You are currently viewing ଅପରାହ୍ନ
Odiad Story Aparahna (ଅପରାହ୍ନ) by Sushree Sangita Sethy

ଅପରାହ୍ନ

ଦୃଶ୍ୟ-୧

ଆଖି ଖୋଲିଲା ପରେ ନୀଳ ଆକାଶ । ଆକାଶରେ କିଚିରି ମିଚିରି କରି ଉଡ଼ୁଛନ୍ତି ମୁକ୍ତ ପକ୍ଷୀ । ଚାରିପାଖରେ ୧୦-୧୫ ଜଣ ଲୋକ । ଲୋକମାନେ ପାଣି ଛାଟିବାରୁ ହୋସ୍ ଆସିବା ପରେ ଦେଖୁଥାନ୍ତି ଏସବୁ ଦୃଶ୍ୟ ବୁଢ଼ୀ ମାଉସୀଜଣକ । ଅପରାହ୍ନ ୫ଟା ହେବ । ବାଉଳି ହେଉଥାନ୍ତି ମୁଁ କୋଉଠି ପୁଅ !? ଲୋକମାନେ ବାଉଳି ହେଉଥାନ୍ତି ତମେ କିଏ ମାଉସୀ? କୋଉଠୁ ଆସିଛ?? ଏଇଟା ପୁରୀ । ଏଠି କେମିତି ପହଞ୍ଚିଲ? ମାଉସୀ କାନ୍ଦି କାନ୍ଦି କହୁଥାନ୍ତି – ମୋର କିଛି ମନେ ରହୁନି ପୁଅ । ମତେ ମୋ ଝିଅ ଜ୍ୱାଇଁ ବସ୍‌ରେ ବସେଇ ଦେଇ କହିଲେ ତୁ ଯା ତୋ ପୁଅ ପାଖକୁ, ରହିବୁ । ସେମାନେ ତତେ ପୋଷିବେ । ମୋ ପୁଅ ପୁରୀରେ ରୁହେ କିନ୍ତୁ କୋଉଠି ରୁହେ ଜାଣିନି । ଗଣମାଧ୍ୟମ ଜରିଆରେ ଲୋକମାନେ ଫୋଟୋ ପୋଷ୍ଟ କରି ମାଉସୀର ଠିକଣା ପାଇବାକୁ ଚେଷ୍ଟା କଲେ ଏବଂ ପାଇଲେ ।

୨ ଘଣ୍ଟା ପୂର୍ବ ଦୃଶ୍ୟ…

କଟକ ପୁରୀ ବସଷ୍ଟାଣ୍ଡରୁ ଚଢ଼ିଲି ମୋ ହଷ୍ଟେଲ ଅଭିମୁଖେ । ମୋ ସିଟ୍ ପାଖେ ଜଣେ ମାଉସୀ ବସିଥିଲେ । ବୟସ ପାଖାପାଖି ୮୦ ହେବ । ପଚାରିଲି କୁଆଡ଼େ ଯାଉଛ ମାଉସୀ? କିଛି ମନେ ପଡ଼ୁ ନଥାଏ ତାଙ୍କର । ଖାଲି କହୁଥାନ୍ତି ମୋ ପୁଅ ପୁରୀରେ ଅଛି, ମୁଁ ଯାଉଛି । ଝିଅ ଜ୍ୱାଇଁ ବସ୍‌ରେ ବସେଇ ଦେଲେ ଆଉ ମତେ କହିଲେ ପୁଅ ପାଖକୁ ଯା । ମୁଁ ପଚାରିଲି, “କ’ଣ ଖାଇଛ ମାଉସୀ?” କହିଲେ, “କ’ଣ ଖାଇବି ଝିଅ !? ବିସ୍କୁଟ ପକେଟ୍ ଆଉ ପାଣି ଦେଇଛି ଝିଅ । ଆଉ କିଛି ଖାଇନି ସକାଳୁ ।” ବସ୍ ଛାଡ଼ି ନଥାଏ । ମାଉସୀ କହିଲେ, “ଝିଅ ଶୌଚାଳୟ ଯିବି ।” ମୁଁ ମାଉସୀଙ୍କ ହାତ ଧରି ଶୌଚାଳୟ ନେଇଗଲି । ବସ୍‌ରେ ଅନ୍ୟ ଲୋକଙ୍କୁ କହିଲି ଟିକେ ଜଗିଥିବେ, ବସ୍ କାଳେ ଛାଡ଼ିଦେବ । ଶୌଚାଳୟରୁ ଆସିବା ପରେ ବସ୍‌ରେ ବସିଲୁ । ବସ୍ ଛାଡ଼ିଲା । ମୁଁ ପ୍ରତି ୧୦ ମିନିଟରେ ଥରେ ପାଣି ପିଇବାକୁ ଏବଂ ବିସ୍କୁଟ ଖାଇବାକୁ କହୁଥାଏ । କାଳେ ମୁଣ୍ଡ ବୁଲେଇବ ! ବୁଢ଼ୀ ଲୋକ, ସକାଳୁ କିଛି ଖାଇ ନାହାନ୍ତି । ମନେ ମନେ ତାଙ୍କ ଝିଅ ଜ୍ୱାଇଁଙ୍କୁ ବହୁତ୍ ଗାଳି କରୁଥାଏ । ଏଇ ବୟସରେ କିଛି ମନେ ରହୁନଥିବା ମା’କୁ କେମିତି ଛାଡ଼ି ଦେଇଛନ୍ତି ଝିଅ ଜ୍ୱାଇଁ । କେମିତି ହେଲାଣି ଏ ଦୁନିଆ !! ଧୀରେ ଧୀରେ ବସ୍ ଭିତରେ ସମସ୍ତେ ମାଉସୀ ସହ କଥା ହେବାକୁ ଲାଗିଲେ । କାର୍ତ୍ତିକ ମାସ ସମୟ ବୋଲି ସମସ୍ତେ ଭାବିଲେ ବୋଧେ ସେ ହବିଷ ପାଳନ କରିବାକୁ ସରକାରଙ୍କ ତରଫରୁ ମାଗଣାରେ ପୁରୀ ଯାଉଛନ୍ତି । ବହୁତ୍ ଲୋକ କିଏ ୧୦ ଟଙ୍କା, ୨୦ ଟଙ୍କା ଏମିତି ପଇସା ଦେଉଥାନ୍ତି, ମୁଁ ବି ଦେଲି । ମାଉସୀକୁ କହୁଥାନ୍ତି ମାଉସୀ ନେ ଦୀପ ଜାଳିବୁ । ତୋର ସବୁ ଦୁଃଖ ଦୂର ହେବ ଆମ ପାଇଁ ବି ଭଗବାନଙ୍କୁ ଡାକିବୁ । ଆଉ ଜଣେ ସହୃଦୟ ବ୍ୟକ୍ତି ବି ତାଙ୍କୁ ୧୦୦ଟି ଟଙ୍କା ଦେଲେ । କହିଲେ, “ମାଉସୀ ସେ ଭଗବାନ ତୋ’ର ଭରସା ।” ସମସ୍ତେ ଏଇଆ ଭାବି ତାକୁ ପଇସା ପତ୍ର ଦେଉଥାନ୍ତି କିନ୍ତୁ ସେ ମାଉସୀ ନିଶବ୍ଦ । କିଛି କହି ପାରୁନଥାନ୍ତି । କିଛି ମନେ ପଡ଼ୁ ନଥାଏ । ସେ ପଇସା ବି ନେଉ ନଥାନ୍ତି । ଏତେ ଅସୁବିଧାରେ ଥାଇବି ନିଜ ଆତ୍ମ ସମ୍ମାନକୁ ଦେଖୁଥାନ୍ତି । ମୋ ଆଖିରେ ଲୁହ ଜାକି ହେଇ ଆସୁଥାଏ । ଲୋକଙ୍କଠୁ ଲୁଚେଇ ମନ ଭିତରେ କାନ୍ଦୁଥାଏ ତାଙ୍କ କଷ୍ଟ ଦେଖି । ଏମିତି ହେଇ କଳ୍ପନାରେ ବସ ରହିଲା । ମୁଁ ମାଉସୀଠୁ ବିଦାୟ ନେଲି । କଣ୍ଡକ୍ଟରକୁ କହିଦେଇ ଗଲି ଭାଇ ଦୟାକରି ଏଇ ମାଉସୀଙ୍କୁ ପୁରୀ ବସ୍ ଷ୍ଟାଣ୍ଡରେ ଓହ୍ଲେଇ ଦେବେ । ସେ କହିଲେ ତୁମେ ନିଶ୍ଚିତ ହୁଅ । ଆମେ ଓହ୍ଲେଇ ଦେବୁ । ତା’ପରେ ମୁଁ କଳ୍ପନାରୁ ଓହ୍ଲେଇ ମୋ ହଷ୍ଟେଲକୁ ଗଲି । ହଷ୍ଟେଲରେ ପହଞ୍ଚି ଫେସବୁକରେ ପୋଷ୍ଟ ଦେଖିଲି ସେଇ ମାଉସୀଙ୍କ ବିଷୟରେ ।

ଦୃଶ୍ୟ ୨

ହତବାକ୍ ହେଲି ଘଟଣା ଶୁଣି । ଧିକ୍କାର କଲି ସେ ପୁଅ ଝିଅଙ୍କୁ ଯିଏ ନିଜ ମା, ଯାହାଠୁ ଜନ୍ମ, ତା’ର ପାଳନ ପୋଷଣ ପାଇଁ ଅସମର୍ଥ । ଭାବିଲି କ’ଣ ବାର୍ଦ୍ଧକ୍ୟ ସତରେ ଏତେ କଷ୍ଟ ଦାୟକ । କ’ଣ ଏ ଦୁନିଆ ଏ ସଂସାର ଏତେ ନିଷ୍ଠୁର । ଯିଏ ଦିନେ ଚଲେଇବା ଶିଖେଇଥିଲା ତା’ ପରିଣତ ବୟସରେ, ତା’ ହାତ ଧରି ଚଲେଇବା ଏତେ କଷ୍ଟ? କେଡ଼େ ନିଷ୍ଠୁର ଏ ଦୁନିଆ ! ଆଖିରେ ନାଚୁଥିଲା ମାଉସୀଙ୍କ ସେ ନିରୀହ ଚେହେରା ଏବଂ ସେ ସ୍ନେହ ଭରା ଆଶୀର୍ବାଦର ହାତ ମୋ ମୁଣ୍ଡ ଉପରେ, “ଭଗବାନ ତୋ’ର ମଙ୍ଗଳ କରନ୍ତୁ ଝିଅ ।” ଉଙ୍କି ମାରୁଥିଲା ପ୍ରଶ୍ନଟିଏ – କ’ଣ ସତରେ ଏତେ ନିଷ୍ଠୁର ବୟସର “ଅପରାହ୍ନ”???

– ସୁଶ୍ରୀ ସଙ୍ଗୀତା ସେଠୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସୁଶ୍ରୀ ସଙ୍ଗୀତା ସେଠୀ ଓଡ଼ିଆ ଭାଷାରେ ବିଭନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ପ୍ରସଙ୍ଗଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ।