“ଗରବେ କହିବି ଓଡ଼ିଆପୁଅ ମୁଁ
ଓଡ଼ିଆ ମୋ ମାତୃଭାଷା
ଯାହାର ପବନ ପ୍ରତି ନିଶ୍ୱାସେ ମୋ
ପାଣି ଯା’ ଶୋଣିତେ ମିଶା”
ମଳୟରେ ଯା’ର ତୁଳସୀ ମହକ
ଭକତିର ଛୁଆଁ ଦିଏ
ଗାଈଆଳ ପିଲା ନିତି ସଞ୍ଜେ ଯହିଁ
ମୁରଲୀ ବଜାଇ ଯାଏ ।
ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷେ ଯହିଁ
ଅଇଁଠା ଅବଢ଼ା ଖାଇ
ପ୍ରେମ ବାଣ୍ଟୁଥାନ୍ତି ସଭିଏଁ ଯେଉଁଠି
ଆନନ୍ଦେ ବିଭୋର ହୋଇ ।
ଯାହାର ଠାକୁର ଜଗତର ନାଥ
ସାଗର ଯା’ ମହୋଦଧି
କୁଳୁ କୁଳୁ ଛନ୍ଦେ ବହି ଯାଉଥିବା
ସରି ତ ଯା ମହାନଦୀ ।
ଚଣ୍ଡାଶୋକ ଯହିଁ ଧର୍ମାଶୋକ ହୋଇ
ନୁଆଁଇଲେ ତାଙ୍କ ମଥା
ଭଗ୍ନ କୋଣାରକ ଗର୍ବେ କୁହେ ଯହିଁ
ଅମର କୀର୍ତ୍ତିର ଗାଥା ।
ମାଟିରୁ ଯାହାର ମଧୁ ଗନ୍ଧ ଛୁଟେ
ସ୍ନେହ ବୋଳା ଯା’ର ଭାଷା
ସୁଜଳା ସୁଫଳା ଚାରୁ ଲାସ୍ୟମୟୀ
ସେଇ ମୋ ଦେଶ ଓଡ଼ିଶା ॥
– ତପନ ଦୀକ୍ଷିତ