You are currently viewing ପୁରୁଷ
Odia Poem Purusha (ପୁରୁଷ) by Chinmaya Kumar Sahoo

ପୁରୁଷ

“ପୁରୁଷ”
ଏ ଶବ୍ଦର ସଂଜ୍ଞା ଖୋଜିବାକୁ ବୋଧେ
ଅନେକେ ଅନେକ ଚେଷ୍ଟା କରିଥିବେ
କାହା ପାଇଁ ସମାଜରେ
ନାରୀର ଅନୁରୂପ ଓ ପରିପୂରକ ଏକ ସୃଷ୍ଟି,
ସନ୍ତାନର ମେରୁଦଣ୍ଡ, ଭଉଣୀର ଆତ୍ମବିଶ୍ୱାସ,
ତ ପରିଣତ ବୟସରେ ପିତାମାତାଙ୍କ ମଉଳା ଆଖିର ଝାପ୍ସା ଏକ ଦୃଷ୍ଟି ।

ଏମିତି ଏକ ଶବ୍ଦ
ସମ୍ପୂର୍ଣ୍ଣ ରଚନାଟେ ହେଇ ବର୍ଣ୍ଣିତ ବି ହେଇପାରେ
କିନ୍ତୁ ବିନା ଉଦ୍ଧୃତାଂଶରେ, ଶବ୍ଦହୀନ, ଅର୍ଥହୀନ ଆଉ ଭାବହୀନ
ଯିଏ ପାଣି ପରି ଜୀବନ ତ ବଞ୍ଚେଇ ପାରେ
କିନ୍ତୁ ସାରା ଜୀବନ ବର୍ଣ୍ଣହୀନ, ବାସ୍ନାହୀନ ଆଉ ସ୍ୱାଦହୀନ
ନିଜ କର୍ମରେ ତେଜିୟାନ, ନିଜ ତ୍ୟାଗରେ ବଳିୟାନ
ଆଉ ନିଜ ଧୈର୍ଯ୍ୟରେ ମହିୟାନ ।

ଏମିତି ଏକ ଭାବ
ଯାହାକୁ ପ୍ରକାଶ କରିବା ମନା
ନିଜକୁ ଦୁର୍ବଳ କରିବା ମନା, ଛାତି ଫଟେଇ କାନ୍ଦିବା ବି ମନା
ଆଖିର ଲୁହକୁ ଆଖିପତାର ଏରୁଣ୍ଡି ଡେଇଁବା ମନା
ମନର କୋହକୁ ଛାତିର ଅଭେଦ୍ୟ ପ୍ରାଚୀର ଡେଇଁବା ମନା
ଛେପ ଢୋକି ପଛେ ସ୍ମିତହାସ୍ୟ କରୁ
କିନ୍ତୁ ଅନ୍ତରର ଡରକୁ ଓଠର ଶିକୁଳି ଖୋଲିବା ମନା ।

ଏମିତି ଏକ ସ୍ୱର
ଯାହାର ସ୍ୱତନ୍ତ୍ରତା ହେଉଛି ତା’ ନୀରବତା
ଶହେ ରାଗର ରାଗିଣୀରେ ଅଳଙ୍କୃତା ଭିନ୍ନ ଏକ କବିତା
କଠୋର ସାଧନାର ଉପଲବ୍ଧି – ପୁରୁଷାର୍ଥର ସଂହିତା
ଯାହାକୁ ଶୁଣିବା ପାଇଁ ଦରଦୀ ହୃଦୟଟେ ଲୋଡ଼ା
କୋଳାହଳରୁ ବହୁ ଉର୍ଦ୍ଧ୍ୱରେ ଏକାନ୍ତରେ
ଆଖି ସହ ଆଖି ମିଶେଇ ପଢ଼ି ପାରୁଥିବ ତା’ ହୃତସ୍ପନ୍ଦନର ଗୀତା ।

ଏମିତି ଏକ ଅନୁଭୂତି
ଯେଉଁ ତ୍ୟାଗରେ ଥାଏ ଅନନ୍ୟ ଆତ୍ମସନ୍ତୁଷ୍ଟି
ଯେଉଁ କର୍ମରେ ଥାଏ ଅନନ୍ୟ ଆତ୍ମସିଦ୍ଧି ଆଉ
ଯେଉଁ ଧୈର୍ଯ୍ୟରେ ଥାଏ ଅସୀମ ଆତ୍ମବିଶ୍ୱାସ
ନାରୀର ନାରୀତ୍ୱକୁ ଅଖଣ୍ଡ ରଖିବାରେ,
ସନ୍ତାନର ସ୍ୱପ୍ନକୁ ବାସ୍ତବତାରେ ପରିଣତ କରିବାରେ
ଆଉ ସମାଜର ସ୍ୱାଭିମାନକୁ ଏକ ଶକ୍ତ କାନ୍ଧର ସାହାରା ଦେବାରେ ।

ଯୁଗ ଯୁଗ ଧରି ଆମ ସମାଜ ପୁରୁଷକୁ ଅପେକ୍ଷାକୃତ ଶକ୍ତ ବୋଲି ପ୍ରତୀୟମାନ କରି ଆସିଛି । ଶାରୀରିକ ସ୍ତରରେ ହୁଏତ କଥାଟି ଠିକ ହେଇପାରେ କିନ୍ତୁ ମାନସିକ ସ୍ତରରେ ଏ କଥାର କୌଣସି ଯଥାର୍ଥତା ନାହିଁ । ନିଜକୁ ଶକ୍ତ କରିବାରେ ଆଉ ଶକ୍ତ ବୋଲି ଉପସ୍ଥାପନ କରିବାର ଦୋଛକିରେ ବେଳେ ବେଳେ ଅନେକ ଦିଗହରା ହବାର ଦୃଷ୍ଟାନ୍ତ ମିଳେ ।

ଏମିତି ଏକ ଉପସ୍ଥାପନା
ଯାହା ଦୁର୍ବଳ ବୋଲି ନିନ୍ଦିତ ହବାର ଡରରେ
ମିଥ୍ୟାର କଠିନ ପରସ୍ତ ତଳେ ଏକ କୋମଳ ସତ୍ୟକୁ ଲୁଚାଇ ରଖେ
ନଦୀର କୁଳୁ କୁଳୁ ସ୍ରୋତ – ଯାହା ପଥର ଖଣ୍ଡକୁ
ବାଲି ଗରଡ଼ାରେ ପରିଣତ କରିବାର ସାମର୍ଥ୍ୟ ରଖେ
ତେବେ ଏ ନିନ୍ଦା କିମ୍ବା ଡର କ’ଣ ପାଇଁ?
ମଣିଷ ହେଇ ମଣିଷ ପ୍ରବୃତ୍ତିକୁ ପରିପ୍ରକାଶ କରିବାକୁ
ସମାଜର ଏ ପ୍ରତିବନ୍ଧକ କ’ଣ ପାଇଁ?
ଏବେ ସମୟ ଆସିଛି ଏ ପରିଚୟକୁ ଟିକେ ଭିନ୍ନ ଦୃଷ୍ଟିରେ ଗଢ଼ିବାର ।

ଏମିତି ଏକ ପରିଚୟ
ଯେଉଁଠି ତୁଳନା କମ୍, ଆଉ ସ୍ୱୀକୃତି ଅଧିକ ହେଉ
ପୁରୁଷର ସମକକ୍ଷ ନାରୀଟେ ନୁହଁ, ମଣିଷର ସମକକ୍ଷ ମଣିଷଟେ ହଉ
ମଣିଷର ପରିପୂରକ ମଣିଷଟେ ହଉ
ମଣିଷ ପରି ମଣିଷଟେ ହସୁ, କାନ୍ଦୁ ଆଉ ଆତ୍ମପ୍ରକାଶ କରୁ
ସର୍ବଶେଷରେ ସମାଜର ମାପଦଣ୍ଡ ପୁରୁଷ କି ନାରୀ ନୁହଁ
ମଣିଷଟେ ହଉ ।

– ଚିନ୍ମୟ କୁମାର ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଚିନ୍ମୟ କୁମାର ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଅନେକ ଗୁଡ଼ିଏ ଗପ, କବିତା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଛି ।