You are currently viewing ବିରହ
ବିରହ

ବିରହ

ଆଦ୍ୟ ଆଷାଢ଼ରେ ମୌସୁମୀର ପହିଲି ଛୁଆଁରେ ଆକାଶଟା ପୁରା ନିର୍ମଳ ଦେଖାଯାଉଛି ଆଉ ସେ ଫାଳେ ଜହ୍ନକୁ ବେଢି଼ ରହିଛନ୍ତି ମିଞ୍ଜି ମିଞ୍ଜି ଜଳୁଥିବା ଅନେକ ତାରା । ଜହ୍ନ ସହ ଟିକେ ଏକାନ୍ତରେ କଥା କରେଇ ଦେବେନି ନା କ’ଣ? ଅଦେଖା ଦରଜ ଅକୁହା କଥା ସେ କହିବ କାହାକୁ, ସମୁଦ୍ରର ଢେଉ ଭଳି ମନକୁ ଆନ୍ଦୋଳିତ କରୁଥିବା ସେ ପ୍ରଶ୍ନର ଉତ୍ତର ଦେବ କିଏ? ପ୍ରଶ୍ନର ଉତ୍ତର ତ ମିଳିବନି ହେଲେ ଅକୁହା ବେଦନାକୁ ଜହ୍ନକୁ କହିଦେଲେ ଟିକେ ଯଦି ଆଶ୍ୱସ୍ତ ଲାଗନ୍ତା । କେଉଁଠୁ ଆରମ୍ଭ କରିବ ଜାଣି ପାରୁନଥିଲା ଶୁଭେନ୍ଦୁ । ଜହ୍ନ କହିଲା, “ସବୁ ପ୍ରେମ କାହାଣୀ ଯେଉଁଠୁ ଆରମ୍ଭ ହୁଏ । ପ୍ରଥମ ଦେଖା !”

କଲେଜରେ ଦୁଇବର୍ଷ ପଢ଼ିଲାପରେ ବି ତା’ ସହ ତ କେବେ ଦେଖା ହେଇନଥିଲା, କାରଣ ସେ ବିଜ୍ଞାନ ପଢ଼ୁଥିଲା ଆଉ ଶୁଭେନ୍ଦୁ ଇଂରାଜୀ ସମ୍ମାନ ରଖି କଳା ପଢ଼ୁଥିବା ଛାତ୍ର । ଦିନେ ତରବରରେ କଲେଜ ପାଠାଗାରରୁ ଆସୁ ଆସୁ ହାତରୁ ଡାଏରୀ ଖସି ପଡ଼ିଥିଲା ଆଉ ଏ କଥା ଶୁଭେନ୍ଦୁ ଜାଣିପାରିନଥିଲା । କ୍ଲାସରେ ଆସି ବସିଲା ପରେ ଖୋଜିଲା ବେଳକୁ ଡାଏରୀ ନାହିଁ । ଏତିକି ବେଳେ ଝିଅଟିଏ ଆସି ସାରଙ୍କୁ ଡାଏରୀ ଦେଇ ଚାଲିଗଲା । କ୍ଲାସ ସରିବା ପରେ ବାହାରକୁ ଆସି ଦେଖେ ତ ସେ ଅପେକ୍ଷା କରିଛି । ଶୁଭେନ୍ଦୁ ତାକୁ ଧନ୍ୟବାଦ ଦେବା ଆଗରୁ ସେ ପାଖକୁ ଆସି କହିଲା, “ତୁମ ଡାଏରୀ ପାଇବା ପରେ ତୁମ ନାଁ ଆଉ କ୍ଲାସ ଜାଣିବାକୁ ପ୍ରଥମ ପୃଷ୍ଠା ଖୋଲି ଦେଖିଥିଲି, ତଳେ ଲେଖିଥିବା ସେ ଦୁଇଧାଡ଼ି କବିତା ମନକୁ ଛୁଇଁ ଗଲା । ହେଲେ କାହାର ଡାଏରୀ ବିନା ଅନୁମତିରେ ପଢ଼ିବା ଠିକ୍ ନୁହଁ ବୋଲି ବନ୍ଦ କରିଦେଇଥିଲି । ଆପଣ ମତେ ଆପଣଙ୍କ କବିତା ପଢ଼ିବାକୁ ଦେବେ ନା?”

ସେଇଠୁ ଆରମ୍ଭ ହେଇଥିଲା ଶୁଭେନ୍ଦୁ ଆଉ ଗୀତାର ସମ୍ପର୍କ । ଆପଣରୁ ତୁମେ ହବା, ଅପରିଚିତରୁ ପରିଚିତ ହବା । କେବେ କଲେଜ ପାଠାଗାରରେ ତ କେବେ କଲେଜ ବାରଣ୍ଡାରେ ଶୁଭ ଗୀତାକୁ କବିତା ପଢ଼ି ଶୁଣାଏ । ତାଙ୍କ ସଂପର୍କର କିଛି ବି ନାଁ ନଥିଲା । ଗୀତା ଥିଲା ବିଦଗ୍ଧ ପାଠିକା ଆଉ ସେ ଲେଖକ । ସେ ପାଠିକାରୁ କେତେବେଳେ ପ୍ରେମିକା ହେଲା? ତା’ ସହ ଦିନେ କଥା ନହେଲେ ରହି ପାରୁନଥିଲା ଶୁଭ । ଗୀତା ବି କବିତା ଶୁଣିବା ବାହାନାରେ ବାରମ୍ବାର ଆସିଯାଏ ଶୁଭ ପାଖକୁ । ହେଲେ କେବେ ବି ଉଭୟ ନିଜ ମନ କଥା ପ୍ରକାଶ କରିନାହାନ୍ତି । ହେଲେ ବିନା କିଛି କାରଣରେ ଆଜିକୁ ଦୁଇ ମାସ ହେଲା ଗୀତା, ଶୁଭକୁ ଦେଖିଲେ ବାଟ ଭାଙ୍ଗି ଚାଲି ଯାଉଛି, ନା କଥା ନା ବାର୍ତ୍ତା । ସେ ଗୀତାକୁ କିଛି କହିଛି ନା ତା’ ସହ ଝଗଡ଼ା କରିଛି । ସେ କାହିଁକି ହଠାତ କଥା ହବା ବନ୍ଦ କଲା ତା’ର କାରଣ ଖୋଜି ଖୋଜି ଅବସନ୍ନ ହୋଇପଡ଼ୁଛି ଶୁଭେନ୍ଦୁ । ଜହ୍ନ କ’ଣ ବୁଝିବ ମନର ବେଦନା, ସେ ତ ବେଦରଦୀ । ନିଜ ଶୀତଳ କିରଣରେ କଇଁର ହୃଦୟକୁ ଜାଳିଦିଏ ସିନା କେବେ ତା ମନ କଥା ବୁଝେନାହିଁ ।

“ଶୁଭେନ୍ଦୁ, ତୁମ ସହ ମୋର କିଛି ଜରୁରୀ କଥା ଅଛି ।” ଏତେ ଦିନ ପରେ ଗୀତା କ’ଣ କହିବାକୁ ଚାହେଁ? କଥା ନହେବାର କାରଣ କହିବ କି? ଗୀତା କହିଲା, “କଲେଜ ପତ୍ରିକାରେ ବିରହ କବିତା ଲେଖି ତୁମେ ସିନା ପ୍ରଶଂସା ସାଉଁଟୁଛ, ହେଲେ ମୁଁ କେତେ କଥା ଶୁଣୁଛି ଜାଣ? ସମସ୍ତେ ଭାବୁଛନ୍ତି ସେ କବିତା ତମେ ମୋ ପାଇଁ ଲେଖିଛ ।” ଏତିକି କହି ସେ କାନ୍ଦି ପକେଇଲା । ପୁଣି କହିଲା, “ତୁମେ ଜାଣିବାକୁ ଚାହଁ ନା ମୁଁ ତୁମ ସହ କାହିଁକି କଥା ହଉନି?” ତୁମ ସହ କଥା ହଉଥିବାର ଦେବାଶିଷ ସାର୍ ଦେଖିଲା ପରେ ମୋତେ ପାଖକୁ ଡାକି କହିଲେ, “ତୁମେ ମୋ ଝିଅ ଭଳି, ମୋ ମୁଣ୍ଡରେ ହାତ ରଖି କୁହ ତୁମେ ଶୁଭ ସହ କଥା ହବନି । ସେ ଯଦି ପରୀକ୍ଷାରେ ଖରାପ କରେ ମୁଁ ସହିପାରିବିନି । ଏହା ପରେ ମୁଁ ତୁମ ସହ କେମିତି କଥା ହେଇଥାନ୍ତି । ଦୟାକରି ଏସବୁ ବନ୍ଦ କରି ପାଠ ପଢ଼ାରେ ଧ୍ୟାନଦିଅ । “ଶୁଭେନ୍ଦୁ ଆଖିରେ ଲୁହ ଜକେଇ ଆସୁଥିଲା । ସାର ତାକୁ କେତେ ଭଲ ପାଆନ୍ତି । ସେ ସ୍ଥିର କଲା ଗୀତାକୁ ଭୁଲିଯାଇ ପାଠ ପଢ଼ିବ ।

ଶେଷ ବର୍ଷ ପରୀକ୍ଷାର ଫଳାଫଳ ବାହାରିଛି । ଶୁଭ କଲେଜରେ ଟପ୍ପର୍ ହେଇଛି । ଗୀତା ବି ଭଲ ନମ୍ବର ରଖି ପାସ୍ କରିଛି । ହେଲେ ଗୀତା ଅଭିନନ୍ଦନ ଜଣେଇବାକୁ ଯାଇପାରୁନି ଶୁଭ ପାଖକୁ । ହଠାତ କିଏ ଜଣେ ପଛରୁ ଡାକିଲେ ଗୀତା ବୁଲି ଚାହିଁଲା ବେଳକୁ ଶୁଭେନ୍ଦୁ ଆଉ ସାର୍ । “ଶୁଭ ପାଇଁ ତୁମଠାରୁ ଭଲ ଝିଅ ଆଉ କିଏ ହେଇ ନପାରେ । ମୁଁ ତୁମ ଦୁଇଜଣଙ୍କୁ ଆଶୀର୍ବାଦ କରୁଛି ଜୀବନର ସବୁ କ୍ଷେତ୍ରରେ ତୁମେ ସଫଳ ହୁଅ ।” ସାର୍ ଉଭୟଙ୍କୁ ଆଶୀର୍ବାଦ କରୁଥିଲେ । ଗୀତା ଆଉ ଶୁଭେନ୍ଦୁ ପାଦ ଛୁଇଁ ପ୍ରଣାମ କଲେ ।

– ସମିତା ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସମିତା ସାହୁ ପେଶାରେ ଜଣେ ଶିକ୍ଷୟିତ୍ରୀ ଏବଂ ନିଶାରେ କବୟତ୍ରୀ ବା ଗାଳ୍ପିକା ଯିଏକି ଓଡ଼ିଆ ଏବଂ ହିନ୍ଦୀରେ ଭାଷାରେ ବିଭିନ୍ନ ପ୍ରକାରର କବିତା ଏବଂ ଗଳ୍ପ ରଚନା କରିବା ସହ ଛୋଟ ଛୋଟ ଇଂରାଜୀ କୋଟ୍ ମଧ୍ୟ ରଚନା କରିଥାନ୍ତି ।