ବର୍ଷା ଧୁଆ ସକାଳରେ,
ଭିଜା ମାଟି,
ଓଦା ମାଟି କାନ୍ଥ, ଓଳି ପାଣି
ଆଉ ଝରକା ସେପଟ
ଓସ୍ତ ପତ୍ରରେ ପାଣି ଫୋଟକା ଦେଖି,
ତମେ କହିଲ…
“ଏଇ.. ଦେଖ ରାତିଯାକ କାଲି କେତେ ବର୍ଷା ହେଇଚି”
ମୁଁ, ସାରି ନଥିବା ନିଦକୁ,
ଆଖି କଣେ ଆଉଜେଇ ଦେଇ…
ତମ ବଉଦଠୁ କଳା,
ଗହନା କେଶ,
ଅସଜଡ଼ା ବାଦାମୀ ରଙ୍ଗ ଶାଢ଼ୀ
ଆଉ ଦୁଇ ଦେହର ମାଧ୍ୟାକର୍ଷଣ ବଳରେ,
ଲିଭିଯାଇଥିବା ସିନ୍ଦୁର ଟୋପା ଦେଖି, କହିଲି..
“ହଁ.. ଏବେବି ଆକାଶ ମେଘୁଆ ଅଛି”
– ତୃପ୍ତି ରଞ୍ଜନ ଦାସ