You are currently viewing ଭାଷାର ରକ୍ଷକ
ଭାଷାର ରକ୍ଷକ

ଭାଷାର ରକ୍ଷକ

କୁଶଳୀ ରାକ୍ଷସ ଆଉ ଅଭିଜ୍ଞ ଘାତକ
ସ୍ୱୈରିଣୀ ଯୋଗିନୀ ସହ ସୁଜ୍ଞାନୀ ସ୍ତାବକ
ସ୍ୱାର୍ଥାଂଧ ନେତୃସକଳ, ଶୁଆ ପରି ବକ୍ତା
ହୋଇଛଂତି ସ୍ୱଭାଷାରେ ବୃକ୍ଷ ପରି ମୂକ

ବଢ଼ୁଅଛି ଏମାନଂକ ସଂଖ୍ୟା
ଦେଇଥିଲା କିଏ ଶିକ୍ଷା
ହୋଇଥିଲା କିପରି ପରୀକ୍ଷା?
ସମୟ ହେଲାଣି ଏବେ
କରିବାକୁ ବ୍ୟବସ୍ଥା ସମୀକ୍ଷା

ମୂଲ୍ୟବୋଧହୀନ ବହୁ
ପଦଗର୍ବୀ ବଶଂବଦ ଲୋକ
ହୋଇଛଂତି ସ୍ୱଭୂମିରେ
ପ୍ରଶାସକ, ସଂପାଦକ, ଗୁରୁ ଓ ଶିକ୍ଷକ

ଅପଠିତ ହୋଇ ରହେ ଅସଂଖ୍ୟ ପୁସ୍ତକ
ପାଠକ ସଂଖ୍ୟାରୁ ବେଶି ଅଛଂତି ଲେଖକ

ଚର୍ବିତଚର୍ବଣକାରୀ ବହୁ ଗବେଷକ
ପୁନର୍ଲିଖନ ପ୍ରବୀଣ କବି, ଦାର୍ଶନିକ

ତୁଚ୍ଛ ସୂଚନା ପୂରିତ ଅଧିକାଂଶ ମନ
ନୂତନ ଜ୍ଞାନ ନିମଂତେ ନାହିଁ କାହିଁ ସ୍ଥାନ

କିଏ ହେବ ସ୍ୱଭାଷାର ସତର୍କ ରକ୍ଷକ?
କିଏ ହେବ ସଂସ୍କୃତିର ବିଶ୍ୱାସୀ ବାହକ?

କିଏ ହେବ ସ୍ୱଭୂମିର ଗରିମା ସ୍ଥାପକ?
ଉତ୍ତର ନିମଂତେ କିଏ ମଂଥିବ ମସ୍ତିଷ୍କ?

ପ୍ରଫୁଲ୍ଲ କୁମାର ତ୍ରିପାଠୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପ୍ରଫୁଲ୍ଲ କୁମାର ତ୍ରିପାଠୀ, ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଜଣେ ଓଡ଼ିଆ ସାହିତ୍ୟିକ ଓ ଭାଷାବିତ୍ । ସମାଜରେ ଦେଖାଯାଉଥିବା ବିଭିନ୍ନ ପ୍ରକାରର ଦୁର୍ନୀତି, ଅନିୟମିତତା ଏବଂ ମାନବବାଦ ବିଷୟ ଉପରେ ତାଙ୍କ ରଚନା ଆଧାରିତ । ସେ ଓଡ଼ିଆ ଭାଷା ସାହିତ୍ୟର ତର୍ଜମା ଓ ଲିପିର ବିକାଶ ବିଷୟରେ ମଧ୍ୟ ଅନେକ ପୁସ୍ତକ ରଚନା କରିଛନ୍ତି ।