You are currently viewing ତୁମେ
Odia Poem Tume (ତୁମେ) by Basanta Kumar Pradhan

ତୁମେ

ତୁମେ ତ ମୋହର ପ୍ରେମ ପୁଣ୍ୟତୋୟା
ମୁଁ ତହିଁରେ ଅବଗାହି
ତୁମେ ତ ମୋହର ପୁଣ୍ୟ ତୀର୍ଥଟିଏ
ଦିଏ ମୁଁ ପାପ ଛଡ଼ାଇ ।

ତୁମେ ତ ମୋହର ଜୀବନ ସଙ୍ଗୀତ
ମୁଁ ଅଟେ ତା’ର ମୂର୍ଚ୍ଛନା,
ତୁମେ ତ ମୋହର ଅଟ ଆରାଧନା
ମୁଁ ଅଟେ ତୁମ ସାଧନା ।

ତୁମେ କଳ୍ପନାର ମୋ ନୀଳ ନାୟନା
ମୁଁ ତୁମ ରାଜକୁମାର,
ପାହାନ୍ତି ନିଦରେ ଆସିପାର ତୁମେ
ଶୁଣେ ମୁଁ ପାଦ ନୂପୁର ।

ମନର ମୟୂରୀ ତୁମେ ଅଟ ମୋର
ଅଟେ ମୁଁ ମେଘ ମହ୍ଲାର,
ତୁମେ ଊର୍ଜ୍ଜସ୍ବଳ ଇନ୍ଦ୍ରଧନୁଟିଏ
ମୁଁ ହୁଏ ଭାବେ ବିଭୋର ।

ତୁମେ ମୋ ପ୍ରେୟସୀ ପ୍ରୀତିପୂର୍ବା ରାଧା
ମିଥୁନ ରାଶିର କନ୍ୟା,
ଜୀବନ ନଦୀରେ ଆଣିଅଛ ମୋର
କେତେ ତୁମେ ପ୍ରୀତି ବନ୍ୟା ।

ମୁଦା ଲଫପାର ଚିଠିଟିଏ ତୁମେ
ମୁଁ ତା’ର ଅଟେ ଠିକଣା,
ଜୀବନ ପୁସ୍ତକ ସୂଚୀପତ୍ର ତୁମେ
ପଢ଼ି ହୁଏ ଆନମନା ।

– ବସନ୍ତ କୁମାର ପ୍ରଧାନ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ବସନ୍ତ କୁମାର ପ୍ରଧାନ ଅନୁଗୋଳ ଜିଲ୍ଲାର ଛେଣ୍ଡିପଦାସ୍ଥିତ ହରିହରପୁରର ବାସିନ୍ଦା । ସେ ପେଶାରେ ଜଣେ ଶିକ୍ଷକ ଭାବରେ କାର୍ଯ୍ୟରତ, ମାତ୍ର ନିଶା ତାଙ୍କର କବିତା ଲେଖିବା । ତାଙ୍କ ରଚିତ ଅନେକ କବିତା ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ।