ରକୃତ ସ୍ୱରୂପ ଲୁଚିଛି । ଏମିତି ମଣିଷମାନଙ୍କ ପାଇଁ କଡ଼ା ଦଣ୍ଡ ମିଳିବା କଥା । ଯେତେ ଆଗକୁ ଗଲେ କ’ଣ ହେବ । ଯନ୍ତ୍ରାଶୟର ଉନ୍ନତିରେ କ’ଣ ଏ ପରି ବ୍ୟାଧିର ଜଡ଼ କଟାଯାଇ ପାରିବ ! ଚାଲ ଆମେ ସମସ୍ତେ ଥରେ ଚୌଧୁରୀ ବାବୁଙ୍କ ସ୍ତ୍ରୀଙ୍କୁ ବୁଝେଇବା । ଯଦି ଅସୁବିଧା ହଉଛି ତେବେ ବୃଦ୍ଧାଶ୍ରମରେ ଛାଡ଼ିଦିଅ । କିନ୍ତୁ ଏମିତି ବାର୍ଦ୍ଧକ୍ୟକୁ ଆହୁରି ଦୁର୍ବିସହ କରନା ।” ପୁରୁଣା ପଡ଼ିଶା ପୁରୁଣା କଥା ମନେପକାଇ ତାଚ୍ଛଲ୍ୟ କରି ହସି କହିଲେ, “ଦୁଇ ଚାରି ବର୍ଷ ତଳେ ମୁଁ ଏ ପ୍ରସ୍ତାବ ଦେଇଥିଲି । ବୃଦ୍ଧାଶ୍ରମ ଚାରିଲକ୍ଷ ନେବ ବୋଲି କହିଲାରୁ, ପ୍ରସ୍ତାବଟି ମାଡ଼ ଖାଇଗଲା । ଆଉ ବୃଦ୍ଧାଶ୍ରମ ନାଁ ଧରିଲେନି । କହି ବୁଲିଲେ, ଚୌଧୁରୀ ବାବୁ ଏପରି କଲେ, ଲୋକେ ବୋଲିବେ କ’ଣ । ତାଙ୍କ ବାପା ତାଙ୍କ ଜୀବନ ପରା” ।

ଇତିମଧ୍ୟରେ, ଆମ୍ବୁଲାନ୍ସଟା ଫେରି ସୂଚନା ଦେଲା, ସେମାନେ ସ୍ଵର୍ଗରଥରେ ମଉସାଙ୍କୁ ଆଣୁଛନ୍ତି । ଆଖି ଆଗରେ ନାଚିଗଲା ବୃଦ୍ଧଙ୍କର ସେ ଅସହାୟ ମୁହଁ । ଏଇତ ଜୀବନ । ମରଣ ହିଁ ତାଙ୍କ ପାଇଁ ଶ୍ରେୟ ।

– ଅନସୂୟା ପଣ୍ଡା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଅନସୂୟା ପଣ୍ଡା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।