You are currently viewing ଆଜି ଆଉ ଗୋଟେ ଅକ୍ଷିତୃତୀୟା
ଆଜି ଆଉ ଗୋଟେ ଅକ୍ଷିତୃତୀୟା

ଆଜି ଆଉ ଗୋଟେ ଅକ୍ଷିତୃତୀୟା

ମରୁଡ଼ି ହବ । ଅଜଣା ରୋଗ ମାଡ଼ି ଆସିବ ।
ନଦୀର ସ୍ରୋତ କମିବ । ଏ ସବୁ କିଛି କହିବାକୁ ଏ ଲେଖା ନୁହଁ ।
ଏ ପ୍ରସଙ୍ଗ କହିବ ୧୫୧ ବର୍ଷ ତଳର ଗଦା ଗଦା ପ୍ରମାଣ ଥିବା ଗୋଟେ ଇତିହାସର କଥା ।

ଖାଲି ଆଜି ଅକ୍ଷିତୃତୀୟା ବୋଲି ଅଣ୍ଟା ଭିଡ଼ିଚି ଠୋ ଫଟାସ କହି ଦେବାକୁ ସେଇ ପୁରୁଣା କଥା । ଖୋଲି ଦେବାକୁ ଅନାଲୋଚିତ ନୁହଁ ଅଳ୍ପାଲୋଚିତ ଇତିହାସର ପେଟେରା । ୧୮୬୬ ନ’ଅଙ୍କ ଦୁର୍ଭିକ୍ଷ । ଜନ୍ ବିମ୍‌ସ୍‌ଙ୍କ (John Beams) “History of Orissa” ପୁସ୍ତକର ବର୍ଣ୍ଣନା ଅନୁସାରେ ଓଡ଼ିଶା ଜନସଂଖ୍ୟାର ୫୦ ପ୍ରତିଶତ ଜନତାଙ୍କୁ ଏକା ଖାଇଥିଲା ଏଇ ଗୋଟିଏ ମଡ଼କ ।

ଓଡ଼ିଶାର ଗାଆଁଗଣ୍ଡାରେ ଭୋକିଲା କଙ୍କାଳମାନଙ୍କ ପଟୁଆର । ଚାରି ଆଡ଼େ “ଅନ୍ନ ଦେହୀ” “ଅନ୍ନ ଦେହୀ”ର ଡାକରା । ନଈରେ ପାଣି ନାହିଁ । କ୍ଷେତରେ ଫସଲ ନାହିଁ । ଭୋକ ବିକଳ କାଙ୍ଗାଳୀ ମଣିଷର ଆଉ ଗୋଟିଏ କାଙ୍ଗାଳୀକୁ ବିକଳ ପ୍ରଶ୍ନ-ଆମ ଆଡ଼େ ଗଛରେ ପତ୍ର ନାହିଁ । ତୁମ ଆଡ଼େ ଅଛି ନା ଭାଇ? ବିଚରା ସାମ୍ନା ଲୋକର ବି ସେଇ ଛାତିଫଟା ଉତ୍ତର, “ପତ୍ର କଥା ଛାଡ଼, ଗଛବୁର୍ଚ୍ଛରେ କୋଉଠି ନେଳି ଟିକେ ପରା ନାହିଁ । ଯାଜପୁର କଇଁଆଗୋଲାରେ ଗୋଟେ ମାଇପି ଲୋକ ହାତରେ ଶୀଳ ପୁଆଟେ ଧରି ଘଡ଼ିଏ ଛେଚିଲା ତା ଥନକୁ । ଲହୁ ଲୁହାଣ ହେଉଥାଏ । ତଥାପି ଛେଚି ଚାଲୁଥାଏ । ରକତ ମାଉଁସ ସବୁ ପିଚିକି ପଡ଼ୁଥାଏ ଶୀଳ ପୁଆର ଚାରି ପଟକୁ । ଆତ୍ମହତ୍ୟାର ଏ ଅଭିନବ ତରିକା କଥା ବ୍ରିଟିଶ କେବେ ଭାବିନଥିଲା । ଆଉ ଶେଷରେ ବ୍ରିଟିଶ ସରକାର ଏହାର ଯୋଉ କାରଣ ପାଖରେ ପହଞ୍ଚିଥିଲା । ତାହା ଛାତି ଥରେଇଦେଇଥିଲା ସଭିଙ୍କର । ମାଆଟା ପ୍ରକୃତରେ ଆତ୍ମହତ୍ୟା କରୁନଥିଲା । ବରଂ କ୍ଷୀର ଖୋଜୁଥିଲା । ଶୁକୁ ଶୁକୁ ହଉଥିବା ଛ’ମାସର ପିଲାର ଶୋଷ ମାରିବାକୁ କାଳେ ଏ ଶୁଖିଲା ଥନର କୋଉ କୋଣରେ ବିନ୍ଦୁଏ କ୍ଷୀର ବଳିଥିବ । ଢୋକେ ପଡ଼ିଗଲେ ଧନଟା ମୋର ବଞ୍ଚିଯିବ । କିନ୍ତୁ ମାସ ମାସ ଧରି ଖାଇ ନଥିବା ମାଆଟିର ଛାତିରୁ ଶୁଖିଲା ରକ୍ତ ବିନ୍ଦୁ ଛାଡ଼ିଦେଲେ ସେଦିନ ଆଉ କିଛି ବି ଝରି ନଥିଲା । ଯୋବ୍ରା ଖୁଣ୍ଟି ପାଖରେ ହୁକା ଟାଣୁ ଟାଣୁ ନିଜ ଜାମାତାଙ୍କୁ ଜନ୍ ବିମ୍‌ସ୍‌ ପଚାରିଲେ, “ଏଇଟା କ’ଣ ସତ?” ସୈତାନ ଜାମାତାଜଣକ ଉତ୍ତର ଦେଲେ, “ମିଲଟନ ସାହେବ ନାମକ ଜଣେ ବାଜେ ଇଂରାଜୀ ସାମ୍ବାଦିକର ଖବର ଏଇଟା, ignore it ।”

(ସେତେ ବେଳକୁ ଜନ୍ ବିମ୍‌ସ୍‌ ନେପାଳ ସୀମାନ୍ତର ଚମ୍ପାରଣ ଜିଲ୍ଲାର ମାଜିଷ୍ଟ୍ରେଟ, କିନ୍ତୁ ଦୁର୍ଭିକ୍ଷର ସ୍ଥିତି ଅନୁଧ୍ୟାନ କରିବାକୁ ବ୍ରିଟିଶ କାଉନ୍‌ସିଲ ତରଫରୁ କଟକକୁ ନିମନ୍ତ୍ରିତ, ପରେ ସେ ୧୮୭୩ରେ କଟକର ମାଜିଷ୍ଟ୍ରେଟ ହୋଇ ଜଏନ କରିଥିଲେ । “Memoirs of a Bengal Civilian” ଓ “History of Odisha” ତାଙ୍କର ଦୁଇ ମହତ ରଚନା)

ଏଣେ ଓଡ଼ିଶାର ପରିସ୍ଥିତି ବିପନ୍ନ ହେବାକୁ ଲାଗିଥିଲା । ତେଣେ ଶବ ବୁହାଇ ବୁହାଇ ଲୋକଙ୍କ କାନ୍ଧରୁ ଚୋପା ଛାଡ଼ି ଯାଉଥିଲା । ପୁଣି ଶବ ବୁହାଉଥିବା ମଣିଷଟିଏ ଅଧ ଘଣ୍ଟା ପରେ ନିଜେ ଶବ ହେଇ ଯାଉଥିଲା ।

ଏମିତି ବି ହେଉଥିଲା, ଯେତେ ବେଳେ ଘରର ପୁଅ ଘର ଲୋକଙ୍କ ଆହାର ପାଇଁ ବାଉଁଶ ବଣକୁ ବାଉଁଶ ପତ୍ର ପାଇଁ ଧାଉଁ ଥିଲା, ସେତେବେଳେ ବୋପାଟା ପୁଅକୁ ଡାକି କହୁଥିଲା, “ବୋହୁ ନାତିଙ୍କ ପାଇଁ ବାଉଁଶ ପତ୍ର ଆଣିବାକୁ ଯାଉଛୁ ଟି? ତା ଆଗରୁ ମୋତେ ଟିକେ ଘୋଷାରି ଘୋଷାରି ମଶାଣିଯାଏଁ ନେଇଯା । ସେଇବାଟେ ଫୋପାଡ଼ି ଦେଇ ଚାଲିଯିବୁ । ତୁ ଘରେ ନଥିବୁ, ମୁଁ ମଲେ ମୋତେ ମଶାଣିଯାଏଁ କିଏ ନେଇକି ଯିବ? ହଁ, ଆଟୁ ଉପରେ ଲୁଚେଇକି ଏତିକି ଜଇନ୍ତା ପତ୍ର ଥୋଇଛି, ସାନ ନାତିକୁ ଦେଇଦେବୁ, ହେଲା? ଧ’ଧ’ଏ ବାଆଁ ପଟ ଗୋଡ଼ଟାକୁ ଧରି ଘୋଷାର । ହେ ମହାପ୍ରଭୁ ! କି ଅସମୟ ଦେଇଥିଲ ଏ ଜାତିକୁ?” ଭଦ୍ରକର ଗୋହିରୀ ଟିକରାରୁ ଏ ରିପୋର୍ଟ ଦେଇଥିବା ମିଲଟନ ସାହେବଙ୍କୁ ଥଟ୍ଟା କରିଥିଲା ବ୍ରିଟିଶ କାଉନସିଲ । ଓଡ଼ିଶାରେ ରହି ଥିଏଟର କରନି । କଲିକତା ଯାଅ, ବେଶି ବ୍ରିଟିଶ ବାବୁ ବାବୁଆ ଦର୍ଶକ ପାଇବ । ଚତୁର୍ଥ ସ୍ତମ୍ଭର କି କଣ୍ଠ ରୋଧ ୧୮୬୬ରେ? ଭାବିଲେ ବି ଭାବି ହେଉନି ।

କ୍ରମଶଃ ମୃତ୍ୟୁ ସହିତ ଗୋଟେ କମ୍ବଳ ତଳେ ଶୋଇବାକୁ ପ୍ରସ୍ତୁତ ହେଉଥିଲା ଜାତି । ପୁରୁଣା ଜଗନ୍ନାଥ ସଡ଼କର ଦୁଇପାଖରେ ମାଳ ମାଳ ଶବର ରୋଷଣୀ । ଭୋକିଲା ମଣିଷ ଆଉ କୁଢ଼ କୁଢ଼ ଶବଙ୍କ ସଢ଼ା ଗନ୍ଧରେ ସତେ ଅବା ନର୍କ ଏ ଭୂମି । ଧୂଳି ଧୁସରିତ, ଅଶିକ୍ଷା ଅନ୍ଧାରରେ ଆର୍ଦ୍ର ଏ ଭୂମି କେବଳ ଚାରି ଆଡ଼େ ମୃତ୍ୟୁର ତାଣ୍ଡବ ହିଁ ଦେଖୁଥିଲା ।

ଠିକ ଏତିକି ବେଳେ ମରି ମରି ଜୀବନ ଜିଉଁଥିବା ଦଳେ ଲୋକ ଭାବିଲେ, “ମରିଗଲେଣି ଆମ ପୁଅ ପାତି, ମରିଗଲେଣି ସାଙ୍ଗ ସାଥୀ, କାଲି ସକାଳେ ଆମେ ବି ମରିବା । ଯଦି ମରିବା ସତ, ତା’ହେଲେ ଆଉ ଏଠି କାହିଁକି? ଚାଲରେ ଭୋକିଲା ଦଳ, ସଭିଏଁ ଧାଇଁବା ଶ୍ରୀକ୍ଷେତ୍ର ଆଡ଼କୁ । ପେଡ଼ି ପୁଟୁଳି ଚୁଡ଼ା ଚାଉଳ ତ ନେବାର ନାହିଁ, ଏ ଦେହ ଉପରେ ଜୀବନର ବୋଝ ମୁଣ୍ଡେଇ ଧାଇଁ ଯିବା ବଡ଼ ଦାଣ୍ଡକୁ । ସୁଖା ହାଡ଼, ସୁକୁଟା ରକ୍ତ, ଆଉ ପୋଡ଼ା ମନକୁ ଏକାଠି କରି ଚାହିଁବା ନୀଳ ଚକ୍ରକୁ ।” ଡାକିବା, “ଦାନା କନା ପଛେ ମନା ହେଉ ମୋତେ ନୀଳଚକ୍ର ବାନା ଚାହିଁ ହେ ।” ଏ କଥା ବ୍ୟାପିଗଲା ଗାଁ ଗଣ୍ଡା । ସବୁ ଗାଁର କଙ୍କାଳ ଦଳ ଓହ୍ଲେଇ ପଡ଼ିଲେ ପୁରୁଣା ଜଗନ୍ନାଥ ସଡ଼କକୁ । “ମରିବା ଆଗରୁ ଆସ, ଦେଖିନେବା ଆମ ସାତ ଗଣ୍ଠି ସାଇତା ସମ୍ପତ୍ତିକୁ । ପେଟରେ ପେଟେ ଭୋକ ଧରି ଚାହିଁବା ତା’ ପତିତ ପାବନ ନେତକୁ । ହୁସିଆର, କେହି ଚାହିଁବନି ତା’ ପେଜନଳ ଆଡ଼କୁ । ହାତ ପାତି ମାଗିବାନି ଅବଢ଼ା ମୁଠାଏ ।”

ମାଗିଲେ ମାଗିବା ଏ ଶବ ଦଳଙ୍କୁ ମୁକ୍ତି ଦେ । ତୋ ପତିତ ପାବନକୁ ଚାହିଁବାର ଭାଗ୍ୟ ଦେ । ଲକ୍ଷ ଲକ୍ଷ ଜନତାର ପଟୁଆର । ଜନତା ନୁହଁ, କାଙ୍ଗାଳୀଙ୍କ ପଟୁଆର । କାଙ୍ଗାଳୀ ନୁହଁ ଶବମାନଙ୍କ ପଟୁଆର । ମେଦିନୀ ପୁରରୁ ଚନ୍ଦନ ପୁର । ବାଟରେ ମାଆ ହାତରେ ଛୁଆ ମଲାଣି । ସ୍ତ୍ରୀ କୋଳରେ ସ୍ୱାମୀ । ତଥାପି ଅପରାହତ ଏ ଯାତ୍ରା । ତତ୍କାଳୀନ ପୁରୀର ପ୍ରଶାସକ ବାଲ୍ଟିଅର ସାହେବ ଚିନ୍ତିତ । ଜନ୍ଦା ପିମ୍ପୁଡ଼ିଙ୍କ ପରି ଭୋକିଲାଙ୍କ ଭିଡ଼ ହେଲା ବଡ଼ ଦାଣ୍ଡରେ । ଲକ୍ଷେ ଲକ୍ଷେ ବୁଭୁକ୍ଷ୍ୟୁ । କାହିଁକି ଆସିଛନ୍ତି ଏମାନେ? କ’ଣ ପାଇଁ?? “ଆରେ ତମେମାନେ ଖାଇବାକୁ ଆସିଛ?”

-ନାଁ ନାଁ ଖାଇବାକୁ ଆସିନୁ, ମରିବା ଆଗରୁ ଦେଖିବାକୁ ଆସିଛୁ । ସେଇ କାଠ ଗଡ଼କୁ । ଦେଖିଦେବୁ । ତା’ ନୀଳଚକ୍ରକୁ ଚାହିଁ ଆଖିବୁଜି ଦେବୁ । ବାସ୍ ! ଭୋକିଲା ଓଡ଼ିଆଙ୍କର ରୋକ ଠୋକ ଉତ୍ତର ।

-କି ପାଗଳ ଏଗୁଡ଼ା, ଗଜପତି କୁଆଡ଼େ ଗଲେ?? ଡାକ, ଡାକ ତାଙ୍କୁ ।

ବାଲ୍ଟିଅରର ନିର୍ଦ୍ଦେଶ ।

ଗଜପତି ଦିବ୍ୟସିଂହ ଦେବ ନିରୁପାୟ ହେଇ ଠିଆ ହେଇଥାନ୍ତି । ବାଲ୍ଟିଅର ସାହେବର ନିର୍ଦ୍ଦେଶ, “ମନ୍ଦିର ଆଗରେ ଭୋକିଲାମାନଙ୍କ ସାଧାରଣ ସଭା କର । ସେଇଠି ଘୋଷଣା କରିଦେବା, ଆଜିଠୁ କେହି ଭୋକିଲା ମରିବେନି । ମନ୍ଦିରରେ କାଠ ଖଣ୍ଡ ଖାଉଥିବା କୁଇଣ୍ଟାଲ କୁଇଣ୍ଟାଲ ଚାଉଳ ବଡ଼ଦାଣ୍ଡରେ ଏ କାଙ୍ଗାଳୀମାନଙ୍କୁ ଦାନ ହେବ ।” ଲକ୍ଷ ଲକ୍ଷ ଭୋକିଲାଙ୍କ ଉପସ୍ଥିତି । ଘୋଷଣା କଲେ ବାଲ୍ଟିଅର, “ଆଜିଠୁ କାଠଗଡ଼ର ଖାଇବା ତୁମକୁ ଦିଆଯିବ । ଖୁସି ହୁଅ, ଖୁସି ହୁଅରେ ଭୋକିଲା ।” ସଭା ଚୁପ । ଗଜପତି ଚୁପ । କାଙ୍ଗାଳୀ ଦଳ ବି ଚୁପ । “ଆରେ କ’ଣ ହେଇଛି? ଖୁସି ହୁଅ, ମାସ ମାସ ଧରି ଖାଇନ ପରା । ନାଚ, ଗାଅ, ଆତସବାଜି କର । ବଞ୍ଚି ଗଲ । ତୁମକୁ ଜୀବନ ମିଳିଗଲାରେ ।”

“ରହିଯାଆରେ ଫିରିଙ୍ଗି ।” ବୀର ଦର୍ପରେ ପଛ ପଟୁ ଠିଆ ହେଲା ଗୋଟେ ବୁଢ଼ୀ । କହିଲା, “ଭାତ ନପାଇ ମୋ ବଡ଼ ପୁତା ପଛ ମରୁରେ, ମୁଁ ଆଣ୍ଠୁକୁଡ଼ି ହେବି । ମୋ ଘଇତା ମରୁ, ମୁଁ ଏଇଠୁ ରାଣ୍ଡ ହେଇ ଗାଆଁକୁ ଲେଉଟିବି । ମୋ ନାତିନାତୁଣୀ ମରନ୍ତୁ, ହେଲେ ମୋ କାଳିଆ ଧନକୁ ଉପାସ ରଖିବା କଥା କହନି, ତାକୁ ଯଦି କେହି ଉପାସ ରଖିବ, ତା’ ଛାତିରୁ କଳା କଲିଜା ଛିଣ୍ଡେଇ ଆଣିବି ମୁଁ । ତା’ ତଣ୍ଟିରେ ଦାନ୍ତ ବସେଇ ଦେବି ।” ଏବେ ବୁଢ଼ୀ ସହିତ ସ୍ୱର ମିଳେଇଲେ ଲକ୍ଷ ଲକ୍ଷ କାଙ୍ଗାଳୀ, “ଯାଅ ତମେ । ଆମ ବଞ୍ଚିବା ମରିବା ଦାଇତ୍ୱ ତା’ର । ଜନମ ସିଏ ଦେଇଛି । ମରିବାକୁ ଶ୍ରୀକ୍ଷେତ୍ରର ଭୂମି ଦେଇଛି । ଆମେ ମଲେ ଆମର ଦୁଃଖ ନାହିଁ । ଆମ କାଳିଆ ଧନ, ସେମିତି ବସିଥାଉ ରତ୍ନ ସିଂହାସନ ଉପରେ । ଖାଉଥାଉ ଷାଠିଏ ପଉଠି । ଆମ ମୁହଁରେ ହସ ନଥିଲେ ନଥାଉ, ତା’ କାଳିଆ ମୁହଁରେ ସେମିତି ଫୁଟୁଥାଉ ହସର ଫୁଲ କଢ଼ି ।”

“ଧନରେ ! ପୁଅ ମଲା, ପୁତୁରା ଗଲାଣି, ବୁଢ଼ାଟା ଶୁକୁ ଶୁକୁ ହେଉଛି । ଆଲୋ ଛୁଆକୁ ଝୁରି ଝୁରି ସେପଟେ ପରିଡ଼ା ଘର ନୂଆ ବୋହୁ ମଲା ନା କ’ଣ? କିଏ ଅଛ ଲୋ? ଅହ୍ୟରାଣୀ ସିଏ । ତା’ ପାଇଁ ହୁଳ ହୁଳି ଦିଅ । ଇଲୋ ତା’ ପାଦରେ ଟିକେ ଅଳତା ବୋଳ ବା । କିଏ ଅଛ ବୋଳ । ଏମିତି ଅନେକ ଶବ୍ଦ ମିଳେଇ ଯାଉଥିଲା ଶ୍ରୀକ୍ଷେତ୍ରର ପବନରେ ।”

ଫେରି ଯାଇଥିଲେ ଗଜପତି ଆଉ ବାଲ୍ଟିଅର ।
ଭୋକିଲା ଆଉ ଶବମାନଙ୍କ ଗହଣରେ କୁହୁଳୁଥିଲା ଶ୍ରୀକ୍ଷେତ୍ରର ରାତି । ମଲା ନାତିକୁ ଧରି ନାହାକ ବୁଢ଼ୀ ବାହୁନୁଥିଲା ସେଇ ଗୁଣ୍ଡିଚା ରାଣୀର ଗୀତ

“ଯେତେ ଦଉଥିବି ସେତେ ଖାଉଥିବୁ
ନଶୁଖିବ ତୋର ହାତ
ଲୋକେ କହୁଥିବେ ଖାଇବା ଠାକୁର
ନୀଳା ଚଳେ ଜଗନ୍ନାଥ ।”

ସତେ ଅବା ସେମାନେ ଖତେଇ ହେଉଥିଲେ ମହାପ୍ରଭୁଙ୍କୁ । ଭୋକିଲା ଦଳଙ୍କ ଆଖିକୁ ନିଦ ଘାରି ଆସୁଥିଲା । କେହି କେହି ମରଣର ଭୟରେ କାନ୍ଦୁଥିଲେ ଗୁମୁରି ଗୁମୁରି । ଓଡ଼ିଆ ଜାତିର ଏ ଜଗନ୍ନାଥ ପ୍ରିତୀ ଦେଖି ମହାପ୍ରଭୁଙ୍କୁ ଭାରି ଦୋଷୀ ଲାଗିଲା ବୋଧେ । ସେ ରାତିର ଆକାଶରେ ଏକାଠି ହେଲେ ଚାରିମେଘ । ମେଘର ପଟୁଆରରେ ତୁରୀ ଫୁଙ୍କିଲା ଘଡ଼ଘଡ଼ି, ଆଲୋକର ଛତ୍ରୀ ଧରିଲା ବିଜୁଳୀ । ସତେ ଅବା ଶହେ ଜନ୍ମାଷ୍ଟମୀ ଏକାଠି ହେଇଗଲେ ଗୋଟିଏ ତିଥିରେ । ବର୍ଷେ କାଳ ବର୍ଷା ଦେଖି ନଥିବା ଓଡ଼ିଆ ଜାତି, ଚାତକ ହେଇ ଭିଜିଲା ବଡ଼ ଦାଣ୍ଡରେ । ଗଗନ ପବନ ମୁଖରିତ ହେଲା ଜୟ ଜଗନ୍ନାଥ ଧ୍ୱନୀରେ । “ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ ।” କହିବା ବାହୁଲ୍ୟ, ସେଦିନର ତିଥୀ ଏଇ ଅକ୍ଷିତୃତୀୟା ହିଁ ଥିଲା । ଗୋଟିଏ ରାତି ବଦଳେଇଥିଲା ଗୋଟିଏ ଜାତିର ଭାଗ୍ୟ ।

୧୬୨ ବର୍ଷ ପରେ ଆଜି ଆଉ ଗୋଟେ ଅକ୍ଷିତୃତୀୟା । ଦିନେ ନିଜେ ମରି, ନିଜ ପିଲା ଛୁଆଙ୍କୁ ମାରି ଏ ଜାତି ତୁମକୁ ଖୁଆଇବାକୁ ଭାବୁଥିଲା । ଆଉ ଆଜି ଏ ଜାତି ନିଜକୁ ଓ ନିଜ ପିଲା ଛୁଆଙ୍କୁ ବଞ୍ଚେଇବା ପାଇଁ ତୁମକୁ ଉପାସ ରଖିଦେଲା ।

“କ୍ଷମା କରିବ ହେ କ୍ଷମାନିଧି । ଏ ଜାତିକୁ କ୍ଷମା କରିବ । ମହାପ୍ରଭୁ, ମହାପ୍ରଭୁ, ମହାପ୍ରଭୁ ।”

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଶରଣାରବିନ୍ଦ, ଜଣେ ସୁପ୍ରସିଦ୍ଧ କଥାକାର । ପ୍ରାର୍ଥନା ଟିଭିର ବିଭିନ୍ନ କାର୍ଯ୍ୟକ୍ରମେ ସେ ଉପସ୍ଥାପକ ଭାବରେ ବେଶ୍ ପରିଚିତ । ଏତଦ୍‌ବ୍ୟତୀତ ଶ୍ରୀଚରଣ ମହାନ୍ତିଙ୍କ ସହ ତାଙ୍କର କାର୍ଯ୍ୟକ୍ରମ "ଶୁଣ ସୁଜନେ" ପାଇଁ ସେ ଏବେ ସବୁଠି "ଶରଣ ନନା" ଭାବରେ ପରଚିତ ।