You are currently viewing ଓଷ ମଉସା
ଓଷ ମଉସା

ଓଷ ମଉସା

ମଦନା ଗାଆଁର ସବୁଠୁ ହୁସିଆର ପିଲା ଥିଲା । ମଦନ ପରି ପିଲା କୋଟିଏରେ ଗୋଟିଏ ॥ ରାତିଦିନ ପାଠପଢ଼ି ପରିଶ୍ରମ କରି ମଦନା ବନିଲା ଡାକ୍ତର ମଦନ ମୋହନ ପାଟ୍ଟଶାଣୀ । ବାପାର ତ ଯେମିତି ପାଦ ମାଟିରେ ଲାଗୁନଥିଲା । ଗର୍ବରେ ଛାତି ଫୁଲେଇ ମୋ ପୁଅ ଡାକ୍ତର ବୋଲି ସମସ୍ତଙ୍କ ଆଗେ କୁହନ୍ତି । ସବୁ ବାପାଙ୍କ ପରି ମଦନ ବାପା ବି ପୁଅ ପାଇଁ ସ୍ଵପ୍ନ ଦେଖିଥିଲେ । ଖୁସି ନ ହୁଅନ୍ତେ ବା କିପରି । ଘର ଆଗର ମାଟି ପିଣ୍ଡା ଉପରେ କାଠ ଆରମ ଚେୟାରଟି ପକେଇ ବସି ବଡ଼ ଶାନ୍ତିରେ ବସି ଯାଆନ୍ତି ସେ । ଡାକ୍ତର ବାବୁଙ୍କ ବାପାର ଗାଆଁରେ ବହୁତ ସମ୍ମାନ । ଆସିବା ଯିବା ଲୋକ ଘଡ଼ିଏ ରହି ବାବୁଙ୍କ ସହ କଥା ହୋଇ ମୁଣ୍ଡିଆ ମାରି ଯାଆନ୍ତି ।

ମଦନ ଡାକ୍ତର ହେଲା ପରେ ବାକ୍ସରେ ଘରକୁ ଔଷଧ ପଠାନ୍ତି, ଜ୍ଵର, ଥଣ୍ଡା, କାଶ ଇତ୍ୟାଦି ସାଧାରଣ ରୋଗ ବୈରାଗ ପାଇଁ । କାଗଜରେ କୋଉ ଔଷଧ କେତେ ପରିମାଣର କେତେବେଳେ ଖାଇବ ସବୁ ଲେଖି ଭଲକି ବାପାଙ୍କୁ ବୁଝାଇ ଦେଇ ଯାଆନ୍ତି । ପୁଅକୁ ନଜଣାଇ ଗାଆଁରେ କୌଣସି ଲୋକଙ୍କୁ ଛୋଟମୋଟ ରୋଗ ହେଲେ ଏଥର ମଦନା ବାପା ଘର ଆଗ ବାରଣ୍ଡାରେ ସେହି ଆରାମ ଚେୟାର ଔଷଧ ବାକ୍ସ ଧରି ବସି ଯାଆନ୍ତି । ଏଥିପାଇଁ ଗାଆଁ ଲୋକେ ତାଙ୍କୁ ଓଷ ମଉସା ବୋଲି ଡାକୁଥିଲେ । ଗାଆଁର ଗରିବ ସାଧାରଣ ଲୋକ ଓଷ ମଉସାଠୁ ବିନା ପଇସାରେ ଔଷଧ ପାଇ ଖୁସି ହେଉଥିଲ । ଏକପ୍ରକାର ଖଣ୍ଡି ବଇଦ କହିଲେ ଚଳେ । ସ୍ତ୍ରୀ ବାରଣ କଲେ କୁହନ୍ତି ମୁଁ କ’ଣ ମୁର୍ଖ ହୋଇଛି? ମୋ ପୁଅ ଡାକ୍ତର ହୋଇ କି ଲାଭ? ମୋ ଗାଆଁ ଲୋକ ତା’ର ଔଷଧ ଖାଇ ଠିକ୍ ହେଲେ ସିନା ମୋ ପୁଅକୁ ଡାକ୍ତର ହେବା ସଫଳ ହେବ । ଔଷଧ ଖାଇ କାହାକୁ କିଛି ହୋଇଯିବ ଯଦି ବୋଲି କେତେ ବୁଝାଇଲେ ସେ ବୁଝିବାକୁ ନାରାଜ ।

ପ୍ରତି ଦିନ ଔଷଧ କାଚର ଦିନ ବାର ପରୀକ୍ଷା କରିବା, ନୂଆଁ କାଚ ଆସିଲେ ତା ଉପରେ ନାଁ ତଥା ପରିମାଣ ଓ ସମୟ ଲେଖିବା, ତା’ ଛଡ଼ା ପୁରୁଣା ଔଷଧ କାଚରେ ଯାହାର ଦିନ ଆଉ ଅଳ୍ପ ଥିବ ତାକୁ ସଫାକରି ପୁରୁଣା ଘର ହାତ ଭାଡ଼ି ଉପରେ ଏକାଠି କରି ରଖିବା ଏୟା ହେଉଛି ଓଷ ମଉସାଙ୍କ ନୀତି ଦିନିଆ କାମ ।

ସଫା କରିବା ମାନେ ହେଉଛି ତାକୁ ଧୋଇ ନୁହେଁ ଖାଇ ସଫା କରିଦେବା । ହଁ ଓଷ ମଉସାଙ୍କୁ ଔଷଧ ଖାଇବା ଭାରି ପସନ୍ଦ । ଘରେ ଲୁଚାଇ ବଳିଥିବା ଔଷଧ ତକ ଆଁ କରି ଘଟଘଟ ପିଇ ଯାଆନ୍ତି ସେ, କେତେ କଡ଼ା କେତେ ପିତା ଔଷଧ ହେଉ ମହୁ ପରି ଖାଇଯାଆନ୍ତି ତାକୁ । ମନେ ମନେ କହି ହୁଅନ୍ତି ମୋ ପୁଅର ପରିଶ୍ରମର ଫଳ ଏମିତି କେମିତି ଫିଙ୍ଗିଦେବି !

ଦିନେ ମାଉସୀ ସନ୍ଧ୍ୟାରେ ବାଡ଼ିଆଡ଼େ ଯାଇଥିଲେ । ଗାଆଁରେ ଖରା ଦିନେ ଅନାବରତ ବିଜୁଳି କାଟେ । ସେତିକିବେଳେ ବିଜୁଳି ଚାଲିଗଲା । ମଉସା ଘରଟା ଯାକ ଅଣ୍ଡାଳି ବାରି ଘର ବିରୁଆରେ ତାକୁ ଲଣ୍ଠନଟା ମିଳିଲା । ଲଣ୍ଠନ ଆଲୁଅରେ ହଠାତ୍ ମଉସା ନଜର ପଡ଼ିଲା ରୋଷେଇ ଘର କାନ୍ଥ ଉପରେ ଦୁଇଟି ଔଷଧ କାଚ । ଗୋଟିକ ଅଧା ଆଉ ଗୋଟିକ ପୁରା ଭର୍ତ୍ତି ଅଛି । ମନରେ କ’ଣ ବିଚାରିଲେ କେଜାଣି ଘଟଘଟ କରି ସେତକ ପିଈ ପକେଇଲା । ଦେହ ସାରା ଯେମିତି କ’ଣ କଣ ହୋଇଗଲା । କାନ ମୁଣ୍ଡ ଝାଇଁ ଝାଇଁ କଲା ଆଉ କଇଁଆ ଖାଇଲା ପରି ମୁହଁ କରି ଯାଇ ଦୁଆର ମୁହେଁ ବସିଗଲେ ମଉସା ।

ରାତିରେ ଆଉ ବିଜୁଳି ଆସିଲାନି । ମାଉସୀ ଆସି କେତେ ଡାକିଗଲେ ଖାଇବାକୁ ହେଲେ ଓଷ ମଉସା ସେ ଦୁଆର ମୁହଁରେ ସେମତି ପଡ଼ି ରହିଲା । ସକାଳ ହେଉହେଉ ମଉସା ଦିମୁହଁ ହେଇଗଲାଣି । ମାଉସୀ କେତେଥର କହିଲେ ବି ମଉସା ନିଜ ଓଷ ବାକ୍ସ ର ଔଷଧ ଖାଇବାକୁ ନାରାଜ । କିଛି ସମୟ ପରେ ସ୍ଥାନୀୟ କମ୍ପାଉଣ୍ଡର ଆସିଲେ । ଝାଡ଼ାବାନ୍ତି ପାଇଁ ଔଷଧ ଦେଇ ଗଲେ । ତେବେ ଯାଇ ମଉସା ପେଟକୁ କିଛି ଗଲା । ଏତେ ବର୍ଷରେ ଏମିତି କେବେ ହେଇନି କି ମଉସା ତାଙ୍କ ନିଜ ଓଷ ନଖାଇ ଆଉ କୋଉଠୁ ଖାଇଛନ୍ତି । ଶେଜ ପାଖରେ ମଉସାର ଗୋଡ଼ ମୋଡ଼ୁ ମୋଡ଼ୁ ନାକ ସୁଡ଼ୁସୁଡ଼ୁ କରି ମାଉସୀ କହିଲା ହେଇଟି ତମର ଶନି ଦଶା ସବୁ ଶନିବାର ଓସ୍ତଗଛ ତଳେ ଖାଣ୍ଟି ଜଡ଼ାରେ ଦିପ ଜଳୁଥିଲି । ଏସବୁ ସେଇଥି ପାଇଁ ହେଲା ଗୋ ଆଜି କି ବୋଲି ଦୀପଟେ ବି ଜାଳି ପାରିଲିନି । ରାତିରେ ବାରିପୋଡ଼ା ବିଲେଇ କାନ୍ଥରେ ଚଢ଼ି ମୋର ସବୁ ତେଲ ଢାଳି ଦେଇଚି । ଆଉ ଟୋପେ ହେଲେ ତେଲ ନାହିଁ ସେଥିରେ । ଜାଉଛି ଆଗ ୨ ଟଙ୍କାର ତେଲ ଆଣିକି ଦୀପଟେ ଜାଳେ । ମାଉସୀର ଏତକ କଥା ଶୁଣି ମଉସାର କାନ ଦିଇଟା ଠିଆ ହୋଇଗଲା ॥ ପଚାରିଲେ କୋଉଠି ରଖିଥିଲୁ ଲୋ ତୋ’ ଜଡ଼ା ତେଲ । ମାଉସୀ କହିଲେ ସେଇ ରନ୍ଧା ଘର କାନ୍ଥ ଉପରେ । ସେ ବାରିପଡ଼ା ବିଲେଇର ଗୋଡ଼କୁ ଗୋଡ଼କୁ ଟାଙ୍ଗି ଦେବି ଏତକ କହୁକହୁ ମଉସା କହିଲେ ଆଲୋ ଥାଉ ଥାଉ ଲୋ ମଦନା ମାଆ ସେ ବାରିପଡ଼ାଟା ବିଲେଇ ନାହିଁ ଲୋ ମୁଁ । କାଲି ରାତିରେ ସେହି କାଚ ଦିଇଟା ଥିବାର ଦେଖି ମୁଁ ହିଁ ତାକୁ ପିଇଦେଇଛି ।

ମାଉସୀ ବାଲୁବାଲୁ କରି ଅନେଇ ରହିଲା ମଉସାକୁ । କିଛି ସମୟ ପରେ ମୁଣ୍ଡରେ ହାତ ବାଡ଼େଇ ସେଠୁ ଉଠି ଯାଉ ଯାଉ ଗୁଣୁ ଗୁଣୁ ହେଇ କହୁଥିଲେ, “ଏ ଅଳପ ବିଦ୍ୟା ବଡ଼ ଭୟଙ୍କରୀ ଲୋ ଝିଅ । ଆର ବିରୁଆରେ କିରୋସିନ ଡିବି ରଖିଥିଲି ଏ ବୁଢା ପିଇଥିଲେ ମରିଯାଇଥାନ୍ତା ଆଜି, ମୁଁ କିସ କରିବିରେ ଦଇବ ।” ମଉସା କାନରେ ସବୁ ଶୁଭୁଥିଲା । ହେଲେ ଖୁନ୍ଦା ଖାଇଥିବା ବିଲେଇ ପରି ଧିରି ପଡ଼ି ରହିଥିଲେ ଯାହା ।

– ପରମିତା ମିଶ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପରମିତା ମିଶ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।