You are currently viewing ଚିଠି ଆଜି କାନ୍ଦୁଛି
ଚିଠି ଆଜି କାନ୍ଦୁଛି

ଚିଠି ଆଜି କାନ୍ଦୁଛି

ବିରହୀ ପ୍ରେମିକ ସାଜି ଚିଠି ଆଜି କାନ୍ଦୁଛି,
ଶ୍ରାବଣର ମେଘ ସାଜି ଚିଠି ଆଜି କାନ୍ଦୁଛି,
ହୃଦୟର ବ୍ୟଥା ଅବା କହିବ କାହାକୁ,
ଖୋଜୁଛି ମାଧ୍ୟମଟିଏ
ପୁଣି ଥରେ ସାତ ସାଗର ପାରେ ଯିବାକୁ,
ଉଆଁସର ଚାନ୍ଦ ସାଜି ଚିଠି ଆଜି କାନ୍ଦୁଛି ।

ସତେ ଆସିଗଲା ବାର୍ଦ୍ଧକ୍ୟ ତା’ର,
ଆଉ ନାହିଁ କ’ଣ ସେ ଉନ୍ମାଦନା ଚିଠି ଲେଖାରେ,
ତା’ର ବାସ୍ନାରୁ କ’ଣ ହଜିଯାଇଛି
ପ୍ରେମର ସୁମଧୁର ସୁରଭି,
ଭଗ୍ନ ଏକ ସ୍ତୁପ ସାଜି ଚିଠି ଆଜି କାନ୍ଦୁଛି ।

ଶୋଇଛି ଯେମିତି ଗମ୍ଭୀରି ଘରେ
ମନରେ ଅନେକ ପ୍ରଶ୍ନ,
ସତେ କ’ଣ ଦୁନିଆରେ ପ୍ରେମ ଆଉ କରୁନି କେହି,
ପ୍ରେମର ପହିଲି ଚିଠିରେ ଆଉ କ’ଣ ମଜା ନାହିଁ,
ମନେପଡ଼େ ତା’ର,
ପାଉଡର ବୋଳା ସେହି ପାଠ ବହିର ପୃଷ୍ଠା,
ଚିଠି ପଢ଼ି କାନ୍ଦିଲା ବେଳର ସେଇ ଓଦା ତକିଆ,
ସେଇ ପ୍ରେମିକର ସାହସ ଆଉ ପ୍ରେମିକାର ଲାଜ,
ସେହି ସ୍ମୃତି ସବୁକୁ ସାଉଣ୍ଟି,
ପୁଣି ଥରେ ଜିଇଁବାର ଆଶା ନେଇ,
ଅସୁସ୍ଥ ଏକ ରୋଗୀ ସାଜି ଚିଠି ଆଜି କାନ୍ଦୁଛି ।

ରାତିର ଅନ୍ଧାରରେ ଚାରିଦିଗେ ବିଚ୍ଛୁରିତ,
ଜହ୍ନର ଜ୍ୟୋସ୍ନାକୁ ଦେଖି ଭାବୁଛି,
ସତେ ଯେମିତି କେହି ଦେଖୁ ନାହିଁ ସେ ଫୁଲେଇ ଜହ୍ନକୁ,
ମନ କ’ଣ ଉତ୍ଫୁଲ୍ଲିତ ହୁଏ ନାହିଁ କଳା ମେଘ ଦେଖି,
ଆଉ କ’ଣ ଫୁଟୁ ନାହିଁ ବଗିଚାରେ ଗୋଲାପ ଫୁଲ,
ଆଉ କ’ଣ ଜଳୁ ନାହିଁ ଛାତିରେ ପ୍ରେମର ନିଆଁ ଝୁଲ,
ଆଉ କ’ଣ କେହି ଭୁଲୁ ନାହିଁ ବାଟ,
ଫେରିବାର ଆଶା ନେଇ,
ପଥହରା ପଥିକ ସାଜି ଚିଠି ଆଜି କାନ୍ଦୁଛି ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...