You are currently viewing ଜୀବନର ମୂଲ୍ୟ
Odia Poem Jibanara Mulya (ଜୀବନର ମୂଲ୍ୟ) by Deepankar Panda

ଜୀବନର ମୂଲ୍ୟ

ଶୂନ୍ୟହସ୍ତେ ଆମେ ରଖିଥିଲୁ ପାଦ ଏଇ ଭବ୍ୟ ଦୁନିଆରେ
ରିକ୍ତହସ୍ତେ ଦିନେ ଚାଲିଯିବୁ ସତ ବନ୍ଦୀ କାଳଯମ ଫାଶରେ
ଶୋକମଗ୍ନ ବନ୍ଧୁ ପରିବାର ସବୁ ରହିଯିବେ ଆମ ପଛରେ
ସମୟ ଛକରେ ଛନ୍ଦି ଆମେ ତ ରହିଯିବା ତାଙ୍କ ସ୍ମୃତିରେ

ଛାଡ଼ିଯିବା ନିଜ ଉପାର୍ଜିତ ସବୁ ଅନ୍ୟ କାହାର ଦାୟିତ୍ୱରେ
ନେଇଯିବା ସଙ୍ଗେ ନିଜ କର୍ମଫଳ ପୂର୍ବ ନିର୍ଦ୍ଧାରିତ ପଥରେ
ମୋହମାୟା ଭରା ଦୁଃଖ କ୍ଳେଶର ସାଂସାରିକ ଜୀବନରେ
ଏକମାତ୍ର ପ୍ରଭୁଙ୍କୁ ସୁମରି ପାରିହେବା ଅନ୍ଧକାର ସହଜରେ

ଦୁଇ ଦିନର ଜୀବନ କେବେ ହଜିଯିବ ପ୍ରାଣୀ ଅଗୋଚରେ
ସ୍ନେହ ପ୍ରେମ ସହୃଦୟେ ବାଣ୍ଟି ଚାଲୁଥିବା ପ୍ରଫୁଲ୍ଲ ଚିତ୍ତରେ
ମାନବ ଜନମ ଅଟଇ ଅମୂଲ୍ୟ ମିଳେ ପୁଣ୍ୟକର୍ମ ଫଳରେ
କିମ୍ପାଇଁ ଆତ୍ମାକୁ ଦେଉଥିବା ବୋଝ ଝୁରୁଥିବା ପ୍ରାୟଶ୍ଚିତରେ

ସ୍ଵ-ମନର ଦାସ ଆମେ ଖୋଜୁଥାଉ ସତ୍ୟାନନ୍ଦ ଅଜ୍ଞାତରେ
ଦୁଃଖଭରା ଜୀବନ ହୁଏ ମୂଲ୍ୟହୀନ ଭାବ ଆତ୍ମାର କ୍ଷୋଭରେ
ସର୍ବେ ଜାଣିଅଛୁ ଆତ୍ମତୃପ୍ତି ସୁଖ ରହିଅଛି ଯେ ନିଜ ଅନ୍ତରରେ
ସତ୍ୟ ଜାଣି ମଧ୍ୟ ଏଇ ବାଚାଳ ମନ କେବେ ତାହା ନ ସ୍ୱୀକାରେ

ଦୁଃଖର ବାସ କେବଳ ଲୋଭ କ୍ରୋଧ ଓ ଘୃଣାର ପରିଧିରେ
ଦୃଢ଼ମନେ ବିଜୟୀ ପାଇବ ବିବେକ ସଦା ସୈତାନ ଉପରେ
ସତ୍ କର୍ମ ପଥେ ଚାଲୁଥିବା ଆମେ ବିବେକ ବୁଦ୍ଧି ଅନୁସାରେ
ଆତ୍ମାର ଶାନ୍ତି ଖୋଜୁଥିବା ଆମେ ଦିନେ ଲୁଚିଯିବା ଦିଗନ୍ତରେ

– ଦୀପଙ୍କର ପଣ୍ଡା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଦୀପଙ୍କର ପଣ୍ଡା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କ୍ଷୁଦ୍ର ଗଳ୍ପ ଓ କାହାଣୀ ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ଗଳ୍ପଗୁଡ଼ିକ ସୋସିଆଲ୍ ମିଡିଆରେ ବେଶ୍ ଆଦୃତି ଲାଭ କରିଛି ।