ଭଣ୍ଡାରିଆରେ ସନ୍ଧ୍ୟା
ଭଣ୍ଡାରିଆରେ ସନ୍ଧ୍ୟା

ଭଣ୍ଡାରିଆରେ ସନ୍ଧ୍ୟା

ତୋଡ଼ି ରାମ୍ପେ
ଦଣ୍ଡିକିରି ଉବୁଟୁବୁ ହୁଏ
କେରାଣ୍ଡି ବା ଗଡ଼ିଶାଟେ
ଝୁଲେ ଏଇ ଆଦିବାସୀ ପିଲାର ବନଶୀରେ
ନିର୍ଗଳ ପାଣିର ସୁଅରେ
ଛାଞ୍ଚ ବସେ, ସୂର୍ଯ୍ୟ ଖସେ
ନିଘଞ୍ଚ ଏ ଶାଲବଣ ଧାରେ
କମ୍ର ଓ କୁଞ୍ଚିତ ବଣ
ଦୀର୍ଘ ଏକ ଶାଳର ତୋରଣ
ଏଥୁଁ ଖସେ ଅନାବନା ଭୂଇଁ
କପୋତିର ଶୀର୍ଣ୍ଣ ଡେଣା ଛୁଇଁ
ଘଞ୍ଚ କେଉଁ ବୁଦାର ଉତାଳେ
ପବନ କି ନୃତ୍ୟକରେ ଅତେଣ୍ଡି ଲତାରେ
ଆଉ କୁରେହିର ଫୁଲଙ୍କ ମେଳାରେ
ସ୍ୱର୍ଣ୍ଣଛଟା ବିଦାୟୀ ସୂର୍ଯ୍ୟର
ବ୍ୟାପେ ଏ କେଦାରେ, ବନେ
ଅନାବାଦୀ ଘାସର ମଥାନେ
ଦଣ୍ଡିକିରି ଆଉ ପୁଣି ବନଶୀଧରା
ଉଲଗ୍ନ ଏ ଆଦିବାସୀ ପିଲାର ଓଠରେ
ଖିଲ ଖିଲ ହାସନ୍ତ ବଉଦ
ପରିଧିର ଧାରେ ଖସେ
ସୂର୍ଯ୍ୟ ଲାଗେ ବୁଢ଼ା ପାହାଡ଼ରେ
ଯେ ଶୋଇଛି ହାତୀପରି ଶୁଣ୍ଢକୁ ଲମ୍ବାଇ
କୁଳାପରି କାନତା’ର ନିରବ ଓ କ୍ଳାନ୍ତ
ଅନାବନା ଗୋଚର ଏ ପାରେ
କ୍ଷେତର କିଆରୀ, ପାହଚ ପାହଚ
ଧବ ଧବ କାଶତଣ୍ଡି ନାଚ
ବଗଙ୍କର ମେଳା
ସବୁଜ ପରିଧାନରେ ଉତ୍ତରୀର
ଧବଳ ମେଖଳା
ହସେ ଖିଲ ଖିଲ
ସୂର୍ଯ୍ୟର ନିଶାରେ ସିଏ ଏଡିକି ଫାଜିଲ୍
ତଳେ ମହାପାଟ ଜୋଡ଼
ଛେଳିଖିଆ ଅଜଗର ପରି
ବନ୍ୟାର ଦୌରାତ୍ମ୍ୟ ପରେ ପଡିଛି ଘଲେରି
★ ★ ★ ★ ★ ★ ★ ★ ★ ★ ★
ଅବାକ ମୁହୂର୍ତ୍ତ
କ୍ଷେତ ପରେ କ୍ଷେତ
ମାଡ଼ିଚାଲେ ମଞ୍ଚାଳିଆ ହାତେଧରି ବାରିଆର ନିଆଁ
ସନ୍ଧ୍ୟାର ନିଘଞ୍ଚ ସ୍ତୁପ
ଅନ୍ଧାରରେ ବେଢ଼େ ତା ଦୁନିଆଁ
ଆଜାନୁ ମସ୍ତକ ମୋର
ଦୀର୍ଘତର ଆଜି ଏ ସନ୍ଧ୍ୟାରେ
ସେ ସନ୍ଧ୍ୟାକୁ ଭେଟୁଅଛି ସ୍ମାତ ଏକ
କାଳର କ୍ଷୁଧାରେ
ଫସଲର ସୁରେ ସୁରେ ତା’ର ଏଠି ନୂତନ ସ୍ଵାକ୍ଷର
ପିତୃଭୂମି ଲାଗେ ମୋତେ
ମୋ ସ୍ନେହର ନିଚ୍ଛକ ପାଗଳ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu