You are currently viewing ଶୃଙ୍ଖଳିତ ଯୋଦ୍ଧା
Odia Story Shrunkhalita Yodhya (ଶୃଙ୍ଖଳିତ ଯୋଦ୍ଧା) by Sushama Parija

ଶୃଙ୍ଖଳିତ ଯୋଦ୍ଧା

ଏଇ ଅଳ୍ପ ଦିନ ପୂର୍ବରୁ ଭାଇରାଲ୍ ହୋଇଥିବା ଗୁଜରାଟର ଜଣେ ମହିଳା କନେଷ୍ଟବଳ ସୁନୀତା ଯାଦବଙ୍କ ନିର୍ଭୀକ ପଣିଆର କଥା ବେଶ ଚର୍ଚ୍ଚିତ ହୋଇଥିଲା ଇଲେକ୍ଟ୍ରୋନିକ୍ ଏବଂ ପ୍ରିଣ୍ଟ୍ ମିଡିଆରେ । ଯେଉଁଠି ଲକ୍ ଡାଉନ୍ ସମୟରେ ନିଜ କର୍ତ୍ତବ୍ୟ କରିବାବେଳେ ଜଣେ ମନ୍ତ୍ରୀଙ୍କ ପୁଅକୁ ଶାସନ କରିବା ପାଇଁ ପଛେଇ ନଥିଲେ ମହିଳା କନେଷ୍ଟବଳ ଜଣକ । ସେଥିପାଇଁ ମନ୍ତ୍ରୀ ମହୋଦୟଙ୍କୁ ମଧ୍ୟ ଅନୁଶାସନର ପାଠ ପଢ଼ାଇ ନିଜ ଉପରକୁ ବିପଦକୁ ଡାକି ଆଣିଥିଲେ ସୁନୀତା । ସେଥିପାଇଁ ଗୁଜୁରାଟ ପୋଲିସର ମଧ୍ୟ ସାହାଯ୍ୟ ମିଳି ନଥିଲା ସୁନୀତାଙ୍କୁ ଏବଂ ବହୁତ ଅସୁବିଧାର ସମ୍ମୁଖୀନ ହୋଇ ସେ ବାଧ୍ୟ ହୋଇଥିଲେ ଚାକିରୀରୁ ଇସ୍ତଫା ଦେବା ପାଇଁ । ସବୁ ପ୍ରତିକୂଳ ପରିସ୍ଥିତିରେ ଅବଶ୍ୟ ସେଇ ଲେଡି ସିଙ୍ଘମ୍ ଜଣକ ହାରି ଯାଇ ନାହାଁନ୍ତି । ବରଂ ଏପର୍ଯ୍ୟନ୍ତ ମଧ୍ୟ ନିଜ ଲଢ଼େଇ ଜାରି ରଖିଛନ୍ତି ଏକା ଏକା ।

ଏବେ ଆଉ ଜଣେ ଲେଡି ସିଙ୍ଘମଙ୍କର କଥା ଘୁରି ବୁଲୁଛି ସୋସିଆଲ୍ ମିଡିଆରେ । ଏଥର ପରିସ୍ଥିତି କିନ୍ତୁ ଭିନ୍ନ । ପଢ଼ିଲେ ଜାଣିହେବ ଯେ ସବୁ ଯାଗାରେ ପଦ ପଦବୀର ଅପବ୍ୟବହାର ହୁଏ ନାହିଁ, କିଛି ସୁଶୃଙ୍ଖଳିତ ପଦାଧିକାରୀ ମଧ୍ୟ ଅଛନ୍ତି ପୋଲିସ ବିଭାଗରେ । ଉତ୍ତର ପ୍ରଦେଶର ଲକ୍ଷ୍ନୌ ସହର । କରୋନା ମହାମାରୀ ଉତ୍ପୀଡ଼ିତ ଭାରତବର୍ଷରେ ଏବେ ଚାଲିଛି ଲକ୍ ଡାଉନ୍ ଆଉ ସଟ୍ ଡାଉନ୍ ସମୟ । କରୋନା ଯୋଦ୍ଧାମାନେ ମାସ ମାସ ଧରି ନିଜର ସକଳ ସୁଖ ସ୍ୱାଚ୍ଛନ୍ଦ୍ୟ ତ୍ୟାଗ କରି ସୀମାନ୍ତର ଜାଗ୍ରତ ପ୍ରହରୀ ଭଳି ଲଢ଼େଇ କରୁଛନ୍ତି ଅହରହ ସାଧାରଣ ଜନତାଙ୍କୁ ବିଶ୍ୱମହାମାରୀରୁ ବଞ୍ଚେଇ ରଖିବା ପାଇଁ । ସେହିପରି ଜଣେ ଯୋଦ୍ଧା ଲକ୍ଷ୍ନୌର ମହିଳା କନେଷ୍ଟବଳ ପ୍ରୀତି ସରୋଜ । ରାତି ଦଶଟା ବେଳକୁ ସେ ଟ୍ରାଫିକ୍‌ରେ ଡିଉଟି କରୁଥାନ୍ତି, ଦେଖିଲେ କିଛି ଦୂରରେ ରାସ୍ତା କଡ଼ରେ ଠିଆ ହୋଇ ସାତ ଆଠ ଜଣ ଲୋକ ଗପସପ ମେଲିଛନ୍ତି । କିଛି ସମୟ ପରେ ସେ ସେମାନଙ୍କ ପାଖରେ ପହଞ୍ଚିଲେ ଏବଂ ଦେଖିଲେ ସମସ୍ତେ ମର୍ଯ୍ୟାଦାବନ୍ତ ଲୋକ ଭଳି ଦିଶୁଛନ୍ତି ହେଲେ ଦେଶର ଏ କଠିନ ପରିସ୍ଥିତିରେ ମଧ୍ୟ ଆଇନ ଅମାନ୍ୟ କରି ରାସ୍ତା କଡ଼ରେ ଠିଆ ହୋଇ ଗପୁଛନ୍ତି । ପ୍ରୀତି ସରୋଜ ସେମାନଙ୍କୁ ବିନମ୍ରତାର ସହିତ ବୁଝାଇଲେ ଲକ୍ ଡାଉନ୍ ସମୟରେ ଏମିତି ବାହାରେ ବୁଲାବୁଲି ନକରି ସିଧାସଳଖ ଘରକୁ ଫେରିଯିବା ପାଇଁ । ଆଇନର ବିଭିନ୍ନ ଧାରା ଅନୁଯାୟୀ ଏହି ଲକ୍ ଡାଉନ୍ ସମୟରେ ଏମିତି ରାସ୍ତା ଉପରେ ଗପିଲେ କ’ଣ କ’ଣ ଦଣ୍ଡ ମିଳିବ ତାହା ମଧ୍ୟ ସେମାନଙ୍କୁ ବୁଝାଇଲେ । ସେଠାରେ ଥିବା ଲୋକମାନେ ବୋଧହୁଏ ବୁଝିଗଲେ ଏବଂ ସୁନାପିଲା ପରି “ଓଃ ! ଆମେ ଦୁଃଖିତ” କହି ସେ ଜାଗା ଛାଡ଼ି ତୁରନ୍ତ ଚାଲିଗଲେ ନିଜ ନିଜ ଘରକୁ । ପ୍ରୀତି ଗତାନୁଗତିକ ଭାବରେ ତାଙ୍କର ଡିଉଟି ସାରି ଫେରିଲେ ଘରକୁ ।

ପରଦିନ ପ୍ରୀତିଙ୍କ ମୋବାଇଲକୁ ମେସେଜଟିଏ ଆସିଲା ଲକ୍ଷ୍ନୌର ପୋଲିସ ଆଇ.ଜି. ଶ୍ରୀ ନବନୀତ ସିକେରାଙ୍କ ପାଖରୁ । ଆଇ.ଜି. ମହୋଦୟ ତାଙ୍କୁ ଅଭିନନ୍ଦନ ଏବଂ ସାବାସୀ ଜଣାଇ ଲେଖିଥିଲେ, “ପ୍ରୀତି ! ତୁମ ଭଳି ସଚ୍ଚୋଟ କର୍ତ୍ତବ୍ୟନିଷ୍ଠ କର୍ମଚାରୀ ପାଇଁ ଆଜି ପୋଲିସ୍ ବିଭାଗ ଗର୍ବିତ । ରାତି ଦଶଟା ବେଳେ ସାତ ଆଠ ଜଣ ପୁରୁଷ ଲୋକ ରାସ୍ତାରେ ଗପସପ କରୁଥିଲା ବେଳେ ତୁମେ ଜଣେ ଅଳ୍ପ ବୟସ୍କା ଯୁବତୀ ହୋଇ ମଧ୍ୟ କୌଣସି ପରିଣାମର ଭୟ ନରଖି, ଡରି ନଯାଇ ସେମାନଙ୍କ ପାଖକୁ ଯାଇ ତାଙ୍କୁ ଆଇନର ପାଠ ପଢାଇଛ । ତୁମ ନିର୍ଭୀକପଣିଆ ଦେଖି ମୁଁ ଖୁବ୍ ଖୁସି । ଏମିତି ସଚ୍ଚୋଟ କର୍ତ୍ତବ୍ୟନିଷ୍ଠା ରଖି କାମ କରି ଚାଲ । ମୁଁ ତୁମର ଉତ୍ତରୋତ୍ତର ଉନ୍ନତି କାମନା କରୁଛି ।” ଉପରିସ୍ଥ ଅଫିସରଙ୍କୁ ଅଭିବାଦନ ଜଣାଇ ସିନା ଫୋନ୍‌ଟି ରଖିଦେଲେ ପ୍ରୀତି, ହେଲେ ସେ ଆଚମ୍ବିତ ହେଉଥିଲେ ଯେ ଗତକାଲି ରାତିର ସେଇ ଘଟଣାଟି ଆଇ ଜି ସାର୍‌ଙ୍କ କାନକୁ ଗଲା କେମିତି । ସେଇ ଲୋକମାନଙ୍କ ବ୍ୟତୀତ ଆଉ କେହି ତ ନଥିଲେ ସେଠାରେ ! ତେବେ ଆଇ ଜି ସାର୍ କେମିତି ଜାଣିଲେ ସେକଥା । ସେଇକଥା ଚିନ୍ତା କରି ପାରୁନଥିଲେ ପ୍ରୀତି ।

ଅଫିସ୍‌ରେ ପହଞ୍ଚିଲା ବେଳକୁ ସହକର୍ମୀ ଆଉ ଉପରିସ୍ଥ କର୍ମଚାରୀମାନଙ୍କ ଅଭିନନ୍ଦନର ସୁଅ ଛୁଟିଲା ତାଙ୍କ ପାଖକୁ ସେଇ ଘଟଣାକୁ ନେଇ । ବହୁତ ସମୟ ପରେ ସେ ଜାଣିବାକୁ ପାଇଲେ ଯେ ଗତକାଲିର ସେଇ ଅମାନିଆଁ ଲୋକମାନଙ୍କ ଭିତରେ ଥିଲେ ଟାଉନ୍ ଥାନାର ଆଇ.ଆଇ.ସି. ଶ୍ରୀଯୁକ୍ତ ବିନ୍ଧ୍ୟ ବିନୟ । ଡିଉଟିରେ ନଥିବାରୁ ସାଦା ପୋଷାକରେ ସାଙ୍ଗସାଥୀଙ୍କୁ ଧରି ଗପସପ କରୁଥିଲେ । କିନ୍ତୁ ଜଣେ କର୍ତ୍ତବ୍ୟନିଷ୍ଠ ଅଧସ୍ତନ କର୍ମଚାରୀଙ୍କର କଥା ଶୁଣି ସେ ନିଜେ ହୃଦୟଙ୍ଗମ କରିଥିଲେ ଯେ ସେ ଭୁଲ୍ କରିଛନ୍ତି । ସେଥିପାଇଁ ନିଜର ପରିଚୟ ନଦେଇ ସେ ନିଜର ଭୁଲ୍ ସ୍ୱୀକାର କରି ସେଠାରୁ ଫେରି ଆସିଥିଲେ । ଏମିତି ନିର୍ଭୀକ ହୋଇ ଅଳ୍ପବୟସ୍କା ଯୁବତୀ କନେଷ୍ଟବଳ ଜଣକ ତାଙ୍କର ପୋଲିସ୍ ପୋଷାକ କି ପଦ ପଦବୀର କୌଣସି ପ୍ରକାର ଅପବ୍ୟବହାର ନକରି ବିନମ୍ର ଭାବରେ ସାତ ଆଠଜଣ ପୁରୁଷଙ୍କୁ ବୁଝାଇବା କୌଣସି ସହଜ କଥା ନୁହେଁ । ପ୍ରୀତିଙ୍କର ସତ୍ ସାହସ ଏବଂ ଗଭୀର ଆତ୍ମପ୍ରତ୍ୟୟ ମୁଗ୍ଧ କରିଥିଲା ଇନିସ୍‌ପେକ୍ଟର ଶ୍ରୀଯୁକ୍ତ ବିନ୍ଧ୍ୟ ବିନୟଙ୍କୁ । ସେ ଘରକୁ ଫେରି ନିଜେ ସେଇ ଘଟଣାକୁ ଜଣାଇଥିଲେ ପୋଲିସ୍ ଡିଜିଙ୍କୁ । ଜଣେ ଶୃଙ୍ଖଳିତ ଯୋଦ୍ଧା ଭାବରେ ନିଜର ଭୁଲ୍ ମଧ୍ୟ ସ୍ୱୀକାର କରିଥିଲେ । ସେଇ ଘଟଣାର ଭିଡିଓଟି ଭାଇରାଲ୍ ହୋଇଥିଲା ସାରା ଦେଶର ସୋସିଆଲ୍ ମିଡ଼ିଆରେ । ସମସ୍ତେ ଧନ୍ୟ ଧନ୍ୟ କରୁଥିଲେ ମହିଳା କନେଷ୍ଟବଳ ପ୍ରୀତି ସରୋଜଙ୍କୁ ।

ପୋଲିସ ବାହିନୀର ଏଇ ଶୃଙ୍ଖଳିତ ଯୋଦ୍ଧା ଦୁହିଁଙ୍କ ପାଇଁ ନିଜକୁ ଗର୍ବିତ ମନେ କରୁଥିଲେ ଆଇ.ଜି. ମହୋଦୟ ॥

– ସୁଷମା ପରିଜା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସୁଷମା ପରିଜା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।