ଶ୍ରୀଜୀଉଙ୍କ ସ୍ନାନଯାତ୍ରା
ଶ୍ରୀଜୀଉଙ୍କ ସ୍ନାନଯାତ୍ରା

ଶ୍ରୀଜୀଉଙ୍କ ସ୍ନାନଯାତ୍ରା

ପରଂବ୍ରହ୍ମ ଶ୍ରୀ ପୁରଷୋତ୍ତମଙ୍କର ଆବିର୍ଭାବ ରହସ୍ୟମୟ । ତାଙ୍କର ଲୀଳା ମଧ୍ୟ ଅଭେଦ୍ୟ । ବିଶ୍ୱାସର ଅଖଣ୍ଡ ଦୃଢ଼ତାରେ ହିଁ ତାଙ୍କୁ ଅନୁଭବ କରିହୁଏ । କଥିତ ଶ୍ରୀ ଜଗନ୍ନାଥ ଜ୍ୟେଷ୍ଠ ମାସ ପୂର୍ଣ୍ଣିମା ତିଥିରେ ଭୂମିଷ୍ଠ ହୋଇଥିଲେ । ଜ୍ୟେଷ୍ଠ ପୂର୍ଣ୍ଣିମାକୁ ସ୍ନାନ ପୂର୍ଣ୍ଣିମା କୁହାଯାଏ । ଏହା ଜଗନ୍ନାଥଙ୍କ ପବିତ୍ର ଜନ୍ମ ଉତ୍ସବ ଭାବରେ ପରିଚିତ । ପ୍ରାଚୀନ ଗ୍ରନ୍ଥାନୁସାରେ ଜ୍ୟେଷ୍ଠମାସ ଅମାବାସ୍ୟା ଦିନ ବ୍ରହ୍ମାଙ୍କ ମାନସପୁତ୍ର ମନୁ ଏକ ଯଜ୍ଞ ଆରମ୍ଭ କରିଥିଲେ ଯେଉଁ ଯଜ୍ଞ ବେଦୀରେ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ସ୍ୱୟଂ ଜଗନ୍ନାଥ ଅବତୀର୍ଣ୍ଣ ହୋଇଥିଲେ ବୋଲି ଜ୍ୟେଷ୍ଠ ମାସର ପୂର୍ଣ୍ଣିମା ହେଉଛି ପ୍ରଭୁଙ୍କ ଜନ୍ମଦିନ । “ଅବତୀର୍ଣ୍ଣଃ ସ୍ୱୟଂ ଜ୍ୟେଷ୍ଠାଂ ତତ୍ର ଜନ୍ମଦିନମ୍ ମମ ।” ଦ୍ୱାଦଶ ଯାତ୍ରା ମଧ୍ୟରେ ଏହା ଠାକୁରଙ୍କର ଆଦ୍ୟ ଯାତ୍ରା ବା ପର୍ବ ଭାବରେ ପ୍ରସିଦ୍ଧ ।

ପୁରାଣରେ ବର୍ଣ୍ଣିତ ଅଛି ଯେ ସ୍ନାନ ପୂର୍ଣ୍ଣିମାରେ ଦାରୁବ୍ରହ୍ମଙ୍କର ମଞ୍ଚ ସ୍ନାନ ଦର୍ଶନ କରିବା ପାଇଁ ଆକାଶରେ ଦେବଗଣ ଉପସ୍ଥିତ ରହି ପୁଷ୍ପ ବୃଷ୍ଟିର ସ୍ମାରକୀ ରୂପେ ଜଳ ବିନ୍ଦୁ ବର୍ଷଣ କରିଥାନ୍ତି । ଏହାକୁ ମଧ୍ୟ ମହାବେଦି ସ୍ନାନ ମହୋତ୍ସବ କୁହାଯାଏ । ଏହି ଦିନ କୈବଲ୍ୟ ଗ୍ରହଣ କଲେ ସାକ୍ଷାତ ମୁକ୍ତି ମିଳିଥାଏ । ଏତଦ୍ ବ୍ୟତୀତ ଏହି ସମୟରେ ଦେବ ଦର୍ଶନ କଲେ କୋଟି ପୁଣ୍ୟ ଫଳ ମିଳିଥାଏ । ତେଣୁ ବ୍ରହ୍ମା କହନ୍ତି- ରାହୁଗ୍ରସ୍ତ ସୂର୍ଯ୍ୟପରାଗ ସମୟରେ ସ୍ନାନ ଦାନାଦିର ଫଳ ଅପେକ୍ଷା ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନ ମଣ୍ଡପରେ କୃଷ୍ଣ ବା ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କଲେ ସେହି ଫଳ ମିଳିଥାଏ । ତାଙ୍କ ମୁଖ ନିଃସୃତ ବାଣୀ ହେଲା – “ଯତ୍ ଫଳଂ ସ୍ନାନ ଦାନେନ ରାହୁଗ୍ରସ୍ତେ ଦିବାକରେ / ତତ ଫଳଂ କୃଷ୍ଣ ମା ଲୋକ୍ୟ ମହା ଜ୍ୟେଷ୍ଠା ଲଭେନରଃ ॥”

ସମସ୍ତ ଯାତ୍ରା ମହୋତ୍ସବରେ ଜୀଉମାନଙ୍କର ଚଳନ୍ତି ପ୍ରତିମା ମଦନମୋହନ ବିଜେ ହେଉଥିବା ବେଳେ କେବଳ ସ୍ନାନ ଯାତ୍ରା ଓ ଗୁଣ୍ଡିଚା ଯାତ୍ରା ଦୁଇଟିରେ ଜୀଉମାନେ ରତ୍ନ ବେଦୀରୁ ବିଜେ ହୁଅନ୍ତି । ତେଣୁ କବି ସମ୍ରାଟ ଉପେନ୍ଦ୍ର ଭଂଜଙ୍କ କଣ୍ଠରେ ସ୍ଥାନ ପାଇଛି-

“ସ୍ନାନ ଗୁଣ୍ଡିଚାଏ ବେନି, ସ୍ୱୟଂ ଲୀଳା ଯାର
ପତିତପାବନ ଅର୍ଥେ ପ୍ରାସାଦୁଁ ବାହାର ।।”

ଦେବତା ରକ୍ତମାଂସ ଦେହଧାରୀ ମଣିଷ ପରି ସାଂସାରିକ ରୋଗ, ଦୁଃଖ, ଶୋକ ପ୍ରଭୃତି ଭିତରେ ଗତି କରନ୍ତି । ତେଣୁ ସଂସ୍କୃତରେ କଥା ଅଛି – “ଯଥା ଦେହେ ତଥା ଦେବେ ।” ଜଗନ୍ନାଥ ଜଣେ ସାଧାରଣ ମଣିଷଟିଏ ପରି ବୈଶାଖ ଜ୍ୟେଷ୍ଠ ମାସର ଗ୍ରୀଷ୍ମ ପ୍ରବାହ ଭିତରେ ଅତିଷ୍ଠ ହୋଇ ପୂର୍ଣ୍ଣିମା ତିଥିରେ ସ୍ନାନ କରନ୍ତି । ଶହେ ଆଠ ଗରା ପାଣିରୁ ପଇଁତିରିଶ ଗରା ତାଙ୍କ ଉପରେ ଢଳା ଯାଏ । ଏତେ ଗୁଡ଼ିଏ ପାଣି ଏକାଠି ଢଳା ହେଲେ ଯେ କୌଣସି ଲୋକକୁ ଥଣ୍ଡା ବା ଜ୍ୱର ହେବା ସ୍ୱାଭାବିକ । ଜଗନ୍ନାଥ ବାଦ ଯିବେ କିପରି ! ସେ ତ’ ଓଡ଼ିଆ ଜନ ଜୀବନ ସହିତ ଓତପ୍ରୋତ ଭାବରେ ଜଡ଼ିତ । ଆମ ଭଳି ସେ ବି ଜ୍ୱର କଷ୍ଟ ଭୋଗନ୍ତି । ଅନବସରରେ ଜ୍ୟେଷ୍ଠ ପୂର୍ଣ୍ଣିମାଠାରୁ ଆଷଢ଼ ଅମାବାସ୍ୟା ପର୍ଯ୍ୟନ୍ତ ତାଙ୍କୁ ଚିକିତ୍ସା କରାଯାଏ । ଏହି ସମୟରେ ଦଇତାପତି ବା ବିଶ୍ୱାବସୁ ବଂଶଧରମାନେ ଠାକୁରମାନଙ୍କର ଚିକିତ୍ସା ଓ ସେବା ଶୁଶ୍ରୂଷା ଦାୟିତ୍ୱରେ ଥାଆନ୍ତି । ଇତି ମଧ୍ୟରେ ଦେବ ଦର୍ଶନ ନିଷେଧ ରହିଥାଏ । ଠିକ୍ ଯେପରି ସାଧାରଣ ମଣିଷ ବାଧକ ପଡ଼ିଲେ କାହାକୁ ଦେଖା କରେ ନାହିଁ । ଏହି ସମୟରେ ବଳଭଦ୍ରଙ୍କ ବାଡ଼ରେ ହଳଧାରୀ, ସୁଭଦ୍ରାଙ୍କ ବାଡ଼ରେ ଚତୁର୍ଭୁଜା ଦେବୀ ଓ ଜଗନ୍ନାଥଙ୍କ ବାଡ଼ରେ ଶଙ୍ଖ, ଚକ୍ର, ଗଦା, ପଦ୍ମ ଧାରୀ ବିଷ୍ଣୁଙ୍କର ପଟ୍ଟଚିତ୍ରମାନ ଅଙ୍କିତ ହୋଇ ଅଣସର ତାଟି ସମ୍ମୁଖରେ ପନ୍ଦର ଦିନ ବ୍ୟାପୀ ପୂଜା ପାଇଥାନ୍ତି । ବିଭିନ୍ନ ଚେରମୂଳି ଔଷଧ, ପଥି ଦିଆଯାଏ । ତା’ପରେ ନେତ୍ରୋତ୍ସବ ବା ନବ ଯୌବନ ଦର୍ଶନ ହୁଏ । ଆରୋଗ୍ୟ ଲାଭ କରି ଠାକୁର ହଜାର ହଜାର ଭକ୍ତ, ସାଧୁ, ସନ୍ଥ ଓ ଜନତାଙ୍କୁ ଦର୍ଶନ ଦେଇଥାନ୍ତି । ଦତ୍ତ ମହାପାତ୍ର ରଙ୍ଗ କରିଥାନ୍ତି । ଏହା ଶାସ୍ତ୍ରନୁଯାୟୀ ‘ବନକଲାଗି’ ବୋଲି ପ୍ରବାଦ ଅଛି । ପତି ମହାପାତ୍ର ନେତ୍ରଦାନ କରିଥାନ୍ତି । କେହି କେହି ଶ୍ରୀକୃଷ୍ଣ ଉଆଁସୀ କନ୍ୟା ରୁକ୍ମିଣୀଙ୍କୁ ବିବାହ କରିଥିବାରୁ ତାଙ୍କୁ ଜ୍ୱର ହୋଇଥିଲା ବୋଲି କହନ୍ତି ।

ସାନ୍ନ ବିଧି ଓ ମାହାତ୍ମ୍ୟ ବିଭିନ୍ନ ପ୍ରାଚୀନ ପୁରାଣ ଓ ସଂହିତା ମାନଙ୍କରେ ବର୍ଣ୍ଣିତ । ପ୍ରାଚୀନ କାଳରେ ସ୍ନାନ ମଣ୍ଡପଟି ଏକ ମଞ୍ଚ ସଦୃଶ କାଠରେ ନିର୍ମାଣ କରାଯାଇ ସ୍ନାନ ଯାତ୍ରା କରାଯାଉଥିଲା । ତେଣୁ ଏହାକୁ ‘ମଞ୍ଚ ସ୍ନାନ’ କୁହାଯାଉଥିଲା । କାଳକ୍ରମେ ଠାକୁରଙ୍କ ସ୍ନାନ ପାଇଁ ଏକ ସ୍ୱତନ୍ତ୍ର ସ୍ନାନ ମଣ୍ଡପ ନିର୍ମିତ ହେଲା । ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପିର ଉଲ୍ଲେଖ ପ୍ରକାରେ ବଡ ଦେଉଳ ପ୍ଲଟ୍ ନମ୍ବର ୧୪୮ରେ ଏବଂ ଚାହାଁଣୀ ମଣ୍ଡପର ଉତ୍ତର ଦିଗରେ ତଥା ଆନନ୍ଦ ବଜାରର ଉତ୍ତର ପୂର୍ବ କୋଣରେ ଏହି ମଣ୍ଡପ ଅବସ୍ଥିତ । ବଉଳମାଳା ପ୍ରସ୍ତରରେ ଏହା ନିର୍ମିତ । ଏହା ପୂର୍ବ ଦିଗକୁ ମୁହଁ କରି ରହିଛି । ଏହାର ଦୈର୍ଘ୍ୟ ଓ ପ୍ରସ୍ଥ ପ୍ରାୟ ୭୫ ଫୁଟ ହେବ । ମଣ୍ଡପ ଉପରକୁ ଯିବା ପାଇଁ ଦକ୍ଷିଣ ଓ ଉତ୍ତର ଉଭୟ ପାଶ୍ୱର୍ରେ ପଥର ପାହାଚମାନ ରହିଛି । ମଣ୍ଡପରେ ଏକ ସିଂହାସନ ଓ ତିନି ବିଗ୍ରହ ବସିବା ପାଇଁ ବଡ଼ ପିଣ୍ଡିମାନ ନିର୍ମାଣ କରାଯାଇଛି । ତିନିଟି ପିଣ୍ଡି ମଧ୍ୟରୁ ଜଗନ୍ନାଥଙ୍କ ପିଣ୍ଡିର ବ୍ୟାସର୍ଦ୍ଧ ୩ ଫୁଟ ଓ ଉଚ୍ଚତା ୯ ଇଞ୍ଚ, ଦେବୀ ସୁଭଦ୍ରାଙ୍କ ପିଣ୍ଡିର ବ୍ୟାସାର୍ଦ୍ଧ ୨ ଫୁଟ ଓ ଉଚ୍ଚତା ୧୧ ଇଞ୍ଚ, ଏବଂ ବଳଭଦ୍ରଙ୍କ ପିଣ୍ଡିର ବ୍ୟାସାର୍ଦ୍ଧ ୨ ଫୁଟ ୪ ଇଞ୍ଚ ଓ ଉଚ୍ଚତା ୮ ଇଞ୍ଚ । ଏହା ଏକ ବର୍ଗାକାର କ୍ଷେତ୍ର ସଦୃଶ ଓ ମେଘନାଦ ପାଚେରିଠାରୁ ପ୍ରାୟ ୧୦ ଫୁଟ ବ୍ୟବଧାନରେ ଅବସ୍ଥିତ । ବିଶେଷକରି ଏହା ଅତି ଉଚ୍ଚରେ ନିର୍ମିତ ହେତୁ ସିଂହଦ୍ୱାରର ଯେକୌଣସି ସ୍ଥାନରେ ଛିଡ଼ା ହେଲେ ମଧ୍ୟ ସ୍ନାନ ମଣ୍ଡପରେ ବିରାଜମାନ କରିଥିବା ଠାକୁରଙ୍କୁ ଦେଖାହୁଏ ।

ଜନଶ୍ରୁତି ଅନୁଯାୟୀ ସେତେବେଳେ ଭାରତବର୍ଷର ସବୁ ତୀର୍ଥରୁ ଏକ ସୁବର୍ଣ୍ଣ ପାତ୍ରରେ ଜଳ ସଂଗୃହୀତ ହୋଇ ଆସିବା ପରେ ସେଥିରେ ଠାକୁରଙ୍କୁ ସ୍ନାନ କରାଯାଉଥିଲା । କାଳକ୍ରମେ ପ୍ରତିବର୍ଷ ସବୁ ତୀର୍ଥରୁ ଜଳ ଆଣିବା ସମୟ ସାପେକ୍ଷ, କଷ୍ଟସାଧ୍ୟ, ପ୍ରାକୃତିକ ଦୈବି ଦୁର୍ବିପାକ ଜନିତ ନାନାବିଧ ସମସ୍ୟା ଦ୍ୱାରା ସମ୍ଭବ ନହେବାରୁ ସେ ସମସ୍ତ ଜଳକୁ ସୁବର୍ଣ୍ଣ ପାତ୍ରରେ ରଖି ଶ୍ରୀମନ୍ଦିର ବାହାର ବେଢ଼ାରେ ଥିବା ଶୀତଳାଦେବୀଙ୍କ ସମ୍ମୁଖ ଭାଗସ୍ଥ କୂଅରେ ବୁଡ଼ାଇ ରଖାଯାଇଥିଲା । ସବୁ ତୀର୍ଥର ଜଳ ଏହି କୂଅରେ ଥିବାରୁ ଏହାକୁ ସୁନାକୂଅ ବୋଲି କୁହାଯାଇଥାଏ କିନ୍ତୁ ଏହା ସୁନାରେ ତିଆରି କୂଅ ନୁହେଁ । ଏହି କୂଅର ପାଣିକୁ ବର୍ଷ ସାରା କେହି ବ୍ୟବହାର କରନ୍ତି ନାହିଁ । ଏହାକୁ ଘୋଡ଼ଣି ଦ୍ୱାରା ବନ୍ଦ କରାଯାଇଥାଏ । କେବଳ ସ୍ନାନ ପୂର୍ଣ୍ଣମୀ ପୂର୍ବଦିନ କୂଅର ସଂସ୍କାର କରାଯାଇ କୂଅର ଘୋଡ଼ଣି ଖୋଲାଯାଇ ପାଣି ସଂଗ୍ରହ କରାଯାଏ । ପାତାଳ ସମ୍ଭୁତା ମା’ ଶୀତଳା ଠାକୁରାଣୀ ହେଉଛନ୍ତି ସୁନା କୂଅର ଅଧିଷ୍ଠାତ୍ରୀ ଦେବୀ । ଏହି କୂଅର ପ୍ରତିଷ୍ଠା କାଳ ପ୍ରାୟ ଶ୍ରୀ ଜଗନ୍ନାଥଙ୍କ ସମସାମୟିକ । ମା’ ଶୀତଳା ଓ ମା’ଙ୍କ ସିଂହ ମଧ୍ୟରେ ଏହା ୩୫୫ ଓ ୨୮୪ ପ୍ଲଟରେ ଅବସ୍ଥିତ ।ଏହି କୂଅକୁ ଅନଙ୍ଗ ଭୀମଦେବ ଖୋଳାଇଥିଲେ । ଗଙ୍ଗବଂଶୀ ରାଜା ଚୋଡ଼ଗଙ୍ଗ ଦେବ ବହୁ ରାଜ୍ୟ ଜୟକରି ଏହି କୂଅରେ ବହୁ ଧନରତ୍ନ ଓ ସୁନା ସଂଗ୍ରହ କରି ରଖିଥିଲେ । ତେଣୁ ଏହାକୁ ବି ସୁନା କୂଅ କୁହାଯାଏ ବୋଲି କିମ୍ବଦନ୍ତୀ ପ୍ରଚଳିତ ।

ସୁନା ଗୋସେଇଁ ଓ ମୁଦିରଥ ୧୦୮ଟି ନୂଆ ଗରାରେ ଜଳ ଆଣି ଭୋଗ ମଣ୍ଡପରେ ରଖାଇଥାଆନ୍ତି । ଠାକୁରମାନଙ୍କୁ ପହୁଡ଼ ନକରି ସେ ଦିନ ଶ୍ରୀ ମୁଖରେ ଖଣ୍ଡୁଆ ପକାଯାଏ । ରତ୍ନ ସିଂହାସନରୁ ଏକ ସିଡ଼ି କୋଠ ସୁଆଁସିମାନେ ବାନ୍ଧନ୍ତି । ସ୍ନାନ ମଣ୍ଡପଟି ଚାନ୍ଦୁଆ, ଓଢ଼ଣୀ, ନାନରଙ୍ଗର ଫୁଲ ଓ ଆଲୋକ ପ୍ରଭୃତିରେ ସୁସଜ୍ଜିତ କରାଯାଇଥାଏ । ଏହି ଦିନ ସକାଳୁ ପୂଜା ପଣ୍ଡା ଓ ଅନ୍ୟାନ୍ୟ ସେବାୟତମାନେ ମଙ୍ଗଳାର୍ପଣ କରନ୍ତି । ଦଇତାପତିମାନେ ଠାକୁରମାନଙ୍କ ଅଙ୍ଗରେ ଡୋରି ବାନ୍ଧନ୍ତି । ଘଣ୍ଟା କାହାଳୀ ଓ ବାଜଣା ଭିତରେ ତିନି ଠାକୁର ଧାଡ଼ି ପହଣ୍ଡି କରି ସ୍ନାନ ମଣ୍ଡପରେ ଉଭା ହୁଅନ୍ତି । ସ୍ନାନ ବେଦୀକୁ ପ୍ରଥମେ ସୁଦର୍ଶନ ତାପରେ ବଳଭଦ୍ର, ସୁଭଦ୍ରା, ଜଗନ୍ନାଥ ଓ ଶେଷରେ ମଦନମୋହନ ଯାଆନ୍ତି । ତା’ପରେ ସେଠାରେ ଦୈନିକ ରୀତି ଉପଚାର ଆରମ୍ଭ ହୁଏ । ପହଣ୍ଡି ବେଳେ କ୍ଳାନ୍ତ ହୋଇ ପଡ଼ିଥିବା ଯୋଗୁଁ ଠାକୁରମାନଙ୍କ ‘ଶ୍ରୀ ଅଙ୍ଗପୋଛା’ କରାଯାଏ । ତା’ପରେ ଗରାବଡ଼ୁ ସେବକମାନେ ଅଧିବାସ ସ୍ଥାନରୁ ଜଳ ବୋହି ଆଣନ୍ତି ଓ ମୁହଁରେ ବାଘମୁହାଁ ବାନ୍ଧନ୍ତି । ସେହି ଜଳରେ ପୂର୍ବରୁ ଚୁଆ, କେଶର, ଚନ୍ଦନ ଓ କର୍ପୂରାଦି ମିଶାଇ ସୁବାସିତ କରାଯାଇଥାଏ । ସାନ୍ନ ମଣ୍ଡପକୁ ଜଳ ନେବା ପରେ ପରମ୍ପରାନୁଯାୟୀ ପ୍ରଥମେ ପୂଜା କରାଯାଇଥାଏ । ସେଥିପାଇଁ ୧୦୮ ଗରା ଜଳକୁ ଚାରି ପନ୍ତିରେ ବଢ଼ାଯାଏ । ପରେ ପୂଜାପଣ୍ଡାମାନେ ଜଳକୁ ପୂଜା କରନ୍ତି । ଏହାପରେ ଶ୍ରୀ ଜୀଉଙ୍କ ସ୍ନାନପାଇଁ ଜଳ ଯାଇଥାଏ । ଏହି ଜଳ ମଧ୍ୟରୁ ବଡ଼ ଠାକୁର ୩୩ ଗରା ଜଳରେ ସ୍ନାନ କରୁଥିବା ବେଳେ ଦେବୀ ସୁଭଦ୍ରା ୨୨ ଗରା ଓ ମହାପ୍ରଭୁ ଜଗନ୍ନାଥ ୩୫ ଗରା ଜଳରେ ଓ ଶ୍ରୀ ସୁଦର୍ଶନ ଦେବ ୧୮ ଗରା ଜଳରେ ସ୍ନାନ କରିବାର ପରମ୍ପରା ରହିଛି । ଏତଦ୍‌ବ୍ୟତୀତ ସ୍ନାନ ନିମନ୍ତେ ପ୍ରତ୍ୟେକ ଠାକୁରଙ୍କ ସମ୍ମୁଖରେ କଂସାରେ ନିର୍ମିତ ଦର୍ପଣ ପିଢ଼ା ଉପରେ ଏପରି ଭାବରେ ରଖାଯାଇଥାଏ ଯେ ଯେପରି ଠାକୁରମାନଙ୍କ ପ୍ରତିଛବି ଉକ୍ତ ଦର୍ପଣ ମାନଙ୍କରେ ପ୍ରତିବିମ୍ବିତ ହେଉଥିବ । ତତ୍ପରେ ପୂଜକମାନେ ଦର୍ପଣରେ ପ୍ରତିବିମ୍ବିତ ମୂର୍ତ୍ତିକୁ ସମୁଦ୍ର ଜ୍ୟେଷ୍ଠା ମନ୍ତ୍ର ଓ ବୈଦିକ ପୁରୁଷ ସୂତ୍ର ମନ୍ତ୍ର ପାଠକରି ସ୍ନାନ କରାଇଥାଆନ୍ତି । ତଳୁଛ ମହାପାତ୍ର ଓ ସିଂହାରିମାନଙ୍କ ଦ୍ୱାରା ମହାପ୍ରଭୁଙ୍କର ଏହି ସ୍ନାନ ନୀତି ସମ୍ପାଦିତ ହୋଇଥାଏ ।

ସ୍ନାନ ସରିଲେ ହାତୀ ବେଶର ଉପକରଣମାନ ଅଣାଯାଇ ଶ୍ରୀ ଜଗନ୍ନାଥଙ୍କୁ ହସ୍ତୀ ରୂପରେ ସଜ୍ଜିତ କରାଯାଏ । ଶାସ୍ତ୍ରୀୟ ମତରେ କୌଣସି ଅନୁଷ୍ଠାନ ବା ପୂଜାର୍ଚ୍ଚନାକଲେ ପ୍ରଥମେ ଗଣପତିଙ୍କୁ ଶ୍ରେଷ୍ଠତ୍ୱ ଦିଆଯାଇ ଆଦ୍ୟ ପୂଜା କରାଯାଇଥାଏ । ଠିକ୍ ସେହିଭଳି ପ୍ରଥମ ଯାତ୍ରାରେ ଶ୍ରୀ ଜୀଉଙ୍କ ପ୍ରଥମ ବେଶ ଭାବେ ଗଜାନନ ବେଶକୁ ଜଗତ ମଙ୍ଗଳ ନିମିତ୍ତ କରାଯାଇଥାଏ । ଏତଦ୍‌ବ୍ୟତୀତ ଦାରୁ ବ୍ରହ୍ମଙ୍କଠାରେ ଗଜାନନ ରୂପ ଦେଖିବାକୁ ସୁଦୂର କର୍ଣ୍ଣାଟକରୁ ଆସିଥିବା ଭକ୍ତ ଓ ସାଧକ ଗଣପତି ଭଟ୍ଟଙ୍କ ମନବାଞ୍ଛା ପୂର୍ଣ୍ଣ ନିମନ୍ତେ ନୀଳାଚଳ ପତି ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ନାନ ପୂର୍ଣ୍ଣମାରେ ଏହି ଗଣପତି ବା ହାତୀବେଶ ଧାରଣକରି ଆସୁଥିବା ଜଣାଯାଏ । ଏହି ଦିନ ‘ଘଣ୍ଟ ଛତା ଭୋଗ’ ଲାଗି କରାଯାଏ । ଏହା ଅତ୍ୟନ୍ତ ଦୁର୍ଲ୍ଲଭ । ସୂପକାରମାନେ ଭୋଗ ନେଇ ଏହି ମଣ୍ଡପ ଉପରକୁ ଗଲାବେଳେ ଅତ୍ୟନ୍ତ ମନୋରମ ଲାଗେ । ଭୋଗ ନେଇ ଯିବା ପୂର୍ବରୁ ରାସ୍ତା ସଫା କରିବା ସଙ୍ଗେ ପବିତ୍ରକରଣ ନିମନ୍ତେ ଚୂନପାଣି ପକାଇଥାନ୍ତି । ଘଣ୍ଟୁଆ, ବଜନ୍ତରୀ ବାଦ୍ୟ ବଜାନ୍ତି । ପ୍ରଥା ଓ ପରମ୍ପରା ଅନୁଯାୟୀ କେବଳ ଏହି ଦିନ ବ୍ରତ ହୋଇଥିବା ସୂପକାରମାନେ ରୋଷଘରୁ ଅମୋଣିହା ଭୋଗ ଦ୍ରବ୍ୟ ବୋହି ସ୍ନାନ ମଣ୍ଡପ ଉପରକୁ ଆଣିବା ପରେ ରୋଷଘରେ ରନ୍ଧନ ଓ ରତ୍ନ ସିଂହାସନ ତଥା ଭୋଗ ମଣ୍ଡପକୁ ଭୋଗ ବୋହି ପନ୍ତିରେ ତୋଳିବାର ଅଧିକାର ପାଇଥାନ୍ତି । ଏମାନଙ୍କର ଶାଢ଼ି ବନ୍ଧା ବିଧି ନଥିବାରୁ ପରମ୍ପରାନୁଯାୟୀ ସ୍ନାନ ପୂର୍ଣ୍ଣିାମାରେ ଛେକ ଆଣିଲେ ବର୍ଷଯାକ ଭିତରେ ତୋଳିବାର ଅଧିକାର ପ୍ରାପ୍ତ ହୋଇଥାନ୍ତି ।

ଭୋଗ ନିମନ୍ତେ ଅନେକ ପ୍ରକାରର ଦେବ ଦୁର୍ଲ୍ଲଭ ପଦାର୍ଥ ପ୍ରସ୍ତୁତ ହୋଇଥାଏ । ସ୍ନାନ ବେଦିର ଚାରିପଟେ ସର୍ବସାଧାରଣଙ୍କ ସମ୍ମୁଖରେ ଏହି ଦିନ ଭୋଗ ଲାଗି ହୋଇଥାଏ । ଏହି ଭୋଗ ଏପରି ଭାବରେ ବଢ଼ା ଯାଇଥାଏ ଯେ ଏହାର ବିଶେଷତ୍ୱ ହେଉଛି ହାତୀଟିଏ ତା’ର ଶୁଣ୍ଢ ପ୍ରସାର କରି ଚାରି ଆଡ଼ୁ ଭୋଗ ନେଇ ଯେପରି ଅନାୟାସରେ ଖାଇପାରିବ । ଭୋଗ ସ୍ନାନ ବେଦିକୁ ଆସିଗଲେ ଠାକୁରଙ୍କ ବାଡ଼ରେ ପ୍ରସାଦ ଲାଗି ବଢି ଦୈନିକ ସକାଳ ଧୂପ ବିଧିରେ ଷୋଡ଼ଶ ଉପଚାର ପୂଜା କାର୍ଯ୍ୟ ସମାପ୍ତ ହୋଇଥାଏ ଓ ପାଣି ପଡ଼ିବାପରେ ତିନି ବାଡ଼ରେ ବନ୍ଦାପନା ସରି ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ସ୍ନାନ ବେଦୀ ଖୋଲା ରହେ । ଏହାକୁ ସାହାଣ ମେଲା ଦର୍ଶନ କୁହାଯାଇଥାଏ । ରାତି ପ୍ରାୟ ଏଗାରଟା ବେଳକୁ ଠାକୁର ମାନଙ୍କର ମଇଲମ ବଢି ପୁଷ୍ପାଞ୍ଜଳି ପରେ ଡୋର ଲାଗି ହୋଇଥାଏ । ବିଜେ ସମୟ ଜାଣି ବିଜେ କାହାଳି ବାଜିଲେ ପହଣ୍ଡି ଆରମ୍ଭ ହୁଏ । ଏହି ଫେରିବାର ପହଣ୍ଡିକୁ ଗୋଟି ପହଣ୍ଡି କୁହାଯାଏ । ଠାକୁର ଗୋଟି ପହଣ୍ଡି ମାଧ୍ୟମରେ ଅଣସର ଘରକୁ ପ୍ରତ୍ୟାବର୍ତ୍ତନ କରନ୍ତି । ପହଣ୍ଡି ସମୟର ମଣିମା ଡାକ ସାଙ୍ଗକୁ ଆଲଟ, ଚାମର, ଛତି, ତ୍ରାସ, ମଶାଲ, ଦିହୁଡ଼ି, ଘଣ୍ଟ, ମାଦଳାଦିର ଅପୂର୍ବ ସମାରୋହରେ ଭକ୍ତମାନେ ଭାବବିହ୍ୱଳ ହୋଇଥାନ୍ତି । ନାନା ପ୍ରକାର ବାଣର ରୋଶଣି ଆହୁରି ଚିତାକର୍ଷକ କରିଥାଏ । ପହଣ୍ଡି ସମୟରେ ସ୍ନାନ ବେଦି ପାହାଚ, ଶୁଆଶାରୀ ଦେଉଳ ଓ ଗରୁଡ଼ସ୍ତମ୍ଭଠାରେ ଠାକୁରମାନଙ୍କୁ ମାଳ ଚୂଳ ଲାଗି କରି ବନ୍ଦାପନା କରାଯାଇଥାଏ ।

ପ୍ରତିବର୍ଷ ରାଘବ ଦାସ ମଠରୁ ଶ୍ରୀ ଜଗନ୍ନାଥ ଓ ମା’ ସୁଭଦ୍ରାଙ୍କ ହାତୀବେଶ ପାଇଁ ପୋଷାକ ଆସିଥାଏ । ବଡ଼ଠାକୁର ଶ୍ରୀ ବଳଭଦ୍ରଙ୍କ ବେଶ ପାଇଁ ଗୋପାଳ ତୀର୍ଥ ମଠ ବେଶ ପଠାଏ । ଲେଙ୍କା ଓ ପାଇକମାନେ ବାଦ୍ୟ ବଜାଇ ଶ୍ରୀ ବଳଭଦ୍ରଙ୍କ ବେଶ ଆଣିବା ପାଇଁ ଯାଆନ୍ତି । ଠିକ୍ ଜଳଲାଗି ସରିଲା ପରେ ପରେ ଉପରୋକ୍ତ ମଠ ଦ୍ୱୟରୁ ଶ୍ରୀ ଜୀଉମାନଙ୍କର ବେଶ ଆସି ପହଞ୍ଚି ଯାଇଥାଏ । ଠାକୁର ବେଶ ଧାରଣ କରିବା ପରେ ପରେ ମଠ ମହନ୍ତଙ୍କୁ ସମ୍ମାନ ସ୍ୱରୂପ ଭିତରଛୁ ମହାପାତ୍ର ମୁଣ୍ଡରେ ଶାଢ଼ି ଓ ଭଣ୍ଡାର ମେକାପ କପାଳରେ ଚନ୍ଦନ ଲଗାଇ ଦିଅନ୍ତି । ଠାକୁର ସ୍ନାନ ମଣ୍ଡପକୁ ଆସିବା ସମୟରେ ଓ ଅଣସର ପିଣ୍ଡିକୁ ପହଣ୍ଡି ହେବା ସମୟରେ ଯେଉଁ ଦୁବ ଟାହିଆ ଆବଶ୍ୟକ ହୋଇଥାଏ ତାହା ମଧ୍ୟ ରାଘବ ଦାସ ମଠରୁ ଆସିଥାଏ ।

ଆଧ୍ୟାତ୍ମିକ ଦୃଷ୍ଟିରୁ ଠାକୁରଙ୍କର ସ୍ନାନ ଯାତ୍ରା ହେଉଛି ବାସ୍ତବରେ ଗୁରୁତ୍ୱପୂର୍ଣ୍ଣ । ଗଜପତି ମହାରାଜା ସ୍ନାନ ମଣ୍ଡପରେ ଛେରା ପହଁରା କରିବା ସାଙ୍ଗକୁ ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ସ୍ନାନବେଦୀ ଓ ବଡ଼ଦାଣ୍ଡ ଉତ୍ସବ ମୁଖର ହୋଇଉଠେ । ଓଡ଼ିଆ ପ୍ରାଣ ସର୍ବସ୍ୱ, ହୃଦୟର ଠାକୁର, ସାମ୍ପ୍ରଦାୟିକ ସଦ୍ଭାବ ଓ ସର୍ବଧର୍ମ ସମନ୍ୱୟର ମୂର୍ତ୍ତିମନ୍ତ ପ୍ରତୀକ ମହାପ୍ରଭୁ ଜଗନ୍ନାଥଙ୍କ ସ୍ନାନ କାଳୀନ ଦୃଶ୍ୟ ଦେଖି ଭକ୍ତଗଣ ନିଜକୁ ଧନ୍ୟ ମନେକରନ୍ତି । ଏହା ଆବିର୍ଭାବ ଦିବସ ହୋଇଥିବାରୁ ଭକ୍ତ ନିଜ ହୃଦୟର ଆରାଧ୍ୟଙ୍କ ସାନ୍ନିଧ୍ୟ ଲାଭକରି ଜନ୍ମ ଦିନର ଶୁଭେଚ୍ଛା ଓ ଭକ୍ତି ନିବେଦନ କରିବାକୁ ପରମ ସୌଭାଗ୍ୟ ମନେକରେ । ତେଣୁ ଯଥାର୍ଥରେ କୁହାଯାଇଛି-

“ଜଗତ୍ପତେସ୍ତସ୍ୟ ମହୋତ୍ସବପ୍ରଦେ
ସଦା ତ୍ରିଲୋକୀଜନ ଚେତସାଂ ଚ ଯେ
କୁର୍ବନ୍ତି ଭକ୍ତିଂ ପରମାଂ ଭବାର୍ଣ୍ଣିକା
ସ୍ନାନୋତ୍ସବେତେ ତରସା ବିମୁକ୍ତକାଃ ॥”

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu