ଯୋଡ଼ା ଛଡ଼ା ଲିଖନ ଧାରା
ଯୋଡ଼ା ଛଡ଼ା ଲିଖନ ଧାରା

ଯୋଡ଼ା ଛଡ଼ା ଲିଖନ ଧାରା

ପ୍ରତିଦିନ କିଛିକିଛି ଲେଖିବାବେଳେ କେଉଁଠି ଯୋଡ଼ିକି ବା ଛାଡ଼ିକି ଲେଖାଯିବ; ସେଥିପାଇଁ କେହିକେହି ଅଡ଼ୁଆରେ ପଡ଼ନ୍ତି ! ଯଥା: ଏକ ବାକ୍ୟରେ ‘ପପୁର’, ବା ‘ପପୁକୁ’ ଆଦି ଲେଖିବାକୁ ଥିଲେ; ବିଭକ୍ତି ପ୍ରତ୍ୟୟ ଚିହ୍ନ ‘ର’ ଓ ‘କୁ’ ଯୋଡ଼ିକି ଲେଖାଯାଏ; କିନ୍ତୁ ‘ଠାରୁ’, ‘ଦ୍ୱାରା’ ବେଳକୁ ସାଧାରଣତଃ ଛାଡ଼ିକି ‘ପପୁ ଠାରୁ’, ‘ପପୁ ଦ୍ୱାରା’ ଲେଖା ହେଉଥିବାର ଦୃଷ୍ଟିଗୋଚର ହୁଏ । ପ୍ରକୃତରେ, ଓଡ଼ିଆ ଭାଷାର ଲିଖନ ପ୍ରଥା ବା ପରମ୍ପରାରେ ବିଶେଷ କରି ମୁଦ୍ରିତ ସାମଗ୍ରୀରେ ବିଭକ୍ତି ପ୍ରତ୍ୟୟ ଚିହ୍ନଗୁଡ଼ିକ ଶବ୍ଦ ସହ ଯୋଡ଼ିକି ଲେଖିବାର ଧାରା ରହିଛି । ତେଣୁ, ‘ଠାରୁ’, ‘ଦ୍ୱାରା’ ଆଦି ଅବଶିଷ୍ଟ ବିଭକ୍ତି ପ୍ରତ୍ୟୟ ଚିହ୍ନଗୁଡ଼ିକୁ ଶବ୍ଦ ବା ପଦ ସହିତ ଯୋଡ଼ିକି ଲେଖାହେବା କଥା । ସେହିପରି, ଏକକାଳୀନ ଦୁଇଟି ବିଭକ୍ତି ପ୍ରତ୍ୟୟ ଚିହ୍ନକୁ ବି ଗୋଟିଏ ଶବ୍ଦ ସହ ଯୋଡ଼ିକି ଲେଖାଯାଇପାରେ । ଯଥା: ଲୋକଙ୍କଦ୍ୱାରା । ଏହି ଶବ୍ଦରେ ଦୁଇଟି ବିଭକ୍ତି ପ୍ରତ୍ୟୟ ଚିହ୍ନ ଥିଲେ ବି; ସାମଗ୍ରିକଭାବେ ଏହାକୁ ତୃତୀୟା ବିଭକ୍ତି ବୋଲି ବୁଝିବାକୁ ହେବ । କାରଣ, ଏଠାରେ ‘ଙ୍କ’ ବିଭକ୍ତି ଚିହ୍ନ ସମ୍ମାନସୂଚକ ଅର୍ଥେ ବ୍ୟବହୃତ । ଏଥିରୁ ଜଣାଯାଏ ଯେ, ଯେଉଁ ଶବ୍ଦରେ ଦୁଇଟି ପ୍ରତ୍ୟୟ ଚିହ୍ନ ଲାଗେ, ସେଠାରେ ପ୍ରଥମଟି ସମ୍ମାନସୂଚକ ହୋଇଥାଏ ।

ସମାସ ଆଧାରରେ ବି ଏକାଧିକ ଶବ୍ଦ ଯୋଡ଼ିକି ଲେଖାଯାଏ । ଯଥା: ମୁକ୍ତର ଭାବ = ମୁକ୍ତଭାବ; ସେହିପରି ‘ରାସ୍ତାଘାଟ’, ‘ଖିଆପିଆ’ ‘ଆବାଳବୃଦ୍ଧବନିତା’ ଇତ୍ୟାଦି । ସେମିତି ବହୁବଚନ ବା ସମୂହବାଚକ ଅର୍ଥରେ ସମାସ ହେତୁ ଯୋଡ଼ିକି ଲେଖାଯାଏ । ଯଥା: ‘ଚାଉଳତକ’, ‘ବନ୍ଧୁଗଣ’ ଇତ୍ୟାଦି । କେତେକ କ୍ଷେତ୍ରରେ ସମାସ ହେତୁ ଶବ୍ଦରେ ହାଇଫେନ୍ (-) ଥିଲେ; ତାହାକୁ ଯୋଡ଼ା କୁହାଯାଇପାରିବ । ଯଥା: ‘ନିମନ୍ତ୍ରଣ-ପତ୍ର’, ‘ପତ୍ର-ପତ୍ରିକା’ ଇତ୍ୟାଦି । ତେବେ, ଏପରି ଶବ୍ଦଗୁଡ଼ିକରେ ଲୋକେ ହାଇଫେନ୍ ଦେବା ପ୍ରାୟ କମେଇ ଦେଲେଣି; କିନ୍ତୁ ହାଇଫେନ୍ ନ ଦେଲେ ଏହା ଯୋଡ଼ିକି ଲେଖାହେବା କଥା । ସେହିପରି ସମାସ ଯୋଗୁଁ ‘ସ୍ଥିତ’, ‘ରତ’, ‘ପ୍ରାପ୍ତ’ ଇତ୍ୟାଦି ଯୋଡ଼ିକି ଲେଖାଯାଏ । ଯଥା: ବୋରିକିନାସ୍ଥିତ, ଗବେଷଣାରତ, ପୁରସ୍କାରପ୍ରାପ୍ତ ଇତ୍ୟାଦି ।

ସେହିପରି ‘ନିଜ’ ଅର୍ଥବାଚକ ‘ସ୍ୱ’ ଛାଡ଼ିକି ଲେଖାଯାଏ । ଯଥା: ‘ସ୍ୱ ରଚିତ କବିତା’; ‘ସ୍ୱ ସ୍ୱ କ୍ଷେତ୍ର’ରେ ସେମାନେ ପ୍ରତିଷ୍ଠିତ । ଏଠାରେ ‘ସ୍ୱ’ ଏକ ଅର୍ଥଯୁକ୍ତ ଏକକ ବା ରୂପିମ । କିନ୍ତୁ ‘ସ୍ୱର’ରେ ‘ସ୍ୱ’ ଅର୍ଥ ‘ନିଜ’ ମନେକରି କେହି ଯେମିତି ‘ସ୍ୱର’ର ଅର୍ଥ ‘ନିଜର’ ନ କରନ୍ତି ! ଅଧିକାଂଶ, ‘ସ୍ୱ ରଚିତ’କୁ ସମାସ ଯୋଗୁଁ ସଂଭବତ ଯୋଡ଼ିକି (ଯଥା- ସ୍ୱରଚିତ) ଲେଖିଥାଆନ୍ତି; କିନ୍ତୁ ‘ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ’ରେ ‘ସ୍ୱ ରଚିତ’ ସହିତ ‘ସ୍ୱ ଚକ୍ଷୁ’ ଓ ‘ସ୍ୱ କର୍ମ’ ଆଦି କେତେକ ଶବ୍ଦ ଛାଡ଼ିଛାଡ଼ି ଲେଖାଯାଇଛି । ତେବେ କେଉଁ ଯୁକ୍ତି ବା ନିୟମ ଆଧାରରେ ‘ଗୋପାଳନ’ ଶବ୍ଦକୁ ଭାଷାକୋଷ ସଂକଳକ ଯୋଡ଼ିକି ଲେଖିଲେ ତାହା ବୁଝିହେଉନି ! ଯେତେଦୂର ମନେହୁଏ, ସଂକଳକ ସଂଭବତଃ ‘ଗୋପାଳନ’କୁ ସମାସ ଆଧାରରେ ଲେଖିଛନ୍ତି; କିନ୍ତୁ ‘ସ୍ୱ ରଚିତ’କୁ ସମାସ ଆଧାରରେ ଲେଖିନାହାନ୍ତି । ତେବେ, ସନ୍ଧି ନ କରି କେତେକ ଶବ୍ଦକୁ ଛାଡ଼ିକି ଲେଖାଯାଏ । ଯଥା- ‘ସ୍ୱାସ୍ଥ୍ୟାବସ୍ଥା’ ଶବ୍ଦକୁ ସନ୍ଧି ନ କରି ଛାଡ଼ିଛାଡ଼ି ମଧ୍ୟ ‘ସ୍ୱାସ୍ଥ୍ୟ ଅବସ୍ଥା’ ଭାବେ ଲେଖାଯାଇପାରେ । କିନ୍ତୁ ସନ୍ଧିରେ ଶବ୍ଦର ରୂପରେ ପରିବର୍ତ୍ତନ ହେତୁ ସନ୍ଧିଯୁକ୍ତ ଶବ୍ଦକୁ ଯୋଡ଼ା କୁହାଯାଏ ନାହିଁ ।

ସେହିପରି ‘ଅ’, ‘ଅଣ’, ‘ଅନୁ’, ‘ବେ’, ଆଦି ଉପସର୍ଗ, ଶବ୍ଦ ସହ ଯୋଡ଼ିକି ଲେଖାଯାଏ । ଯଥା: ‘ଅପ୍ରସନ୍ନ’, ‘ଅଣକଂଗ୍ରେସ’, ‘ଅନୁଶାସନ’, ‘ବେହିସାବି’ ଇତ୍ୟାଦି । ପୁଣି, ଗୋଟିଏ ଶବ୍ଦ ଲାଗଲାଗ୍ ଉଚ୍ଚାରିତ (ଦ୍ୱିରାବୃତ୍ତି ବା redupl।cat।on) ହେଉଥିଲେ; ତାହା ବି ଯୋଡ଼ିକି ଲେଖାଯାଏ । ଯଥା: ଖିଲିଖିଲି, ହସହସ, ଦଳଦଳ । ସେହିପରି, ଅନୁରଣନ ଶବ୍ଦ (echo word) ଯଥା: ଘରଫର, ବହିଫହି, ରାସ୍ତାଫାସ୍ତା ଆଦି ଯୋଡ଼ିକି ଲେଖାଯାଏ ।

ଗୋଟିଏ ବାକ୍ୟରେ ଲାଗଲାଗ୍ ଏକାଧିକ ଅସମାପିକା କ୍ରିୟା ଥିଲେ; ସେଗୁଡ଼ିକୁ ଛାଡ଼ିଛାଡ଼ି ଲେଖାଯାଏ । ଯଥା- ପପୁ ଗାଧୋଇ ଖାଇ ଏବେ ହାଟକୁ ଗଲା । ସେହିପରି ବାକ୍ୟରେ ଅସମାପିକା କ୍ରିୟାର ଠିକ୍ ପରବର୍ତ୍ତୀ ସହାୟକ କ୍ରିୟା ଯୋଡ଼ିକି ଲେଖାହୁଏ । ଯଥା- ‘ଦେଇଥିଲେ’ । ଏଠାରେ ‘ଦେଇ’ ଅସମାପିକା କ୍ରିୟା ଓ ‘ଥିଲେ’ ସହାୟକ କ୍ରିୟା । ତେଣୁ, ଏହି ଦୁଇଟି ଯୋଡ଼ିହେଲେ ଏହା ଗୋଟିଏ ସମାପିକା କ୍ରିୟା ହୁଏ । କିନ୍ତୁ ଅସମାପିକା କ୍ରିୟାର ଠିକ୍ ପରେ ସମାପିକା କ୍ରିୟା ଥିଲେ ଆବଶ୍ୟକସ୍ଥଳେ ଛାଡ଼ିକି ଲେଖାଯାଏ । ଯଥା: ପପୁ କଅଣ ନ ଖାଇ ଆସିବ! ସେହିପରି ଏକ ବାକ୍ୟରେ ଏକାଧିକ ଅସମାପିକା କ୍ରିୟା ଲାଗଲାଗ୍ ଥିଲେ, ଯଦି ସେସବୁ ଏକାଠି ହେଲେ ଏକ ଅର୍ଥ ଇଙ୍ଗିତର ସମ୍ଭାବନା ଥାଏ; ତେବେ ସେ କ୍ଷେତ୍ରରେ ତାହାକୁ ଯୋଡ଼ିକି ଲେଖାଯାଏ । ଯଥା: ଦିଆଯାଇପାରେ । ଏହାକୁ ଛାଡ଼ିଛାଡ଼ି ‘ଦିଆ ଯାଇ ପାରେ’/ ‘ଦିଆ ଯାଇପାରେ’/ ‘ଦିଆଯାଇ ପାରେ’ ଲେଖିବାର ଆବଶ୍ୟକ ନାହିଁ ।

ବାକ୍ୟରେ ଅବ୍ୟୟର ରୂପ ଅପରିବର୍ତ୍ତନୀୟ ହେତୁ ସେଗୁଡ଼ିକ ସର୍ବଦା ଶବ୍ଦଠାରୁ ଅଲଗା ରହେ । ସେଗୁଡ଼ିକ ‘ହିଁ’, ‘ବି’, ‘ବରଂ’ ଇତ୍ୟାଦି । ଯଥା- ପପୁ ହିଁ ସବୁ କହିପାରିବ । କିନ୍ତୁ ନାସ୍ତିବାଚକ ଶବ୍ଦ କ୍ଷେତ୍ରରେ ଟିକିଏ ଭାବିବାକୁ ହୁଏ । ନାସ୍ତିବାଚକ ଶବ୍ଦ ବାକ୍ୟର ପ୍ରକାର୍ଯ୍ୟ (funct।on) ଅନୁଯାୟୀ ଅବ୍ୟୟ, ବିଶେଷ୍ୟ ଓ କ୍ରିୟାପଦ ହୋଇଥାଏ । ବର୍ତ୍ତମାନ କାଳର ସମାପିକା କ୍ରିୟା ‘ଅଛ’ର ନାସ୍ତିବାଚକ ବିଭିନ୍ନ ରୂପ ‘ନାହଁ’, ‘ନାହୁଁ’, ‘ନାହିଁ’, ନାଇଁ, ‘ନାହାନ୍ତି’ ଆଦି ପୂର୍ବରୁ ବାକ୍ୟରେ ଅସମାପିକା କ୍ରିୟା ନ ଥିଲେ ଏଗୁଡ଼ିକୁ ଏକମାତ୍ର କ୍ରିୟା ଯୋଗୁଁ ଛାଡ଼ିକି ଲେଖାଯାଏ । ଯଥା: ତୁମେ ସେଠାରେ ‘ନାହଁ’? ସେହିପରି ‘ଅଟେ’ କ୍ରିୟାର ନାସ୍ତିବାଚକ କ୍ରିୟା ରୂପ ନୁହେଁ, ନୁହଁ, ନୋହୁଁ ଆଦି ଲେଖାଯାଏ । ପୁଣି ଉପରୋକ୍ତ ସମାପିକା କ୍ରିୟାଗୁଡ଼ିକର ଠିକ୍ ପୂର୍ବରୁ ଅସମାପିକା କ୍ରିୟା ଥିଲେ ଦୁହେଁ ମିଶି ସମାପିକା କ୍ରିୟା ହୁଏ । ଫଳରେ ଯୋଡ଼ିକି ଲେଖାଯାଏ । ଯଥା: ତମେ ସେଠାକୁ ଯାଇନାହଁ ? ଏଠାରେ ‘ଯାଇ’ ଅସମାପିକା କ୍ରିୟା ଓ ‘ନାହଁ’ ସହାୟକ କ୍ରିୟା । ତେଣୁ ଦୁଇଟିଯାକ ମିଶି ସମାପିକା କ୍ରିୟାର ରୂପ ହୋଇଛି । ସେହିପରି ‘ଖାଇନାହଁ’ର ‘ନାହଁ’ ବଦଳରେ ଯେଉଁଠି ‘ନ’ ଲେଖାଯାଏ ତାହା ବି ଯୋଡ଼ିକି ଲେଖାଯାଏ । ଯଥା: ଖାଇନ । ସେହିପରି ‘ଖାଇନି’, ‘ଖାଇନୁ’ ଇତ୍ୟାଦି । ଏଠାରେ ‘ନି’, ‘ନୁ’, ‘ନେ’ ଯଥାକ୍ରମେ,‘ନାହିଁ’, ‘ନାହୁଁ’ର ସଂରୂପ ବା ଉପରୂପ ।

ସେହିପରି ସମାପିକା କ୍ରିୟାର ଠିକ୍ ପରେ ‘ନାହଁ’, ‘ନାହୁଁ’, ‘ନାହିଁ’, ନାଇଁ ଆଦି ଥିଲେ ସେଠାରେ ତାହା ଅବ୍ୟୟ ହୁଏ । ଯଥା: ଆମେ ସେଠାକୁ ଗଲୁନାହୁଁ । ଏହାକୁ ଛାଡ଼ିକି ବା ଯୋଡ଼ିକି ଲେଖାଯାଇପାରେ । ତେବେ ସମାପିକା କ୍ରିୟାର ଠିକ୍ ପୂର୍ବରୁ ‘ନ’ ଥିଲେ ତାହାକୁ ଯୋଡ଼ିକି ବା ଛାଡ଼ିକି ଲେଖିଲେ କିଛି ଅସୁବିଧା ନାହିଁ । ଯଥା: ନଥିଲା= ନ ଥିଲା; କିନ୍ତୁ ‘ନ’ ଯଦି ଅସମାପିକା କ୍ରିୟାର ଠିକ୍ ପୂର୍ବରୁ ଥାଏ ତେବେ ତାହାକୁ ଟିକିଏ ଛାଡ଼ିକି ଲେଖାଯାଇପାରେ । ଯଥା: ନ ଖାଇ; କିନ୍ତୁ ଦୁଇ ତିନିଟି କ୍ରିୟା ମଝାମଝି ‘ନ’ ଥିଲେ ସେସବୁକୁ ଯୋଡ଼ିକି ଲେଖାଯାଇପାରେ । ଯଥା: ମୁଁ ସେତେବେଳକୁ କାମ ସାରିନଥାଏ । ଏହି ବାକ୍ୟରେ ‘ସାରି’ ଓ ‘ଥାଏ’କୁ ଏକାଠି ଲେଖିଲେ ଏକ ସମାପିକା କ୍ରିୟା ହୁଏ- ସାରିଥାଏ । କିନ୍ତୁ ଭିତରେ ଯଦି ‘ନ’ ଲେଖି ତିନିଟି ଶବ୍ଦକୁ ଛାଡ଼ିଛାଡ଼ି ବା ‘ସାରି ନଥାଏ’ ଭାବରେ ଲେଖାଯାଏ; ତେବେ ସହାୟକ କ୍ରିୟା ‘ଥାଏ’ ଅଲଗା ରହିବ । ଓଡ଼ିଆ ବାକ୍ୟର ଗଠନ ଦୃଷ୍ଟିରୁ ସହାୟକ କ୍ରିୟା ସର୍ବଦା ଅସମାପିକା କ୍ରିୟା ସହିତ ଥାଏ । ତେଣୁ ଅସମାପିକା କ୍ରିୟା ପରେ ‘ନ’ ରହିଲେ କିଛି ଯାଏଆସ୍ ନାହିଁ । ତେଣୁ ଯୋଡ଼ିକି ଲେଖିବା ଯୁକ୍ତି ଗ୍ରହଣୀୟ ମନେହୁଏ । ସେହିପରି ଅସମାପିକା କ୍ରିୟା ପରେ ‘କରି’ ବା ‘କି’ ଲେଖିବାକୁ ଥିଲେ; ତାହା ଯୋଡ଼ିକି ଲେଖାଯାଏ । ଯଥା: ହାତ ଯୋଡ଼ିକରି/ଯୋଡ଼ିକି ନମସ୍କାର କର । କାରଣ, ଏହି ଦୁଇ ଅସମାପିକା କ୍ରିୟା ପରସ୍ପର ସଂପର୍କାନ୍ୱିତ ଏବଂ ‘କରି’ର ଅନ୍ୟରୂପ ବା ସଂରୂପ ‘କି’ ସର୍ବଦା ଇ/ଈ-କାରାନ୍ତ ଶବ୍ଦରେ ଲାଗିଥାଏ ।

ଓଡ଼ିଆ ଲିଖନ ପ୍ରଥା ବା ପରମ୍ପରାରେ ‘ଶ୍ରୀ’ ଶବ୍ଦ ଠାକୁର, ମହାପୁରୁଷ, ପବିତ୍ର ଧର୍ମଗ୍ରନ୍ଥ ବା ତୀର୍ଥସ୍ଥାନର ନାମ, ଏପରିକି ଠାକୁର ବା ମହାପୁରୁଷଙ୍କ ଅଙ୍ଗପ୍ରତ୍ୟଙ୍ଗ ନାମ ପୂର୍ବରୁ ଥିଲେ; ତାହା ଯୋଡ଼ିକି ଲେଖାଯାଏ । ଯଥା- ଶ୍ରୀଜଗନ୍ନାଥ, ଶ୍ରୀକୃଷ୍ଣ, ଶ୍ରୀଚୈତନ୍ୟ, ଶ୍ରୀମାଆ, ଶ୍ରୀରାମଚରିତମାନସ, ଶ୍ରୀକ୍ଷେତ୍ର, ଶ୍ରୀମୁଖ, ଶ୍ରୀହସ୍ତ, ଶ୍ରୀଚରଣ ପ୍ରଭୃତି । ତେବେ, ଠାକୁରଙ୍କ ନାମ ଯେତେବେଳେ ବ୍ୟକ୍ତି ନାମରେ ବ୍ୟବହୃତ ବା ଲିଖିତ ହୁଏ; ଅଧିକାଂଶସ୍ଥଳେ ‘ଶ୍ରୀ’ ଲାଗିକି ରହେ ନାହିଁ । ଯଥା: ଶ୍ରୀ ପିତାମ୍ବର ପ୍ରଧାନ ଓ ଶ୍ରୀ ନଟବର ଶତପଥୀ ପ୍ରଭୃତି । କେତେକସ୍ଥଳେ ଠାକୁରଙ୍କ ନାମ ଓ ଅଙ୍ଗ ନାମ, ବ୍ୟକ୍ତି ନାମରେ ବ୍ୟବହୃତ ହେଲେ ବି ‘ଶ୍ରୀ’ ଲାଗିକରି ଲେଖାହୁଏ । ଯଥା:ଶ୍ରୀକୃଷ୍ଣ ମହାପାତ୍ର, ଶ୍ରୀରାମ ଚନ୍ଦ୍ର ଦାଶ, ଶ୍ରୀଚରଣ ମହାନ୍ତି ପ୍ରଭୃତି । ତେବେ, ଏଥିରୁ ଜଣାଯାଏ ଯେ, ଶ୍ରୁତି ମଧୁର ହେତୁ କେତେକସ୍ଥଳେ ଠାକୁରଙ୍କ ନାମ ଓ ଅଙ୍ଗକୁ ବ୍ୟକ୍ତିନାମ ଭାବରେ ବ୍ୟବହାର କଲେ ‘ଶ୍ରୀ’ ଯୋଡ଼ିକି ଲେଖାଯାଏ ।

ଏକ ବାକ୍ୟରେ ବନ୍ଧନୀ ଭିତରେ ପାଠ ଥାଇ ପରେ ବିଭକ୍ତି ପ୍ରତ୍ୟୟ ବା ସମ୍ମାନବୋଧକ ଚିହ୍ନ ରହିଲେ; ତାହାକୁ ଛାଡ଼ିକି ନ ଲେଖିଲେ ଭଲ । ଯଥା: ରାଜନେତା ବିଜୟାନନ୍ଦ ପଟ୍ଟନାୟକ (ବିଜୁବାବୁ)ଙ୍କ ଉଚ୍ଚାଙ୍ଗ ବ୍ୟକ୍ତିତ୍ୱ ଥିଲା । ଏମିତି ନ ଲେଖି ବନ୍ଧନୀ ପରେ ଥିବା ‘ଙ୍କ’ ପ୍ରତ୍ୟୟ ଚିହ୍ନକୁ ବନ୍ଧନୀ ପୂର୍ବରୁ ‘ପଟ୍ଟନାୟକ’ ସହିତ ଯୋଡ଼ିକି ଲେଖିଲେ ପଢ଼ିବା ଓ ବୁଝିବା ସହଜ ହୁଏ ।

ତେବେ, ମନରେ ପ୍ରଶ୍ନ ଆସେ, ‘ପାଇଁ’ ଲେଖିବାବେଳେ ଛାଡ଼ିକି ନା ଯୋଡ଼ିକି ଲେଖିବୁ? ପ୍ରକୃତରେ ‘ପାଇଁ’ର ବ୍ୟାକରଣିକ ପରିଚୟ କଅଣ? ଏ ପ୍ରସଙ୍ଗ ଆଉ ଏକ ପ୍ରବନ୍ଧରେ ଆଲୋଚନା କରାଯିବ ।

କେନ୍ଦ୍ରୀ‌ୟ ଭାରତୀ‌ୟ ଭାଷା ସଂସ୍ଥାନ
ମାନସଗଂଗୋତ୍ରୀ, ମୈସୂରୁ
କର୍ନାଟକ-୫୭୦୦୦୬
ମୋବାଇଲ୍-୮୮୮୪୬୦୭୪୦୬
[email protected]
(ଏହା ପ୍ରଥମେ ‘ପୌରୁଷ’ ପତ୍ରିକାର ୨୦୧୫ ନଭେମ୍ବର ସଂଖ୍ୟାରେ ପ୍ରକାଶ ପାଇଥିଲା ।)

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu