ଭାରତୀୟ ସାଂସ୍କୃତିକ ଐତିହ୍ୟର ପ୍ରତୀକ ଉପନିଷଦ
ଭାରତୀୟ ସାଂସ୍କୃତିକ ଐତିହ୍ୟର ପ୍ରତୀକ ଉପନିଷଦ

ଭାରତୀୟ ସାଂସ୍କୃତିକ ଐତିହ୍ୟର ପ୍ରତୀକ ଉପନିଷଦ

ଭାରତୀୟ ସଂସ୍କୃତି ଓ ପରମ୍ପରା ବିଶ୍ୱମାନବର ଆଦର୍ଶ ଓ ପଥପ୍ରଦର୍ଶକ । ଭାରତରେ ହିଁ ବେଦ, ବେଦାନ୍ତ ଓ ଉପନିଷଦର ସର୍ଜନା ଏଥିରେ କେହି ଦ୍ୱିମତ ହେବେ ନାହିଁ । ଭାରତୀୟ ପରମ୍ପରା ଅନୁସାରେ ଉପନିଷଦଗୁଡ଼ିକୁ ବୈଦିକ ସାହିତ୍ୟର ଅନ୍ତିମ ଅଂଶ ଭାବରେ ଗ୍ରହଣ କରାଯାଇଛି । ଏସବୁ ଉପନିଷଦରେ ବୈଦିକ ଊପଖ୍ୟାନ ଓ ଆଚାର ଅନୁଷ୍ଠାନର ନାନାପ୍ରକାର ଧର୍ମୀୟ ଓ ଦାର୍ଶନିକ ବ୍ୟାଖ୍ୟା ସନ୍ନିବିଷ୍ଟ ଅଛି । ପରେ ମଧ୍ୟ ଏହି ନାମଟି ଷଡ଼ଦର୍ଶନ ମଧ୍ୟରୁ ଅନ୍ୟତମ ଦାର୍ଶନିକ ଭାବଧାରାର ନାମ ଭାବେ ଗୃହୀତ ଥିଲା । ଏହି ଦାର୍ଶନିକ ମତର ପ୍ରବକ୍ତାମାନେ ଅନ୍ୟମାନଙ୍କ ଅପେକ୍ଷା ଅଧିକ କଠୋର ଭାବେ ପ୍ରାଚୀନ ଧର୍ମ ଓ ଦର୍ଶନର ଅନୁସରଣକାରୀ ବୋଲି ଦାବି କରି ଆସିଥିଲେ ।

ଉପନିଷଦଗୁଡ଼ିକ ମୁଖ୍ୟତଃ ଭାରତୀୟ ସଂସ୍କୃତିର ବୈଦିକ ଯୁଗବିକାଶର ସର୍ବଶ୍ରେଷ୍ଠ ପର୍ଯ୍ୟାୟ । ଏସବୁ ରଚିତ ହେବା ପୂର୍ବରୁ ଯେଉଁସବୁ ଧ୍ୟାନଧାରଣାର ଉଦ୍ଭବ ଆଉ ବିକାଶର ସମଗ୍ର ଏକ ଯୁଗରୂପେ ଧରି ଆସିଥିଲା, ସେସବୁର ମୌଳିକ ପୁନର୍ବିଚାର ଉପନିଷଦଗୁଡ଼ିକରେ କରାଯାଇଛି । ଏସବୁ ଗ୍ରନ୍ଥର ରଚୟିତାମାନେ ପାରମ୍ପାରିକ ଦୃଷ୍ଟିରୁ ବିଚାର ଆରମ୍ଭ କରି ବୈଦିକ ବିଷୟବସ୍ତୁର ପରଧିକୁ ବହୁଦୂର ଯାଏ ସ୍ପର୍ଶକରି ସମସ୍ୟା ସମାଧାନରେ ଉପନୀତ ହୋଇଛନ୍ତି । ଯାହାର ପ୍ରତି ଫଳନ, ପରବର୍ତ୍ତୀ ପୁରୁଷ ପରମ୍ପରା ନିକଟରେ ଏସବୁ ଗ୍ରନ୍ଥ ଅତି ଶ୍ରଦ୍ଧାପୂର୍ଣ୍ଣ ପବିତ୍ର ସଂସ୍କୃତିର ଆକାର ହୋଇ ରହିଛି କେବଳ ନୁହେଁ, ବେଦଠାରୁ ବହୁ ଦୂର ଅପସୃତ ଏକ ନୂତନ ଧାରାର ଧର୍ମୀୟ ଦାର୍ଶନିକ ଧ୍ୟାନଧାରଣାର ଅପରିହାର୍ଯ୍ୟ ଅଙ୍ଗରୂପେ ପରିଣତ ହୋଇଛି । ଏପରିକି ଏହି ଗ୍ରନ୍ଥସମୂହ ଭାରତ ଇତିହାସର ଦୁଇଟି ଯୁଗ ମଧ୍ୟରେ ଜୀବନ୍ତ ଯୋଗସୂତ୍ରର ପରିଚାୟକ ଓ ଭାରତର ସାଂସ୍କୃତିକ ଐତିହ୍ୟର ଧାରାବାହିକତାର ପ୍ରତୀକ ଭାବେ ଦୃଢ଼ ଦଣ୍ତାୟମାନ ହୋଇରହିଛି ।

“ଉପନିଷଦ” ଶବ୍ଦର ମୂଳ ବ୍ୟୃତ୍ପତ୍ତିର ମୀମାଂସା ଏପର୍ଯ୍ୟନ୍ତ ସଂପୂର୍ଣ୍ଣ ରୂପେ ହୋଇପାରି ନାହିଁ । ଖୁବ୍ ସମ୍ଭବତଃ ଶବ୍ଦଟି ଶାସ୍ତ୍ରୀୟ ପାଠର ପଦ୍ଧତିକୁ ସଙ୍କେତ ଦେଉଛି, ଅର୍ଥାତ୍ ଗୁରୁ ତାଙ୍କ ଉପବିଷ୍ଟ ଶିଷ୍ୟବର୍ଗଙ୍କ ଆଗରେ ଶାସ୍ତ୍ର ବ୍ୟାଖ୍ୟା କରୁଛନ୍ତି (ଉପ+ନି+ସଦ୍- “ନିକଟରେ ଉପବେଶନ”)- ଏହି କଥା ଇଙ୍ଗିତ କରୁଛି । ଯଦିଶ୍ଚ ପରେ “ଉପନିଷଦ” ଶବ୍ଦର ଅର୍ଥ- “ଯେଉଁଥିରୁ ଗୃଢ ଜ୍ଞାନ ଲାଭ କରାଯାଏ”, ତାହା ହେଉଛି “ଉପନିଷଦ” ବୋଲି ଗ୍ରହଣ କରାଯାଏ। ଉପନିଷଦସମୂହର ସାଧାରଣ ରୂପେ ସ୍ୱୀକୃତ ମୋଟ ସଂଖ୍ୟା ୧୦୮ ଅଟେ;କିନ୍ତୁ ଏସବୁ ମଧ୍ୟରୁ କେବଳ ୧୩ଟି ଉପନିଷଦକୁ ସବୁଠାରୁ ପ୍ରାଚୀନ ଗ୍ରନ୍ଥ ରୂପରେ ଗ୍ରହଣ କରି ନିଆଯାଇଛି । ଐତିହାସିକ ବିବରଣୀ ଅନୁଯାୟୀ ଏହି ୧୩ ଖଣ୍ତ ହେଉଛି ମୂଳ ଉପନିଷଦ ଓ ଏହା ଖ୍ରୀ.ପୂ. ସପ୍ତମ ଶତାଦ୍ଦୀରୁ ଚତୁର୍ଥ ଶତାଦ୍ଦୀ ମଧ୍ୟରେ ରଚିତ ବୋଲି ଗ୍ରହଣ କରାଯାଇଛି । ଏସବୁ ମଧ୍ୟରୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦୁଇଟି ଗ୍ରନ୍ଥ ପ୍ରଥମଟି “ବୃହଦାରଣ୍ୟକ” ଓ ଦ୍ୱିତୀୟଟି “ଛାନ୍ଦୋଗ୍ୟ” ହେଉଛି ସବୁଠାରୁ ପ୍ରାଚୀନ ଓ ଯାହାକୂ ପ୍ରକୃତ ଉପନିଷଦ କୁହାଯାଏ । ଏସବୁ ଉପନିଷଦ ଭାଷ୍ୟକାର ସମ୍ଭବତଃ କେହି ଋଷି ବା ଗୁରୁ ହୋଇଥାଇପାରନ୍ତି । ଏହି ଗ୍ରନ୍ଥଗୁଡ଼ିକରେ ଲିପିବଦ୍ଧ ଉପଦେଶାତ୍ମକ ମୁଖ୍ୟ ବକ୍ତବ୍ୟ ହେଉଛି ବେଦସମୂହର ସଠିକ ପାଠୋଦ୍ଧାର କରିବା । ବେଦସମୂହର ଅର୍ଥ “ଗୃଢ” ଅର୍ଥରେ ପରୋକ୍ଷ ଉଲ୍ଲେଖ ବୋଲି ଗଣ୍ୟ କରାଯାଇ ଉପନିଷଦର ସମସ୍ତ ଗ୍ରନ୍ଥର ବୈଦିକ ପାଠର ବ୍ୟାଖ୍ୟା ଓ ଭାଷ୍ୟ ପ୍ରଦାନ କରାଯାଇଛି ।

ଉପନିଷଦ ହେଉଛି ଏକ ଦାର୍ଶନିକ ପ୍ରକ୍ରିୟା ମଧ୍ୟରେ ବିଶ୍ୱବ୍ରହ୍ମାଣ୍ତର ରହସ୍ୟକୁ ଉନ୍ମୋଚନ କରିବାର ପ୍ରଥମ ପ୍ରୟାସ । ଉପନିଷଦରେ ନିର୍ଦ୍ଦିଷ୍ଟ ଏକ ସ୍ପଷ୍ଟ ଧାରଣାକୁ ଲକ୍ଷ୍ୟ କଲେ ପ୍ରତ୍ୟେକ ଉପନିଷଦର ରଚୟିତା ଅତି ସଂକ୍ଷିପ୍ତ ଭାଷାରେ ମୂଳ ଧାରଣାକୁ ସୂତ୍ରାୟିତ କରିଛନ୍ତି, ଯାହା ଅପରିବର୍ତ୍ତିତ ଓ ସଂକ୍ଷିପ୍ତ, ମାତ୍ର ଛଅଟି ଶବ୍ଦରେ ତାହା ରୂପାୟିତ: “ଆତ୍ମା ହିଁ ବ୍ରହ୍ମ, ବ୍ରହ୍ମ ହିଁ ଆତ୍ମା ।” କେବଳ ଏହି ଉକ୍ତିଟି ଅନେକ ଉପନିଷଦରେ ବ୍ୟାଖ୍ୟା କରାଯାଇଛି । ଜଗତ ମୂଳତଃ ଅବ୍ୟାହତ ପରିବର୍ତ୍ତନ୍ନର ଧାରା ଉପରେ ଅବସ୍ଥିତ, ଯାହା କେବଳ ସମପରିମାଣରେ ପ୍ରକାଶ ପାଏ ଏବଂ “ଆତ୍ମିକ ଜଗତ” ଉପରେ ତା’ର ପ୍ରଭାବ ବିସ୍ତାର କରେ । ଉପନିଷଦ ସର୍ବପ୍ରାଣବାଦର ଧ୍ୟାନଧାରଣା ଠାରୁ କର୍ମବାଦର ସୂତ୍ର ନିର୍ଣ୍ଣୟ କରିଛି । ଏପରିକି ସନାତନୀ ଧର୍ମମତ ସହ ଜୈନ୍ୟ ଓ ବୌଦ୍ଧମତ ଉପରେ ମଧ୍ୟ ପ୍ରଭାବ ପକାଇଛି । କର୍ମବାଦାନୁଯାୟୀ ପ୍ରତ୍ୟେକ ବସ୍ତୁ ନୈତିକ ନିୟମ ଦ୍ୱାରା ସ୍ଥିରୀକୃତ ଓ ପ୍ରତ୍ୟେକ ବସ୍ତୁରେ ଆତ୍ମା ରହିଛି । ତେଣୁ ମଣିଷ ଇହଜନ୍ମରେ ଯେଭଳି କର୍ମ କରେ, ସେଇ ଭାବରେ ତା’ଆତ୍ମାର ପୁନର୍ଜନ୍ମ ଘଟିଥାଏ । ଯେ ନୀତିହୀନ କର୍ମକରି ନିଜକୁ ହେୟ ଓ ଶ୍ରଦ୍ଧାହୀନ ପାଲଟେ, ପରଜନ୍ମରେ ସେ ମାନବେତର ପ୍ରାଣୀ ଗଛ, ଲତା, ତୃଣ ବା କୀଟ, ସରୀସୃପ, ଶ୍ୱାନ, ଶୃଗାଳ ଆଦି ରୂପନେଇ ଆସେ । ଇନ୍ଦ୍ରିୟଗାହ୍ୟ ଜଗତଛଡ଼ା ଏ ମତବାଦ ବେଦବାଦରୁ ଜାତ ଦେବତା ଓ ଦାନବମାନଙ୍କର ଏତେ ବଡ଼ ଜଗତକୁ ଆତ୍ମସାତ୍ କରିଦେଇଛି । ମାନବକୁ ସୂଚେଇ ଦିଆଯାଇଛି ସେ ନିଜର ସୁକର୍ମ ଦ୍ୱାରା, ଅର୍ଥାତ୍ ଆତ୍ମା ନିଜକୁ ମଧ୍ୟ ଦେବତାର ସ୍ଥାନରେ ପହଞ୍ଚାଇ ପାରେ, ଦେବତା ଭଳି ସ୍ୱର୍ଗ ସୁଖଭୋଗର ଅଧିକାରୀ ହୋଇପାରେ। ସେପରି ମଧ୍ୟ କୁକର୍ମ କରି ନର୍କକୁ ଗତି କରି ପାରେ । ଏସବୁ କେବଳ ତା’ର କର୍ମ ଉପରେ ନିର୍ଭର କରିଥାଏ । ଏକଥା ମଧ୍ୟ କୁହାଯାଇଛି ମାନବ, ଅର୍ଥାତ୍ ମାନବ ଆତ୍ମା ଏସବୁ ଅବସ୍ଥାରାଜିକୁ ପରିବର୍ତ୍ତିତ କରି ଦେଇପାରେ । ଏପରିକି ଦେବତାଙ୍କ ଉଦ୍ଦେଶ୍ୟରେ ଯାହା ସବୁ ଯଜ୍ଞର ଉପଚାର ଉତ୍ସର୍ଗୀକୃତ ଭାବେ ସମର୍ପିତ ହୁଏ, ସେମାନେ ମଧ୍ୟ କୌଣସି ବିଶେଷ ଆତ୍ମାର ବିଶେଷ ଗୁଣାବସ୍ଥା ବା ଅବସ୍ଥାର ନାମ ବିନା ଅନ୍ୟ କିଛି ନୁହଁନ୍ତି । ତେଣୁ ପ୍ରତ୍ୟକ୍ଷ କ୍ଷେତ୍ରରେ କର୍ମ ହେଇଛି ଏକମାତ୍ର କାରକ ଶକ୍ତି, ଯେ କେବଳ ମଣିଷର ଇନ୍ଦ୍ରିୟ ଗୋଚର ଅଶ୍ୱର ଲଗାମ ସାଜି ସକଳ ବୈଚିତ୍ରକୁ ସୁନିର୍ଦ୍ଦିଷ୍ଟ, ସୁଶୃଙ୍ଖଳିତ, ସୁନିୟନ୍ତ୍ରିତ କରି ଏକ ଐକ୍ୟବିଧାୟକ ନୀତିରେ ବାନ୍ଧି ଦେଇଥାଏ ।

ପ୍ରକୃତରେ ବିଚାର କଲେ ଉପନିଷଦଗୁଡ଼ିକ ମଧ୍ୟରୁ କର୍ମବାଦ ସଙ୍ଗତିକୁ ଖୋଜି ପାଇଛି, ଯାହା କେବଳ ଚିରନ୍ତନ ପ୍ରବାହମାନ ଜୀବନ ବା ମର ସଂସାର ତତ୍ତ୍ୱ ସହିତ ଜଡ଼ିତ ହୋଇରହିଛି । ଏହି ଦୁଇ ତତ୍ତ୍ୱ ଭାରତର ବହୁ ଧର୍ମ ଓ ଦାର୍ଶନିକ ମତ ସହ ଅଙ୍ଗୀଭୂତ ହୋଇଯାଇଛି । ଉପନିଷଦର କେନ୍ଦ୍ରିୟ ତତ୍ତ୍ୱ ହେଉଛି ଆତ୍ମା ବା ପ୍ରତ୍ୟେକ ବ୍ୟକ୍ତି ବା ବସ୍ତୁର ଆଭ୍ୟନ୍ତରୀଣ ସତ୍ତା ସହିତ ବହ୍ମ । ଅନ୍ୟାର୍ଥରେ ଏହା ବିଶ୍ୱବ୍ରହ୍ମାଣ୍ତର ନୈର୍ବ୍ୟକ୍ତିକ, ସର୍ବ୍ୟବ୍ୟାପୀ ଦୈବୀ ସାରସତ୍ତାର ଅଭିନ୍ନତା ସାଧନ । ଏହି ମତ ବିଶ୍ୱସୃଷ୍ଟିର ନାନା ବୈଚିତ୍ରମୟ ଆଦି କାରଣ ସମ୍ଭୂତ ନିଛକ ପ୍ରୟାସ କେବଳ ନୁହେଁ, ବରଂ ଆଚାର ଆବରଣର ସୂକ୍ଷ୍ମବିଚାର ଧାରା, ନିୟମାବଳୀର ଫର୍ଦ୍ଦ । ଯାହା କେବଳ ପ୍ରକୃତି ଓ ଉଦ୍ଦେଶ୍ୟ ଭିତରେ ଧର୍ମୀୟ ଭାବନାକୁ ପ୍ରକାଶ କରେ ।

ଅବଶ୍ୟ, କେତେକ ଉପନିଷଦରେ ବୈଦିକ ଧ୍ୟାନଧାରଣା ଠାରୁ ଭିନ୍ନ ମତ ଦେଖିବାକୁ ମିଳେ । ବୋଧହୁଏ ଏହାର ରଚୟିତାମାନେ ବେଦର ଧ୍ୟାନଧାରଣାଗତ ଧର୍ମୀୟ ବିଚାର ବୋଧକୁ ଗଭୀର ଭାବେ ଅନୁଶୀଳନ କରି ନଥିଲେ । ବୈଦିକ ପରମ୍ପରାର ଧାରଣାକୁ ସେମାନେ ନୂତନ ଦୃଷ୍ଟିଭଙ୍ଗୀରେ ଉପନିଷଦରେ ବାଖ୍ୟା କରିଛନ୍ତି । ବୈଦିକ ଭାରତୀୟମାନେ ଅଧିକ ଯଜ୍ଞ ପୂଜା ପ୍ରତି ଧ୍ୟାନ ଦେଉଥିଲେ । ଯଜ୍ଞର ପୂଜା ଉପଚାର ନିବେଦନର ବିନିମୟରେ ସ୍ୱକୀୟ ସୌଭାଗ୍ୟ ପ୍ରାପ୍ତି ପାଇଁ ଦେବତାମାନଙ୍କୁ ଆବାହନ କରି ନିଜକୁ ପୂର୍ଣ୍ଣ ସମର୍ପଣ ସହ ଶ୍ରଦ୍ଧା ଓ ଭକ୍ତି ଜଣାଇଛନ୍ତି । ପାର୍ଥିବ ଗୁଣଦୋଷରୁ ମୁକ୍ତ ହେବାପାଇଁ ପ୍ରୟାସ କରିଛନ୍ତି । କିନ୍ତୁ ଉପନିଷଦରେ ବିପରୀତ ମତ ଦେଇ ସେମାନେ କହିଛନ୍ତି, କୌଣସି ବିଶିଷ୍ଟ ବା ନିର୍ଦ୍ଦିଷ୍ଟ ଦେବତା ନାହିଁ, ଠିକ୍ ଯେଭଳି ସ୍ଥାନ ବା କାଳର ସୀମା ମଧ୍ୟରେ ନିର୍ଦ୍ଦିଷ୍ଟ ବ୍ୟକ୍ତି ନାହିଁ । ମଣିଷ ସକଳ ଜୀବମାନଙ୍କ ଭଳି, ବିଶ୍ୱସୃଷ୍ଟିର ନିରବଚ୍ଛିନ୍ନ ଓ ଶେଷହୀନ ଚକ୍ରର ଅଂଶବିଶେଷ । ପ୍ରତ୍ୟେକ ଅଣୁପରମାଣୁରେ ତା’ର ଅବିନାଶ ଅଖଣ୍ତତା ବିଦ୍ୟମାନ । ଜୀବନର ଋତୁଚକ୍ର ଭଳି ଚିରନ୍ତନ ପ୍ରବାହ ମଧ୍ୟରେ ବିଶ୍ୱବ୍ରହ୍ମାଣ୍ତର ସକଳ ସଜୀବ ବସ୍ତୁ ହେଉଛି ତା’ର ଅଂଶବିଶେଷ । କେବଳ ମଣିଷ ହିଁ ଅଣୁପରମାଣୁ ମଧ୍ୟରେ ଜୀବନ ପ୍ରବାହର ସାରସତ୍ତାକୁ ଉପଲବ୍ଧି କରିବାରେ ସକ୍ଷମ ହୁଏ । ସେ ହିଁ କେବଳ ମାତ୍ର ଜୀବନର ସମସ୍ତ ବନ୍ଧନରୁ ଆତ୍ମିକ ମୁକ୍ତି, ମୋକ୍ଷ ପାଇବାକୁ ସମର୍ଥ । ପୁନର୍ଜନ୍ମରେ ତାକୁ ପୁଣି ଫେରିବାକୁ ପଡ଼େ, ପାର୍ଥିବ ଅସ୍ତିତ୍ୱ ମଧ୍ୟକୁ ଓ ଅନ୍ତହୀନ ଜନ୍ମଚକ୍ର ମଧ୍ୟରେ ଆଉ ଏକ ସ୍ଥାନ ପୂରଣ କରିବାକୁ ।

ଉପନିଷଦରେ କୁହାଯାଇଛି, ଆର୍ଦଶ ମଣିଷ ହେଉଛି ସେଇ ସନ୍ୟାସୀ, ଯେ କେବେ କୌଣସି ସାଂସାରିକ କ୍ଷେତ୍ରରେ ହସ୍ତକ୍ଷେପ କରେନାହିଁ, ସମସ୍ତ ଉତ୍ଥାନ ପତନ ଓ ଆବେଗ ଅନୁଭୂତି, ଇନ୍ଦ୍ରିୟ କାମନାଠାରୁ ଏପରିକି ଧର୍ମ ବିଷୟରେ ଅନାସକ୍ତ ଓ ଉଦାସନ ରହେ । ନିଜକୁ ସୃଷ୍ଟିର ଧୂଳିକଣାର ଅଂଶବିଶେଷ ମନେକରି ବିଶ୍ୱଜଗତ ସହ ଏକତ୍ମା ଥରେ ହୋଇଗଲା ପରେ ଆଉ ଅଧିକ କ’ଣ ବା କାମନା କରିବାର ଅଛି? ଯେ ପଞ୍ଚମହାଭୂତ ଓ ଦେବତାମାନଙ୍କ ଠାରୁ ଉର୍ଦ୍ଧ୍ୱକୁ ଉଠିଯାନ୍ତି, ସେ ହିଁ କେବଳ ଏଭଳି ଏକ ଅସ୍ତିତ୍ୱ ଲାଭ କରିବାରେ ସମର୍ଥ ହୁଅନ୍ତି । ଯାହା ବିଶ୍ୱବ୍ରହ୍ମାଣ୍ତ ପରି, ଉପନିଷଦ ଯାହାକୁ ବିଶ୍ୱବ୍ରହ୍ମାଣ୍ତର ଚିରନ୍ତନ ପ୍ରତୀକ ଭାବେ ଗ୍ରହଣ କରିଛି, ସେ ବ୍ରହ୍ମ ଭଳି ଶାଶ୍ୱତ ଓ ଅବିନାଶୀ, ସର୍ବ ମଙ୍ଗଳମୟ ।

ଉପନିଷଦଗୁଡ଼ିକ ଭାବବାଦୀ ଦୃଷ୍ଟିଭଙ୍ଗୀ ଉପରେ ଯେତିକି ପ୍ରଧାନ୍ୟ ଦେଇଛି ସମପରିମାଣରେ ବସ୍ତୁବାଦୀ ଧାରଣାକୁ ମଧ୍ୟ ସେତିକି ପ୍ରାଧାନ୍ୟ ଦେଇଛି । ଉପନିଷଦଗୁଡ଼ିକରେ ବିଶେଷରୂପେ ସାଣ୍ତିଲ୍ୟ, ଯାଜ୍ଞବଳ୍କ ଓ ଉଦ୍ଦାଳକ- ଏହି ତିନି ମହାନ୍ ମହର୍ଷିଙ୍କୁ ଅଧିକ ସମ୍ମାନ ଦିଆଯାଇଛି । ଏହି ତିନିଜଣଙ୍କ ମଧ୍ୟରୁ ସାଣ୍ତିଲ୍ୟ ଓ ଯାଜ୍ଞବଳ୍କ ହେଉଛନ୍ତି ଭାବବାଦୀ ଦର୍ଶନର ପ୍ରବକ୍ତା । ଦୁହେଁ ଆତ୍ମା ଓ ବ୍ରହ୍ମର ସାଯୁଜ୍ୟ ତତ୍ତ୍ୱର ସମର୍ଥକ । ଉଭୟଙ୍କ ମତାଦର୍ଶକୁ ରକ୍ଷଣଶୀଳ ପରମ୍ପରା ଗ୍ରହଣ କରିଛି । କିନ୍ତୁ ମହର୍ଷି ଉଦ୍ଦାରକ ସକଳ ବାସ୍ତବବାଦୀ ତତ୍ତ୍ୱକୁ ନିର୍ଭୀକତାର ସହିତ ସ୍ୱକୀୟ ଢଙ୍ଗରେ ପ୍ରଚାର କରିଛନ୍ତି । ସେ ବେଦଗୁଡ଼ିକର ବିଶ୍ୱଉତ୍ପତ୍ତି ସମ୍ବନ୍ଧ ସୂକ୍ତଗୁଡ଼ିକୁ ବ୍ୟାଖ୍ୟାକରି ବିଶ୍ୱବ୍ରହ୍ମାଣ୍ତ ସୃଷ୍ଟିରେ ଦେବତାମାନଙ୍କ ଭୂମିକାକୁ ଅସ୍ୱୀକାର କରିଛନ୍ତି । ମହର୍ଷି ଉଦାଳକ ପ୍ରକୃତିକୁ ସୃଜନୀ ଶକ୍ତିର ମୂଳ ଉତ୍ସ ବୋଲି ଦର୍ଶାଇଛନ୍ତି । ତାଙ୍କ ଦୃଷ୍ଟିରେ ବିଶ୍ୱବ୍ରହ୍ମାଣ୍ତରେ ଯାହା ବିଦ୍ୟମାନ, ସେସବୁ କେବଳ ଭୌତିକ ଉପାଦାନରୁ ସୃଷ୍ଟି । ଏପରିକି ଆତ୍ମାର ଧାରଣାଟି ଭିନ୍ନ ଦୃଷ୍ଟିରେ ବିଚାର କରି କହିଛନ୍ତି- ଆତ୍ମା ହେଉଛି ଅନ୍ୟ ଭୌତିକ ମାନବିକ ଭିତ୍ତି, ଯାର କେବେ ଅନ୍ତ ନାହିଁ ।

ତେଣୁ ଉପନିଷଦଗୁଡ଼ିକର ଗୃଢତତ୍ତ୍ୱ, କର୍ମବାଦ, ଧର୍ମବାଦ, ଭାବବାଦ, ବସ୍ତୁବାଦ ଯାହାହେଉନା କାହିଁକି, ସୁନିର୍ଦ୍ଦିଷ୍ଟ ସାମାଜିକ ତାତ୍ପର୍ଯ୍ୟରୁ କେବେ କମ୍ ନଥିଲା । କାରଣ ମଣିଷର ସକଳ ଦୁଃଖ, କଷ୍ଟ, ଯନ୍ତ୍ରଣା, ଅସହାୟତା, ଦୁର୍ଦ୍ଦଶା ଆଦି ପଛରେ ଥିବା କାରଣ କ’ଣ (?) ଏସବୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଯର୍ଥାଥ ଉତ୍ତର ପ୍ରଦାନ କରିଛି । ଦର୍ଶାଇ ଦିଆଯାଇଛି ଯେ, ଦେବତାମାନେ ମଣିଷର କାର୍ଯ୍ୟ କର୍ମକୁ କେବେ ବିଚାର କରନ୍ତି ନାହିଁ, ବରଂ ମଣିଷ ନିଜେ ତାହା କରିଥାଏ ଓ କାର୍ଯ୍ୟ, କର୍ମାନୁସାରେ ଫଳପ୍ରାପ୍ତ ହୋଇଥାଏ, ତେବେ ମଣିଷର ଦୁଃଖକଷ୍ଟ ଚିରନ୍ତନ ନୁହେଁ ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu