You are currently viewing ମାତୃତ୍ୱର ଚିର ଆର୍ତ୍ତନାଦ
Odia Story Matrutwara Chira Artanada (ମାତୃତ୍ୱର ଚିର ଆର୍ତ୍ତନାଦ) by Manas Ranjan Nayak

ମାତୃତ୍ୱର ଚିର ଆର୍ତ୍ତନାଦ

ସେଦିନର ସକାଳଟିରେ କିଛି ନୂତନତ୍ୱର ଅଭିସ୍ପୁରଣ ନଥିଲେ ହେଁ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟରେ କିଛି ଊଣା ନଥିଲା । ଗବାକ୍ଷଦେଇ କାନ୍ତ କମନୀୟ ସ୍ୱର୍ଣ୍ଣାଭ କିରଣ ବିଚ୍ଛୁରିତ ହୋଇ ପଡ଼ୁଥାଆନ୍ତି ଶୟନ କକ୍ଷ ଭିତରକୁ ଗତ ରାତ୍ରିର ଏକ ଘନ ଅନ୍ଧକାରର ଯବନିକା ଟାଣି । ମୃଦୁ ମୃଦୁ ବିହଙ୍ଗ କାକଳୀ, କଳଗାଉନାରେ ଦୂର ଦେବାଳୟରୁ ଭାସି ଆସୁଥିବା ଶିବ ପଞ୍ଚାକ୍ଷରୀର ଓଁ କାର ଶବ୍ଦ ସାଙ୍ଗକୁ ଧରାପୃଷ୍ଠରେ ସଦ୍ୟ ଜାଗ୍ରତ ଜୀବଜନ୍ତୁଙ୍କର କ୍ଷିପ୍ର ନିଶ୍ୱାସ ଶବ୍ଦର ଗୁଞ୍ଜରଣ ରାତ୍ରିର ଦୀର୍ଘ ନିସ୍ତବ୍ଧତାକୁ ଭଙ୍ଗ କରି ଆଉ ଏକ ନୂତନ ସକାଳର ଆଗମନକୁ ଆହ୍ୱାନ କରୁଥାଏ । ଅଳସଭାଙ୍ଗି ବିଛଣାରୁ ସିଧା ଝରକା ଆଡ଼କୁ ଟାଣି ହୋଇଗଲା ପଦ୍ମଜା । ମହାନଗରୀ ମୁମ୍ୱାଇର ପ୍ରଦୂଷଣ ଛୁଇଁବା ପୁର୍ବରୁ ପ୍ରାତଃକାଳର ହାଲକାଏ ଅମ୍ଳଜାନପୂର୍ଣ୍ଣ ଶୀତଳ ପବନ ମୁହଁରେ ବାଜିବାରୁ ଆମୋଦିତ ହୋଇପଡ଼ିଲା ସେ । ଆଜି ରବିବାର, କର୍ମମୟ ଜୀବନରେ ଏକ ବହୁମୂଲ୍ୟ ଅବକାଶ । ନିର୍ଜୀବ ମେସିନମାନଙ୍କ ସହ ସପ୍ତାହେ ଧରି ଏକାକାର ହେବାପରେ ନିଜର ଜୀବନ୍ତ ସତ୍ତାକୁ ହୃଦୟଙ୍ଗମ କରିବାକୁ ଏକ ଦୁର୍ବାର ସୁଯୋଗ । ବାଷ୍ପମାନ କଫି ମଗ୍ ହାତରେ ଧରି ପଦ୍ମଜା ତା’ର ବାଲକୋନିର କ୍ଷୁଦ୍ର ବଗିଚାରେ ତା’ ଭଳି ଜୀବନ୍ତ ହେଲେ ନିଶବ୍ଦ, ଆବେଗପୂର୍ଣ୍ଣ ସବୁଜ ସାଥିମାନଙ୍କ ସହ କିଛି କ୍ଷଣ ଆଖିର ଇସାରା ଓ ଅଙ୍ଗୁଳି ସ୍ପର୍ଶରେ ଭାବ ବିନିମୟ କରିବାକୁ ଲାଗିଲା । ଏହା ତା’ର ଦୈନନ୍ଦିନ ସାପ୍ତାହିକୀ କାର୍ଯ୍ୟାବଳୀରେ ଅନ୍ତର୍ଭୁକ୍ତ । ହେଲେ ପର ମୂହୁର୍ତ୍ତରେ ଏକ ଅପ୍ରତ୍ୟାଶିତ ଉନ୍ମାଦନାରେ ଅବାକ ହେଲା ସେ । ବାଲକୋନିରେ ଏକ କୋଣରେ କିଛି ତେଜ୍ୟ ରବରମ୍ୟାଟ ଓ କେଇଖଣ୍ଡ କାଠି ଉପରେ ଟିକି ଚଢ଼େଇ ଅଣ୍ଡାଟିଏ ସତେ ଅବା ଉନ୍ନିମେଷ ନୟନରେ ତାକୁ ସ୍ଵାଗତ ଜଣାଉଛି !! ଅପଲକ ନୟନରେ ଏକ ଉତ୍ସାହିତ ଆବେଗ ସହିତ ପଦ୍ମଜା ଚାହିଁ ରହିଥାଏ ଏକ ନୂତନ ଜୀବନର ଉତ୍ସ ସେହି ଶ୍ୱେତବର୍ଣ୍ଣର ସମ୍ଭାବନାଟିକୁ ।

ପଲକ ପଡ଼ିବା ପୂର୍ବରୁ ମାଆ ଘୁମୁରିପାରାଟି ତା’ର ଛୋଟ ଚଞ୍ଚୁରେ ଆଉ ଦୁଇଖଣ୍ଡ କାଠିନେଇ ପହଞ୍ଚିଗଲା ସେଠି । ଅଣ୍ଡାଟି ଯେପରି କୌଣସି କାରଣ ବଶତଃ ଗତିମାନ ହୋଇ ତ୍ରିତଳଯୁକ୍ତ ମହଲାର ସମତଳ ସିମେଣ୍ଟ୍ ଚଟ୍ଟାଣରୁ ତଳକୁ ଖସି ନପଡ଼ୁ ତା’ର ଯଥାସାଧ୍ୟ ସୁରକ୍ଷାରେ ପ୍ରଯତ୍ନଶୀଳ ଥାଏ ମା’ଟି । କୌତୁହଳବଶତଃ ପଦ୍ମଜା ତା’ର ଅନ୍ତଃ ମନରେ ଭାବି ଚାଲିଲା ବାପା ଘୁମୁରି ପାରାଟି କାହିଁ !? ତା’ର କଣ କୌଣସି ଦାୟିତ୍ୱବୋଧ ନାହିଁ? ପକ୍ଷୀ ଓ ମଣିଷର ଦାମ୍ପତ୍ୟ କ’ଣ ସମ୍ପୂର୍ଣ୍ଣ ଭିନ୍ନ?? ତତକ୍ଷଣାତ୍ ବାପା ଘୁମୁରିପାରାଟି ଆସି ପହଞ୍ଚିଲା । ଏବେ ପଦ୍ମଜା ହୃଦୟଙ୍ଗମ କଲା ସେମାନଙ୍କୁ କିଛିଟା ଐକାନ୍ତିକ ସମୟ ଦେବା ଶାଳୀନତା ହେବ ନିଶ୍ଚୟ !

ନିଜର ଘରୋଇ ଜଞ୍ଜାଳରେ ବ୍ୟସ୍ତ ହୋଇଗଲା କିଛିସମୟ ପାଇଁ ପଦ୍ମଜା । ଭୋଜନ ସମାପ୍ତି ପରେ ହେଜ ଆସିଲା ତା’ର ଘୁମୁରିପାରା ପରିବାର କଥା । ଧାଇଁଗଲା ସେ ବାଲକୋନିକୁ, କାଚ ଖୋଲି ସେ ଯାହା ଦେଖିଲା ଦ୍ୱିଗୁଣିତ ହୋଇଗଲା ତା’ର ଉତ୍କଣ୍ଠା । ଏବେ ଗୋଟିଏ ନୁହଁ ଦୁଇଟି ଦୁଇଟି ଅଣ୍ଡା ଆବିଷ୍କାର କଲା ସେ ସେହି କାଠି କୁଟାର ବସା ମଧ୍ୟରୁ । ମା’ ପାରାଟି ଅଣ୍ଡାଦୁଇ ଉପରେ ପକ୍ଷ ବିସ୍ତାରି ବସିଥାଏ ଓ ବାପା ପାରାଟି ସୁରକ୍ଷା ପ୍ରହରୀ ପରି ସଦା ଜାଗ୍ରତ, ଚଳ ଚଞ୍ଚଳ ଆଖି ଦୁଇଟି ଚତୁର୍ଦ୍ଦିଗ ଘୂର୍ଣ୍ଣାୟମାନ । ଏବେ ପାରା ଦୁଇଟି ଆତ୍ମୀୟତାର ଆଉ କିଛି ପାହାଚ ଆଗେଇ ଯାଇ ଥାଆନ୍ତି ପଦ୍ମଜା ସହିତ । ତା’ର ଆପେକ୍ଷିକ ନିକଟତର ଅବସ୍ଥିତି ବ୍ୟଥିତ କରୁନଥାଏ ସେମାନଙ୍କୁ । ସତେ ଅବା ନିରୀହ ନିଷ୍କପଟ ମନରେ ସେମାନେ ମଣିଷକୁ ନିଜର କରିନିଅନ୍ତି ବହୁତ ଶୀଘ୍ର । ତା’ହେଲେ ବାପା ପାରାଟି କାହାଠାରୁ ସୁରକ୍ଷା ଦେବାକୁ ତତ୍ପର? ଦ୍ୱନ୍ଦରେ ପଡ଼ୁଥିଲା ପଦ୍ମଜା । କାହାର ଆଭାସରେ ହଠାତ୍ ଆତଙ୍କିତ ହୋଇଉଠିଲେ ପାରା ଦୁଇଟି । ଘୁମୁର ଘୁମୁର ସ୍ୱର ଟିକିଏ କ୍ଷୀପ୍ର ଶୁଣାଗଲା ଏଥର । ବିଚଳିତ ହୋଇ ପଦ୍ମଜା ଚତୁର୍ଦ୍ଦିଗକୁ ନିରୀକ୍ଷଣ କରିନେଲା ଓ ଦେଖି ବିବ୍ରତ ହେଲା ଅନତି ଦୂରରେ ଏକ ବାଦାମ୍ ଗଛ ଡାଳରେ ମୁରବୀ କାଉଟିଏ ତାହାର ଆଉ ତିନିଜଣ ପରିବାରବର୍ଗଙ୍କ ସହ ସେମାନଙ୍କ ଆଡ଼କୁ ଦୃଷ୍ଟିନିକ୍ଷେପ କରିଛନ୍ତି । ପ୍ରାୟତଃ ଏକ ସୁପରିକଳ୍ପିତ ଯୋଜନାରେ ମଗ୍ନ ସେମାନେ । ତତକ୍ଷଣାତ ହିଂସାତ୍ମକ ଭାବେ ସାନ କାଉଟିଏ ବାଲକୋନି ପାଖକୁ କ୍ଷୀପ୍ର ଗତିରେ ଉଡ଼ି ଆସିଲା, ମାତ୍ର ପଦ୍ମଜାର ଚିତ୍କାର ଓ ବାପା ପାରାର ସତର୍କତା ତାକୁ ଅକୃତକାର୍ଯ୍ୟ ହୋଇ ଫେରିଯିବାପାଇଁ ବାଧ୍ୟ କଲା । ଏ କ’ଣ ଖାଦ୍ୟ ଖାଦକର ସଂଗ୍ରାମ ନା ମଣିଷ ଭଳି ପକ୍ଷୀମାନଙ୍କ ଭିତରେ ବି ହିଂସା, ଈର୍ଷା ଓ ସାମର୍ଥ୍ୟର ହୀନ ପ୍ରଦର୍ଶନ !! ହେଲେ କୁଆମାନଙ୍କୁ କ’ଣ ଆଉକିଛି ଖାଦ୍ୟ ମିଳୁନି ଯେ ବିଚରା ନିରୀହ କୋମଳ ପାରା ବଂଶର ଭାବୀ ଦାୟାଦର ସମ୍ଭାବନା ସୂଚକ ଏହି ଅଣ୍ଡା ଦୁଇଟି ଉପରେ ହିଁ ସେମାନଙ୍କର କୋପଦୃଷ୍ଟି !? ମନକୁ ମନ ପ୍ରଶ୍ନ କରି ଚାଲିଲା ପଦ୍ମଜା । ହେଲେ ତା’ପରେ ପାରା ଦୁହିଁଙ୍କୁ ଚାହିଁ ସେମାନଙ୍କୁ ଆଶ୍ୱସ୍ତି ଦେଲାଭଳି ସ୍ୱଗତୋକ୍ତି କରି ଚାଲିଲା; “ତୁମେମାନେ ଜମାରୁ ବ୍ୟସ୍ତ ହୁଅନାହିଁ, ମୁଁ ଏଇଠି ତୁମ ସହ ଅଛି । ସେ ବଦମାସ୍ କୁଆ ତୁମର କିଛି କରିପାରିବେନି ।” ସତେ ଅବା ପାରା ଦମ୍ପତି ବି ସବୁକିଛି ବୁଝିପାରି ଧନ୍ୟବାଦ ଦେବା ଉଦ୍ଦେଶ୍ୟରେ ତାକୁ ଚାହିଁ ମୁଣ୍ଡ ଟୁଙ୍ଗାରି ଘୁମ୍ ଘୁମ୍ ଶବ୍ଦ କରିବାକୁ ଲାଗିଲେ !

ଅବ୍ୟକ୍ତ ହେଲେହେଁ ଏକ ଅକୁହା ଆତ୍ମୀୟତାରେ ଛନ୍ଦି ହୋଇଯାଉଥାଏ ପଦ୍ମଜା । କିଛିକ୍ଷଣ ପରେ ମା’ ପାରାଟି ଉଡ଼ିଗଲା ଓ ବାପା ପାରାଟି ଅଣ୍ଡା ଦୁଇଟି ଉପରେ ପକ୍ଷ ବିସ୍ତାର କରି ତଦ୍ରୁପ ସୁରକ୍ଷା ଦେବାକୁ ଲାଗିଲା । କେତେ ଅମାୟିକ ଏ ସମ୍ପର୍କର ଉଷ୍ମତା ସତେ ! ଉଦ୍ଭିଦ, ଜୀବଜନ୍ତୁ ପ୍ରାଣୀ ଓ ପକ୍ଷୀ ସମସ୍ତଙ୍କ ମଧ୍ୟରେ ସେହି ଭାବନାଟି ପରିସ୍ପୁଟ । ଆହୁରି ଆଗ୍ରହୀ ହୋଇ ଉଠିଲା ସେ ଓ ମୋବାଇଲ୍ ଇଣ୍ଟରନେଟରେ ଖୋଜିବାକୁ ଲାଗିଲା ପାରାମାନଙ୍କ ଜୀବନଚକ୍ରର ବିସ୍ତୃତ ବର୍ଣ୍ଣନା ସବୁ । ଦୀର୍ଘ ୧୬-୧୮ ଦିନ ପରେ ହିଁ ଅଣ୍ଡାଟିରୁ ଶାବକଟିଏ ଜନ୍ମ ନିଏ ଜାଣିଲାପରେ ପଦ୍ମଜା ସେପର୍ଯ୍ୟନ୍ତ ସେମାନଙ୍କ ସୁରକ୍ଷା ପାଇଁ ବ୍ୟସ୍ତ ହୋଇପଡ଼ିଲା । ମା’ ପାରାଟି ଏବେ ଫେରି ଆସିଲା ଓ ଦୁହେଁ ମୁହଁକୁ ମୁହଁ ଲଗାଇ କିଛି ଅବୁଝା ନିରବ ଭାଷାରେ ପରସ୍ପରକୁ କିଛି ଅବଗତ କରାଇଲେ ପ୍ରାୟ । ସେମାନଙ୍କର ଏବେ ଖାଦ୍ୟ ପାନୀୟର ଆୟୋଜନରେ ଲାଗି ପଡ଼ିଲା ପଦ୍ମଜା । ଗୋଟିଏ ଛୋଟ ପ୍ଲାଷ୍ଟିକ ବାଟିରେ କିଛି ଚାଉଳ ଓ ଆଉ ଗୋଟିକରେ ପାଣି ଆଣି ସେମାନଙ୍କ ବସା ପାଖରେ ରଖିଦେଲା ସେ । ଶତ୍ରୁଗଣ ସୀମାରେଖାର ଅନତିଦୂରରେ ଦୃଷ୍ଟିଗୋଚର ହେବାକ୍ଷଣି ସେମାନଙ୍କୁ ରଣହୁଙ୍କାରରେ ଘଉଡ଼ାଇ ଦେଉଥାଏ ସେ ଓ ପାରା ଦମ୍ପତି ବି ଜଣେ ପରେ ଜଣେ ହୋଇ ଶାରୀରିକ ଉଷ୍ମତା ପ୍ରଦାନ କରି ଅଣ୍ଡା ଦୁଇଟିକୁ ପ୍ରସ୍ତୁତ କରାଇବାରେ ନିରନ୍ତର ପ୍ରୟାସରତ ଥାଆନ୍ତି । ଅପରାହ୍ନ ପରେ ଅଦୃଶ୍ୟ ହୋଇଯାଆନ୍ତି ଶତ୍ରୁ କୁଆମାନେ ଓ ଏକ ଆଶ୍ୱସ୍ତିର ବାତାବରଣ ପ୍ରସ୍ତୁତ ହୁଏ ପୁଣି ଆଉଏକ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ । ବିଧାତାର ଅମୃତମୟ ଇଙ୍ଗିତରେ ଲକଡ଼ାଉନ୍ ଆଉ ଦୁଇ ସପ୍ତାହ ବିସ୍ତାରିତ ହେବାର ଖବରରେ ଉଲ୍ଲସିତ ହୋଇଉଠେ ପଦ୍ମଜା ପାରା ପରିବାରଟିର ଯଥାସାଧ୍ୟ ସୁରକ୍ଷା ନେଇପାରିବ ଭାବି । ରାତ୍ରିରେ ଝରକା ଆରପଟେ ପାରା ଦୁହିଁଙ୍କର ଘୁମୁରା ଶବ୍ଦ ବେଶ୍ ଏକ ସୁଖଦ ଅନୁଭୂତିର ସ୍ୱାଦ ଆଣିଦେଇଥିଲା ତାପାଇଁ, ସତେ ଅବା ତା’ର ପରିବାର ବିସ୍ତାରିତ ହୋଇଯାଇଛି ସେମାନଙ୍କ ସହିତ ଏହି କେତେଦିନ ହେଲା !!

ପରବର୍ତ୍ତୀ ପ୍ରତିଟି ସୂର୍ଯ୍ୟୋଦୟ ହୋଇଉଠିଥିଲା ବେଶ୍ ସ୍ମରଣୀୟ କିଛି ଆଶ୍ୱସ୍ତି ଓ କିଛି ନୂତନ ଅପେକ୍ଷା ସହିତ ପଦ୍ମଜା ପାଇଁ । କ୍ୟାଲେଣ୍ଡରରେ ଡଟ୍ ମାରି ରୋମାଞ୍ଚିତ ହୋଇଉଠିଥିଲା ସେ ସେଦିନ; ତାହା ଥିଲା ୧୫ତମ ଦିନ । ବିଜୁଳି ବେଗରେ ଧାଇଁ ଗଲା ସେ ବାଲକୋନିକୁ । ସାର୍ଥକ ହୋଇଥିଲା ତା’ର ପ୍ରତୀକ୍ଷା, ଗୋଟିଏ ଅଣ୍ଡାରୁ କୁନି ନାଲି ଥଣ୍ଟିଆ ଶାବକ ପାରାଟିଏ ଶକ୍ତ ଖୋଳପାକୁ ଫଟାଇ ତା’ର ଜୀବନଦାତ୍ରୀ ମାଆ ପାରାଟିକୁ ଅବଲୋକନ କରୁଛି । କୌତୂହଳୀ ହୋଇ ସେ ଦ୍ୱିତୀୟ ଅଣ୍ଡାଟିକୁ ଖୋଜିବାକୁ ଲାଗିଲା ଓ ତାକୁ ମା’ ପାରାର ପେଟ ତଳେ ପାଇଲା । ଏବେବି ତା’ର ଜୀବନର ପ୍ରସ୍ତୁତି ବାକି ଅଛି ବୋଧହୁଏ ! ଶତ୍ରୁ କୁଆମାନଙ୍କର ଆତଯାତ ଟିକିଏ ସଂଶୟ ମିଶ୍ରିତ ଲାଗୁଥାଏ । ହେଲେ ପଦ୍ମଜା ଓ ବାପା ପାରାର ଉପସ୍ଥିତ ଅନୁକୂଳ ହେଉ ନଥାଏ ସେମାନଙ୍କ ପାଇଁ । ଏବେ ପଦ୍ମଜା ପାରାମାନଙ୍କ ଖାଇବା ପାଇଁ ଦାନା ଓ ପାଣି ଦିନରେ ଦୁଇଥର କରି ଦେଇଥାଏ ଓ ତାହା ଯେପରି ଅନ୍ୟ ପାରା ବା ଶତ୍ରୁ କୁଆମାନଙ୍କର ଆହାର ନହୋଇଯାଏ ତାହା ନିଘା ରଖିଥାଏ । ପରଦିନ ସକାଳଟି ଥିଲା ଆହୁରି ରୋମାଞ୍ଚକର, ଦ୍ୱିତୀୟ ଅଣ୍ଡାରୁ ଶାବକଟି ତାର ଜନ୍ମର ଆହ୍ୱାନ କରିଦେଇଥାଏ । ବେଶ ଆହ୍ଲାଦିତ ଥାଆନ୍ତି ପାରା ଦମ୍ପତି ଓ ପଦ୍ମଜା ବି ସେମାନଙ୍କର ଏହି ସୁଖଦ ମୂହୂର୍ତ୍ତରରେ କିଛିଟା ଅବଦାନ କରିପାରିଥିବାରୁ ବେଶ୍ ପ୍ରସନ୍ନ ଅନୁଭବ କରୁଥାଏ ।

ଏବେ ପୁଣି ଗୋଟାଏ ମାସକାଳ ଶାବକ ଦ୍ୱୟ ସମ୍ପୂର୍ଣ୍ଣ ରୂପେ ପିତାମାତାଙ୍କ ଉପରେ ନିର୍ଭରଶୀଳ । ବାପା ପାରାଟି ଏବେ ପ୍ରାୟତଃ ବାହାରକୁ ଚାଲିଯାଏ, ଥରେ ଅଧେ ପରିବାର ସହିତ ନଜର ଆସୁଛି ଆଜିକାଲି । ମା’ ପାରାଟି ବି ଅନେକ ସମୟରେ ତା’ର ଦୁଇ ଶାବକକୁ ଥଣ୍ଟରେ ଥଣ୍ଟ ମିଶାଇ ମାତୃତ୍ୱର ଅନୁଭୂତିକୁ ସ୍ମରଣୀୟ କରିଚାଲିଥାଏ । ହଠାତ୍ ତୃତୀୟ ଦିନ ପ୍ରଭାତରେ ଭୟଭୀତ ହୋଇଉଠିଥିଲା ପଦ୍ମଜା ଝରକା ଆରପଟେ ବାଲକୋନିରେ ଶତ୍ରୁ କୁଆର କା କା ଶବ୍ଦରେ । ଦୌଡ଼ିଯାଇ ସେ ଝରକା କାଚ ଖୋଲିବାକ୍ଷଣି ମୁରବୀ କାଉଟି ବାଲକୋନିର ଲୁହା ରେଲିଂ ଉପରୁ ସାଏଁ କରି ଉଡ଼ିଗଲା । ହେଲେ ଏ କ’ଣ? ଶାବକ ଦ୍ୱୟ ସଂପୂର୍ଣ୍ଣ ଏକା ! ଲାଲ୍ ଟୁକଟୁକ ଅବୟବ ଉପରେ ଶ୍ୱେତବର୍ଣ୍ଣର କିଛି ଲୋମ, ଆଂଶିକ ନୀଳ ବର୍ଣର ଲମ୍ୱା ଥଣ୍ଟ ଓ ଗୋଡ଼ ଦୁଇଟି ବିକଶିତ ଅବସ୍ଥାରେ ଏବେ ଶରୀରର ଭାର ବହନ କରିବାକୁ ଅସମର୍ଥ ପ୍ରୟାସ କରିଚାଲିଛନ୍ତି । ଏମାନଙ୍କୁ ଏପରି ଅସହାୟ ଅବସ୍ଥାରେ ଆସନ୍ନ ବିପଦର ଘନ ବଳୟ ମଧ୍ୟରେ ଛାଡ଼ି ଏ କି ଦୁଃସାହସିକ ପଦକ୍ଷେପ ପାରା ଦମ୍ପତିଙ୍କର? ମନେ ମନେ କ୍ଷୁବ୍ଧ ହୋଇଉଠିଲା ସେ । ଅପରପକ୍ଷରେ ସେ ଅନୁଭବ କଲା ତା’ର ବି କିଛି ଦାୟିତ୍ୱ ଅଛି ନିଶ୍ଚୟ, ଏକ ବଡ଼ କାଗଜ ପେଟି ଆଣି ତା’ ଭିତରେ ସେ ତାଙ୍କର ରବରମ୍ୟାଟ୍ ଓ କାଠିଯୁକ୍ତ ବସାଟିକୁ ଶାବକମାନଙ୍କ ସହ ସ୍ଥାନାନ୍ତରିତ କରିଦେଇ ସେହି ସ୍ଥାନରେ ରଖିଦେଲା ଓ ସେମାନଙ୍କର ପିତା ମାତାଙ୍କ ଅପେକ୍ଷାରେ ରହିଲା ।

କିଛିକ୍ଷଣ ପରେ ଫେରିଲା ମାଆ ପାରାଟି, କିନ୍ତୁ ମୁହଁରୁ ଏକ ବ୍ୟସ୍ତ ବିବ୍ରତାର ଚିହ୍ନ ସ୍ପଷ୍ଟ ବାରି ହେଇ ପଡ଼ୁଥାଏ । ହୁଏତ ତା’ର ଶାବକମାନଙ୍କ ଉପରେ କାହାର ଅଲୋଡ଼ା ହସ୍ତକ୍ଷେପକୁ ସହଜରେ ଗ୍ରହଣ କରିପାରୁ ନଥାଏ ସେ । ଅନେକ ସମୟ ପର୍ଯ୍ୟନ୍ତ ତାହାର ଶାବକମାନଙ୍କ ସହ ଖାଲି ଆଖି ମିଳାଉଥାଏ ଯାହା । ହେଲେ ସେହି ନୂଆ କାଗଜ ପେଟିର ବସା ମଧ୍ୟକୁ ଯାଉ ନଥାଏ । ଝରକା ରେଲିଂ ଉପରେ ଆଗ ପଛ ହୋଇ କେଉଁ ଏକ ଅଜଣା ଆଶଙ୍କାକୁ ତନ୍ନ ତନ୍ନ କରି ଖୋଜିବୁଲୁଥାଏ ଓ ପୁଣି କିଛି ଦୂରକୁ ଉଡ଼ିଯାଇ ପୁନର୍ବାର ଫେରି ଆସୁଥାଏ । ମନେ ମନେ ଚିନ୍ତିତ ହୋଇ ଉଠିଲା ପଦ୍ମଜା । ସେମାନଙ୍କ ସୁରକ୍ଷା ନିମିତ୍ତ ତାହାର ପଦକ୍ଷେପ କ’ଣ ସନ୍ଦେହ ସୃଷ୍ଟି କରୁଛି ମାଆ ପାରା ମନରେ? ତା’ହେଲେ ସେ ପୁଣି କେଉଁ ବିଶ୍ୱାସରେ ଶାବକ ଦୁହିଁଙ୍କୁ ଛାଡ଼ି ଚାଲିଯାଇଥିଲା? ଅନେକ ସନ୍ତର୍ପଣରେ ମାଆ ପାରାଟି ଏବେ ପେଟି ଭିତରକୁ ପଶିଲା ଓ ପିଲା ଦୁହିଁଙ୍କୁ ଥଣ୍ଟରେ ଥଣ୍ଟ ମିଶାଇ କିଛି ଖାଦ୍ୟ ଖୋଇଦେଇ କୋଳରେ ଯାବୁଡ଼ି ଧରୁଥିଲା ମାତୃତ୍ୱର ଅମୂଲ୍ୟ ଆବେଗରେ । ମାତୃତ୍ୱର ଅନୁଭୂତି ପ୍ରତ୍ୟକ୍ଷ ନହେଲେ ହେଁ ସ୍ପନ୍ଦନରେ ଏକ ନିଆରାପଣ ଉପଲବ୍ଧି କରିପାରିଥାଏ ପଦ୍ମଜା । କମ୍ ହେଲେ ବି ସେ ବି କିଛି ମାତ୍ରାରେ ଯୋଗଦାନ ଦେଇଛି ଅଣ୍ଡାରୁ ଛୁଆ ଓ ଏଯାବତ୍ ସେମାନଙ୍କର ସେବା ଓ ସୁରକ୍ଷାରେ । ତେଣୁ ଏ ଭାବନା ଟିକକ ତା’ ପାଇଁ କ’ଣ ସ୍ୱାଭାବିକ ନୁହଁ? ଏବେ ପ୍ରାୟତଃ ନିର୍ଭୟ ହୋଇ ଯାଇଥାଆନ୍ତି ପାରା ଦମ୍ପତିଟି । ଅନେକ ସମୟ ପିଲା ଦୁଇଟିକୁ ଛାଡ଼ିଦେଇ ମା’ ପାରାଟି କୁଆଡ଼େ ଚାଲିଯାଏ । ହୁଏତ ଖାଦ୍ୟ ଅନୁସନ୍ଧାନ ଓ ସହୋଚରମାନଙ୍କ ସହ ମିଳାମିଶା ପାଇଁ । ବାପା ପାରାଟି ପ୍ରାୟତଃ ଅନୁପସ୍ଥିତ ଏବେ । ଶାବକମାନଙ୍କ ଭିତରେ ଜଣକୁ ୫ ଦିନ ଓ ଆରଜଣକୁ ୪ ଦିନ ଆଜି, ଲିଙ୍ଗ ନିରୂପଣ କରିବା କଷ୍ଟସାଧ୍ୟ ଥିଲା ପଦ୍ମଜା ପାଇଁ । ହେଲେ ଅଧୁନା ବିକଶିତ ସମାଜରେ ଲିଙ୍ଗ ଜନିତ ଅମାନବୀୟ ତାରତମ୍ୟର ଆଭାସ ପାଇନି ସେ ଏଯାଏ ସେହି ପାରା ଦମ୍ପତିଙ୍କଠାରୁ ।

କାଲି ରାତିରେ ତାକୁ ମା’ଛୁଆଙ୍କର ଶବ୍ଦ କିଛି ଶୁଭିନାହିଁ, ତେବେ କ’ଣ ମାଆ ପାରାଟି କାଲି ରାତିସାରା ଛୁଆମାନଙ୍କୁ ଏକୁଟିଆ ଛାଡ଼ି ଦେଇଛି? ଆଳସ୍ୟ ବଶତଃ ସକାଳୁ ଉଠିବା ଟିକେ ବିଳମ୍ୱ ହୋଇଯାଇଛି ପଦ୍ମଜାର । କାଲିର ଆଶଙ୍କା ମନେ ପଡ଼ିଯିବା ମାତ୍ରେ ଧାଇଁଯାଇ ଝରକା କାଚ ଖୋଲି ବାଲକୋନିସ୍ଥ କାଗଜ ପେଟିଟିକୁ ଅନୁଧ୍ୟାନ କଲା ସେ । ସବୁଦିନ ମୁଣ୍ଡ ଉଠାଇ ସ୍ୱାଗତ କରୁଥିବା ମା’ ପାରା ଟି ତ ନାହିଁ ସତରେ? ତା’ହେଲେ ତାର ଆଶଙ୍କା ସତ, ସେ କାଲି ରାତିସାରା ଆସିନି ଏଠାକୁ ! କ୍ରୋଧିତ ହୋଇ ଉଠିଲା ସେ ମା’ ପାରାର ଏତାଦୃଶ କର୍ତ୍ତବ୍ୟହୀନତା ପ୍ରତି । ହେଲେ ଏ କ’ଣ? ପିଲା ଦୁଇଟି କାହାନ୍ତି ! କଲିଜା ଖସି ପଡ଼ିଲା ପରି ଲାଗିଲା ତାକୁ । ତନ୍ନ ତନ୍ନ କରି ଖୋଜିବାକୁ ଲାଗିଲା ସେ ଉପର ତଳ ବାଁ ଡାହାଣ, ପେଟିଟିକୁ ବାରମ୍ୱାର ଉଠାଇ ରଖି । ନିଜେ ବାହାରିବାର ସାମର୍ଥ୍ୟ ତ ହୋଇନାହିଁ ଏଯାଏଁ କୁନିକୁନି ପାରାଛୁଆ ମାନଙ୍କର । ତା’ହେଲେ ପାରା ଦମ୍ପତି କଣ ସେମାନଙ୍କୁ ଏଠାରୁ ଅନ୍ୟତ୍ର କେଉଁଠାକୁ ନେଇଗଲେ? ହୁଏତ ଗଛ ଡାଳରେ ବା ଅନ୍ୟ କେଉଁଠି ତାଙ୍କର ମୂଳ ବସାକୁ ! କାଳେ ସୁଯୋଗ ଅପେକ୍ଷାରେ ଥିବା ଶତ୍ରୁ କୁଆମାନେ…! ନା… ଚିତ୍କାର କରି ଉଠିଲା ସେ । ଲୋମମୂଳ ଟାଙ୍କୁରି ଉଠିଲା ତା’ର । ହେଲେ ଫଡ଼୍‌ଫଡ଼୍ ହୋଇ ଉଡ଼ିଆସି ପହଞ୍ଚିଲା ମାଆ ପାରାଟି । ପଦ୍ମଜାର ଉପସ୍ଥିତିରେ ଆଦୌ ପ୍ରଭାବିତ ନୁହଁ ସେ, ସିଧା ପଶିଗଲା ପେଟି ଭିତରକୁ ଏବଂ ତୁରନ୍ତ ବାହାରକୁ ବାହାରି ଆସି ଚାରିଆଡ଼େ ବ୍ୟସ୍ତ ବିବ୍ରତ ହୋଇ ଚଳଚଞ୍ଚଳ ନୟନରେ ଖୋଜିବାକୁ ଲାଗିଲା ତା’ର ନବଜାତ ଅଂଶ ଦ୍ୱୟକୁ । ଶେଷରେ ଅସଫଳ ହୋଇ ପଦ୍ମଜାର ଅତ୍ୟନ୍ତ ନିକଟକୁ ଆସି ମୁଣ୍ଡ ଟେକି ଏକ ଅବୁଝା ଅବ୍ୟକ୍ତ ଢଙ୍ଗରେ ଆଖିରେ ଆଖି ମିଳାଇ ନିସ୍ତବ୍ଧ ହୋଇଗଲା । ପଦ୍ମଜାର ନୟନରୁ ଦୁଇ ଧାର ଲୁହ ଝରିଗଲା ମା’ ପାରାର ତା’ପ୍ରତି ଏତାଦୃଶ ଭାବାତ୍ମକ ଅଭିବ୍ୟକ୍ତି ଅଥବା ଏକ ଅହିଂସାପୂର୍ଣ୍ଣ ଆରୋପ ପାଇଁ । ନିଶ୍ଚିତ ହୋଇଗଲା ସେ ଏ ତା’ହାଲେ ସେହି ଶତ୍ରୁ କୁଆ ମାନଙ୍କର ନିର୍ମମତା । ବାକ୍‌ରୁଦ୍ଧ ହୋଇ ପଡ଼ିଲା ସେ । ସକାଳର ଅମ୍ଳଜାନ ତାକୁ ପ୍ରଦୂଷିତ ବିଷାକ୍ତ ଅଙ୍ଗାରକାମ୍ଳ ଭଳି ମନେହେଉଥିଲା । ଦୁଇଟି ମାତୃତ୍ୱର ହୃଦୟ, ଚିର ଆର୍ତ୍ତନାଦ କରିଚାଲିଛନ୍ତି ସୃଷ୍ଟିର କ୍ରୂର ଖାଦ୍ୟ ଖାଦକର ଶୃଙ୍ଖଳ ପ୍ରତି ଆକ୍ଷେପ କରି ।

– ମାନସ ରଞ୍ଜନ ନାୟକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ମାନସ ରଞ୍ଜନ ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ, ପ୍ରବନ୍ଧ ଆଦି ରଚନା କରିଥାନ୍ତି । ତାଙ୍କ ରଚନାଗୁଡ଼ିକ କିଛି ପତ୍ରପତ୍ରିକରେ ସ୍ଥାନ ପାଇଛି ।