You are currently viewing ନିଜେ ସୁଧୁରିବା ସବୁଠୁ ଶସ୍ତା
ନିଜେ ସୁଧୁରିବା ସବୁଠୁ ଶସ୍ତା

ନିଜେ ସୁଧୁରିବା ସବୁଠୁ ଶସ୍ତା

ବ୍ୟବସ୍ଥା ଅବସ୍ଥା ବିଗିଡ଼ି ଯାଇଛି
ଉଜୁଡ଼ି ଯାଇଛି ସବୁ
ସଜାଡ଼ିବା ଲୋକେ ବିଗିଡ଼ିବେ ଯେବେ
କିଏ ସେ କରିବ କାବୁ?

ରାଜନେତା ଆମ ଭାରି ଚାଲାକିଆ
କଥାରେ କରନ୍ତି ଯାଦୁ
ଟଙ୍କାରେ ନହେଲେ, ହାତ ଗୋଡ଼ ଧରି
ଭୋଟ କରନ୍ତି କାବୁ ।

ପାଇଲେ ଭୋଟ କମାନ୍ତି ନୋଟ
ବାଦା ଇରାଦାକୁ ଭୁଲି
ନାନା ସମସ୍ୟାର ବୋଝ ଭାର ତଳେ
ଜନତା ସାଜଇ କୁଲି ।

ଯେଉଁ ହାତ ଥରେ ଜନତାକୁ ଯୋଡ଼ି
ସମର୍ଥନ ଭିକ୍ଷୁଥିଲା
ସେହି ହାତ ଆଜି ଜନତା ଦୁଃଖରେ
ତାଳିମାରି ହସୁଥିଲା ।

ରକ୍ଷକ ଭକ୍ଷକ ସାଜିଛି ଏଇଠି
ଆଲୁଅ ଯାଇଛି ଲିଭି
କେତେ ଯେ କୃଷକ ଆତ୍ମହତ୍ୟା କଲେ
ପ୍ରମାଣ ଦେଉଛି ଟିଭି ।

ଡାକ୍ତରଖାନାର ସ୍ୱଚ୍ଛତା ଦେଖିଲେ
କିଏ ବା କ’ଣ କରିବ ।
ମନ୍ଦିର ଶ୍ମସାନ ଯେବେ ପାଲଟିବ
କିଏ ଯେ ତର୍କ କରିବ ।

ଶିକ୍ଷାର ସାଗରେ ଅଶିକ୍ଷିତ ଲୋକ
ଯେବେ ଯୋଗଦାନ କଲେ
ଅମୀୟ ବଦଳେ ବିଷ ହିଁ ମିଳିବ
ଯେତେ ସମୁଦ୍ର ମନ୍ଥିଲେ ।

ଆଜି ବି ସମୟ ଆମ ହାତେ ଅଛି
ଯଦି ବ୍ୟବସ୍ଥିତ ମନସ୍ଥିତ ଅଛି
ବଦଳି ପାରିବ ସବୁ ବ୍ୟବସ୍ଥା
କାରଣ, ନିଜେ ସୁଧୁରିବା ସବୁଠୁ ଶସ୍ତା ।

ଦେବାଶିଷ ନାୟକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...