You are currently viewing ବାକି ଥିଲା ମହିଷା ବଦ୍ଧ
ବାକି ଥିଲା ମହିଷା ବଦ୍ଧ

ବାକି ଥିଲା ମହିଷା ବଦ୍ଧ

ନନ୍ଦିନୀ ଭାରି ଖୁସି, ତା’ ଖୁସିର କ’ଣ ଆଉ ସୀମା ଅଛି ! ପାଦ ତ ଆଉ ତା’ର ମାଟିରେ ଲାଗୁନି, କାରଣ ସେ ଜିଦ୍ କରି ବସିବାରୁ ମମି, ପାପା ଏଥର ଦଶହରା ଦଶଦିନ ଛୁଟିରେ ସବୁ କାମ ପଛରେ ପକାଇ ଗାଆଁକୁ ଯିବା ପାଇଁ ରାଜି ହୋଇଗଲେ । ରାଜି ବା ହେବେନି କେମିତି ତାଙ୍କର ଏଇ ନନ୍ଦିନୀଟା ଏକୋଇରବଳା ବିସିକେଶନ । ଦୁନିଆଯାକର ଗେଲବସର, ଭାରି ଜିଦ୍‌ଖୋର । ଏଇ ନନ୍ଦିନୀଟା ବି ତେଣେ ଅଜା ଆଈଙ୍କର ଅନ୍ଧର ଲଉଡ଼ି । ନନ୍ଦିନୀ ବି ପନ୍ଦର ଥର ଫୋନ୍ କରି ଆଈକୁ କହିସାରିଲାଣି ମୁଁ ଗାଁ’କୁ ଆସୁଛି ମୋ ପାଇଁ ପିଠା ତିଆରି କରିଥିବୁ ପଣା କରିଥିବୁ ଏମିତି କେତେ କ’ଣ । ଶେଷରେ ସେମାନେ ଗାଡ଼ିରେ ବସିଲେ ଆଉ ବାହାରିଲେ ଗାଁ ଅଭିମୁଖେ ।

ଏପଟେ ନନ୍ଦିନୀ ବାଟସାରା ସେ ଗାଁକୁ ଯିବ, ଜେଜେଙ୍କ ସହ ଗାଁ’ଟାସାରା ବୁଲିବ, ଆଈଠୁ ନିତି ଗପ ଶୁଣିବ ଆଉ ଗାଁ ପିଲାଙ୍କ ସହ ଖେଳିବ, ଏମିତି କେତେ କ’ଣ ଭାବି ଅସମ୍ଭାଳ ହୋଇପଡ଼ିଲାଣି । ଶେଷରେ ପହଞ୍ଚିଗଲେ ଗାଁଁରେ; ନନ୍ଦିନୀ କ’ଣ ଆଉ ଅପେକ୍ଷା କରେ, ସିଧା ଯାଇ ଜେଜେଙ୍କ ପାଖରେ, କେତେ ସେ ଆଣିକି ଆସିଛି ମମି, ପାପାଙ୍କ ନାମରେ ଅଭିଯୋଗ ସବୁ ବଖାଣିବ ଜେଜେଙ୍କ ଆଗରେ ଆଉ ଗାଳି ଶୁଣାଇବ ତାଙ୍କୁ । ଏମିତି କେତେ ଖୁସି ମଜା କଲା କେତେ ଖେଳିଲା ସେ ଏଇ ଛୁଟି ଦିନରେ ।

ଶେଷରେ ସେହି ଅପେକ୍ଷାର ଦିନ, ଦଶହରା । ଏହି ଦିନରେ ବି ତ ନନ୍ଦିନୀର ଜନ୍ମଦିନ । ଦଶହରା ଦିନ ତା’ର ଜନ୍ମ ବୋଲି ଜେଜେ ଅତି ଶ୍ରଦ୍ଧାରେ ମାଆ ଦୁର୍ଗା ବା ମାଆ ପାର୍ବତୀଙ୍କର ଅନ୍ୟତମ ନାମ ରଖିଥିଲେ ଗିରିଜା ନନ୍ଦିନୀ । ସବୁବେଳେ ଜେଜେ କୁହନ୍ତି ନନ୍ଦିନୀକୁ ମା’ ଦୁର୍ଗାଙ୍କ କାହାଣୀ । ତା’ର ମଧ୍ୟ ମା’ ଦୁର୍ଗା ହିଁ ଆରାଧ୍ୟ ଦେବୀ । ସେଦିନ ତା’ର ଜନ୍ମଦିନ ଆଉ ପୂଜା ଅବସରରେ ମା’ ଆଉ ଜେଜେମା ମିଶି ପିଠା, ମିଠା କେତେ କ’ଣ ତିଆରି କଲେ ଆଉ ନନ୍ଦିନୀ ବି ବହୁତ ଖୁସିରେ ଖାଇ ପିଇ ମମି, ପାପା, ଜେଜେ, ଜେଜେମା ଆଉ ପଡ଼ୋଶୀ ପାଖ ଜଣେ ଦାଦାଙ୍କ ସହ ପୂଜା ବୁଲି ଗଲା ।

ତାଙ୍କ ଘରପାଖର ସେ ପଡ଼ୋଶୀ ଦାଦା, ନାମ ତାଙ୍କର ବିକ୍ରମ । ନନ୍ଦିନୀ ତାଙ୍କୁ ଅତି ଶ୍ରଦ୍ଧାରେ ବିକୁ ଦାଦା ବୋଲି ଡାକେ, ସେ ବି ନନ୍ଦିନୀକୁ ବହୁତ ଭଲ ପାଆନ୍ତି । ସବୁଥର ସେ ଗାଁକୁ ଆସିଲେ ତାକୁ ଚକ୍‌ଲେଟ୍, ମିଠେଇ ଏମିତି କେତେ କ’ଣ ଦିଅନ୍ତି ଆଉ ଗାଁଟା ସାରା ବୁଲାନ୍ତି । ସେଦିନ ପୂଜା ଦେଖିଗଲାବେଳେ ନନ୍ଦିନୀ ବିକୁ ଦାଦାଙ୍କ କାନ୍ଧରେ ବସି ପୁରା ପୂଜା ମଣ୍ଡପଟା ବୁଲିଲା । କିନ୍ତୁ ନନ୍ଦିନୀ ଦେଖିଲା ଏ କ’ଣ ଦାଦା ତ ତାକୁ ଘର ଆଡ଼େ ନେଉ ନାହାନ୍ତି, ନେଉଛନ୍ତି ପୂଜା ମଣ୍ଡପର ପଛପାଖ ସେ ଅନ୍ଧାରିଆ ଜାଗାକୁ କିଛି ନ ବୁଝି ସେ ପଚାରିଲା, “ଦାଦା ସମସ୍ତେ ତ ଘରକୁ ଗଲେଣି ଆମେ କୁଆଡ଼େ ଯାଉଛେ?” ସେ ତାକୁ ଭୁଲେଇ କହିଲେ, “ଆମେ ଏପଟେ ବେଲୁନ୍ ପାଇଁ ଯାଉଛେ ଏପଟେ ଭଲ ବେଲୁନ୍ ମିଳେ ତୁମକୁ ଦରକାର ନା?” ନନ୍ଦିନୀ ଖୁସିରେ ହୁଁ ଭରିଲା ।

ସେହି ଅନ୍ଧାର ଭିତରେ ଦାଦା ନନ୍ଦିନୀକୁ ବେଲୁନ୍ ଆଉ ଚକ୍‌ଲେଟ୍ ଦେଲେ ଆଉ କେତେ ଗେହ୍ଲା କରିବାକୁ ଲାଗିଲେ । କିନ୍ତୁ ଏ କ’ଣ ଆଜି ନନ୍ଦିନୀକୁ ଦାଦାଙ୍କ ଗେହ୍ଲାଟା ଭଲ ଲାଗୁନି କ’ଣ ପାଇଁ? ସେ କିଛି ବୁଝିବା ପୂର୍ବରୁ ସେ ନର ରାକ୍ଷସଟା ତା’ର ସର୍ବନାଶକରି ତା’ର ତଣ୍ଟିଚିପି ଫେରାର୍ ହେଇଗଲା । ସେପଟେ ତା’ର ମମି ପାପା ବହୁତ ଖୋଜାଖୋଜି କରି କାହାର ଟେର୍ ନପାଇ ବହୁତ କନ୍ଦାକଟା କରି ଅପେକ୍ଷା କଲେ ସଖାଳକୁ । ସଖାଳୁ ପାପା ଆଉ ଜେଜେ ଯାଇ ପୋଲିସ୍ ଷ୍ଟେସନ୍‌ରେ ରିପୋଟ୍ କଲେ । ପୋଲିସ୍ ବହୁତ ଖୋଜାଖୋଜି ପରେ ନନ୍ଦିନୀର ଶରୀର ରକ୍ତ ଜୁଡ଼ୁବୁଡ଼ୁ ଅବସ୍ତାରେ ପୂଜା ମଣ୍ଡପ ପଛରୁ ପାଇଲେ । ତାଙ୍କ ପରିବାରଟା ସେଦିନ କାନ୍ଦିକାନ୍ଦି ଧୂଳିରେ ଲୋଟିଯାଉଥିଲେ ଆଉ ସେତେବେଳେ ମାଆ ଜଗତ ଜନନୀ ମହିଷା ମର୍ଦ୍ଦିନୀ ମାଆ ଦୁର୍ଗା ନେଉଥିଲେ ଏ ଧରାପୃଷ୍ଠରୁ ବିଦାୟ କିନ୍ତୁ ବାକି ରହିଯାଇଥିଲା ଏମିତି ଭଦ୍ର ମୁଖା ତଳର ଅନେକ ରାବଣପୋଡ଼ି ଆଉ ବାକି ଥିଲା ଶହ ଶହ ମହିଷାମାନଙ୍କ ବଦ୍ଧ ।

ମୋନାଲିସା ଜେନା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ମୋନାଲିସା ଜେନା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ/କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚନାଗୁଡ଼ିକ ବିଭିନ୍ନ ପତ୍ରପତ୍ରି ଆଦିରେ ସ୍ଥାନ ପାଇଛି ।