ଆଶାର ଆଲୋକକୁ ଅପେକ୍ଷା
ଆଶାର ଆଲୋକକୁ ଅପେକ୍ଷା

ଆଶାର ଆଲୋକକୁ ଅପେକ୍ଷା

ସୁନୀତା ଝରକାବାଟେ ବାହାରକୁ ଚାହିଁ Bergen ସ‌ହରର ଦୃଶ୍ୟ ଉପଭୋଗ କରିବାକୁ ଚେଷ୍ଟା କରୁଥିଲା । ଡେସେମ୍ବର ମାସ ପନ୍ଦର ତାରିଖ । ଆସନ୍ତ ଖ୍ରୀଷ୍ଟମାସ ପର୍ବ ଓ ଛୁଟି ପାଇଁ ସ‌ହରବାସୀ ବ‌ହୁତ ଉତ୍ସାହିତ ଓ ଖୁସି ଥିଲେ । ରଙ୍ଗୀନ ଆଲୋକମାଳାରେ ପୁରା ସ‌ହର ସଜା ହୋଇ ସାରିଥିଲା । ଛୁଟିକୁ ଆଖି ଆଗରେ ରଖି ସପିଙ୍ଗ୍ ମଲ୍‌ମାନଙ୍କରେ ଡିସ୍‌କାଉଣ୍ଟ ଅଫର ମଧ୍ୟ ଆରମ୍ଭ ହୋଇସାରିଥିଲା । ବନ୍ଧୁମିଳନ, ଲଞ୍ଚ୍ ଓ ଡିନର ପାର୍ଟୀ ଇତ୍ୟାଦିରେ ସମସ୍ତେ ମସ୍‌ଗୁଲ ଜଣା ପଡ଼ୁଥିଲେ । ସୁନୀତା ସବୁ ଦେଖୁଥିବା ସତ୍ତ୍ୱେ କିଛି ଅନୁଭବ କରିପାରୁନଥିଲା । ଖାଲି ବ‌ହୁତ କିଛି ଭାବି ଚାଲିଥିଲା ।

ଅମୀୟକୁ ବାହା ହେଇକି ନର‌ୱେର Bergan ସ‌ହରକୁ ଆସିବା ତା’ର ଛଅମାସ ହୋଇସାରିଥିଲା । କିନ୍ତୁ ଏଇ ସମୟ ଭିତରେ ତା’ର ସ୍ୱପ୍ନ ଓ ଭବିଷ୍ୟତର ଯୋଜନା ସବୁ ଧୂଳିସାତ୍ ହୋଇଯାଇଥିବା ପରି ଜଣାପଡ଼ୁଥିଲା । ସୁନୀତା ବ‌ହୁତ ଏକା ହୋଇଯାଇଥିଲା ଓ କାହାକୁ କିଛି କ‌ହିପାରୁନଥିଲା । ତା’ର ଇଚ୍ଛା ବି ନଥିଲା କାହାକୁ କିଛି କ‌ହିବାକୁ । ଭଗବାନଙ୍କ ଉପରେ ଥିବା ବିଶ୍ୱାସ ଟିକ‌କ ତାକୁ ଦୈନନ୍ଦିନ ଜୀବନରେ ବଞ୍ଚିବାକୁ ପ୍ରେରଣା ଦେଉଥିଲେ ମଧ୍ୟ ସେ ବିଶ୍ୱାସ ବୋଧ‌ହୁଏ ମରିବାରେ ଲାଗିଥିଲା । ଗତ ଦଶବର୍ଷ ଭିତରେ ତା’ର ଜୀବନରେ ବ‌ହୁତ କିଛି ବଦଳି ଯାଇଥିଲା । ନିଜର ଅତୀତକୁ ଦେଖିଲେ କୌଣସି ଟ୍ରାଜିକ୍ ଫିଲ୍ମର କାହାଣୀଠାରୁ କିଛି କମ ଲାଗୁନଥିଲା ତାକୁ ।

ସୁନୀତା ବାପାଙ୍କର ଗୋଟେ ବୋଲି ଝିଅ । ତା’ ଉପରେ ଦୁଇ ଭାଇ । ପିଲାମାନେ ଭଲ ପାଠ ପଢ଼ୁଥିଲେ । ସୁନୀତା ବ‌ହୁତ ଗେହ୍ଲୀ ଥିଲା । ବାପାଙ୍କର ଛୋଟ ବ୍ୟବସାୟ ଥିଲା ଓ ତା’ ସ‌ହିତ ଜମିବାଡ଼ି ବି ଥିଲା । ଘରର ଚଳଣୀ ବ‌ହୁତ ଭଲ ନ ଥିଲେ ବି ପିଲାମାନେ ମେଧାବୀ ଓ ଉଚ୍ଚାକାଂକ୍ଷୀ ଥିବା ଯୋଗୁଁ ସମସ୍ତେ ଉଚ୍ଚ ଶିକ୍ଷିତ ଥିଲେ । ଭାଇମାନେ ତା’ର ବିଦେଶରେ ମାଷ୍ଟରଡୀଗ୍ରୀ ହାସଲ କଲାପରେ ସେଠାରେ ସେଟଲ୍ ହୋଇଯାଇଥିଲେ । ସୁନୀତା ବ‌ହୁତ ଶାନ୍ତ ସରଳ ଓ ବୁଝିବାଶୁଝିବା ଝିଅଟିଏ । B.Tech ପରେ MBA କରୁଥିଲା ସେ । ବନ୍ଧୁବାନ୍ଧବମାନେ ବ‌ହୁତ ଭଲ ବାହାଘର ପ୍ରସ୍ତାବ ସବୁ ଆଣୁଥିଲେ । ସେଥିମଧ୍ୟରୁ ବାପାଙ୍କର ଗୋଟେ ପ୍ରସ୍ତାବ ବ‌ହୁତ ପସନ୍ଦ ହୋଇଥିଲା । ସୁନୀତା କେବଳ ପଚାରିଥିଲା ଆଉ ମୋ MBA? ତା’ର ବାପା ହସିକି କ‌ହିଥିଲେ କି ସେ ପୁଅର ଘର ଲୋକେ କ‌ହିଛନ୍ତି ଓ ସେମାନେ ରାଜି ହୋଇଛନ୍ତି କି Semester Breakରେ ବାହାଘର ସାରିଦେବା ଏବଂ ତା’ପରେ ସୁନୀତା MBA ଜାରି ରଖିବ । ତେଣୁ ବାହାଘର ହୋଇଯାଇଥିଲା ତା’ର ଓ ସେ ହାଇଦ୍ରାବାଦ ଚାଲି ଆସିଥିଲା ତା’ର ସ୍ୱାମୀ ଦୀପକ ସ‌ହିତ ।

ଅଳ୍ପ କିଛିଦିନ ପରେ ସୁନୀତା ଜାଣିପାରିଥିଲା କି ଦୀପକର କେହି ପ୍ରେମିକା ଅଛି ବୋଲି । ଦୀପକ ସୁନୀତା ସ‌ହିତ କୌଣସି କଥାବାର୍ତ୍ତା କରୁନଥିଲେ । ସୁନୀତା କିଛି କ‌ହିବାକୁ ଚେଷ୍ଟା କଲେ ତା’ ଉପରେ ବସୁଥିଲା ମାଡ଼ । ଜୀବନରେ ପ୍ରଥମଥର ପାଇଁ ସେ ମାଡ଼ଗାଳି ଖାଉଥିଲା ବିନା ଦୋଷରେ । ହାଇଦ୍ରାବାଦର ସେହି 2BHK ଆପାର୍ଟମେଣ୍ଟରେ ଅଣନିଶ୍ୱାସୀ ହୋଇଯାଉଥିଲା ସେ । ଘରେ ମଧ୍ୟ କିଛି କ‌ହିପାରୁନଥିଲା, କାରଣ ସେମାନେ ନୂଆ ବନ୍ଧୁ ପାଇକି ବ‌ହୁତ ଖୁସି ଥିଲେ । ଦୀପକ ଘରେ ବି ତାଙ୍କ ପୁଅର ଏ ରୂପ ବିଷୟରେ ଜାଣିନଥିଲେ । ପ୍ରବଳ ମାନସିକ କଷ୍ଟ ଭିତରେ ସୁନୀତା ଶେଷ ସେମିଷ୍ଟାରଟା ଭଲରେ ସାରିବାକୁ ଚାହିଁଥିଲା । ଦୀପକ ତରଫରୁ ନା କିଛି ସ‌ହଯୋଗ ମିଳିଥିଲା ନା କିଛି ଅସୁବିଧା । ଦିନସାରା ସୁନୀତା ମନ‌ଦେଇ ପଢ଼ୁଥିଲା । ଚାହୁଁଥିଲା କି ପଢ଼ା ସରିବାପରେ ଭଲ ଚାକିରୀଟିଏ ମିଳିଗଲେ ବଞ୍ଚିବାର ରାହା ମିଳିଯିବ । ସୁନୀତା ଭଲ ନମ୍ବର ରଖି ପାଶ୍ କରିଥିଲା ଓ ଭଲ ଚାକିରୀଟିଏ ବି ପାଇଯାଇଥିଲା । ଦୀପକ କିଛି ପ୍ରତିବାଦ କରିନଥିଲା । ସେ ଘରେ ଜମା ରହୁନଥିଲା ଓ ସୁନୀତା ଚାକିରୀ ପାଇବାପରେ ବରଂ ସେ ଖୁସି ହୋଇଥିଲା କି ସୁନୀତା ଦରମା ପାଇବ ଓ ତା’ର ଭରଣପୋଷଣ ପାଇଁ ତାକୁ କିଛି ଖର୍ଚ୍ଚ କରିବାକୁ ପଡ଼ିବନି । ତାଙ୍କ ଭିତରେ କୌଣସି ସମ୍ପର୍କ ହିଁ ନଥିଲା । ଏମିତିରେ ସୁନୀତା କାଟିଦେଲା ପାଞ୍ଚବର୍ଷ । ବ‌ହୁତ ମାନସିକ ଅତ୍ୟାଚାର ଭିତରେ ଅଣନିଶ୍ୱାସୀ ହୋଇସାରିଥିଲା ସେ ।

ସୁନୀତାକୁ ଅଫିସରେ କିଛି ଭଲ ସାଙ୍ଗ ମିଳିଯାଇଥିଲେ । ସେମାନେ ତାକୁ ଛାଡ଼ପତ୍ର ପାଇଁ ଆବେଦନ କରିବାକୁ ବ‌ହୁତ ବୁଝାଇଲେ । “କାହିଁକି ଏମିତି ନିଜ ଜୀବନ‌କୁ ନଷ୍ଟ କରୁଛୁ? ଏମିତି ରହିବାଠାରୁ ବରଂ ଏକା ରହିବା ଭଲ ।” ସୁନୀତା ଧୀରେ ଧୀରେ ଏ ମିଛ ସମ୍ପର୍କ‌କୁ ଭାଙ୍ଗିଦେବାକୁ ସାହାସ ସଞ୍ଚୟ କଲା ଓ ଘରେ ସବୁ କଥା ଜଣାଇଲା । ଏହି କଥା ଶୁଣି ଏତେ ଦୁଃଖକୁ ଏତେ ବର୍ଷ ଧରି ମନରେ କେମିତି ଚାପି ଧରିଥିଅଲ ବୋଲି ତା’ର ବାପାମାଆ ଆଶ୍ଚର୍ଯ୍ୟ ହେଲେ । ଏହି କଥା ଶୁଣି ସୁନୀତାର ବାପାଙ୍କର ରକ୍ତଚାପ ବଢ଼ିଗଲା, କିନ୍ତୁ ଟିକିଏ ସୁସ୍ଥ ହେଲାପରେ ସେମାନେ ଛାଡ଼ପତ୍ର ପାଇଁ ଆବେଦନ କଲେ ।

ନିଜ ପରିବାରର ସମ୍ମାନ ନଷ୍ଟ ହୋଇଯିବ ବୋଲି ଦୀପକ ଆରମ୍ଭରୁ କିନ୍ତୁ ଏଥିରେ ରାଜି ହେଉନଥିଲା । ଗୋଟେ ଉଚ୍ଚଶିକ୍ଷିତ ଓ ଭଲ ଚାକିରୀ କରିଥିବା ଲୋକ ବି ଏତେ ନୀଚ୍ଚମନା ହୋଇପାରେ ଏହା ସୁନୀତାର ଧାରଣା ବାହାରେ ଥିଲା । ସେ ଚାହୁଁଥିଲା ଆପୋଶ ବୁଝାବଣାରେ ଉଭୟଙ୍କର ଛାଡ଼ପତ୍ର ହୋଇଯିବ । ଯେହେତୁ ସେମାନଙ୍କର କୌଣସି ସମ୍ପର୍କ ନଥିଲା, ତେଣୁ ଛାଡ଼ପତ୍ରରେ ଦୀପକ ସଙ୍ଗେ ସଙ୍ଗେ ରାଜି ହୋଇଯିବେ ବୋଲି ସେ ଭାବିଥିଲା, ମାତ୍ର ତା’ର ଠିକ ଓଲଟା ହେଲା । ଦୀପକ ଅଦାଲତକୁ ଏ ଘଟଣା ନେବାସ‌ହ ସୁନୀତାର ଚରିତ୍ର ଉପରେ ପ୍ରଶ୍ନ ଉଠାଇବାକୁ ପଛେଇଲା ନାହିଁ । ଛାଡ଼ପତ୍ର ଫଳରେ ସୁନୀତା ତା’ଠାରୁ ମୋଟାଅଙ୍କରର ଧନ ଚାହିଁଛି ଏବଂ ପରିବାର ଅପେକ୍ଷା ନିଜର ଭବିଷ୍ୟତ କଥା ଅଧିକ ଚିନ୍ତା କରୁଛି ବୋଲି କୁତ୍ସାରଟନା ମଧ୍ୟ କରିଥିଲା । ସୁନୀତା କିନ୍ତୁ ପାଞ୍ଚବର୍ଷ ଧରି ପାଇଥିବା ଶିରୀରିକ ଓ ମାନସିକ ଯନ୍ତ୍ରଣା ବିଷୟରେ ଅଦାଲତରେ କିଛି କ‌ହିନଥିଲା । ଅବଶ୍ୟ ପରେ ଦୁହିଁଙ୍କର ଛାଡ଼ପତ୍ର ହୋଇଯାଇଥିଲା । ଯେଉଁଦିନ ଛାଡ଼ପତ୍ର ମିଳିଥିଲା, ସେଦିନ ସୁନୀତ ଅନେକ ଦିନ ପରେ ଭଗବାନଙ୍କୁ ଧନ୍ୟବାଦ ଜଣାଇବାକୁ ମନ୍ଦିରକୁ ଯାଇଥିଲା ।

ଏ ଘଟଣାପରେ ବାଙ୍ଗାଲୋରର ଏକ କମ୍ପାନୀର ସୁଯୋଗ ମିଳିଲା ସୁନୀତାଙ୍କୁ ଏବଂ ସେ ବାଙ୍ଗାଲୋର ଚାଲିଗଲେ । କିଛିମାସ ପରେ ତାଙ୍କ କମ୍ପାନୀ ତାଙ୍କୁ କାମ ପାଇଁ ବିଦେଶ ପଠାଇଲା ଏବଂ ସେ ଲଣ୍ଡନ ଚାଲିଗଲା । ଆସ୍ତେ ଆସ୍ତେ ସେ ନିଜ ଅତୀତକୁ ଭୁଲିବାକୁ ଚେଷ୍ଟା କରୁଥିଲା । ବାପାମାଆ ଦୁଃଖିତ ଥିଲେ କିନ୍ତୁ ଝିଅର ମନୋବଳ ଦେଖି ଖୁସି ବି ହେଉଥିଲେ । ଭାଇମାନେ ବି ତାକୁ ବ‌ହୁତ ସାହାସ ଦେଉଥିଲେ । ସୁନୀତା ନୂଆ ସ‌ହକର୍ମୀ ଓ ସାଙ୍ଗମାନଙ୍କ ସ‌ହିତ ଖୁସି ଥିଲା । ପ୍ରବାସୀ ଭାରତୀୟମାନଙ୍କ ସ‌ହିତ ମିଶିକି ସବୁ ପର୍ବପର୍ବାଣୀ ପାଳନ କରୁଥିଲା । ସପ୍ତାହ ଶେଷରେ ସାଙ୍ଗମାନଙ୍କ ସ‌ହ ମିଶିବା ଓ ବୁଲାବୁଲି କରିବାରେ ତା’ର ଫାଙ୍କା ସମୟସବୁ ଯେମିତି ଉଡ଼ିଯାଉଥିଲା । ସମୟ ଦୃତଗତିରେ ଆଗକୁ ବଢ଼ୁଥିଲା ଓ ଇତିମଧ୍ୟରେ ତା’ର ଲଣ୍ଡନ ଯିବା ୪ ବର୍ଷ ହୋଇସାରିଥିଲା । ସେ କର୍ମନିଷ୍ଠ ଥିଲା ଏବଂ ଏକା ରହୁଥିବା କାରଣରୁ ଆବଶ୍ୟକ ପରିମାଣରେ ସମୟ ଓ ଶ୍ରମ ଦେଇପାରୁଥିଲା, ତେଣୁ ସଭିଏଁ ତା’ କାମରେ ଖୁସି ଥିଲେ । ଜୀବନରେ ବିତିଯାଇଥିବା ସେ ଦୁଃଖଭରା ସମୟସବୁ ଅନେକ ସମୟରେ ତା’ର ମାନସପଟରେ ଚାଲିଆସେ ଏବଂ ପୁଣିଥରେ ଦୁଃଖର କଳାପାହାଡ଼କୁ ଟାଣିଆଣେ, ତେଣୁ ସେ ତାକୁ ଭୁଲିଯିବାକୁ ନିଜକୁ ଅଧିକାଂଶ ସମୟ କାମରେ ବୁଡ଼ାଇ ରଖୁଥିଲା ।

ଆମ ସମାଜରେ ଝିଅ ହେଉ କି ପୁଅ, ବେଶୀଦିନ ଏକା ରହିଲେ, ଘରେ ଓ ବାହାରେ କାହାରିକୁ ଭଲ ଲାଗେନି । ସୁନୀତାର ଘରେ ମଧ୍ୟ ତାକୁ ଧୀରେ ଧୀରେ ବୁଝାଇବା ଆରମ୍ଭ କରିଥିଲେ କି, “ସମସ୍ତେ ସମାନ ନୁହନ୍ତି, ଆଜି ଆମ ଅଛୁ, କାଲି ନଥିବୁ- ଭାଇମାନେ ତାଙ୍କ ସଂସାରରେ ବ୍ୟସ୍ତ ରହିବେ । ତୋର କ’ଣ ହେବ? ପ୍ରସ୍ତାବ ଦେଖିବୁ?” ସୁନୀତା କିନ୍ତୁ ଆଦୌ ରାଜିହେଉନଥିଲା । ବିବାହିତ ଜୀବନ ପ୍ରତି ତା’ର ଆଉ ବିଶ୍ୱାସ ନଥିଲା । ତା’ର ମାଉସୀ ଥରେ ତାଙ୍କର ଦୂରସମ୍ପର୍କୀୟ ଭଣଜାର (ଅମୀୟ) ପ୍ରସ୍ତାବ ନେଇକି ସୁନୀତାର ଘରକୁ ଆସିଥିଲେ । କ‌ହିଥିଲେ ଅମୀୟର ଘରଲୋକଙ୍କୁ ସେ ଭଲଭାବେ ଜାଣନ୍ତି । ଅମୀୟର ଆଗରୁ ବାହାଘର ହୋଇଥିଲା ଓ ତାଙ୍କ ସ୍ତ୍ରୀ ପ୍ରସବ ସମୟରେ ହିଁ ମରିଯାଇଥିଲେ । ବ‌ହୁତଦିନ ମାନସିକ ବିସାଦଗ୍ରସ୍ତ ହୋଇ ରହିଥିଲେ ଅମୀୟ ଏବଂ ପରେ ସେ ତା’ର ଚିକିରୀ ବଦଳାଇ ନର୍‌ୱେ ଚାଲିଯାଇଥିଲା । ସେ ଆଉଥରେ ବାହାହେବାକୁ ରାଜିହେବାରୁ ତାଙ୍କଘରେ ବି ଝିଅ ଖୋଜୁଥିଲେ । ସେମାନେ ସୁନୀତାର ବାପାମାଆଙ୍କୁ ଦେଖି ବ‌ହୁତ ଖୁସି ହୋଇଥିଲେ । ଦୁଇ ପରିବାର ମିଶିଲାପରେ ଅମୀୟ ଓ ସୁନୀତା ଫୋନରେ କଥା ହୋଇଥିଲେ । କିନ୍ତୁ ଫୋନରେ କଥାହେଇ କାହା ବିଷୟରେ କେତେ ବା ଜାଣିହେବ । ଏମିତିରେ ବି ସୁନୀତା ଆଉଥରେ ବାହାହେବାକୁ ଆଦୌ ରାଜିନଥିଲା । ଅମୀୟ କିନ୍ତୁ ବ‌ହୁତ ଧୈର୍ଯ୍ୟଧରିକି ସୁନୀତାକୁ ବାହାଘର ପାଇଁ ରାଜି କରାଇଥିଲା । ଥରେ ଦୁଇଥର ନର୍‌ୱେରୁ ଲଣ୍ଡକ ବି ଆସିଥିଲା ସୁନୀତାକୁ ଦେଖା କରିବାକୁ । ସୁନୀତା ପ୍ରତିକ୍ରିୟାହୀନ ଥିବା ସତ୍ତ୍ୱେ ନିଜ ଘରଲୋକଙ୍କ ଆଗ୍ରହ ଦେଖି ଶେଷରେ ହଁ କରିଥିଲା । ସେମାନେ ଛୁଟି ନେଇକି ଭାରତ ଆସିବାପରେ ଗାଁ ମନ୍ଦିରରେ ନିହାତି ନିରାଡ଼ମ୍ବର ଭାବେ ତାଙ୍କର ବିଭାଘର ହୋଇଯାଇଥିଲା ।

ବାହାଘର ପରେ ଯେ ଯାହାର ଚାକିରୀ ଜାଗାକୁ ଯିବାକୁ ବାହାରିଲେ । ସୁନୀତା ଭାବୁଥିଲା କି ଯେହେତୁ ବ‌ହୁତ କଷ୍ଟ ପାଇଲାପରେ ଆଉଥରେ ସଂସାର କରିବାକୁ ସ୍ଥିର କରିଛି, ତେଣୁ ଚାକିରୀ ଛାଡ଼ିକି ଅମୀୟ ପାଖକୁ ଆସିଯିବ । ସେମାନେ ପରସ୍ପରକୁ ଜାଣିବେ, ଚିହ୍ନିବେ ଓ ନୂଆଜୀବନ ଆରମ୍ଭ କରିବେ । ଅମୀୟ କିନ୍ତୁ ସ୍ପଷ୍ଟ ମନାକରିଥିଲା ଓ ବୁଝାଇଥିଲା କି ଏତେଭଲ ଚାକିରୀ ହଠାତ ଛାଡ଼ିବା ଭଲ ନୁହେଁ । ବରଂ ବର୍ଗାନ୍‌ରେ (ନର୍‌ୱେ) ଚାକିରୀ ମିଳିଲାପରେ ସୁନୀତା ସେଠାକୁ ଆସିବା ଉଚିତ । ତା’ର ମତାମତ ଥିଲା, “ସୁନୀତା ଘରେ ବସି ବୋର୍ ହେଇଯିବ ।” ନୂଆ ଚାକିରୀ ମିଳିବାଯାଏଁ ସେମାନେ ଛୁଟିରେ ପରସ୍ପରକୁ ଦେଖା କରିବେ ଓ ଏମିତିରେ ଫେସବୁକ୍/ୱାଟ୍ଆପ୍/ସ୍କାଏ୍-ପି/ଫେସ୍‌ଟାଇମ୍ ଭଳି ସୁବିଧା ଯୋଗୁଁ କଥାହେବାରେ କୌଣସି ଅସୁବିଧା ନଥିଲା । ସୁନୀତା ଏଥିରେ ସ‌ହମତ ହୋଇନଥିଲେ ବି କିଛି କ‌ହିନଥିଲା । ୨/୩ ମାସପରେ ସେ ହଠାତ ଲଣ୍ଡନରୁ ଚାକିରୀ ଛାଡ଼ି ଅମୀୟଙ୍କ ପାଖକୁ ପଳେଇଯିବାକୁ ସ୍ଥିରକଲା । ପଇସା ଅପେକ୍ଷା ପରିବାରର ମହତ୍ତ୍ୱ ବେଶୀ ବୋଲି ସେ ଭାବୁଥିଲା । ଚାହୁଁଥିଲା ଦୁଇଜଣ ଏକାଠି ରହିବେ, ବୁଲିବେ ଓ ଅପୂର୍ଣ୍ଣ ରହିଯାଇଥିବା ସ୍ୱପ୍ନ‌କୁ ପୂରଣ କରିବେ । ସେ ଭାବିଥିଲା ହଠାତ ବର୍ଗାନ୍‌ରେ ପ‌ହ‌ଞ୍ଚିଯାଇ ଅମୀୟଙ୍କୁ ସର୍‌ପ୍ରାଇଜ୍ ଦେବ ଓ କ‌ହିବ କି ସେ ସବୁକିଛି ଛାଡ଼ି ତା’ ପାଖକୁ ଆସିଗଲା ବୋଲି । କିନ୍ତୁ ଅମୀୟ ସୁନୀତାକୁ ଏୟାରପୋର୍ଟରେ ଦେଖି ଜମାରୁ ଖୁସି ହେଲାଭଳି ଜଣାପଡ଼ୁନଥିଲା । କିଛି କ‌ହିନଥିଲେ ବି ତା’ର ଅସନ୍ତୁଷ୍ଟ ଭାବ ମୁହଁରୁ ସ୍ପଷ୍ଟ ଜଣାପଡ଼ୁଥିଲା ।

ସୁନୀତା ଘର ସଜଡ଼ାରେ କିଛିଦିନ ମାତିଯାଇଥିଲା । ଧୀରେ ଧୀରେ ଅମୀୟର ପ୍ରକୃତ ରୂପ ଦେଖିବାକୁ ପାଇଥିଲା ସେ । ଅମୀୟ ଥିଲା ପ୍ରଚଣ୍ଡ କ୍ରୋଧୀ । ତା’ କଥାରେ ଟିକେ ଏପଟ ସେପଟ ହେଲେ ରାଗରେ ଅଗ୍ନିଶର୍ମା ହେଇଯାଉଥିଲା । ଛୋଟଛୋଟ କଥାରେ ହାତ ଉଠାଇବାକୁ ପଛାଉନଥିଲା । ପଡ଼ୋଶୀମାନେ ଶୁଣିଲେ କାଳେ କିଏ ପୋଲିସ୍‌ ପାଖରେ ଅଭିଯୋଗ କରିଦେବ ଭାବି ସୁନୀତା ଅମୀୟକୁ ପାଟିତୁଣ୍ଡ କରିବାକୁ ଦେଉନଥିଲା । ଅମୀୟ ନିଜକଥାକୁ ବେଦର ଗାର ମନେ କରୁଥିବା ଭଳି ଲୋକ ଥିଲା । ଥରେ ଅମୀୟର ଇଚ୍ଛା ବିରୁଦ୍ଧରେ ସୁନୀତା ନିଜପାଇଁ ଚାହା କପେ ତିଆରି କରିଦେଇଥିଲା ବୋଲି ତା’ର ଶକ୍ତ ଚାପୁଡ଼ାରେ ସୁନୀତାର କାନ ଫାଟି ରକ୍ତ ବାହାରିଥିଲା । ଡାକ୍ତର MRI ମଧ୍ୟ କରାଇଥିଲେ । ସୁନୀତା ତାଙ୍କୁ ମିଛରେ ଜୋର୍‌ରେ ତଳେ ପଡ଼ିଯାଇଥିଲା ବୋଲି କ‌ହିଥିଲା । ଡାକ୍ତର କିନ୍ତୁ ସେଥିରେ ବିଶ୍ୱାସ କରିନଥିଲେ, ମାତ୍ର ସୁନୀତା ସେ ଘଟଣାକୁ କୌଣସିମତେ ସମ୍ଭାଳିନେଇଥିଲା । ଏମିତି ନାନା ଅତ୍ୟାଚାର ପୁଣି ସ‌ହିବାକୁ ହେଲା ତାକୁ । ବ‌ହୁତ ଖରାପଭାଷାରେ ଗାଳିଗୁଲଜ କରୁଥିଲା ଅମୀୟ । ସେ ବ‌ହୁତ ସନ୍ଦେହୀ ଥିଲା ଓ ଚାହୁଁନଥିଲା ସୁନୀତା କାହାସଙ୍ଗେ କଥାବାର୍ତ୍ତା କରୁ, ଏମିତିକି ନିଜ ପରିବାର ସ‌ହିତ । ସବୁକଥା ଲୁଚାଉଥିଲା ମଧ୍ୟ ସୁନୀତାଠାରୁ । Communication ଓ Transparency ଏସବୁ ଜିନିଷ ଅମୀୟ ପାଇଁ ମୂଲ୍ୟହୀନ ଥିଲା । ସୁନୀତା ସବୁ ସ‌ହିକି ମଧ୍ୟ ଆଶା କରୁଥିଲା କେମିତି ତାଙ୍କ ସମ୍ପର୍କ ମଧୁର ହେବ । ବ‌ହୁତ ସାହାସ କରିକି ଯେବେ ନିଜ ଶାଶୂଙ୍କୁ ଏ ବିଷୟରେ କ‌ହିଲା, ତାଙ୍କ ପ୍ରତିକ୍ରିୟା ଶୁଣି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲା । ଅମୀୟ ସବୁବେଳେ ବଦରାଗୀ ଓ self-centered, ତାଙ୍କ ଘରେ ମଧ୍ୟ ଜଣେ ବ୍ୟକ୍ତି ନିଜ ପତ୍ନୀକୁ ମାଡ଼ ମାରିବାକୁ ଏକ ସାଧାରଣ ଘଟଣା ବୋଲି ମନେକରନ୍ତି । ବୋଧେ ଏବେବି ବ‌ହୁତ ପରିବାର ଅଛନ୍ତି, ଯେଉଁଠି ଘରୋଇ ହିଂସାକୁ ସାଧାରଣ ଓ ବ୍ୟକ୍ତିଗତ ଘଟଣା ଭାବନ୍ତି ।

ସୁନୀତା ବ‌ହୁତ ଆଡ୍‌ଜଷ୍ଟ କରିବାକୁ ଚେଷ୍ଟା କରୁଥିଲା, କିନ୍ତୁ ଅମୀୟ କୌଣସିଥିରେ ଖୁସି ହୋଇପାରୁନଥିଲା । ସୁନୀତା ଜାଣିବାକୁ ମଧ୍ୟ ପାଇଲାକି ଅମୀୟର ପ୍ରଥମ ସ୍ତ୍ରୀ ଅକଥନୀୟ ଅତ୍ୟାଚାର ସ‌ହି ପ୍ରସବ ସମୟରେ ମରିଯାଇଥିଲା । ଦୁର୍ବଳ ସ୍ୱାସ୍ଥ୍ୟ ଓ ମାନସିକ ତ‌ଥା ଶାରୀରିକ ନିର୍ଯ୍ୟାତନା ତାଙ୍କୁ ମରଣମୁହଁକୁ ଟାଣିନେଇଥିଲା । ବେଶୀ ପାଠ ଶାଠ ପଢ଼ିନଥିବା ଝିଅଟି ବିଚରା ନିଜ ସ୍ୱାମୀକୁ ଦେବତା ବୋଲି ମନେ କରୁଥିଲା ଓ ସେଇ ଦେବତା ହିଁ ତା’ର ମୃତ୍ୟୁର କାରଣ ସାଜିଥିଲା ।

ସୁନୀତା ପାଇଁ କିଛି ବି ସ‌ହଜ ହେଇପାରୁନଥିଲା । ସେ ସ୍ଥିର କରିପାରୁନଥିଲା କି ତା’ର କ’ଣ କରିବା ଉଚିତ । ଅମୀୟଠାରୁ ଦୂରେଇଯାଇ ପୁଣିଥରେ ନିଜ ଗୋଡ଼ରେ ଛିଡ଼ା ହେବାର ପ୍ରୟାସ କରିବ କି ଭାଗ୍ୟକୁ ଆଦରି ଚୁପ୍‌ଚାପ୍ ପଡ଼ିରହିବ…… ପୁଣିଥରେ ଛାଡ଼ପତ୍ର ପାଇଁ ଆବେଦନ କରିବାକୁ ଭାବିଲେ ତା’ର ଅଦାଲତର ସେ ନାଟକସବୁ ଗୋଟି ଗୋଟି ହୋଇ ମନେ ପଡ଼ିଯାଉଥିଲା ଓ ତାକୁ ଅସ‌ହାୟ କରିଦେଉଥିଲା । ଭାଗବାନଙ୍କୁ କି ନିଜକୁ… କାହାକୁ ଦୋଷ ଦେବ ସେ କିଛି ବୁଝିପାରୁନଥିଲା । ବ‌ହୁତ କିଛି କେବଳ ଭାବିଚାଲିଥିଲା । ଜୀବନରେ ପ୍ରଥମଥର ପାଇଁ ସେ ନିଜ ଉପରୁ ବିଶ୍ୱାସ ହରେଇବାକୁ ଲାଗିଥିଲା । ଯୋଉଟା କି ତା’ପାଇଁ ବ‌ହୁତ ବଡ଼ ଧକ୍କା ଥିଲା……

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu