ଭାବନାରେ ବହିଯିବା
ବୋଧେ ମୋ ଇତି
କେବେ ନିରବିଛିନ୍ନ ପ୍ରବାହ
ପୁଣି କେବେ ଶାନ୍ତ ମୂର୍ତ୍ତି ।
ବିଷପରି ପି’ ଚାଲିଛି ଏ ଜୀବନକୁ
ସତେ କି ନୀଳକଣ୍ଠ
ଅଭିଶପ୍ତ ଗନ୍ଧର୍ବ ଭଳି ଘୁରି ବୁଲୁଛି
ହେଇ ସଂସାରୁ ନିର୍ଲିପ୍ତ ।
ନିଶାଗ୍ରସ୍ତ ମଦ୍ୟପ ପ୍ରାୟେ
ଘୁରିବୁଲେ ଏ ପଥରୁ ସେ ପଥ
ଖୋଜିଚାଲେ ମୋ ନିଜର
ପରିଚୟ ଆଉ ପରିଚିତ ।
ଆଶାସବୁ ତ ଭାଙ୍ଗି ହିଁ ଗଲାଣି
ହଜି ଗଲାଣି ସବୁ ରିଦ୍ଧି
ପ୍ରଭୁହରା ସନ୍ୟାସୀ ଭଳି
ମନେ ଭାଳେ ସବୁ ମୋ ପୁରୁଣା ସିଦ୍ଧି ।
ରୁଦ୍ଧ ମୋ ମନର
ପ୍ରତି କୋଣ ଅନୁକୋଣ
ମୁକ୍ତି ଚାହେଁ ନିଜଠୁ,
ଚାହେଁ ମୋ ନିଜର ଉନ୍ମୁକ୍ତି ॥