ଗୁଡ଼ି
ଗୁଡ଼ି

ଗୁଡ଼ି

ଚଇତିର ଉଦୁଉଦିଆ ମଧ୍ୟାହ୍ନ । ଛୋଟ ପିଲାମାନଙ୍କ ଗୁଡ଼ି ଉଡ଼ା ଆନନ୍ଦ; ନା ଖରା ନା ତରା, କିଛି ମାନେନି ସେ ଅମାନିଆ ବୟସ ! ହଷ୍ଟେଲ ଝରକାରୁ ମୁଁ ସବୁଦିନ ଏଇ ପିଲାମାନଙ୍କ ଗୁଡ଼ି ଉଡ଼ାଇବା କୌଶଳକୁ ନେଇ ତର୍ଜମା କରିଥାଏ । କେମିତି ଗୁଡ଼ି ଉଠିଲା, କେମିତି କାନି ଖାଇ ଖସିଲା ଓ କେମିତି ଗୁଡ଼ିକୁ ଗୁଡ଼ି କାଟିଦେଲା ଇତ୍ୟାଦି ଇତ୍ୟାଦି.. । ଆଜି କିନ୍ତୁ ନୀଳ ଆକାଶକୁ ଚାହିଁ ଅନାବନା ଭାବନାରେ ମଜ୍ଜି ଯାଇଥିଲି । ପ୍ରାୟ ୧୪ ବର୍ଷ ତଳର ଘଟଣା କଥାଚିତ୍ର ପରି ମୋ ଆଖି ଆଗରେ ନାଚି ଉଠିଲା…

ଆକାଶରେ ବାଦଲର ଆସ୍ତରଣ ନ ଥାଏ । ସୁଲୁସୁଲୁ ପବନ ବାଜି ମନକୁ ମୋର ଅଥୟ କରିପକାଉଥାଏ ।

ମାଆ: “ନିଲି… ଏ ନିଳୀ…”

ମୁଁ କିଛି ଉତ୍ତର ନ ଦେବାରୁ ଚଢ଼ା ଗଳାରେ ଶୁଭିଲା ।
ମାଆ: “ନିଳୀମା… କ’ଣ କରୁଛୁ ସେ ଝରକା ପାଖରେ???”
ମୁଁ: “କିଛି ନାହିଁ ତ… ବସିଚି… ନିଦ ହଉନି ତ…”

କଟାକ୍ଷ ଚାହାଣୀରେ ମୋତେ ଅନୁଧ୍ୟାନ କରି ଧମକ ଭରା କଣ୍ଠରେ ନିର୍ଦେଶ ଗୁଡ଼ାଏ ଦେଲା ।

ମାଆ: “ହଉ ଠିକ୍ ଅଛି ମୁଁ ବିଲକୁ ଯାଉଛି । ପଖାଳ ରଖିଛି, ଚାରିଟା ବେଳେ ଖାଇ ଦବୁ । ଆଉ ଖବରଦାର ସେ ଗଗନ ସହ ଗୁଡ଼ି ଉଡ଼େଇ ଯାଇଥିବୁ ତ ! ଯାଇଥିଲେ ତୋ ଗୋଡ଼ ଦୁଇଟା ଛୋଟା କରିଦେବି ।”

ଏତିକି କହି ମାଆ ବିଲକୁ ପଳେଇଲା । ମାଆକୁ ମୁହଁ ମୋଡ଼ି ଦେଇ ପୁଣି ଝରକାକୁ ଚାହିଁ ରହିଲି ଚାତକ ପରି । ହେଲେ ମୋର ବର୍ଷା ଦରକାର ନ ଥିଲା, ବର୍ଷା ଦିନେ ଗୁଡ଼ି ଜମା ଉଡ଼ାଇ ହୁଏନି । ମୁଁ ଦ୍ବନ୍ଦରେ ଥିଲି, ଭରସି କି ଭାବି ପାରୁ ନଥିଲି ସେ ଆସିବ ବୋଲି । ସେଦିନ ବି ପ୍ରତୀକ୍ଷାର ସ୍ଵାଦ କାଇଁ ଖଟା ଲାଗୁଥିଲା । ସେଥିରେ ପୁଣି ମାଆଙ୍କ ଗାଳି !!

ମନେ ମନେ ଭାବୁଥାଏ, “ମୁଁ କେତେ ପାଦ ଚାପି ଚାପି ଯାଉଛି, କେଜାଣି କେମିତି ସେ ଜାଣି ଦେଉଛି !!! ସେଥିରେ ବେଳ ଆସି ୩ଟା ହେଲାଣି, ଏ ଗଗନର ଦେଖା ନାଇ ।”

ଅପେକ୍ଷା କରି କରି ମୁଁ ବ୍ୟସ୍ତ ହୋଇପଡ଼ିଥିଲି । ପ୍ରାୟ ଘଣ୍ଟାଏ ଡେରି କରି ଆସିଲା ଗଗନ । ନିଜ ସାଇକେଲ ଆମ ଘର ପାଖରେ ରଖି, ଘଣ୍ଟି ମାରିଲା ।

“ଟିଂ ଟିଂ ତିଂ ତିନଂ”

ମୁଁ ଚୁପ୍ କରି ବାହାରି ଗଲି ।

ମୁଁ: “ଆଜି ଏତେ ଡେରି କଲୁ, ମୋ ଗୁଡ଼ି ଆକାଶରେ ଉଡ଼ିବଟି?”
ଗଗନ: “ହଁ ଉଡ଼ିବ, ତୁ ଚାଲେ ପଡ଼ିଆକୁ ଯିବା ।”
ମୁଁ: “ଏ କ’ଣ ଛୋଟେଇ ଛୋଟେଇ ଚାଲୁଛୁ, ଆଉ ତୋ ହାତରେ ଏ ନାଲି ଦାଗ !!!”
ଗଗନ: “ବୋଉ ମାରିଚି ପା, ଗୁଡ଼ି ଉଡ଼େଇଲେ ତାର କି ରାଗ, ବାପ୍‌ରେ ବାପ୍ !!! ସେଥିପାଇଁ ତ ଡେରି ହେଲା, ସେ ଶୋଇଲା ପରେ ଯାଇ ମୁଁ ବାହାରିକି ଆସିଲି ।”
ମୁଁ: “ମାଡ଼ ଖାଇଲୁ ମୋ ପାଇଁ… କାଟିଲା କି???”
ଗଗନ: “ନାଇ… କିଛି କାଟିଲାନି ।”
ମୁଁ: “ଆଉ…କେମିତି ଲାଗିଲା ।”
ଗଗନ: “ତୁ ଗୁଡ଼ିଟା ଉପରକୁ ଛାଡ଼େ । ମୁଁ ଥରେ ଉଡ଼େଇ ଦେଲେ ତତେ ଦେବି, ତୁ ଉଡ଼େଇବୁ, ନ ହେଲେ ଅନେଇ ଥିବୁ ସେମିତି ।”
ମୁଁ: “ଓହୋ, ଭାରି ବଡ଼ ଗୁଡ଼ି ଉଡ଼ାଳିଟା ତ…!!!”
ଗଗନ: “ରାଗୁଚୁ କାଇଁ ବା ! ମୋତେ ଆଜି ଜଲଦି ଫେରିବାକୁ ହବ । ବୋଉ ଉଠିବା ଆଗରୁ ବହି ଧରି ବସିଯିବି । ସେ ସବୁ ରାଗ ଭୁଲି ଯିବ ।”

ମୁଁ ଫିକ୍ କରି ହସି ଦେଲି । ମୋ ହସ ଦେଖି ଗଗନ ବି ହସି ଉଠିଲା । ଆମ ଦୁହିଁଙ୍କ ହସରେ, ସନ୍ଧ୍ୟା ଆକାଶର ନାଲି ସୂର୍ଯ୍ୟ ବି ତା’ର ତେଜକୁ ଥଣ୍ଡା କରି, ଦୂର ଦିଗନ୍ତରେ ଲୀନ ହୋଇଗଲା ।

ହେଲେ ସାଥି ତୁମେ ସେଦିନ ମିଛ କହିଥିଲ ବୋଲି ମୁଁ ସେତେବେଳେ ଜାଣିଲି, ଯେତେବେଳେ ମାଆ ଘରକୁ ଆସି ମୋ ଦେହରେ ବି ନାଲି ଗାର ଆଙ୍କି ଦେଇଥିଲା । ବହୁତ କାଟି ଥିଲା । ହେଲେ ତୁମ କ୍ରୋଧ ନିବାରଣ ମନ୍ତ୍ରଟା ମୋ ମାଆ ଉପରେ ବି କାମ କଲା । ମୁଁ ବି କିଛିଦିନ ତୁମ ପରି ପଢ଼ିବାର ନାଟକ କରିଥିଲି । ତା’ପରେ ତ ଚୈତିର ବାଆ ଆଉ ବହୁ ନ ଥିଲା କି ତୁମେ ବି ଆଉ ଆସୁ ନ ଥିଲ । ପରେ ଜାଣିଲି ମାମୁଁ ଘରକୁ ପଳେଇଚ ପାଠ ପଢ଼ିବା ପାଇଁ । ହେଲେ ହଠାତ୍ କ’ଣ ପାଇଁ, ସେ ପ୍ରଶ୍ନର ଉତ୍ତର ଆଜି ଯାଏ ବି ପାଇନି । ସେଦିନ ଘରକୁ ଫେରିଲା ପରେ ତୁମ ସହ କ’ଣ ହେଇଥିବ ଭାବିଲେ ଭାରି ବ୍ୟାକୁଳ ଲାଗେ । ପୁଣି ମାଡ଼ ଖାଇ ନ ଥିବ ତ…!!!

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu