ନକଲି ଚାଷୀ ଆତ୍ମହତ୍ୟା
ନକଲି ଚାଷୀ ଆତ୍ମହତ୍ୟା

ନକଲି ଚାଷୀ ଆତ୍ମହତ୍ୟା

ରାଜ୍ୟରେ ପଶ୍ଚିମାଞ୍ଚଳରେ ଜିଲ୍ଲାମାନଙ୍କରେ ଏ ବର୍ଷ ଭୟଙ୍କର ମରୁଡ଼ି ପଡ଼ିଛି । ଏକଦମ ସିରିଅସ ଅବସ୍ଥା । ଏପରି ଅଦେଖା ଅମୁଣା ପ୍ରକୃତିର ଦାଉ କେବେ ଦେଖା ନଥିଲା ହୋ ଭାଇମାନେ, ଆଜ୍ଞାମାନେ । ବିଚରା ଉଚ୍ଛବ ସାହୁ, ଭଗିଆ କାଣ୍ଡି ଓ ଅନ୍ୟ ଗାଁବାଲାମାନେ ହିଡ଼ ଉପରେ ବସି କାନ୍ଦିଲେ, ମୁଣ୍ଡ କୋଡ଼ିଲେ, ଗାମୁଛାରେ ଲୁହ ପୋଛିଲେ । ଉଚ୍ଛବ ଗାଁର ତିଆଡ଼ି ସାଆନ୍ତଙ୍କ ଦୁଇ ମାଣ ଜମି ଭାଗଚାଷ କରୁଚି; ତାଙ୍କର ତଳମୂଳ ଗହୀର ବିଲ, ବରଷାପାତି ଜମି ରହେ । ସବୁ ସୁବିଧା, ହେଲେ ତା’ ଭାଗ୍ୟକୁ ଏସନ ସବୁ ଗଣ୍ଡଗୋଳିଆ ହେଇଗଲା । ହୀରାକୁଦ ଡ୍ୟାମରୁ ଯେଉଁ ବଡ଼ ନାଳ ବାହାରିଚି ସେଇଠୁ ଛୋଟ ନାଳ ଯାଇଛି । ତା’ ବିଲ ଆଡ଼େ ପାଣି ଛାଡ଼ିବାକୁ ଅର୍ଡ଼ର କଲେ ସିନା, କଳକଳ ହୋଇ ଜଳ ବୋହିବ, ତା’ ଝିଅ ତେଲ, ସବୁନ ଲଗାଇ ଗାଧୋଇବାକୁ ଭାରି ସୁଖ ପାଏ । ଠିକଣାବେଳେ ସମସ୍ତେ ଧାନ ବିହନ ବୁଣିଲେ, ସରକାରୀ ବିହନ ଦୋକାନରୁ କିଣିକରି ଆଣିଥିଲେ । ଆନ୍ଧ୍ରାମାଲ ବୋଲି କୁହାକୁହି ହେଉଛନ୍ତି । ବର୍ଷା ବି ରଜବେଳକୁ ହେଲା ଭଲ କରି ହେଲା । ସବୁ ଧାନ ଗଜା ହୋଇ ମାଟି ଭିତରୁ ମୁଣ୍ଡ ଟେକିଲା, ଦି ଦି ପତର….. ଧଇଲା । ଦେଖିବାକୁ ଭଲ ଲାଗିଲା । ପୁଣି ବେଳ ଖରାପ ପଡ଼ିଲା, ଟାଣ ଖରାରେ ପିଠି ପୋଡ଼ିଗଲା ପତର ସବୁ ଝାଉଁଳି ଗଲା ଓ ଧୀରେ ମରିଗଲା । ଗାଁ ଲୋକେ ହତାଶ ହୋଇ ବିଲ ଗହୀରରେ ଗୋରୁ ପୂରାଇ ଦେଲେ । ଗଲା ଗଲା ବେକାର ଗଲା । ପଇସା ଚାଷୀର ମୁଣ୍ଡରେ ବାଡ଼ ଧଇଲା । ଯଜ୍ଞ ମାଜଣା କିଏ କେମିତି କଲେ । ଫଳ ହେଲା । ଆଇଲା ବରଷା ମାଡ଼ି, କ’ଣ କହିଲେ ‘ଲଘୁଚାପ ବର୍ଷା’ ଯାହା ହେଉ, ଦିନେ ଦୁଇ ଦିନ ଛାଡ଼ି କୋଉ ଆଣ୍ଡାମାନ, ଗୋପାଳପୁର ବାଟେ ପଶ୍ଚିମକୁ ମାଡ଼ି ଆଇଲା, କିଆରୀରେ ପାଣି ଭର୍ତ୍ତି, ଗ୍ରାମଦେବୀଙ୍କ ପାଖରେ ସବୁ ଚାଷୀ ଏକାଠି ହେଲେ କହିଲେ ଧାନ ରୋଇବା, ତଳି ପକାଇବା, ବିଲକୁ ଟ୍ରାକ୍ଟର ଭଡ଼ା କରି ଚାଷରେ ପୁଣି ସରକାରୀ ବିହନ କିଣିଲେ । କହନ୍ତି ରୁଆ ଧାନ ଥୁଆ । ତଳି ପଡ଼ିଲା, ଗଜା ହେଲା । ଗଛ ବଡ଼ ହେଲାରୁ ସରକାରୀ ସାର ଦୋକାନରୁ ସାର କିଣି ପକାଇଲେ ସମସ୍ତେ । ପୁଣି ଗୋଟିଏ ଲଘୁଚାପ ଆଇଲା । ତଳିଧାନ ହାତେ ଉଚ୍ଚ ହେବାରୁ ଅନ୍ୟ ବିଲରେ ଚାଷ କରି ଧାଡ଼ି ଧାଡ଼ି କରି ତଳି ରୋଇଲେ । ମୂଲିଆଣୀ ଲଗାଇଲେ । ମନରେ କେତେ ଆଶା, ସବୁ ଠିକ୍‌ଠାକ ଚାଲିଲେ ଭଲ ଧାନ ହେବ । ତା’ ଭାଗକୁ ବିକ୍ରି କରି ଘରକୁ ଆଜବେଷ୍ଟସ ଛାତ ପକାଇବ ଉଚ୍ଛବ । ସମସ୍ତଙ୍କର ଅଛି ଏକା ତା’ର ନାହିଁ । ଧୀରେ ଧୀରେ କିଆରୀରେ ସବୁଜିମା ଉଛୁଳି ପଡ଼ିଲା । ଉପରେ ଖରା, ତଳେ ପାଣି ସବୁ ଦିଅଁଙ୍କ କୃପା ଏ ବରଷ ମାଗୁଣି ସୁବୁଦ୍ଧିଠାରୁ କରିଥିବା କରଜଟା ସୁଝିଦେବ । ସେ ସାହୁକାରଟା ଖରାପ ଲୋକ । ଟଙ୍କା ମାଗିବା ନାଁରେ ଉଚ୍ଛବ ନଥିଲା ବେଳେ ତା’ ଘରକୁ ଆସୁଛି । ଭିତରକୁ ପଶିଯାଇ ସ୍ତ୍ରୀ ହେମକୁ ଚାହା ମାଗୁଚି । କେତେ ବେଳେ କ’ଣ କରିବ ସେ କିଏ ଜାଣେ? ହେମଟା ସରଳିଆ ସ୍ତ୍ରୀ ଲୋକ । ଗଛଗୁଡ଼ିକ ଭେଲୁଆ ହେଇ ବଢ଼ିଲେଣି । ବ୍ଲକରୁ ଜଣେ କୃଷି କର୍ମଚାରୀ ଆଇଥିଲେ । ତାଙ୍କୁ ଚାଷୀଏ ହିଡ଼ ମୁଣ୍ଡକୁ ନେଇଗଲେ । ସେ ଦେଖି ସନ୍ତୋଷ ହେଲେ କଣ ସବୁ ‘ସାର’ ନା ଉଚ୍ଛବର ହେଜ ପଡ଼ୁନି-ଗୁମର, ଭରିଆ, ଫସଫସିଆ । ଫୁଟି ସାହୁକାରଠୁଁ କରଜ କଲା । ସାର ଦୋକାନୀକୁ ନାଞ୍ଚ ଦେଇ ବାରିପଟେ ସାର ବସ୍ତା ଆଣି ଛାଟିଲା । କିଆରୀରେ ସବୁ କ୍ଷେତରେ ମନ ବୁଝିଗଲା ବୋଧେ ସବୁ ଠିକ୍ ଚାଲିବ ଏଣିକି । ଏ ଭିତରେ ଅଶିଣ ମାସ ହେଲାଣି । ବଡ଼ ପାଠ ପଢ଼ୁଆ ବାବୁମାନେ ଗାଁ ମୁଣ୍ଡରେ କଥାବାର୍ଭା ହେଲେ । ମଉସୁମୀ ଫେରିଗଲାଣି । ଲଘୁଚାପ ଆଉ ନାଇଁ ହୁଏ । ଏଣେ ତ ବିଲ ଫାଟିଲାଣି । ପନ୍ଦର ଦିନ ପାଇଁ ପାଣି ଦରକାର ଗଛରେ ଗର୍ଭ ଧରିବା ବେଳେ । ସମସ୍ତେ ବିଲ ଗହୀରରେ କୁହା କୁହି ହେଲେ । ଗାଁ ମୁଣ୍ଡରେ ସଭା କଲେ । ଚାଷୀ ନେତା, ବିରୋଧୀ ନେତା ଦୁଇ ଜଣ କ’ଣ ଗୋଟାଏ ଯନ୍ତ୍ର ପାଟିରେ ଦେଇ ଗର୍ଜିଲେ “ଚାଷୀକୁ ଜଳ ଦିଅ, ହୀରାକୁଦରୁ ପାଣି ଛାଡ଼ । ଛତିଶଗଡକୁ ଏତେ ବୋହି ଦେଲ, ନିକମା ସରକାରକୁ ୧୯ରେ ହଟାଅ।” ସତକୁ ସତ ଦୁଇ ଦିନ ପରେ ନାଳରେ ପାଣି କଳକଳ ନାଦ କରି ବୋହିଲା । ଇଞ୍ଜିନିୟର ବାବୁ, କୃଷି ବାବୁ ଆସି ଚାଷୀଙ୍କ ପିଠିରେ ହାତ ମାରିଲେ । ପିଣ୍ଡାରେ ବସି ଚା’ପିଇଲେ । ଏ ଖୁସିରେ ଗ୍ରାମ ଦେବତୀଙ୍କ ପୀଠରେ ଜନ୍ତାଳ କଲେ ଚାଷୀ ଭାଇମାନେ । ପ୍ରସାଦ ପାଇଲେ ସମସ୍ତେ । ଏହା ମଧ୍ୟରେ ଗଛରେ ଗର୍ଭ ଧରିଲାଣି । ଦିନେ ସକାଳୁ ଦେଖିଲା ଉଚ୍ଛବ ଅଗପତରରେ ପୋକ ସବୁ ଖାଇ କଣା କରିଦେଇଛନ୍ତି । କଅଁଳିଆ କେଣ୍ଡା ଆଉ ବାହାରୁ ନାହିଁ । ସବୁ ରଙ୍ଗିଆ ପୋକ, ସାବଜା ପତର ସଙ୍ଗେ ମିଶି ଯାଉଛି । ଲମ୍ବା ଲମ୍ବା ଇଏ କେଉଁଠୁ ଆଇଲେ । କ’ଣ ଅକାଳ ପଡ଼ିଲା? ଚୁଲୀରୁ ପାଉଁଶ ଆଣି ଛାଟିଲା ସେ । ବୋତଲେ କିରାସିନୀ ଆଣି ଢାଳିଲେ, କିନ୍ତୁ ସେ ଗୁଡ଼ା ସମସ୍ତେ ଅସୁର ପୋକ ବୋଧେ । ଆହୁରି ବେଶୀ ବେଶୀ ମୋଟା ହେଲେଣି । କିଏ କିଏ ବ୍ଲକରୁ କୃଷି ବିଭାଗ ବିକ୍ରି କରୁଥିବା ପୋକମରା ଔଷଧ, ମେସିନ ଓ ପିଚକାରୀ ଯନ୍ତ୍ର କିଣି ନିଜ ବିଲରେ ଗଛମାନଙ୍କରେ ଛିଞ୍ଚିଲେ । ଦୁର୍ଗନ୍ଧ ନାକରେ ପଶି ଯୋଗୀ ତାଣ୍ଡି ହିଡ଼ ମୁଣ୍ଡରେ ପଡ଼ି ଅଚେତ ହୋଇଗଲା । ଉଚ୍ଛବର ମୁଣ୍ଡ ବୁଲାଇ ବାନ୍ତି ଆସିଲା । ସିଏ ଛୋଟ ନାଳ ପାଣିରେ ମୁଣ୍ଡ, କାନନାକ ଧୋଇବାରୁ ଘରକୁ ଆସିପାରିଲା ସିନା ନ ହେଲେ ତ ମେଡିକାଲ ଯାଇଥାନ୍ତା । କ’ଣ କରାଯିବ । ଯୋଗକୁ ତାଙ୍କ ଏମେଲେ ତା’ ଘରକୁ ଆଇଥିଲେ । ରାଜଧାନୀରୁ ସମସ୍ତେ ଦୌଡ଼ିଲେ । ଦୁଃଖ ଜଣାଇଲେ । ସେ ମହାଶୟ କହିଲେ “ଇଏ ସେମିତିଆ ସାଧାରଣ ପୋକ ନୁହଁ । ସାଡ଼େ ଉପକୂଳ ଇଲାକାରେ ଦେଖାଦେଇଥିଲା । ମୁଁ କୃଷି ଡାଇରେକ୍ଟରକୁ ପଠାଉଛି । ପୋକ ନାଁ ଦିଆଗଲା । ‘ଚକଡ଼ା’ ପୋକ ବିଦେଶରୁ ଉଡି ଆସିଛି । ୟା ଓଷଦ କେନ୍ଦ୍ରରୁ ଆସିବ ।” ୟା ଭିତରେ ମାସେ କଟିଗଲାଣି । ଧାନଗଛ ସବୁ ମଳିନ ପଡ଼ି ବାଦାମୀ ରଙ୍ଗ ହୋଇ ଶୋଇଗଲାଣି । ମାଇଲ ମାଇଲ ଗଭୀର ଜମି ହାହାକାର କରୁଛି କାର୍ତ୍ତିକମାସରେ । ହଜାର ହଜାର ଗାଁ ଲୋକେ ସଭା, ରାସ୍ତାରୋକ, ପୋଡ଼ାଜଳା କଲେଣି । ଖବର ଯାଇ ଭୁବନେଶ୍ୱରରେ ପହଞ୍ଚିଲା । କେତେକ ଚାଷୀ ତାଙ୍କ ବିଲରେ ନିଆଁ ଲଗାଇ ମଲା ଧାନଗଛଗୁଡ଼ିକ ପୋଡ଼ି ଦେଲା । ମନ୍ତ୍ରୀ କୁଆଡ଼େ ଖବରକାଗଜରେ କହିଲେ “ଚକଡ଼ା ପୋକ ପାଇଁ କ୍ଷତିପୂରଣ ମିଳିବ । ନିଆଁ ଲଗାଇଲେ ମିଳିବ ନାହିଁ ।” କୋଉ ଗାଁରେ କିଏ ଗୋଟିଏ ଚାଷୀ ଆତ୍ମହତ୍ୟା କରିଦେବାର ଖବର ବ୍ୟାପିଗଲା । ଜିଲ୍ଲାରେ ନିଆଁ ଜଳିଲା ଭଳି ପରିସ୍ଥିତି ଉପୁଜିଲା । କୃଷିମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଲେ । ବିରୋଧ ବାଲାଏ କହିଲେ କୁଆଡ଼େ ସାହୁକାରର ଋଣ ନ ସୁଝି ପାରିବାରୁ ସେ ନିଜକୁ ହତ୍ୟାକଲା । କିଲଟର ସାହେବ ଇନକୁଆରୀ କଲେ କୁଆଡ଼େ ତା’ର କ୍ୟାନସର ରୋଗ ଭଲ ନ ହେବାରୁ ସିଏ ଏମିତି କଲା । ଗୋଟାପରେ ଗୋଟାଏ ଚାଷୀ ବିଭିନ୍ନ ଇଲାକାର ଆତ୍ମହତ୍ୟା କରିବାର ଖବର ଟିଭିରେ ଦେଖାଗଲା । ବିଧାନସଭାରେ ମନ୍ତ୍ରୀ ବିବୃତି ଦେଲେ, “କେହି ଧାନରେ ପୋକ ଲାଗିବାରୁ ନିଜ ଜୀବନ ନିଜେ ନେଇ ନାହାନ୍ତି । ଅନ୍ୟ କାରଣ ସବୁ ଅଛି । ତଦନ୍ତ ଚାଲିଛି । ବିରୋଧୀ ଦଳଙ୍କୁ ଜଣାଇ ଦିଆଯିବ ।”

ବିଲ ମୁଣ୍ଡରେ ବସି ବସି ଉଚ୍ଛବକୁ ଆଇଡିଆ ଆସିଲା । କାହା କଥାରୁ ସିଏ କ’ଣ ପାଇବ । ତା’ର ଟଙ୍କା, ଘର ଦରକାର । ସ୍ତ୍ରୀ ହେମକୁ ଫୁସଫୁସ କରି କହିଲା, “ରାଣ ଖାଆ କାହାକୁ କହିବୁ ନାହିଁ । ମୁଁ ମିଛି ମିଛିକା ଆତ୍ମହତ୍ୟା କରିବି ।” ସ୍ତ୍ରୀ ମୁଣ୍ଡ ବାଡ଼େଇ କାନ୍ଦିଲା, ଏପରି ନକରିବାକୁ କହିଲା । ମିଛ ହେଉ ହେଉ କାଳେ ସତ ହୋଇଯିବ । “ନା ନା ମୋର ଦାୟିତ୍ବ ଅଛି । ଦେଖ କାଲି !” ତହିଁଆର ଦିନ ଦେଖାଗଲା ଉଚ୍ଛବ ସାହୁ, ତା’ ହିଡ଼ ଉପରେ ଗାମୁଛା ଘୋଡ଼େଇ ହୋଇ ପଡ଼ିଛି । ପାଖରେ ପୋକମରା ଔଷଧ ଶିଶି ଖୋଲା, ମୁହଁରେ ମାଛି ଭଣଭଣ, ଭାତ ଡାଲି ବାନ୍ତି ଲାଗିଚି । ଗାଁ ଲୋକ ଛୁଟିଲେ ଦେଖିବାକୁ । ସରପଞ୍ଚ, ତା’ପରେ ହୋମଗାର୍ଡ଼ ଓ ପୁଲିସ । ଅମୁକ ଗାଁରେ ଚାଷୀ ଆତ୍ମହତ୍ୟା ଘଟଣା ପ୍ରଥମଥର । ମୂଲକାରସାଦୀ ହେଲା, ସେ ଜଣେ ସାଧୁଙ୍କଠାରୁ ଶିଖିଥିବା ପ୍ରାଣାୟାମ କରି ଜୋରରେ ନିଃଶ୍ବାସ ନେଇ ଦଶମିନିଟ୍ ରଖିବ ଆଉ ତା’ପରେ କେହି ନ ଦେଖିବା ବେଳେ ଧୀରେ ଧୀରେ ଛାଡ଼ିବ । ତା’ ସ୍ତ୍ରୀ, ପୁଅ, ଝିଅ ମୁଣ୍ଡପିଟି କାନ୍ଦୁଥାନ୍ତି । ଶବ ଉଠିବା ସ୍ତ୍ରୀ ମୃତ ଉଚ୍ଛବର ଗୋଡ଼କୁ ଧରି ରଡ଼ିକଲା, “ଛାଡ଼ିବି ନାହିଁ କଦାପି ଛାଡ଼ିବି ନାହିଁ ।” ପିଲାମାନେ ତା’ ଛାତି ଉପରେ ମୁଣ୍ଡରଖିଥାନ୍ତି । “ସରକାର ବଡ଼ ଅଫିସର ଏଠିକି ଆସି ମତେ ଲେଖିକରି ଦେଲେ, ସ୍ବାମୀର ଶବ ଏଠୁ ଉଠିବ ।” ବିଧାନସଭା ଭୟରେ ଅଫିସର ମାସେ ମଧ୍ୟରେ ସତକୁ ସତକୁ ସବୁ ଦାବୀ ପୂରଣ କରିବେ ବୋଲି ଲେଖି ଦସ୍ତଖତ କଲେ । ନଗଦ ଶବସତ୍କାର ପାଇଁ କୋଡ଼ିଏ ହଜାର ଟଙ୍କା ମିଳିଲା । ଅଟୋ ରିକ୍ସାରେ ଦୁଇଜଣ ପୋଲିସ ପୋଷ୍ଟମର୍ଟମ ପାଇଁ ଉଚ୍ଛବକୁ ନେଲେ । ସେମାନଙ୍କ ପାଇଁ ମୃତ, ସ୍ତ୍ରୀ ପାଇ ଛଳନା ମୃତ, ପ୍ରକୃତରେ ଜୀଅନ୍ତା ଶବ, ସଦର ବଜାରରେ ଆଜି ପ୍ରବଳ ଲୋକ ଗହଳି, ସାପ୍ତାହିକ ପରିବା ହାଟ, ଦୁଇଜଣ ପୋଲିସ ଓ ଅଟୋବାଲା ଗାଡ଼ିକୁ କଡେଇ କରି ରଖି ଚାହା, ପାନ, ବିଡ଼ି ଖାଇବାକୁ ଗଲେ । ମୃତ ଶରୀର ଭାବି ବୁଲା କୁକୁର ପାଦକୁ ଶୁଙ୍ଘିଲାରୁ ଚିହିଁକି ଉଠିଲା ମୃତ ତଥା ଜୀଅନ୍ତା ଉଚ୍ଛବ । ପାଖରେ କେହି ନାହାନ୍ତି । ଥିରି କରି ଉଠି ଦୌଡ଼ିଲା । ଷ୍ଟେସନରେ ଗାଡ଼ିର ହର୍ଣ୍ଣ ଶୁଭିଲା, ସେଥିରେ ଚଢ଼ି କୁଆଡ଼େ ଗଲା ଜାଣେନି । ସେମାନେ ଆସି ଦେଖିଲେ ଶବ ନାହିଁ, ଖବର ରଟିଗଲା । ‘ଶବ ଗାୟବ’ । କୁଆଡ଼େ କୁକୁର କ’ଣ ଟାଣିନେଲେ, କେତେ ବାଟ ବା ନେଇଥିବେ । ସମ୍ଭବ ଲାଗୁନି । କ’ଣ ଆଉ ସୁଇପର ନେଇଯାଇ ମେଡିକାଲ କଲେଜରେ ପିଲାମାନଙ୍କ ପଢ଼ିବା ପାଇଁ ବିକ୍ରି କରିଦେଲେ । ଦୁଇ ଜଣ ପୋଲିସ କର୍ମଚାରୀ ସସପେଣ୍ଡ ହେଲେ । ଉଛବ କହିଥିବା କଥା ମୁତାବକ ସରକାରଙ୍କ ଠାରୁ ମିଳିଥିବା କୃଷି ଫୋନରେ ସ୍ତ୍ରୀ ହେମକୁ ଫୋନ କଲା । ସେ ତାର ସବୁ ଦାବୀ ହାସଲ କରିସାରିଥିବା ନିର୍ଭର ଜବାବ ପାଇଲା ଯୋଗୁ ଦାଢ଼ି, ନିଶ, ବିଭୂଷିତ ଛିଣ୍ଡା ଲୁଗା ପିନ୍ଧିଥିବା ମୃତ ଉଚ୍ଛବ ସାହୁ ଜୀଇଁ କରି ଧୀରେ ଧୀରେ ଚାଲି କରି ଅଧା ରାତିରେ ସ୍ଵ-ଗୃହରେ ପ୍ରବେଶ କଲା ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu