You are currently viewing ବୌଦ୍ଧଗଡ଼ରେ ମୁହୂର୍ତ୍ତେ
ବୌଦ୍ଧଗଡ଼ରେ ମୁହୂର୍ତ୍ତେ

ବୌଦ୍ଧଗଡ଼ରେ ମୁହୂର୍ତ୍ତେ

ଦଶପଲ୍ଲା । ହୁଁ…..

ରଣପୁର- ନୟାଗଡ଼ ରାସ୍ତାଠୁ ବି ଆହୁରି ଲୋଭିଲା । ଏଇଠୁ ବୋଧହୁଏ ପ୍ରକୃତିର ଯାଦୁକରୀ ଛୁଆଁ ଆରମ୍ଭ ହେଲା । ମଣିଷ ତିଆରି ରାସ୍ତା, ଆଉ ଅଳ୍ପ ଗାଡ଼ି କେତେଟା ଛାଡ଼ିଦେଲେ ଆଉ ସବୁଠି ମା’ର ସବୁଜ ଛଟା । କୋଉଠି ମେଞ୍ଚା ହେଇକି ତ, ଆଉ କୋଉଠି ଧାଡ଼ି ହେଇ ସବୁ ବସିଥିଲେ । ଆଖି ମିଟି ମିଟି କରି ଗଲା ଆଇଲା ଲୋକଙ୍କୁ ଦେଖୁଥିଲେ; କ’ଣ ଭାବୁଥିଲେ କେଜାଣି ! ହାଏ ମାଙ୍କଡ଼଼ । ଖେ ଖେ । ହା ହା ହା । ପୁରୀରେ ସିନା ଉତ୍ପାତ ହୁଅ, ଏବେ ତ ମୋ ପାଖେ ଆପ୍ରିଲିଆ ଅଛି । ଗୋଡ଼ାଅ, ଗୋଡ଼ାଅ । ଡରୁଆଗୁଡ଼ା, ଆଡ଼େଇ ଯାଉଛନ୍ତି । ମୁଁ ମଡ଼େଇବିନିରେ ତମ ଉପରେ । କିନ୍ତୁ ତମେମାନେ ବି ମଣିଷ ଭଳିଆ ଦି ପଟକୁ ନଦେଖିକି ରାସ୍ତା ମଝିକୁ ଚାଲି ଆସନି । ସମସ୍ତେ ଯିବା, ୧୦୦ ପାଞ୍ଜିରୁ ।

“ଦୟାକରି ମାଙ୍କଡ଼଼ମାନଙ୍କୁ ଖାଇବାକୁ ଦିଅନ୍ତୁ ନାହିଁ । ଏହା ସେମାନଙ୍କ ସ୍ଵାସ୍ଥ୍ୟ ପକ୍ଷେ କ୍ଷତିକାରକ ।” ଭଲ ହୋର୍ଡିଂଟେ ଲାଗିଛି ଯେ, କିନ୍ତୁ ପାତିମାଙ୍କଡ଼଼କୁ କିଏ ଖାଇବାକୁ ଦିଏ? ଏମାନେ ତ ମୋତେ ମାରିକି ଖାଇଯିବେ । ନୈନିତାଲ୍ ଟିଫିନ୍ ଟପ୍ ହନୁ ମାଙ୍କଡ଼ ଏବେ ବି ମନରୁ ଯାଇନି । ଜଗୁ, ଯାହା ବି କର ଏ ମାଙ୍କଡ଼ ଆଉ କୁକୁର ଭୟ ଛଡ଼ାଅ । ଖୋଲା ଯାଗାରେ ବାଘ ସହ କେବେ ମୁହାଁମୁହିଁ ହେଇନି, ତଥାପି କାହିଁକି କେଜାଣି ଲାଗେ ଯେମିତି, ବାଘ ମୋ ଆଡ଼କୁ ମାଡ଼ି ନଆସିଲା ପର୍ଯ୍ୟନ୍ତ ବୋଧହୁଏ ସେତେ ଡର ଲାଗିବନି, ଯେତିକି ଖଣ୍ଡେ ଦୂରରୁ ମାଙ୍କଡ଼ ଦେଖିଲେ ଲାଗେ । ମୁଁ ୱାଇଲ୍ଡ୍ ଲାଇଫ୍ ଫଟୋଗ୍ରାଫର୍ କେମିତି ହେବି ! ତମେ ତ ଜାଣିଛ ନା, ମୋର ପର ପାଖେ ଖଟିଲା ଭଳି କୋଉ ଚାକିରୀରେ ଟିକେ ବି ଇଚ୍ଛା ନାହିଁ ।

Tour to Boudhgarh
 

ଏଇ ଯେ ବନଲତା ପାହାଡ଼
ଆହାରେ ଦିଶେ କେଡ଼େ ସୁନ୍ଦର
ଟିଣି ଟିଣି ଟିଣି ଟିଣିରେ, ଟିଣି ଟିଣି ଟିଣି ଟିଣିରେ…

ପ୍ରକୃତି କେତେ ଭଲ ହେଇପାରେ । ଦୁନିଆର ସବୁ ରାସ୍ତା ଏମିତି ହେଇ ଯାଆନ୍ତାନି । ଦି ପଟେ ଖାଲି ଗଛ ଆଉ ଟିକେ ଦୂରରେ ପାହାଡ଼ । ଆଉ କେତେବେଳେ ଜଙ୍ଗଲ ଭିତରେ କାଟି କାଟି ଯାଇଛି ରାସ୍ତା, ଖରାର ଧାସ ବି ପଡ଼ୁନି । ପ୍ଲିଜ୍ ଜଗୁ, ରାସ୍ତା ନସରୁ । ଜୀବନରେ ଟଙ୍କା ଯଦି ଦରକାର ପଡ଼ନ୍ତାନି, ମୁଁ ପଛକୁ ଫେରିବାକୁ କେବେ ଚାହାଁନ୍ତିନି ।

“ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟ ସଂରକ୍ଷିତ ଜଙ୍ଗଲକୁ ସ୍ଵାଗତ ।”

ବଗିଚା ଭିତରେ ଗଛ, ଲତା, ପକ୍ଷୀକୁ ଦେଖିବା ପ୍ରକୃତି ଦେଖିବା ସହ ସମାନ ନୁହଁ । ପ୍ରକୃତିରେ ବି ଭୟ ଅଛି । ଘୋର ଜଙ୍ଗଲରେ ବାଘର ହେଣ୍ଟାଳ ଶୁଣିବା ବି ପ୍ରକୃତି, ନଈର ଥଣ୍ତା ପାଣିରେ ନିଜ ଶୋଷିଲା ମୁହଁ ସହ କୁମ୍ଭୀର ଆଖି ଦେଖିବା ବି ପ୍ରକୃତି ।

ପ୍ରକୃତି ସହ ଝଗଡ଼ା କଲେ, ତା’ଠୁ ଆଉ କେହି ଖରାପ ନାହିଁ; କିନ୍ତୁ ତା’ ସହ ବଞ୍ଚିଲେ ତା’ଠୁ ଅଧିକ ଭଲ ବି କେହି ହେବେନି ।

ମଣିଷର ମନ ସବୁବେଳେ ପରିସ୍ଥିତିର ବିପରୀତ ଖୋଜେ । ଯିଏ ସମୁଦ୍ର ପାଖରୁ ଆସିଥାଏ, ତାକୁ ପାହାଡ଼ ଭଲଲାଗେ; ଆଉ କଂକ୍ରିଟ ଜଙ୍ଗଲର ହେଇଥିଲେ ଗଛ ଜଙ୍ଗଲ ଭଲ ଲାଗେ । କେତେ ଦିନ ଗଲାପରେ ମନ ପୁଣି ପୁରୁଣା ବଇଦ ଖୋଜେ । କିନ୍ତୁ ମୁଁ କ’ଣ ସେଇଆ ! ଆଉ କେତେଦିନ ! ସ୍କୁଲ୍ ବହିକୁ ଆଡ଼େଇ ଦେଇ ଯେତେବେଳେ ଜିମ୍ କରବେଟଙ୍କ ବାଘ ଶିକାର ପଢ଼ୁଥିଲି, କୋଉ ଗୋଟେ ମୁହୂର୍ତ୍ତରେ ବିନା ଘରରେ ଜଙ୍ଗଲରେ ବୁଲିବାକୁ ହିଁ ଜୀବନ ବୋଲି ଧରିନେଲି ।

ଘର, ଦ୍ଵାର କିଛି ନଥାଇ ବଞ୍ଚିବା ବି ଜୀବନ । ମୋତେ ତ ଖାଲି ଶାନ୍ତି ଦରକାର । ଭଙ୍ଗା ଗଢ଼ାର ତ ସାରା ସଂସାର । କିନ୍ତୁ ମଣିଷ ସଂସାରକୁ କେବେ ବି ଚାହିଁଛି, ନା ଏବେ ଚାହୁଁଛି ।

ଏତେ ଲମ୍ବା ରାସ୍ତା, କିନ୍ତୁ ବାଘ ବାହାରିଲାନି । ଅବଶ୍ୟ କୋଉଠି ଲେଖା ବି ନଥିଲା । ତଥାପି ସାତକୋଶିଆରେ କାଳେ ବାଘ ଥାଏ । ବାଘକୁ ଅନେଇ ଅନେଇ ଆଖିରୁ ପାଣି ମଲା ।

Tour to Boudhgarh
 

ପିଁ……ପିଁ……ପିଁ……

ପବନ ବାଡ଼େଇ କାର୍ ଗୋଟେ ଚାଲିଗଲା । ଲାଗିଲା ଯେମିତି ମୋ ନିଃଶ୍ୱାସ ରହିଯିବ । ହଠାତ୍ ସବୁକିଛି ସ୍ଥିର ହେଇଗଲା ଭଳି ଲାଗିଲା । ଜାଣିନି କ’ଣ କରୁଥିଲି? ଶୋଇ ପଡ଼ିଥିଲି ନା କୋଉଠି ହଜି ଯାଇଥିଲି । ବ୍ରେକ୍ ଚିପି ଗାଡ଼ି ରଖିଲି । ଏଇନେ ତ ଗୀତ ବୋଲୁଥିଲି ।

୧୦ ଅଗଷ୍ଟ, ୨୦୧୯ । ଗାଡ଼ି ଧରି ବାହାରି ପଡ଼ିଲି । କୁଆଡ଼େ ଯିବି । ନୂଆପଡ଼ା ଭଲ ହବ ବୋଧେ । ଅବଶ୍ୟ ପୂର୍ବରୁ ଭାବିଥିଲି, ନୂଆପଡ଼ା ସାଙ୍ଗକୁ ବି ଯାଗା ଉପରେ ପଚାରିଥିଲା, କିନ୍ତୁ ମନରେ ସେତେ ଯୋର୍ ନଥିଲା । ହ୍ଵାଟସ୍ଆପ୍ ଷ୍ଟାଟସରେ ସାଙ୍ଗ ଗୋଟେ ବୁଲିବାକୁ ନେଇ ପୋଷ୍ଟଟେ ଦେଇଥିଲା, ତାକୁ ସେଭ୍ କରି ରଖିଥିଲି । ଆଉ ମୁଁ ସେଥିରେ ଗୋଟେ ଧାଡ଼ି ପଢ଼ିଲି, “ଟ୍ରାଭେଲ୍ ଟୁ ବି ହେଲ୍ଦି” ।

ଏଇ ବର୍ଷ ଏପ୍ରିଲରେ ଥିଲା ନିର୍ବାଚନ । ପୁରା ମାସଟା ଛୁଟି ବାତିଲ୍, ତା’ ସାଙ୍ଗକୁ ଫିଲ୍ଡ କାମ । ସେଇଠୁ ବାସ୍ ଆରମ୍ଭ ହେଲା । ମଇରେ ବାତ୍ୟା । ପୁରୀ ସଦରର ଅଧିକାଂଶ ଅଞ୍ଚଳ ବାତ୍ୟା କବଳିତ । ପୁରା ମାସଟା ଆମେ ଜାଣି ବି ପାରିଲୁନି ଯେ ରବିବାର କେତେବେଳେ ଆସି କେତେବେଳେ ଚାଲିଯାଏ; ସଂଧ୍ୟା ୫ଟା ତ ସ୍ଵପ୍ନ ଭଳିଆ ଥିଲା । ୪ ଦିନ ଜ୍ଵର ହେଇ ଦେହ ଭିତରେ ମରିଗଲା । ତା’ପରଠୁ ଦିନ ଗଣେ । ଔଷଧ ଖାଇଲେ ଭଲ ହୁଏ, ପୁଣି ବାହାରେ । ଜୁନରେ ନୈନିତାଲରୁ ଫେରିବା ପରେ ଟିକେ ଭଲ ଲାଗିଲା । ଦେହ, ମନ ସବୁ ସତେଜ୍ । ବୁଲିବା ବିନା ତ ବଞ୍ଚି ପାରିବିନି । କ୍ୟାଲେଣ୍ଡରରେ ନାଲି ତାରିଖ ଦେଖିଲେ ମୁଁ ଗୁଗୁଲ୍ ମ୍ୟାପ୍ ଧରି ବସିଯାଏ । ଜମା ୭ ଦିନ ଭଲରେ ରହିଲା ପରେ ପାରାଦ୍ଵୀପ ବାହାରିଲି ଜୁନ୍ ୩୦ ତାରିଖରେ । ମୋ ବୁଲିବା ଉପରେ କିଏ ନଜର ପକେଇ ଦେଲା ବୋଧହୁଏ । ଫେରିଲା ବେଳକୁ କଟକରୁ ପୁରୀ ଢୁ ଢୁ ବର୍ଷାରେ ଓଦା ହେଇ ଆସିଲି । ଜୁଲାଇ ୧ରୁ ଅଗଷ୍ଟ ୯ ଜର, ଥଣ୍ଡା, କାଶ, ବାନ୍ତି, ମୁଣ୍ଡ ବିନ୍ଧା । ତା’ ସହ ପୁରା ଜୁଲାଇ ମାସ, ମୋ ସେକ୍ଟରରେ ଯେତକ ସାରା ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମ । ମେସିନ୍ ଭଳିଆ ଯାଏ ଆଉ ଆସେ । ଘରକୁ ଫେରିଲେ ଦାଣ୍ଡ ଦୁଆରେ ଶୋଇ ପଡ଼ିବାକୁ ଇଚ୍ଛା ହୁଏ । ଆଉ ମନ ଲାଗିଲାନି । ଘେରେ ବୁଲି ନଆସିଲେ ମୋ ମୁଣ୍ଡ ଯେମିତି ଫାଟିଯିବ । ଆଉ ତା’ର ପରେ ବି “ଟ୍ରାଭେଲ୍ ଟୁ ବି ହେଲ୍ଦି” ।

ଆକାଶ ଟିକେ ଫର୍ଚ୍ଚା ହେଲା ବେଳକୁ ଚା ପିଇ ଦେଇ ବାହାରି ପଡ଼ିଲି । ଘଣ୍ଟାରେ ୫:୩୦ । ଡେରି ହେଇଗଲାଣି; ନୂଆପଡ଼ା ଗୋଟେ ଦିନରେ ଯାଇ ଆସି ହବନି । କିନ୍ତୁ ଏ ଧାଡ଼ିଟା ଗୁଗୁଲ୍ ମ୍ୟାପ୍ ଅପେକ୍ଷା ମନ ଚିଲ୍ଲେଇ ଚିଲ୍ଲେଇ କହୁଥାଏ । ମନରୁ ଯୋର୍ କରି ସବୁ କିଛି କାଢ଼ି ଦେଲି ଆଉ ତା’ପରେ ଆପ୍ରିଲିଆ ଗଡ଼ିଲା ଆଗକୁ ଆଗକୁ । ନୟାଗଡ଼ ଦେଇ କଣ୍ଟିଲୋ ପର୍ଯ୍ୟନ୍ତ ଆଗରୁ ଗୋଟେ ଥର ଗାଡ଼ି ଚଲେଇ ଯାଇଥିଲି, ରାସ୍ତା ଜଣାଥିଲା । ସକାଳ ବେଳା କଣାସ, ନିରାକାରପୁର ରାସ୍ତା ଏତେ ବି କିଛି ଗହଳି ନଥିଲା, ଟ୍ରକ୍ ବି କାଁ ଭାଁ ଯାଉଥିଲା । ତଥାପି ତା’ ପରଠୁ ମଝିରେ ମଝିରେ ଗୁଗୁଲ୍ ମ୍ୟାପ୍ ଦେଖୁଥିଲି, କାଳେ ଭୁଲ୍ ହେଇଯାଇଥିବ । ରାସ୍ତା ଉପରୁ ମଣି ନାଗେଶ୍ଵରୀଙ୍କୁ ଥରେ ମନ ଭିତରେ ମୁଣ୍ଡିଆଟେ ମାରି ଆଗକୁ ବଢ଼ିଲି । ଜାତୀୟ ରାଜପଥ ୫୭କୁ ବାହାରି ପଡ଼ିଲେ, ପୁରା ନାକ ସଳଖ ଆଗେଇବେ, ବୌଦ୍ଧ ଗଡ଼ରେ ଯାଇ ପହଁଞ୍ଚିବେ, କୋଉଠି କିଛି ବଙ୍କା ବୁଲା ନାହିଁ । ନୟାଗଡ଼ରେ ପହଁଞ୍ଚିଲା ବେଳକୁ ୮ଟା ବାଜିଲାଣି । ଡାହାଣ ପଟେ ଛୋଟ ଗୋଟେ ପାହାଡ଼ ତଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ । ଥରେ ଚାହିଁଦେଇ ଆଗକୁ ବଢ଼ିଲି । ପେଟରେ ସେତେବେଳକୁ ମୂଷା ଦଉଡ଼ିଲେଣି । ଟିକେ ଆଗକୁ ଯାଇ ରାସ୍ତାକଡ଼ରେ ପୁରୀ, ତରକାରୀ ଖାଇ ଦେଇ ୫ ମିନିଟ୍ ବସି ପଡ଼ିଲି । ସେତେବେଳକୁ ବି ଭାବୁଥାଏ, ମୁଁ କ’ଣ ସତରେ ନୂଆପଡ଼ା ଯାଇକି ଆସିପାରିବି ! ମୁଣ୍ଡ ଟିକେ ଭାରି ଭାରି ଲାଗୁଥାଏ, କିନ୍ତୁ ଜାଣି ପାରୁନଥାଏ ଖରା ମାଡ଼ରେ ଦେହଟା ଉଷୁମ୍ ଲାଗୁଛି ନା ଜରଟା ଲେଉଟିଛି । ଚା’ ଗ୍ଲାସଟେ ପେଟକୁ ଗଲା ପରେ ମନର ବାତେରାମି ପୁଣି ବାହାରିଲା; ନୂଆପଡ଼ା ପରା ଏଇଠି ।

କେତେ ବାଟ ଗଲାପରେ ଡାହାଣ ପଟେ ରାସ୍ତାକୁ ଲାଗି ଚଟାଣ ବାଲା ଗୋଟେ ପାହାଡ଼ ପଡ଼ିବ । ପାରିବେ ଯଦି ଫଟୋସୁଟ୍ ଗୋଟେ କରିଦେବେ । ମୋ ଦୁର୍ଭାଗ୍ୟ, ମୋତେ ବ୍ରେକ୍ ମାରିବାକୁ ମନ ପଡ଼ିଲାନି । ପରେ ଭାବିଲି ବ୍ରେକ୍ କଷିଥିଲେ ହେଇଥାଆନ୍ତା । ଠିକ୍ ପରେ ପରେ ସେଇ ଡାହାଣ ପଟକୁ ପଡ଼ିବ “ଦାସିଆ ଅଜା ପାଠାଗାର” । ସମୟ ହୁଏ ଯଦି ବୁଲି ଆସିବେ । ଭାବିଲି ଫେରିଲା ବେଳକୁ ହବ ଯଦି ଥରେ ଘୁରି ଆସିବି, କିନ୍ତୁ କିଏ ଜାଣିଥିଲା ଆଗକୁ କ’ଣ ହବ !

Tour to Boudhgarh
 

ଦଶପଲ୍ଲା ପରଠୁ ମନଭରି ଗାଡ଼ି ଚଲେଇବେ । ବୁଲିବା ଯଦି ନିଶା ହେଇଥାଏ, ପ୍ରକୃତି ପେନ୍ କିଲର୍ ଭଳି କାମ ଦିଏ । ଦଳ ଦଳ ହେଇ ମାଙ୍କଡ଼ ବସିଥିଲେ, କିନ୍ତୁ ଶାନ୍ତ, ନିରୀହ । କିଛି କରୁନଥିଲେ, ମୁଁ ଓଲଟି ତାଙ୍କୁ ମଜାରେ ଖେଙ୍କାରୁ ଥିଲି । ନିର୍ବିବାଦରେ ସେମାନେ ଆଡ଼େଇ ଯାଉଥିଲେ । ସେଇ ଯାଗାଟା ସେମାନଙ୍କର ଅଭୟାରଣ୍ୟ ଭଳିଆ । ଗାଡ଼ି ଟିକେ ଧୀର କରିଦେବେ, କାଳେ ଆଗକୁ ଚାଲିଆସିବେ । ତା’ପରେ ଆସିବ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟ ସଂରକ୍ଷିତ ଜଙ୍ଗଲ । ଜଙ୍ଗଲ ମଝିରେ ରାସ୍ତା; ଗାଡ଼ି ହର୍ଣ୍ଣ ମାରିବା ମନା । ଆମ ପାଇଁ ତ ସାରା ସହର ପଡ଼ିଛି । ନିଜେ ବଞ୍ଚ, ଅନ୍ୟକୁ ବି ବଞ୍ଚିବାକୁ ଦିଅ, ତା’ ବି ଖୁସିରେ । ଅବଶ୍ୟ ସେତେବେଳକୁ ଭାବୁଥିଲି, ପାଖରେ ଆଉ କିଏ ଥାଆନ୍ତା ହେଲେ, ଗାଡ଼ିଟା ସାଇଟ୍ କରି ଦେଇ, ଜଙ୍ଗଲ ଭିତରେ ଘେରେ ବୁଲି ଆସନ୍ତି । ଡର ବାଘକୁ ନୁହେଁ, ମଣିଷକୁ । ବାନ୍ଧି ବାଡ଼େଇଲେ ବି ଦେଖିବାକୁ କେହି ନାହାନ୍ତି । ଖୁବ୍ କମ୍ ଗାଡ଼ି ଯାଉଥାଏ । ମଝିରେ ମଝିରେ ମାଇଲ୍ ଖୁଣ୍ଟକୁ ଦେଖି ଭାରି ଖୁସି ହେଇ ଯାଉଥିଲି । ଆଉ ମାତ୍ର ୨ଟା ଜିଲ୍ଲା, ବୌଦ୍ଧ ଆଉ ବଲାଙ୍ଗୀର; ତା’ପରେ ମୋ ସ୍ଵପ୍ନର ନୂଆପଡ଼ା ।

ଗୀତ ବୋଲି ବୋଲି ଗାଡ଼ି ଚଲଉଥିଲି । ବାସ୍ ତା’ପରେ କ’ଣ ହେଲା ଜାଣିନି । କାର୍ ଶବ୍ଦରେ ସମ୍ବିତ୍ ଫେରିପାଇଲା ପରେ, ଗୋଟେ ସମୟରେ ଲାଗିଲା ଯେମିତି ହୃତସ୍ପନ୍ଦନ ବନ୍ଦ ହେଇଗଲା । ଠିକ୍ ତା’ ପରେ ପରେ ଏତେ ଜୋରରେ ନିଃଶ୍ବାସ ପ୍ରଶ୍ଵାସ ନେବାକୁ ଲାଗିଲି ଯେ ଗାଡ଼ି ରଖିଦେଇ ବସିପଡ଼ିଲି । ଦ୍ଵିତୀୟ ଶ୍ରେଣୀରେ ପଢ଼ୁଥିଲି । ଦୌଡ଼ୁ ଦୌଡ଼ୁ ପଡ଼ିକି ମୁଣ୍ଡ ଫାଟିଗଲା । ରକ୍ତ ଧାର ଛୁଟିଲା, ସାଙ୍ଗମାନେ ଧରିକି ଉଠେଇଲେ, ଆଖି ବନ୍ଦ ହେଇଯାଉଥିଲା; କେବଳ ସେତିକି ମନେ ଅଛି । ପରେ ଆଖି ଖୋଲିଲା ବେଳକୁ ସ୍କୁଲ୍ ଭିତରେ ଡାକ୍ତରଖାନା ରାସ୍ତାରେ ଚାଲୁଛି । ସେତେବେଳକୁ ମୁଁ ପାଖାପାଖି ୨୦୦ ମିଟର୍ ଚାଲି ସାରିଲାଣି । ଦି’ପଟେ ୪ ଜଣ ସାଙ୍ଗ । ଆଜି ପର୍ଯ୍ୟନ୍ତ ବି ଜାଣିନି, ମୋର କ’ଣ ହେଇଥିଲା । ଅଚେତ୍ ଯଦି ହେଇଯାଇଥିଲି, ଚାଲୁଥିଲି କେମିତି ! ଯଦି ନହେଇଥିଲି, ମୁଣ୍ଡ ଫାଟି ରକ୍ତ ବାହାରୁଥିଲା ତ ମୁଁ ଶୋଇପଡ଼ିଲି କେମିତି ! ଦି ପଟେ ଲାଗି ଲାଗି ଗଛ, ଖରାକୁ ଏତେ ବି ପଶିବାକୁ ଦଉନଥାଏ । ବେକରେ ହାତ ମାରି ନିଶ୍ଚିତ ହେଲି ଯେ, ଜ୍ଜ୍ଵର ଲେଉଟିଲା । ହଜିଲା ଦିନର କଥା ପୁଣି ମନ ପଡ଼ୁଥିଲା । ଏତେ ବାଟ ଆସିବି ବୋଲି ତ ପୂର୍ବ ଦିନ ଭଲରେ ଶୋଇଥିଲି । ଚାଲିଲା ଗାଡ଼ି ଉପରେ ଆଦୌ ଶୋଇ ପଡ଼ିବା କଥା ନୁହଁ । ଆଗରୁ ବି ଗାଡ଼ି ଚଲେଇଲା ବେଳେ କେବେ ନିଦ ଆସିନି । ଜ୍ୱର ପାଇଁ ଅଚେତ୍ ହେଇ ଯାଇଥିବି ଯଦି ମୁଁ ଗାଡ଼ି ଉପରେ ବସିଥିଲି କେମିତି ! ଭାଗ୍ୟକୁ ଗ୍ଲୁକୋଜ ପାଣି ନେଇଥିଲି । ଦି ଢୋକ ପିଇଦେଇ, ପାଖାପାଖି ୧୫ ମିନିଟ୍ ବସିଲି । ମୁଣ୍ଡ ବିନ୍ଧିବା ଆରମ୍ଭ ହେଇଗଲା । କିନ୍ତୁ ଜଙ୍ଗଲରେ ବି କିଏ ଚା’ ଦୋକାନ ଖୋଲିବ !

Tour to Boudhgarh
 

ଟିକେ ଭଲ ଲାଗିଲା । ଆଖିରେ ପୁଣି ଗୋଟେ ହୋର୍ଡିଂ ପଡ଼ିଲା । ଏଠି ହାତୀ ବି ବାହାରେ ! ବାଘ ନ ହେଲା ନାଇଁ ହାତୀ ଗୋଟେ ରାସ୍ତା ପାଖକୁ ଆସନ୍ତାନି, ମୋ ବୁଲିବା ଧନ୍ୟ ହେଇଯାଆନ୍ତା । କିନ୍ତୁ ଏମିତି ଯଦି ବସିକି ରହିବି ଆଉ ହାତୀ ବାହାରି ପଡ଼େ, ତାହାଲେ ତ ପକ୍କା ସ୍ଵର୍ଗ ଦେଖିବି । ସେଇ ମୁହୂର୍ତ୍ତରେ ନୂଆପଡ଼ାକୁ ବାଦ୍ ଦେଲି । ଯଦି ବାଟରେ ହାତୀ ଦେଖେ, ସେଇଠୁ ପୁରୀ ଫେରିବି । ଆଉ ଯଦି ନଦେଖେ ବୌଦ୍ଧ ସହର କିନ୍ତୁ ବୁଲିକି ଆସିବି । ଏତେ ବାଟ ଆସିଛି ଯେତେବେଳେ କିଛି ତ ଦେଖିବି । ହଁ, ନାଇଁରେ ହେଲମେଟ ପିନ୍ଧିବାକୁ ବାଦ୍ ଦେଲି । ମୁଣ୍ଡ ବିନ୍ଧାରେ ହେଲମେଟ୍ ପିନ୍ଧିଲେ ମୁଣ୍ଡଟା ଫାଟିଗଲା ଭଳିଆ ଲାଗିବ । ଚା’ ନମିଳିଲା ପର୍ଯ୍ୟନ୍ତ ହେଲମେଟକୁ ନା । ଗାଡ଼ି ଷ୍ଟାର୍ଟ କଲି କିନ୍ତୁ ବେଗଟାକୁ ୮୦ ରୁ ୫୦ କୁ ଖସେଇଲି । ସ୍ପିଡ଼ୋମିଟର୍ ଉପରେ ନଜର ରଖି ଆଗକୁ ବଢ଼ିଲି । ମୁଁ ପଛେ ମରିଯାଏ, ମୋ ପାଇଁ ଆଉ କାହାର କିଛି ନହଉ ।

ହାତୀ ତ ବାହାରୁ ନଥାଏ, କିନ୍ତୁ କେତେ କେତେ କଥା ମନ ଭିତରକୁ ଆସୁଥାଏ । ଭଲ ରାସ୍ତା ନଥିଲା, ଗୁଗୁଲ୍ ମ୍ୟାପ୍, ନେଟ୍ କିଛି ନଥିଲା । ବିଜୁ ପଟ୍ଟନାୟକ ସାଇକେଲ ଖଣ୍ଡେ ଧରିକି ଲାହୋର୍ ପଳେଇଲେ, ପ୍ରଦ୍ୟୁମ୍ନ ମହାନନ୍ଦିଆ ସ୍ଵିଡ଼େନ୍ ପଳେଇଲେ । ମୁଁ ଗାଡ଼ି ଧରିକି ଆଉ କି ଲାଭ ! ମୋ ଫଟା କପାଳ । ରାସ୍ତା ଟିକେ ଟିକେ ଗହଳି ହବାକୁ ଲାଗିଲା; ମାନେ ହାତୀ ରାସ୍ତା ସରିଗଲା । ଆଉ ହାତୀ ବାହାରିଲେନି । ଚା ଗ୍ଲାସ୍ ପାଟିରେ ଲାଗିଲା ପରେ ମନଟା ବାଚାଳାମି ଛାଡ଼ିକି ଭଲ କଥା ଭାବିବାକୁ ଲାଗିଲା । ନେଟ୍ ଖୋଲିକି ଦେଖିଲି । ମନ୍ଦିର ଦେଖିବାକୁ ଇଚ୍ଛା ନଥିଲା । ଯୋଗେନ୍ଦ୍ର ଭିଲ୍ଲା ପ୍ୟାଲେସ୍, ନାୟକପଦା ଗୁମ୍ଫା ଆଉ ବୁଦ୍ଧ ପାର୍କ । ଆଗ ଅପେକ୍ଷା ଟିକେ ଭଲ ଲାଗୁଥିଲା । ଏବେ ଜଣାନାହିଁ ଯେ ସତରେ ଦେହଟା ଭଲ ଥିଲା ନା ଚା’ର ବାସ୍ନା ପାଇ ମୋହରେ ସେମିତି ଲାଗୁଥିଲା । ଯାହା ବି ହଉ, ଏଥର ବେଗ ଟିକେ ବଢ଼େଇ ମାଡ଼ି ଚାଲିଲି । ୧୨ଟା ପାଖାପାଖି ବୌଦ୍ଧ ସହରରେ ପହଞ୍ଚିଲି ।

Tour to Boudhgarh
 

ଷ୍ଟାଡ଼ିୟମ, ବାଳିକା ଉଚ୍ଚ ବିଦ୍ୟାଳୟ ସବୁ ଦେଇକି ସହର ଭିତରେ ଘେରାଟେ ଆଗ ମାରିଲି । ସହର ଭିତରେ ମ୍ୟାପ୍ ଦେଖିବା ଅପେକ୍ଷା ୭/୮ ଯାଗା ଲୋକଙ୍କୁ ରାସ୍ତା ପଚାରିବା ଠିକ୍ ଲାଗିଲା । କିନ୍ତୁ ଲୋକ ସବୁ ଅନଉଥାଆନ୍ତି, ଯେମିତି ମୁଁ ଗୋଟେ ଏଲିଅନ୍ । ଭାବୁଥାଏ କାହିଁକି ଚାହୁଁଛନ୍ତି, ଶେଷ ପର୍ଯ୍ୟନ୍ତ କିନ୍ତୁ ଟେର୍ ପାଇଲିନି । ଦୂର ଯାଗାକୁ ଏକା ଗଲେ “ଅଯଥା ଦୃଷ୍ଟି ଆକର୍ଷଣ”କୁ ସବୁବେଳେ ଏଡ଼ାଏ । କିନ୍ତୁ ଏଥରକ ଜାଣି ପାରୁନଥାଏ ଯେ ମୁଁ କ’ଣ କରୁଛି । ପୋଲିସ ଥାନା ଯାଗାଟାକୁ ଆଉ ଥରେ ଦେଖିଦେଲି, କାମରେ ଆସିପାରେ । ପ୍ରଥମେ ପାଳି ପଡ଼ିଲା ଯୋଗେନ୍ଦ୍ର ଭିଲ୍ଲା ପ୍ୟାଲେସ୍ । ଇଣ୍ଟରନେଟରେ ଯିଏ ବି ତାକୁ ପର୍ଯ୍ୟଟନ ସ୍ଥଳୀ ବୋଲି ଲେଖିଛି, ଆଗରେ ପଡ଼ିଥିଲେ କ’ଣ କହିଥାନ୍ତି ଭାବି ବି ପାରୁନି । ସେଠି ଏବେ ବି ରାଜା ରହୁଛନ୍ତି ଆଉ ଦେଖିବାକୁ କିଛି ନାହିଁ । ଠିକ୍ ତା’ ପାଖରେ ବୁଦ୍ଧ ପାର୍କ । ଲୋକଙ୍କ କହିଲା ଭଳିଆ ଦେଖିବାକୁ ବହୁତ କିଛି ଅଛି । ସମୟ ସକାଳ ୯ ରୁ ସଂଧ୍ୟା ୬ । କିନ୍ତୁ ୧୦ ମିନିଟ୍ ଅପେକ୍ଷା କଲା ପରେ ବି ଗେଟ୍ ପାଖକୁ କେହି ଆସିଲେନି, ଆଉ ଗେଟ୍ ତାଲା ପଡ଼ିଥିଲା । ଖରା ବି ନାଛିକି ହଉଥାଏ । ସେଇ ପାଖରେ ପୁଷ୍ପଗିରି ଛାତ୍ରାବାସ । ତା’ ସାମ୍ନାରେ ବ୍ଲକ୍ କାର୍ଯ୍ୟାଳୟ । ସେଇଠି ଗଛ ଛାଇରେ ଗାଡ଼ି ରଖିକି ଚା ପିଉଥାଏ । ଜଣେ ଲୋକ ଆସି ପଚାରିଲେ, “ପୁରୁଣା ଷ୍ଟୁଡ଼େଣ୍ଟ୍”? ବୁଲିବାକୁ ଆସିଛି କହିଲା ପରେ କହିଲେ, “ମ୍ୟାଡ଼ାମ୍, ବୁଦ୍ଧ ପାର୍କ୍ ବୁଲିଲେଣି? ବୁଦ୍ଧଦେବ ଅଛନ୍ତି । ଦେଖିକି ଯିବେ” । ଏଥର ଘୋର ସନ୍ଦେହରେ ଗାଡ଼ି ମିରରରେ ନିଜକୁ ଦେଖିଲି । ମୁଁ ଦେଖିବାକୁ ଏତେ ଛୋଟ ଯେ ପ୍ରାୟ ନଜାଣିବା ଲୋକ ଝିଅ, ଝିଅ କୁହନ୍ତି । ଏବେ ଦେଖିଲି ଚୁଟି ନଉଡ଼ିବା ପାଇଁ ମୁଣ୍ଡରେ ଟୋପି ଲଗେଇଥିଲି, ଯୋଉଟା ସାଧାରଣତଃ ଝିଅମାନେ ଲଗାନ୍ତିନି । ସେଇଥିପାଇଁ ମୁଁ ଏଲିଅନ୍ । ୟା ପରେ ଗାଡ଼ି ଚାଲିଲା ନାୟକପଦା ଗୁମ୍ଫାକୁ । ସହରରୁ ବାହାରିଯିବେ, ଯୋଉ ରାସ୍ତାରେ ଆସିଥିଲେ ସେଇ ରାସ୍ତାରେ ଫେରିବେ । ପ୍ରାୟ ୫/୬ କି.ମି. ଆସିଲା ପରେ ମ୍ୟାପ୍ ଅନୁସାରେ ଡାହାଣ ପଟ ରାସ୍ତା ନେବେ, ଆଉ ସେଇଠୁ ୩.୫ କି.ମି । ବହୁତ ଭଲ ଯାଗା । କିନ୍ତୁ ଏକା ନଗଲେ ଭଲ । ଯେମିତି ଭଲ ଆଉ ମନ୍ଦ, ସେମିତି ଶାନ୍ତି ଆଉ ନିଛାଟିଆ । କାଉ, କୋଇଲି ଶବ୍ଦ ବି ଶୁଣା ଯାଉନଥିଲା । ତଳୁ ପାହାଚ ଅଛି । ମୁଁ ତ ଯେମିତି ଦଉଡ଼ି ଦଉଡ଼ି ଉପରକୁ ଗଲି, ସେମିତି ୨, ୨ଟା ପାହାଚ, ଡେଇଁ ଡେଇଁ ତଳକୁ ପଳେଇ ଆସିଲି । କିନ୍ତୁ ଜଙ୍ଗଲ ଘେରା ଭଲ ଯାଗାଟିଏ । ପୁରା ବୁଲି ଆସିବେ ।

Tour to Boudhgarh

ତା’ପରେ ଫେରିବା ପାଳି । ଦେହର ସହିବାର ବି ଗୋଟେ ସୀମା ଅଛି । ଆଖି ଖୋଲିବାକୁ ବି କଷ୍ଟ ହେଉଥିଲା । ଫେରିଲା ବେଳେ ସେମିତି କିଛି ବିଶେଷ ଘଟଣା ବି ଘଟିନଥିଲା । କେବଳ ୪/୫ ଯାଗା ରହି କେକ୍ ଖାଇଥିଲି ଆଉ ଚା’ ପିଇଥିଲି ଯାହା । ଭୋକ ହେଇକି ବି ଭାତ ଖାଇ ପାରୁନଥିଲି । ପୁରା ୫୬୪ କି.ମି.ର ସ୍କୁଟର ଯାତ୍ରା ପରେ ଘରେ ପହଁଞ୍ଚିଲି । ସେତେବେଳେ ଆଉ ହାତ ମାରିବା ଦରକାର ହଉନଥିଲା । ଦେହରୁ ଇଞ୍ଚେ ଦୂରରୁ ଉଷୁମ୍ ଜଣା ପଡ଼ୁଥିଲା । ପର ୧୦ ଘଣ୍ଟା ତ ମଲା ଭଳିଆ ଶୋଇଥିଲି । ଉଠିକି ସେ ଷ୍ଟାଟସ୍ ଉପରେ ନଜର ପକେଇଲି, ମୋତେ ଧୋକା ଦେଲା । କିନ୍ତୁ ଆଉଥରେ ଦେଖିଲା ପରେ ନିଜ ମୁଣ୍ଡଟାକୁ ଛେଚିବାକୁ ଇଚ୍ଛା ହଉଥିଲା । ଭୁଲ୍ ତ ମୁଁ ପଢ଼ିଥିଲି, ସେ ଟା ଥିଲା, “ଟ୍ରାଭେଲ୍ ଟୁ ବି ହାପି”, ନଟ୍ ହେଲ୍ଦି । ଆଉ ୨ ଦିନ ପରେ ଯାଇ ଜ୍ଵର ଛାଡ଼ିଲା ।

Tour to Boudhgarh
 

Tour to Boudhgarh

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଆଭା ପ୍ରଧାନ ତାଙ୍କ ଛୋଟବେଳୁ ସାହିତ୍ୟ ପ୍ରତି ଅଧିକ ଆକର୍ଷିତ ଥିଲେ । ବିଭିନ୍ନ ପ୍ରକାରର ରଚନା ରହିଛି ତାଙ୍କର । ପାଠକମାନେ ସବୁବେଳେ ତାଙ୍କର ଲେଖାରେ ଥିବା ନିଜର ପଣିଆକୁ ସବୁବେଳେ ପସନ୍ଦ କରିଆସିଛନ୍ତି ।