ପ୍ରଥମ ଓଡ଼ିଆ ଅଭିଧାନର ଜନକ: ପଣ୍ଡିତ ଗୋପୀନାଥ ନନ୍ଦଶର୍ମା
Pandit Gopinath Nanda Sharma

ପ୍ରଥମ ଓଡ଼ିଆ ଅଭିଧାନର ଜନକ: ପଣ୍ଡିତ ଗୋପୀନାଥ ନନ୍ଦଶର୍ମା

୧୮୯୬ ମସିହାରେ ଓଡ଼ିଆ କଲେଜ ଖଣ୍ଡ ବିଖଣ୍ଡିତ ଓଡ଼ିଶାରେ ମାତ୍ର ଥିଲା ତିନି ଗୋଟି । ମାଡ୍ରାସ ପ୍ରେସିଡେନ୍ସ ଅଧୀନରେ ଥିଲା ରାଜାସ୍ କଲେଜ । ସେତେବେଳେ ଏଫ୍.ଏ ଖସଡ଼ାରେ ଥିଲା “ଜାନକୀ ପରିଣୟ” । ଓଡ଼ିଆ ଭାଷାରେ ଅନୁବାଦିତ ନ ହୋଇଥିବା ଯୋଗୁଁ ପିଲେ ଅନ୍ୟ ପୁସ୍ତକ ପଢ଼ୁଥିଲେ । ଦିନେ କ୍ଳାସ୍ସ ସାରି ଅଧ୍ୟାପକ ପଣ୍ଡିତ ଗୋପୀନାଥ ନନ୍ଦ ଶର୍ମା ଫେରନ୍ତେ ଗିଡୁଗୁ ରାମମୂର୍ତ୍ତି ଏବଂ କିଛି ତେଲୁଗୁ ଅଧ୍ୟାପକ ଥଟ୍ଟା କରି କହିଲେ, “ଦେଖନ୍ତୁ ଆମ ତେଲୁଗୁ ଭାଷାରେ କିଭଳି ଉଚ୍ଚ ଧରଣର ପୁସ୍ତକ ପଢ଼ାଯାଉଛି । ଗଣ ନିବନ୍ଧ ପଦ୍ୟ ଶୈଳୀରେ ରଚିତ ଆମ୍ଭ ଜାନକୀ ପରିଣୟ ନାଟକ ସଦୃଶ ଖଣ୍ଡିଏ ଆପଣଙ୍କ ସାହିତ୍ୟରେ ଅଛି କି?” ଏହା ଶୁଣି ପଣ୍ଡିତ ନନ୍ଦ ଶର୍ମାଙ୍କ ମନ ବିଚଳିତ ହୋଇଯାଇଥିଲା କିଛି କ୍ଷଣ ପାଇଁ, ଗଭୀର ଆଘାତ ଦେଇଥିଲା ଏହି କଥା ସାହିତ୍ୟ ପ୍ରେମୀ ଗୋପୀନାଥଙ୍କୁ । ଓଡ଼ିଆ ଭାଷାର ସୁଉଚ୍ଚ ଜ୍ଞାନର ଧାରା ଉପରେ ଏହା ଥିଲା କୁଠାରଘାତ । ଉକ୍ତ ଦିନରେ ହିଁ ସ୍ୱାଭିମାନୀ ପୁରୁଷ ଲେଖିଥିଲେ ଓଡ଼ିଆରେ ଜାନକୀ ପରିଣୟ । ମିତ୍ରାକ୍ଷର ଶବ୍ଦ ସଂଯୋଜନା ତଥା ଗଣନିବନ୍ଧ ଶୈଳୀରେ ରଚିତ ଏହି ସାରସ୍ୱତ ଓଡ଼ିଆ ଲେଖା ଓଡ଼ିଆ ସାହିତ୍ୟ ପାଇଁ ସାଜିଲା ଦୁର୍ମୁଲ୍ୟ ମଣି । ଏଥିରୁ ପଣ୍ଡିତଙ୍କ ଭାଷା ଓ ଜାତି ପ୍ରୀତି ଠିକ୍ ବାରି ହେଉଛି ।

ଉନବିଂଶ ଶତାବ୍ଦୀରେ ଓଡ଼ିଆମାନେ ବିଭିନ୍ନ ପଡ଼ୋଶୀ ରାଜ୍ୟଙ୍କ ଦ୍ୱାରା ଥିଲେ ନିଷ୍ପେସିତ ଓ କରକବଳିତ । ଠିକ୍ ସେହି ସମୟରେ ୧୮୬୯ ଅଗଷ୍ଟ ୨୧ ତାରିଖରେ ଗଞ୍ଜାମ (ଅଧୁନା ଗଜପତି) ଜିଲ୍ଲାର ପାରଳାରେ ଖେଳି ଯାଇଥିଲା ଖୁସିର ଲହରୀ । ଖବର ଆସିଲା ମଞ୍ଜୁଷା ରାଜ୍ୟରୁ । ପିତା ରଘୁନାଥ ନନ୍ଦ ଶର୍ମା ଓ ମାତା ରମାଦେବୀଙ୍କ ଔରସରୁ ଜନ୍ମ ନେଲେ ଗୋପୀନାଥ । ତାହା ଥିଲା ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରାରମ୍ଭକାଳ । ଦକ୍ଷିଣ ଓଡ଼ିଶାର ଦକ୍ଷିଣ ସୀମାରେ ତେଲୁଗୁ ଭାଷାର ପ୍ରବଳ ପ୍ରଭାବ । ସେ ସମୟରେ ଗୋପୀନାଥ ଶିକ୍ଷା କରିଥିଲେ ଉଭୟ ଓଡ଼ିଆ ଓ ତେଲୁଗୁ ଭାଷା । ପିତାଙ୍କଠାରୁ ଅମରକୋଷ, ବୈଦ୍ୟଶାସ୍ତ୍ର ଆଦି ଶିକ୍ଷା କରି ସଂସ୍କୃତ ଭାଷାରେ ହୋଇଗଲେ ପ୍ରବୀଣ । ୧୮୮୩ ମସିହାରେ ବିବାହ ହୋଇଥିଲେ ପଣ୍ଡିତ ଶର୍ମା । ବିଭାର ବର୍ଷ ପରେ ସ୍ତ୍ରୀ, ତା’ପରେ ମାତା ଓ ତା’ର କିଛି ବର୍ଷ ପରେ ପାଳିତ ପୁତ୍ରର ମୃତ୍ଯୁ ତାଙ୍କୁ ଗଭୀର ଆଘାତ ଦେଇଥିଲା, ଏହାପରେ ଘରେ ରହି ବେଦ ଓ ଶାସ୍ତ୍ର ଅଧ୍ୟୟନରେ ମନୋନିବେଶ କରୁଥିଲେ । ୧୯୧୦ ମସିହାରେ ସେ ତତ୍କାଳୀନ ମହାରାଜା ଓ ବିଜ୍ଞ ଜନଙ୍କ ଦ୍ୱାରା ନିର୍ବାଚିତ ହୋଇ ସଂସ୍କୃତ ଓ ଓଡ଼ିଆ ବିଭାଗର ହେଡ୍ ପଣ୍ଡିତ ରୂପରେ ନିଯୁକ୍ତ ହେଲେ । ଏଥିପାଇଁ ତାଙ୍କୁ କୌଣସି ବିଶ୍ଵବିଦ୍ୟାଳୟର ମାନପତ୍ରର ଆବଶ୍ୟକତା ପଡ଼ିନଥିଲା ।

ଗୋପୀନାଥ ଏକାଧାରରେ ଓଡ଼ିଆ, ସଂସ୍କୃତ, ପାଲି, ଫାର୍ସୀ ହିନ୍ଦୀ, ଇଂରାଜୀ, ବଙ୍ଗଳା, ତେଲୁଗୁ, ତାମିଲ ଓ କନ୍ନଡ଼ ଆଦି ଭାଷାରେ ଧୂରୀଣ ଥିଲେ । ସେ ଚନ୍ଦ୍ରରାଜ ପଦ୍ମନାଭ ଗଜପତିଙ୍କ ଅନୁରୋଧ କ୍ରମେ ଏକ ପୂର୍ଣ୍ଣ ରାତ୍ରୀକାଳୀନ ନାଟକ “ସୀତା ବନବାସ”ଟି ଭବଭୂତିଙ୍କ ଉତ୍ତର ରାମଚରିତକୁ ଅନୁସରଣ କରି ଲେଖିଥିଲେ । ପରେ ସେହିପରି ଅନେକ ଅମୂଲ୍ୟ ଗ୍ରନ୍ଥକୁ ଓଡ଼ିଆରେ ଅନୁବାଦ ଓ ଓଡ଼ିଆରେ ନୂତନ କରି ରଚନା କରିଥିଲେ । ଉଦ୍ଧବଦୂତ, ପିୟୁଷଧାରା, ବିହ୍ମଣୀୟ ଭଳି କାବ୍ୟ ଓଡ଼ିଆ ସାହିତ୍ୟକୁ ରିଦ୍ଧିମନ୍ତ କରିଥିଲା । ତାଙ୍କ ରଚିତ “ବିକ୍ରମବଂଶୀୟ ନାଟକ” ପଦ୍ମନାଭ ରାଙ୍ଗାଳୟରେ ବହୁବାର ପ୍ରଦର୍ଶିତ ହୋଇଥିଲା । ଏଥିସହ ଦ୍ରୌପଦୀ ବସ୍ତ୍ରହରଣ, ରମାଶ୍ୱମେଧ, ଉନ୍ମତ୍ତ ରାଘବ ନାଟକ, ରାସୋଲ୍ଲାସ, ଓଡ଼ିଆ ମେଘଦୂତ, ଉପରୂପକ, ବାଳରାମାୟଣ, ରଥୋତ୍ସବ, କୁମାର ବିଜୟ, ଶ୍ରୀ ଭାରତ ଦର୍ପଣ, ଶ୍ରୀମତ୍ ରାମାୟଣ ସମାଲୋଚନା ନନ୍ଦଙ୍କର ଅନନ୍ୟ କୃତିତ୍ୱ ।

ଓଡ଼ିଆ ଭାଷାରେ ସେତେବେଳେ ଅଭିଧାନ କହିଲେ ସଂସ୍କୃତ ଓ ତଦ୍ଭବ ଶବ୍ଦର ଏକ ବିରାଟ ତାଲିକାକୁ ବୁଝାଉ ଥିଲା । ଏକ ସମ୍ପୂର୍ଣ୍ଣ ଓଡ଼ିଆ ଅଭିଧାନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରଥମେ ଲେଖିବା ଆରମ୍ଭ କରିଥିଲେ ଗୋପୀନାଥ ନନ୍ଦ ମହାଶୟ । ଦୀର୍ଘ ସମୟ ଧରି ପ୍ରତ୍ୟେକ ଜିଲ୍ଲା ଓ ସେଠି ବ୍ୟବହୃତ ଆଞ୍ଚଳିକ ଦେଶଜ ଶବ୍ଦ, ତଥା ଓଡ଼ିଆ ଭାଷାର ପ୍ରକାଶିତ ଓ ଅପ୍ରକାଶିତ ଗ୍ରନ୍ଥ ମାନଙ୍କରୁ ସାଉଁଟି ଥିଲେ ଶବ୍ଦର ସମ୍ଭାର । ଓଡ଼ିଆ ଭାଷାର ମହନୀୟତା ଓ ପରିଚୟକୁ ପ୍ରଦାନ କରି ଅନେକ ତଥ୍ୟ ସେ ଉପସ୍ଥାପନ କରିଛନ୍ତି ଏହି ଅଭିଧାନରେ । ଅଭିଧାନର ପ୍ରଥମ “ଅ” ଅକ୍ଷରଠାରୁ ଶେଷ ପର୍ଯ୍ୟନ୍ତ ପ୍ରତ୍ୟେକ ପୃଷ୍ଠାରେ ଓଡ଼ିଆ କାବ୍ୟ କବିତାର ଉଦାହରଣ ଦେଇଛନ୍ତି । ଯେପରି ଅଭିଧାନର ପ୍ରଥମ ପୃଷ୍ଠାରେ ଅଁଳାକୁ ଦର୍ଶାଇବା ପାଇଁ ବିଲଙ୍କା ରାମାୟଣ, ଭାରତ ଦର୍ପଣ ଓ ରସକଲ୍ଲୋଳର ବିଭିନ୍ନ ପଦ ଗୁଡ଼ିକୁ ଉଦାହରଣ ସ୍ୱରୂପରେ ଦେଇଛନ୍ତି ।

“କୁଙ୍କୁମ ଅଏଳା ଘେନି ଗୋପବାଳା ।
ରାଧିକା ପାଖେ ପ୍ରବେଶ ।। (ରସ କଲ୍ଲୋଳ)

ଟଭା ଜମ୍ବିଳ ଲେମ୍ବାଉ କମଳା,
କରମଙ୍ଗା ଗୁଆ କୋଳି ଅୟଳା ।। (ବିଲଙ୍କା ରାମାୟଣ)

ଅର୍ଥାତ ପ୍ରତ୍ୟେକ ଶବ୍ଦର ଅର୍ଥ ପ୍ରକାଶ ନିମିତ୍ତ ପ୍ରାଚୀନ ଓଡ଼ିଆ ଗ୍ରନ୍ଥ ଓ ପୁରାଣକୁ ପଢ଼ିଛନ୍ତି, ଏ କିଛି କମ ସାଧନା ନୁହେଁ । ଓଡ଼ିଆରେ ପ୍ରଥମ ଭାଷାକୋଷ ଓ ସଂପୂର୍ଣ୍ଣ ଅଭିଧାନ ଲେଖିବାରେ ଏ ଥିଲେ ପ୍ରଥମ ଓଡ଼ିଆ । ରଚିତ ଭାଷାତତ୍ତ୍ୱରେ ଶବ୍ଦର ମୂଳ, ଶବ୍ଦର ବିକାଶ, ଅର୍ଥ ଓ ପ୍ରୟୋଗ, ବ୍ୟାକରଣ ଶୁଦ୍ଧି ଓ ବନାନ ଶୁଦ୍ଧି ଓ ଅର୍ଥ ବୋଧ ସହ ଶବ୍ଦର ବିବର୍ତ୍ତନ ଖୁବ ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି । ଅନନ୍ୟ ଚିତ୍ତରେ କେବଳ ସାହିତ୍ୟ ନିମନ୍ତେ ସେ ନିଜକୁ ବ୍ରତୀ କରିଦେଇଥିଲେ । ଓଡ଼ିଆ ଶବ୍ଦ ସନ୍ଦର୍ଭ ମାଧ୍ୟମରେ ଓଡ଼ିଆ ଭାଷାର ମହନୀୟତାକୁ ସେ ବୁଝାଇ ଥିଲେ । ସେ ଉଲ୍ଲେଖ କରିଛନ୍ତି ଯେ, “ଓଡ଼ିଆ ନିଜେ ନିର୍ନିୟମ ଭାଷା ନୁହଁ । ଏହା ଖୁବ୍ ନିୟମ ବଦ୍ଧ । ନିୟମ ବ୍ୟତିରେକ କୌଣସି ଭାଷାରେ ଶବ୍ଦ ସାଧୁ ହୋଇ ପାରେନା । ନାନା ଦେଶୀୟ ଭାଷାର ସମଷ୍ଟି ପ୍ରାକୃତ ଯେପରି ଗୋଟିଏ ସ୍ୱତନ୍ତ୍ର ଭାଷା ଓଡ଼ିଆ ମଧ୍ୟ ସେହିପରି ସ୍ୱତନ୍ତ୍ର ।” ଯେଉଁ ଭାଷାରେ ଦେଶଜ ଜାତୀୟ ଶବ୍ଦ ଯେତେ ଅଧିକ ସେ ଭାଷା ଶକ୍ତିଶାଳୀ ଆଉ ଓଡ଼ିଆ ତନ୍ମଧ୍ୟରୁ ଗୋଟିଏ । ସେ ଓଡ଼ିଆ ଭାଷାରେ ଶବ୍ଦକୋଷ ବା ଅଭିଧାନର ଶୂନ୍ୟତାକୁ ବୁଝିପାରିଥିଲେ । ଏଥିଲାଗି ପାରଳାଧିଶ୍ୱର ମହାରାଜ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ସେ ସମୟରେ ୩୦୦୦ ଟଙ୍କା ଆର୍ଥିକ ସହାୟତା ଦେବା ସହ ସାତ ମାସ ସବେତନ ଛୁଟି ଦେଇଥିଲେ । ଏହା ମହାରାଜାଙ୍କ ଭାଷା ପ୍ରୀତିର ଆଉ ଏକ ଫର୍ଦ୍ଦ । ୧୯୦୩ ମସିହାରେ ସମ୍ପୂର୍ଣ୍ଣ ହୋଇଥିଲା ଏହି ଶବ୍ଦତତ୍ତ୍ୱବୋଧ ଅଭିଧାନ, ଯାହା ପରେ ୧୯୧୬ ମସିହାରେ କଟକର ଉତ୍କଳ ସାହିତ୍ୟ ପ୍ରେସରୁ ପ୍ରକାଶ ପାଇଥିଲା । ଏହାପରେ ଓଡ଼ିଆ ବ୍ୟାକରଣ ପାଇଁ ବି ପ୍ରଥମେ ପୁସ୍ତକ ଲେଖିଥିଲେ । ସେ ଉକ୍ତ ପୁସ୍ତକରେ ଓଡ଼ିଆ ଭାଷା ଓ ବ୍ୟାକରଣର ପ୍ରକୃତିକୁ ନିଖୂଣ ପର୍ଯ୍ୟାଲୋଚନା କରିଛନ୍ତି । ଶୁଣାଯାଏ ଦୈନିକ ସେ ଦଶଘଣ୍ଟା ଓଡ଼ିଆ ସାହିତ୍ୟ ଓ ବ୍ୟାକରଣ ବର୍ଣ୍ଣନ ନିମିତ୍ତ କଟାଉଥିଲେ । ଏହା କୌଣସି ତପସ୍ୟାଠାରୁ କମ୍ କହିଲେ ଅତ୍ୟୁକ୍ତି ହେବନାହିଁ । ପଣ୍ଡିତ ନନ୍ଦଙ୍କ ଏହି ସାରସ୍ୱତ କୃତିକୁ ଉତ୍କଳମଣି ଗୋପବନ୍ଧୁ, ପଣ୍ଡିତ ନୀଳକଣ୍ଠ, ଉତ୍କଳ ଗୋୖରବ ମଧୁସୂଦନ ଦାସ, ବାମଣ୍ଡା ରାଜା, ଖଲ୍ଲିକୋଟ, ସୁରଙ୍ଗି ଓ ଧରାକୋଟ ରାଜା ଭୂୟଶୀ ପ୍ରଶଂସା କରି ଉକ୍ତ ପୁସ୍ତକର ଗ୍ରନ୍ଥ ନିବେଶରେ ନିଜ ମତ ଉପସ୍ଥାପନ କରିଛନ୍ତି ।

କେବଳ ଯେ ଉତ୍କଳରେ ଏହା ପ୍ରସିଦ୍ଧି ଲାଭ କରିଥିଲା ତାହା ନୁହେଁ । ସମଗ୍ର ଭାରତ ବର୍ଷର ପଣ୍ଡିତ ବୃନ୍ଦଙ୍କୁ ବିମୁଗ୍ଧ କରିଥିଲା ଏହି ପୁସ୍ତକ ଦ୍ୱୟ । ଏପରିକି ସର୍ବଭାରତୀୟ ପଣ୍ଡିତ ମହାସମ୍ମିଳନୀରେ ପଣ୍ଡିତ ନନ୍ଦଙ୍କୁ କାଇଜର୍-ଇ-ହିନ୍ଦ୍ ଉପାଧିରେ ଭୂଷିତ କରାଯାଇଥିଲା । ସଂସ୍କୃତରେ ପଣ୍ଡିତ ଥାଇ ପ୍ରାକୃତ ଓଡ଼ିଆ ଆଲୋଚନାରେ ସେ ଯେଉଁ ମୌଳିକତା ଦର୍ଶାଇଛନ୍ତି ତାହା ନନ୍ଦ ଶର୍ମାଙ୍କ ଅସାଧାରଣ ପ୍ରତିଭାର ପରିଚାୟକ । ସେଥିପାଇଁ ସେ ଓଡ଼ିଶାର ପାଣିନୀ ରୂପେ ପରିଚିତ ।

୧୯୨୪ ଜାନୁଆରୀ ୧୪ ତାରିଖରେ ଉତ୍କଳ ମାଟି ହରାଇ ଥିଲା ଏହି ସୁଯୋଗ୍ୟ ସନ୍ତାନଙ୍କୁ । ପରିତାପର ବିଷୟ ଆଜି ଏହି ମହାନୁଭବଙ୍କ ପୂଜ୍ୟପୂଜାର କଥା ଉଠିଲା ବେଳେ ଆମେ ଆଜି ସହସ୍ର ଯୋଜନ ଦୂରରେ । ଓଡ଼ିଆ ଭାଷାକୁ ନବ ଦିଗ୍‌ଦର୍ଶନ ଦେଇଥିବା ବ୍ୟକ୍ତିଙ୍କର ସ୍ମୃତି ରକ୍ଷା ନିମିତ୍ତ ଗୋଟିଏ ବି ପ୍ରତିମୂର୍ତ୍ତି ଓଡ଼ି଼ଶାର ରାଜଧାନୀ କିମ୍ବା ପଣ୍ଡିତଙ୍କ ସ୍ଵ-ଜନ୍ମଭୂମିରେ ହୋଇପାରିଲାନାହିଁ । ଏପରିକି ତାଙ୍କ ନାମରେ ନାମିତ ଏକମାତ୍ର ପ୍ରାଥମିକ ବିଦ୍ୟାଳୟରେ ଛାତ୍ର ଅଭାବ ଯୋଗୁଁ ଆଜି ତାଲା ଝୁଲୁଛି । ସେ ଯାହା ହେଉ, ଓଡ଼ିଶାରେ ଆଗାମୀ ଦିନ ମାନଙ୍କରେ କୌଣସି ସାହିତ୍ୟ ତଥା ଭାଷା ଗବେଷଣା ଅନୁଷ୍ଠାନ ଗଢ଼ି ଉଠିଲେ ପଣ୍ଡିତ ଗୋପୀନାଥ ନନ୍ଦ ଶର୍ମାଙ୍କ ନାମରେ ନାମିତ ହୋଇଥିଲେ ତାଙ୍କ ସ୍ମୃତିରକ୍ଷା ନିମିତ୍ତ ଯଥୋଚିତ ସମ୍ମାନ ହୋଇଥାଆନ୍ତା ।

1st Odia Dictionary
1st Odia Dictionary

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ବିଷ୍ଣୁ ମୋହନ ଅଧିକାରୀ

ବିଷ୍ଣୁ ମୋହନ ଅଧିକାରୀ ମୁଖ୍ୟତଃ ଗଜପତି ଜିଲ୍ଲାର ବିଭିନ୍ନ କଥା ସୋସିଆଲ ମିଡ଼ିଆ ଏବଂ ବ୍ଲଗ୍ ଜରିଆରେ ଲୋକଲୋଚନକୁ ଆଣିଥାନ୍ତି ।

Leave a Reply

Close Menu