You are currently viewing କାକର
Odia Poem Kakara (କାକର) by Sanjib Kumar Dash

କାକର

ରାତିସାରା ତୋଫା ଜୋଛନାକୁ ସାଉଁଟି ପିନ୍ଧି, ଲାଜେଇ ଯାଉଥିଲି…
ଦୁର୍ବାର ବାସନା ମୋ, କୁହୁଡ଼ିରେ ପହଁରି
ଲୁଚାଇଦେବାକୁ ତାକୁ,
ମୁରୁକି ହସୁଥିଲେ ତାରା !
ଘୁରି ଘୁରି ଉଡ଼ୁଥିଲା ଜହ୍ନ,
ଜଣା ନାଇଁ ମୋତେ, ମସଗୁଲ ସେ,
ଉଜାଗର କୁମୁଦିନୀ ନୀଳ ନୀଳ ଆଖି !!

ଅବଶ ମୁଁ,
ଜଡ଼େଇ ଝରୁଛି ଟୋପା ଟୋପା…
ନିଚ୍ଛକ ପ୍ରବଣତାର ଏ ଅଶ୍ରୁ,
ଏବେ ସଜାଇଛି !
ଦୂବର ମୁକ୍ତାମୁକୁଟ, ସିକ୍ତକଢ଼ି ଶିରପାଟ,
ବେଧଡ଼କ ଭାସିବାର ମୋ ସ୍ୱପ୍ନଯାକ ତରଳି ମାଟି ଭିଜାଉଛି…

ଆଉଥରେ ଆସିବି କହି ଅପସରି ଯାଇଛି,
ସେ ନିଲଜିଆ ଚାନ୍ଦ, ଉକୁଟୁଛି ରବି,
ମୁଠା ମୁଠା ରକ୍ତ ଅବିର ମାଖିଛି !
ବହୁରୂପୀ ଆକାଶ !
କଅଁଳ କିରଣର ଲହଡ଼ି ଭାଙ୍ଗୁଛନ୍ତି,
ଚାରୁଲତା ଜୀବନ ସକଳ…

ଅବସନ୍ନ ତନୁରେ ମୋ ନୂଆଁ ପୁଲକଟେ,
ସପ୍ତରଙ୍ଗୀ ଇନ୍ଦ୍ରଧନୁ ଖେଳେ,
ହୀରକକୁ ନିନ୍ଦା, ଭରଣେ ଉଚ୍ଛନ୍ନତାରେ ଉଷ୍ମ ରଶ୍ମି ପିଇଯାଏ,
ଯା’ ହେଉ କେହି ତ ଆପଣାର,
ଅସରା କାମନାର ବିସ୍ପୋଟରେ ଫାଟିପଡ଼ି, ଉଠୁଛି ଉପରକୁ…
ପୁଣିଥରେ,
ଜହ୍ନ ଯେ ଆସିବ !!!

– ସଂଜୀବ କୁମାର ଦାଶ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସଂଜୀବ କୁମାର ଦାଶ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।