ପିକନିକରେ ପ୍ରଭୁ
ପିକନିକରେ ପ୍ରଭୁ

ପିକନିକରେ ପ୍ରଭୁ

କୁହୁଡ଼ି ଭିତରୁ ଧାରେ ଆଲୁଅ ପରି ବାଟଟିଏ ଲମ୍ବି ଆସିଛି ସୁନାଯୋଡ଼ିକୁ ଗଉଡ଼ ଗୁଡ଼ାରୁ, ସେଇ ବାଟରେ ଆଜି ମାଣିକ ଆସିଲା… ସବୁଦିନେ ସେ ସେମିତି ଆସେ, ସକାଳେ ସକାଳେ, କ୍ଷୀର ନେଇକି । ସେଦିନ ସେତେବେଳେ କିନ୍ତୁ ସେ ଭାରି ଖୁସି ଲାଗୁଥିଲା । କାଲି ଆସିନଥିଲା । କିଛି କହିବ କହିବ ହେଉଛି… ମୁଁ ପଚାରିଲି “କ’ଣ ମାଣିକ କାଲି ପରବ ଥିଲା କି, ନା କୁଣିଆ ଆସିଥିଲେ? ରହିଗଲୁ?..”

“ପରବ କହ… କାଲି ମୋ ଗାଆଁରେ ପରବ ପରା ଲାଗୁଥିଲା । କୁଣିଆ କି ନାଇଁ କହି ପାରୁନି, ବଣଭୋଜି କରିବାକୁ ଆସିଥିଲେ ସେମାନେ । ଗୋଟେ ଝିଅ ତାଙ୍କର ଭଉଣୀ, ଗୋରାଟା ବଡ଼ ଭାଇ ଆଉ ଗୋଟେ ହିରୋ ପରି କାଳିଆ ଟୋକାଟିଏ । ଆଉରି କେତେ ଲୋକ ଆସିଥିଲେ ସାଙ୍ଗରେ । ଏ ତିନିଟା କିନ୍ତୁ ଆଗରେ ଥିଲେ । ଆମ ଗାଆଁର ସବୁ କ୍ଷୀର କିଣିକି ନେଲେ, କ୍ଷୀରି ରାନ୍ଧିଲେ । ଆମ ସମସ୍ତଙ୍କ ପାଇଁ… ମିଶିକି ଖାଇଲୁ । ତା’ପରେ ସେ କାଳିଆ ପିଲାଟା ଏତେ ସୁନ୍ଦର ବଇଁଶି ବଜେଇଲା, ତା’ଭାଇ ବାଇଦ ମାରିଲା ଆଉ ଝିଅଟି ଗାଇଲା… ଏ ସବୁ ଆସିଥିବା ଲୋକମାନେ ନାଚିଲେ । ଆମେ ବି ନାଚିଲୁ… ଢେମସା, କାଠି ନାଚ, ଆଉରି କେତେ କଅଣ ।

ସନ୍ଧ୍ୟା ପାଞ୍ଚଟା ଯାଏଁ ସେମାନେ ଗାଆଁରେ ରହିଲେ ଆଉ ତା’ପରେ ଘଡ଼ି ଦେଖିଲେ… ଆଉ; “ଆମେ ଆସୁଛୁ” କହି ବାହାରି ଗଲେ । ଗାଡ଼ି କୋଉଠି ରଖିଥିଲେ କେଜାଣି ଦିଶୁ ନଥିଲା । ମାତ୍ର ପଳେଇଲା…. ପୁରା ତୁଳସୀ ପରି କାଳିଆ ପିଲାଟା ଚନ୍ଦନ ପରି ବଡ଼ ଭାଇଟି ଆଉ ହଳଦୀ ବାସନାରେ ଝିଅଟି… ଏମିତି ସେ ତିନିଟିଯାକ ପିଲା ବାସନାରେ ମହକୁ ଥିଲେ । ସେମାନେ ଗଲାପରେ… ଆମେ ସବୁ ହାଲିଆ ହେଇଥିଲୁ ତ, ଶୋଇପଡ଼ିଲୁ ଶାନ୍ତିରେ । ସକାଳୁ ଏବେ ଏବେ ଉଠିଲି… ଆଜିର କ୍ଷୀର ଦେଲାପରେ ନେଇକି ଆଇଲି ।”

ହଠାତ କ’ଣ ମନେ ପଡ଼ିଲା, ସନାତନ ଘଡ଼ିକୁ ଦେଖିଲେ…. କ୍ୟାଲେଣ୍ଡରକୁ ଦେଖିଲେ । ମନରେ ଆସିଲା ଗତକାଲି ତାରିଖ ୨୮ ଡିସେମ୍ବର ୨୦୧୮, ଶୁକ୍ରବାର । ଆଉ କାଲିର ମୁଖ୍ୟ ଖବର ଥିଲା… “ସେବାୟତଙ୍କର ଜିଦ, ପ୍ରଶାସନ ଅସହାୟ: ପୁରୀ ଶ୍ରୀ ମନ୍ଦିରରେ ଅଚଳାବସ୍ଥା । ମହାପ୍ରଭୁ ୧୨ ଘଣ୍ଟା ଉପାସ… ସନ୍ଧ୍ୟାରେ ହେଲା ମଙ୍ଗଳ ଆଳତି । ଯେଉଁ ଠାକୁରଙ୍କ ପହଡ଼ ପ୍ରାତଃ ୪ଟାରେ ଭାଙ୍ଗିବା କଥା, ତାଙ୍କୁ ସନ୍ଧ୍ୟା ପାଞ୍ଚଟାରେ ଉଠାଇଲେ ସେବାୟତମାନେ…..

ଓଃ, ସେମାନେ କାଲି ମନ୍ଦିରରେ ଥିଲେ କି.. ହୁଏତ ନଥିଲେ । ସେମାନେ ତ ପିକନିକରେ… ସେଥିପାଇଁ କି ସେପଟେ ଏସବୁ ନାଟକ ଲଗେଇ ଦେଲେ… ସେମାନେ ଲାଗୁଥାନ୍ତୁ, ବାବୁ ସିଧା ପିକନିକରେ….!!

ହେଇଥିବ, କାହିଁକିନା, କାଲି ପିକନିକରେ ଅଜିତ ଆଉ ତା’ ସାଙ୍ଗମାନେ ଦାରିଙ୍ଗବାଡ଼ିକୁ ଆସିଥିଲେ । ଏକଥା ଆଉ କାଳିଆ ଦେହରେ ଯିବ..!! ପିକନିକ ଆସିବାକୁ ବୋଧେ ପୁରୀରେ ପ୍ଲାନ କରି ଏ ଭାଇ ଭଉଣୀ ତିନିହେଁ ସାଙ୍ଗହୋଇ ମାଣିକର ଗାଁ ଗଉଡ଼ଗୁଡ଼ା ପାଖରେ ତାଙ୍କର ପିକନିକ କାର୍ଯ୍ୟକ୍ରମ କରାଇଦେଲେ । ଏପଟେ ଦେଶରେ ହୁଲସ୍ତୁଲ ଯେ ମନ୍ଦିର ବନ୍ଦ..!!

ଓଃ ପ୍ରଭୁ ଏକଥାକୁ ସତରେ; ସତ ବୁଝନ୍ତେ ନାହିଁ ଲୋକମାନେ..? ନିଜେ ନିଜର ଭକ୍ତି ଦର୍ଶନରେ…?? କାଉ ଉଡ଼ିବାରୁ ତାଳ ପଡ଼ିବା ନ୍ୟାୟରେ ହୁଏତ..??? ସନାତନ ପଚାରୁଥିଲେ ମନକୁ ମନ…. ଆଉ କଣ ହେଇଥାନ୍ତା କି କଣ, ସନାତନଙ୍କ ନିଦ ଭାଙ୍ଗିଗଲା । ଅନ୍ତିମ ଅପରାହ୍ଣର ଧାରେ ସୁନେଲି ଆଲୁଅ କାନ୍ଥରେ ପଡ଼ିଛି । ଶୀତ ସଞ୍ଜ । କଥାଟା ସତ ଲାଗୁଥିଲା… ହୁଏତ କୋଉଠି ଘଟିଛି, ଖବର ଫୁଟିନି । ନହେଲେ…!! କାଲି କିନ୍ତୁ ମାଣିକ ଆସିନଥିଲା, ଆଜି ବି ଆସିନି… କାଲି ନିଶ୍ଚୟ ଆସିବ ଆଉ ଆସିକି ନିଶ୍ଚିତ ଭାବରେ ଏହି ଦୁଇ ଦିନ ନଆସିବାର କାରଣ ବଖାଣିବ । ହୁଏତ ଏୟା ହିଁ ହେଇଥିବ ତା’ ନଆସିବାର କାରଣ..!!

ସେ କେବେ ବି କାହାଘରେ କିଛି ଖାଇନାହିଁ, ତାଙ୍କ ଜାତିରେ ଅନ୍ୟ କାହାର ରୋଷେଇ ଜିନିଷ ଖାଇବା ମନା । ସେ ଓ ତାଙ୍କ ଗାଆଁସାରା ଗଉଡ଼ ପରିବାରରେ ଏ ଚଳଣି ଚାଲି ଆସିଛି । ମାଣିକ ବାହାରକୁ କୁଆଡ଼େ ଯାଇ ନାହିଁ, ତେଣୁ ବାହାରେ କୁଆଡ଼େ ଖାଇବାର ଅବକାଶ ହିଁ ନଥିଲା ତା’ର ।

କିନ୍ତୁ ବର୍ଷେ ତଳେ ଏହି ସମୟରେ ସନାତନ ସହ ବୁଢ଼ା ଓ ବୁଢ଼ୀ ମିଶିକି ପୂରୀ ଯାଇଥିଲେ । ବହୁତ ବାଧ୍ୟକରି ସନାତନ ବାବୁ ଏମାନଙ୍କୁ ପୁରୀ ବୁଲେଇ ଆଣିଥିଲେ । ସେଇଠି ଆନନ୍ଦ ବଜାରରେ ଦୁହେଁ ଅବଡ଼ା ଖାଇଲେ, ନିଜର ଅନିଚ୍ଛା ସତ୍ତ୍ୱେ । “ମୁଁ ଆଜି ମାତ୍ର ବାହାରେ ଅନ୍ୟର ରୋଷେଇ ଅରନ୍ନ ଖାଉଛି… ।” ବୁଢ଼ୀ କହୁଥିଲା । “ଆମେ ଖାଇଲା ଘରର ଲୋକମାନେ ଯଦି ଆମ ଘରେ ଅରନ୍ନ ଖାଉଥାନ୍ତେ, ଆମେ ତାଙ୍କ ଘରେ ଅରନ୍ନ ଖାଇବୁ । ସେଇଥିଲାଗି ସୁନାଯୋଡ଼ି କାହାର ଘରେ କେବେ ବି ମୁଁ କିଛି ଖାଇ ନାହିଁ… ସେ ଲୋକମାନେ ଆମ ଗାଆଁକୁ କେବେ ବି ଖାଇବାକୁ ଆସି ନାହାଁନ୍ତି । ଏ ପୁରୀ ମନ୍ଦିରରେ ତାଙ୍କର ରୋଷେଇ ଅରନ୍ନ ଖାଉଛି । ସେମାନେ ନିଶ୍ଚିତ ଭାବରେ ଆମ ଗାଁକୁ ଆସିକି କେବେ ନା କେବେ ଖାଇକରି ଯିବେ..!! ତମେ ବାବୁ ଜାଣିବ ଦିନେ ।” ବୁଢ଼ୀ ଦୃଢ଼ ଭାବରେ ସନାତନଙ୍କୁ କହିଥିଲା ସେଦିନ; ଠିକ ବର୍ଷେ ତଳେ ।

ଆଉ ଗତକାଲି ମାଣିକ ଆସିନି, ସେ ଗାଁ’ରେ ରହିଛି କାହା ପାଇଁ ଆଉ… କି କାମରେ…?? ଏପଟେ ପୁରୀରେ ଠାକୁର ଦିନସାରା ପହଡ଼ରେ ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu