You are currently viewing ତିକ୍ତତା
ତିକ୍ତତା

ତିକ୍ତତା

ପ୍ରତିଦିନ ଜୀବନର ଲକ୍ଷ୍ୟ ଖୋଜେ ପୁଣି ହୁଏ ଲକ୍ଷ୍ୟହୀନ, ଦିଶାହୀନ ଆଉ ଦିଗହରା । ଚିର ପରିଚିତ ରାସ୍ତାରେ ଅପରିଚିତ । ନିର୍ଦିଷ୍ଟ ପଥରେ ନିରୁଦିଷ୍ଟ ହେଇ ପୁନର୍ବାର ତିକ୍ତ । ଆଜି ହୁଏ ଇଚ୍ଛା ଚାଲିଯାଆନ୍ତି ଅନେକ ଦୂର ଅମଡ଼ା ବାଟେ ଯହିଁ ନଥିବ ସଭ୍ୟ ସମାଜର ଅସଭ୍ୟ କଳରବ । ଅଜଣା ମହକରେ ସବୁ ଭୁଲିଯିବି କେନ୍ଦ୍ରବିନ୍ଦୁ ଏକ ଦୁର୍ବାର ଆକର୍ଷଣର ।

ବେଳେବେଳେ ଏମିତି ବି ହୁଏ କି ଯାହାକୁ ମନ ଭାବେ ପ୍ରତାରଣା ହୁଏତ ସେ ଥାଏ ମନର ଭ୍ରାନ୍ତ ଧାରଣା । ମନ ଯେବେ କରେ ଅନେକ କଳ୍ପନା ଜଳ୍ପନା କିନ୍ତୁ ନୀରବତା ଦେଇଯାଏ କେବଳ ଆଶ୍ୱାସନା । ମନ ଯାହା ପାଇଁ ହୁଏ ଭାବ ପ୍ରବଣ ହୁଏତ ତାହା ହେଇପାରେ କେବଳ ଆକର୍ଷଣ ।

ଯେତେବେଳେ ବଢ଼ିଥାଏ ପରସ୍ପର ମଧ୍ୟରେ ଦୂରତା ସେତେବେଳେ ଉପଲବ୍ଧି ହୁଏ ସମ୍ପର୍କର ପୂର୍ଣ୍ଣତା । ଯେତେବେଳେ ସମ୍ପର୍କରେ ବଢ଼େ ଅନେକ ତିକ୍ତତା ସମୟ ଆଢ଼ୁଆଳରେ ରହିଯାଏ କିଛିଟା ସତ୍ୟତା । ଯେତେବେଳେ ନେବାକୁ ହୁଏ ଅନେକ ଦାୟିତ୍ୱ ସେତେବେଳେ ବୁଝାପଡ଼େ ଜୀବନର ପ୍ରକୃତ ମହତ୍ତ୍ୱ ।

ଏଠି, ଫଗୁଣର ମିଠା ରଙ୍ଗ ଅଛି ଭରା ଶ୍ରାବଣର ମେଘ ବି ଅଛି ପୁଣି ଅଛି ଏଠି ନିଦାଘର ତାତି ବିରହ ବେଦନା-ପ୍ରଣୟ ଆକୁତି କିଛି ଆତ୍ମୀୟତା ଏବଂ କିଛି ତିକ୍ତତା । ସନ୍ଦେହ ତିକ୍ତତା ସୃଷ୍ଟି କରେ । ଅବିଶ୍ୱାସ ସମ୍ପର୍କକୁ ଭାଙ୍ଗିଦିଏ ଏହି ଦୁଇଟା ଗୁଣ ମଣିଷର ବଡ଼ ଶତ୍ରୁ ଅଟନ୍ତି ।

ଆମେ କହିବା ଓ କରିବା ଆଗରୁ ଥରେ ଚିନ୍ତାକଲେ ବହୁ କ୍ଷତି, ତିକ୍ତତା, ଅସୁବିଧା, ହିଂସା, ଅବସାଦ ଓ ଅଶାନ୍ତିକୁ ରୋକା ଯାଇପାରିବ ।

ସଂପର୍କରେ ତିକ୍ତତା ଦୂରରେ ରହିଲେ ଆସି ନଥାଏ ବରଂ ସମୟ ଦେଇନପାରିଲେ ଆସିଥାଏ । ମସ୍ତିଷ୍କ ଆଉ ହୃଦୟ ମଧ୍ୟର ତିକ୍ତତା ଚାହିଁଲେ ବି ବୁଝି ହୁଏନା । ଜଣେ ନିଜ ପାଇଁ ହାରିବାକୁ ଚାହିଁଲା ବେଳେ ଆଉ ଜଣେ ତାକୁ ହାରିବାକୁ ଦିଏନା ।

ଅନେକ ସ୍ଥାନରେ ଦେଖାଯାଏ ଯେ କେତେଜଣ ତଥ୍ୟ ଭିତ୍ତିକ ତର୍କକୁ ଉପେକ୍ଷା କରି ସଂଯମହୀନ ଆଚରଣ ଓ ଅଶାଳୀନ ଭାଷା ପ୍ରୟୋଗ କରନ୍ତି, ଫଳତଃ ତିକ୍ତତା ସୃଷ୍ଟି ହୁଏ । ବନ୍ଧୁତ୍ୱ କହିଲେ ଏକ ନିଆରା ସମ୍ପର୍କକୁ ବୁଝାଏ । ଯେଉଁ ସମ୍ପର୍କରେ ନା ଥାଏ ପ୍ରତାରଣା ନା ଥାଏ ତିକ୍ତତା ମନୋଭାବ । ବିଶ୍ଵାସର ଦ୍ୱାହିଦେଇ ଗଢ଼ିଉଠିଥାଏ ଏହି ସମ୍ପର୍କ । ମନରେ ଅଧିକ ପ୍ରେମ, ଭରସା ମଜବୁତ କରିଦେଇଥାଏ ବନ୍ଧୁତ୍ୱର ମୂଳଦୁଆକୁ । ଗୋଟିଏ ସୁନ୍ଦର ବନ୍ଧୁ ହେଉଛି ଇଶ୍ଵରଙ୍କ ଅନ୍ୟରୂପ । ବନ୍ଧୁ ବିନା ଜୀବନ ଅସମ୍ପୂର୍ଣ୍ଣ ।

ପ୍ରଦୀପ କୁମାର ଦାଶ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପ୍ରଦୀପ କୁମାର ଦାଶ ଓଡ଼ିଆ ଭାଷାରେ ବିଭିନ୍ନ ଗପ/କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚନାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଛି ।