ତଥାପି ମୋ ଗାଁ ହସୁଛି
ତଥାପି ମୋ ଗାଁ ହସୁଛି

ତଥାପି ମୋ ଗାଁ ହସୁଛି

ସକାଳ ହୋଇଲେ ରାବୁନି କାଉ
ପିଢ଼ା ନାହିଁ ବୋଲି ମାଡ଼ୁନି ଲାଉ
ଚାଷ ହେଉନାହିଁ ଭଲରେ ଆଉ
ଖାଉ ନାହିଁ କେହି ମାଣ୍ଡିଆଯାଉ
ସେସବୁ ପୁରୁଣା ହୋଇଛି
ତଥାପି ମୋ ଗାଁ ହସୁଛି ।

ମାଟି ହାଣ୍ଡିରେ ଆଉ ବସୁନି ଭାତ
ବିଲରେ ପଡ଼ୁନି ଗୋବର ଖତ
ଚାଳ ଘର ସବୁ ହେଲାଣି ଛାତ
ପୁଅ ମାରିଲାଣି ବାପକୁ ନାତ
କାହାର କ’ଣ ହେଉଛି
ତଥାପି ମୋ ଗାଁ ହସୁଛି ।

ନାହିଁ ହାଣ୍ଡିଶାଳ, ନାହିଁ ଦେଇପିଣ୍ଡି
ମୁଣ୍ଡ ନାହିଁ ଖାଲି ପଡ଼ିଛି ଗଣ୍ଡି
କର୍ପୂର ଉଡ଼ି କନା ପଡ଼ି ରହିଛି
ତଥାପି ମୋ ଗାଁ ହସୁଛି ।

ଜମି ବାଡ଼ି ଏଠି ପଡ଼େ ପଡ଼ିଆ
ଦଳେ ଭରିଯାଉ ଗାଁ ଗଡ଼ିଆ
ହେଲେ ହେଉ ତାହା ଯେତେ ଅଳିଆ
ଲାଗିରହିଥାଉ ଗଣ୍ଡଗୋଳିଆ
ଗାଁ ପଛେ ଯେତେ ନିନ୍ଦା ପାଉଛି
ତଥାପି ମୋ ଗାଁ ହସୁଛି ।

ଗାଁ ଟୋକା ପଛେ ସହର ଧାଉଁ
ପାଠ ପଢ଼ି ସତେ ବେକାର ହେଉ
ବିଷ ଖାଇ ପଛେ ଚାଷୀ ଯେ ଶୋଉ
ଚାଷବାସ ସବୁ ଉଜୁଡ଼ି ଯାଉ
ଶାଢ଼ୀ ଛାଡ଼ି ବୋହୁ ଜିନ୍ସ ନାଉ
ମନଟାକୁ ସିନା ଏକା ବାଧୁଛି
ତଥାପି ମୋ ଗାଁ ହସୁଛି ।

ରଜ ହେଲେ ଆଉ ଲାଗୁନି ଦୋଳି
ବାଡ଼ି ତ ନାହିଁ କାହୁଁ ମିଳିବ କୋଳି
ପିଠା ପଣା ନାହିଁ ଭଳିକି ଭଳି
ବଗିଚା ତ ନାହିଁ କାହୁଁ ଆସିବ ମାଳି
ସବୁ ସିନା ସ୍ମୃତି ହୋଇଯାଇଛି
ତଥାପି ମୋ ଗାଁ ହସୁଛି ।

ଓଷା ପରବରେ ଆଉ ଚିତା ପଡ଼ୁନି
ନୂଆ ବୋହୂ ଆଉ ଲାଜ କରୁନି
ପଖାଳ ଖାଇଲେ ଦେହରେ ଯାଉନି
ଛ’ଣ ଗଦାରେ ଆଉ ଛତୁ ବି ଫୁଟୁନି
ସନ୍ଧ୍ୟାରେ ବିଲୁଆ ଜମା ଭୁକୁନି
ସବୁତ ବଦଳି ଯାଉଛି
ତଥାପି ମୋ ଗାଁ ହସୁଛି ।

ବୋଉ ଆଜି ଏଠି ମମି ସାଜିଛି
ବାପା ଡାକ ଏବେ ଡାଡି ହୋଇଛି
ପୋଷାକରେ ଦେହ ଦେଖାଯାଉଛି
ସହରୀ ସହରୀ ଗାଁ ବି ବାସୁଛି
ଆଧୁନିକତାର ସ୍ପର୍ଶ ଏବେ ଗାଆଁ ଛୁଇଁଛି
ମନଟାକୁ ସିନା ଏକା ବାଧୁଛି
ତଥାପି ମୋ ଗାଁ ହସୁଛି ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu