You are currently viewing ଭିନ୍ନ ଏକ ଗ୍ୟାଙ୍ଗଷ୍ଟାର୍

ଭିନ୍ନ ଏକ ଗ୍ୟାଙ୍ଗଷ୍ଟାର୍

ଭିକିର ଆଖିରେ ଗୁଡ଼ା ହେଇଥିଲା ଗୋଟେ କଳା ପଟି । ଦୀର୍ଘ ୧୨ଘଣ୍ଟା ହେଲାଣି ମାରୁତି ଭ୍ୟାନ୍ ଭିତରେ ତା’ର ଦୁଇ ହାତ ବନ୍ଧା ହେଇଛି ଓ ଆଖିରେ ଗୁଡ଼ାହେଇଛି କଳାପଟି । କିଛି ଲୋକ ତା’ର ଚାରି ପାଖରେ ବସି ହିନ୍ଦୀରେ କେତେ କ’ଣ ସବୁ କଥା ହେଉଥିଲେ ଆଉ ହସୁଥିଲେ । ଭିକି ଯେଉଁ ନେତା ପାଖରେ କାମ କରୁଥିଲା ତାଙ୍କର କଡ଼ା ତାଗିଦ ଯେ ଭିକିକୁ କିଛିଦିନ ପାଇଁ ଅଣ୍ଡରଗ୍ରାଉଣ୍ଡ୍ କରି ଦିଆଯାଉ; କାରଣ କି ଏବେ ସହରର ମାହୋଲ ଏକଦମ ଗରମ ଅଛି । ଗାଡ଼ି ଯାଇ ଅଟକିଲା ଗୋଟେ ପାହାଡ଼ ପର୍ବତ ଘେରା ନିକାଞ୍ଚନ ଗାଁ ଭିତରେ । ତା’ର ଆଖିରୁ କଳାପଟି ଖୋଲି ଦିଆଗଲା । ଭିକି ଆଖି ମଳିମଳି ଚାହିଁଲା । ଦେଖିଲା ସେ ଛିଡ଼ା ହୋଇଛି ଗୋଟେ ପାହାଡ଼ ପର୍ବତ ଘେରା କେଉଁ ଏକ ଅଜଣା ରାଇଜରେ । ପାହାଡ଼ଗୁଡ଼ା ଦୂରରୁ ବେଶ ସୁନ୍ଦର ଓ ରହସ୍ୟମୟ ଲାଗୁଥିଲେ ତାକୁ । ତା’ ସାଙ୍ଗରେ ଆସିଥିବା ଲୋକମନେ ତାକୁ ସେଇଠି ଛାଡ଼ିଦେଇ କୁଆଡ଼େ ପଳେଇ ଗଲେ ଭିକି କିଛି ଜାଣି ପାରିଲା ନାହିଁ । ଭିକି ସେମିତି ପାହାଡ଼ଗୁଡ଼ାକୁ ଅନେଇଥାଏ । କିଛି ସମୟ ପରେ ଜଣେ ବୃଦ୍ଧ ତା’ ପାଖକୁ ଆସି ଆଦିବାସୀଙ୍କ ଭଳି ହିନ୍ଦୀରେ କିଛି କହିଲା । ଭିକି ତା’ର କଥାକୁ ସମ୍ପୂର୍ଣ୍ଣ ବୁଝିପାରି ନଥିଲେ ବି ତା’ ପଛେପଛେ ସେ ଚାଲିଲା । ବୃଦ୍ଧ ଆଦିବାସୀ ତାକୁ ନେଇ ଗୋଟେ ଛୋଟ କୁଡ଼ିଆ ଘରେ ପୂରେଇ ଦେଲା । ଭିକିକୁ ଲାଗିଲା ଯେ ସେ ପ୍ରଥମ ନୁହଁ; ଏ ଜାଗାକୁ ତା’ ଆଗରୁ ଅନେକ ଲୋକ ଆସିଛନ୍ତି ଏଠାରେ ଆତ୍ମଗୋପନ ଲାଗି । ସେ ଯାହା ହେଉ କୁଡ଼ିଆ ଭିତରେ ନିତ୍ୟ ବ୍ୟବହାର ପାଇଁ ସବୁ ଛୋଟ ବଡ଼ ଜିନିଷ, ଅବଶ୍ୟକତାକୁ ପୂରଣ କରିବା ପାଇଁ ସବୁ ସରଞ୍ଜାମ ସଜା ହୋଇ ରଖା ହୋଇଥିଲା । କିଛି ସମୟ ପରେ କୁଡ଼ିଆର ଦୁଆର କବାଟ ଠକଠକ ହେଲା । ଭିକି କବାଟ ଖୋଲିବାରୁ ଦେଖିଲା ସେଇ ବୃଦ୍ଧ ଜଣକ ହାତରେ କିଛି ଖାଇବା ଜିନିଷ ଧରି ଛିଡ଼ା ହେଇଛି । ବୁଢ଼ା ଆଦିବାସୀ ଭାଷାରେ ତାକୁ କ’ଣ ଯେ କହିଲା ସେ କିଛି ବୁଝି ପାରିଲା ନାହିଁ; କିନ୍ତୁ ଏତିକି ବୁଝି ପାରିଲା ଯେ ଖାଇବା ଖାଇଦେଇ ଶୋଇପଡ଼ ବୋଲି ସେ କହିବାକୁ ଚାହୁଁଛି । ଭିକି ତା’ ହାତରୁ ଖାଇବା ନେଇ ଯାଇ ଖାଇସାରି ଶୋଇ ପଡ଼ିଲା । ସ୍ଵପ୍ନରେ ତା’ର ଅତୀତ ତା’ ଆଖିରେ ଭାସି ଉଠିଲା ।

ଇଉନିଭର୍ସିଟିରେ ଭର୍ତ୍ତି ହେବା ପରେ ବିକ୍ରମ ମହାନ୍ତି ଚାଲି ଆସିଥିଲା ସହରକୁ । ମାମୁଁ ତା’ର ରହୁଥିଲେ ସହରର ଶେଷ ମୁଣ୍ଡରେ ଥିବା ବସ୍ତିରେ । ତେଣୁ ସେ ମନସ୍ଥ କରିଥିଲା କି ହଷ୍ଟେଲରେ ନ ରହି ମାମୁଁଙ୍କ ଘରେ ରହି ପଢ଼ିବାକୁ । କାରଣ ହୋଷ୍ଟେଲର ଫୀ ଭରିବାକୁ ତା’ର ପାଖରେ ଏତେ ସମ୍ବଳ ନ ଥିଲା । ସେଥିପାଇଁ ସେ ବାଛି ନେଇଥିଲା ଏଇ ବସ୍ତିକୁ । ବସ୍ତି ଭିତରେ ଥିଲା କିଛି ଅସ୍ଥୟୀ ଘର । ଯାଯାବର ଶ୍ରେଣୀର କିଛି ଶ୍ରମିକଙ୍କ ଘରସବୁ ସରକାରୀ ଜାଗା ଉପରେ ତିଆରି କରାହେଇଥିଲା । ଶ୍ରମିକ ଶ୍ରେଣୀର ଲୋକମାନଙ୍କର ଅବଶ୍ୟକତା ଥିଲା ସହରକୁ ଆହୁରି ସରସ ଓ ସୁନ୍ଦର କରି ଗଢ଼ି ତୋଳିବାକୁ । ସେଥିପାଇଁ ଶ୍ରମିକ ହାଟ ବସୁଥିଲା ପ୍ରତିଦିନ ସକାଳେ ବସ୍ତିର ଆରମ୍ଭରେ ଥିବା ଛକ ଉପରେ । ସବୁ ଲୋକକୁ ଯେ ସବୁଦିନ କିଛି କାମ ମିଳିବ ତାହାର କୌଣସି ଭରସା ନ ଥିଲା; ଯାହାକୁ କାମ ମିଳୁଥିଲା ସେ ଯାଉଥିଲା ଆଉ ଯାହାକୁ ମିଳୁ ନ ଥିଲା ସେ ମୁହଁ ସୁଖେଇକି ଆସି ଘରେ ବସି ରହୁଥିଲା । ସନ୍ଧ୍ୟା ହେଲା ମାନେ ବସ୍ତିର ରଙ୍ଗ ବଦଳି ଯାଉଥିଲା । ରୋଜଗାର କରିଥିବା ଟଙ୍କାର ପ୍ରାୟ ଅର୍ଦ୍ଧାଧିକ ଭାଗ ପାଖରେ ଥିବା ସରକାରୀ ମଦ ଦୋକାନରେ ହିଁ ଖର୍ଚ୍ଚ ହେଇ ଯାଉଥିଲା ସେମାନଙ୍କର । ରାତି ହେଲା ମାତ୍ରକେ ମଦ ପିଇକି ଆସିଥିବା ଶ୍ରମିକମାନେ ଅକଥନୀୟ ଅତ୍ୟାଚାର କରୁଥିଲେ ତାଙ୍କ ପରିବାର ଓ ପିଲା ଛୁଆଙ୍କ ଉପରେ । ଏମିତିକି ବିକ୍ରମର ମାମୁଁ ମଧ୍ୟ ସେଥିରୁ ବାଦ୍ ପଡ଼ୁନଥିଲା । ସହରର ଗୋଟେ ଜଣାଶୁଣା ରାଜମିସ୍ତ୍ରୀ ଭାବରେ ତା’ ମାମୁଁର ବହୁତ ଭଲ ନାଁ ଥିଲା ସେ ବସ୍ତିରେ । ବିକ୍ରମ ସବୁ ଦେଖେ, ମାମୁଁ ଆସି ତା’ ମାଇଁ ଓ ଝିଅ ମିତାକୁ ପିଟୁଛନ୍ତି; କିନ୍ତୁ ସେ ଯଦି ସେଥିରେ ବାଧା ଦିଏ ମାମୁଁ କଡ଼ା ଶବ୍ଦରେ ଶୁଣେଇ ଦିଅନ୍ତି, “ତୁ ଆମ ଘର କଥାରେ ମୁଣ୍ଡ ପୁରାନା ।” କିଛି କରି ପାରେନି ବିକ୍ରମ । ମିତା ଆସି ମାଟ୍ରିକ ପରୀକ୍ଷା ଦେବ କିନ୍ତୁ ବାପର ଅତ୍ୟାଚାର ଆଗରେ ସେ ବି ମୁଣ୍ଡ ପାତି ଦେଇଛି । ସହରରେ ଯେକୌଣସି ଅପରାଧିକ କାର୍ଯ୍ୟ ହେଲେ ପୋଲିସର ପ୍ରଥମ ଚଢ଼ଉ ଏହି ବସ୍ତିରୁ ହିଁ ଆରମ୍ଭ ହେଉଥିଲା । ରାତିରେ ଆସି ଜଣେ ଦୁଇଜଣ ଲୋକଙ୍କୁ ବାନ୍ଧି ନେଇ ଯାଉଥିଲା ପୁଲିସ । ଜୋର୍ ଜବରଦସ୍ତି କରି କରିନଥିବା ଅପରାଧକୁ ବି ମାଡ଼ ମାରି ସ୍ଵୀକାରୋକ୍ତି କରେଇ ନେଉଥିଲା ଓ ପରେ ପୁଣି ଆଣି ଛାଡ଼ି ଦେଉଥିଲା । ବସ୍ତିରେ ଥିବା ବଢ଼ିଲା ଝିଅମାନଙ୍କର ଦେହ ବେପାର ବି ଚାଲିଥିଲା ବସ୍ତିରେ । ଏମିତିକି କିଛି ଝିଅ ଲୋକ ଲଜ୍ଜା ସହି ନପାରି ଆତ୍ମହତ୍ୟା ବି କରି ସାରିଥିଲେ । ଏସବୁ ବିକ୍ରମ ସବୁଦିନେ ତା’ ଆଖି ଆଗରେ ହେଉଥିବାର ଦେଖି ଖୁବ ଅଶ୍ଵସ୍ତି ଅନୁଭବ କରୁଥିଲା । ବିକ୍ରମକୁ ଲାଗିଲା ସହରର ସବୁ ସମସ୍ୟା ଲାଗି ସମସ୍ତେ ଏଇ ବସ୍ତିକୁ ହିଁ ଦୋଷ ଦେଉଛନ୍ତି ତେଣୁ ଏମାନଙ୍କୁ ନିଜର ହକ୍ ବିଷୟରେ ଜଣେଇବାକୁ ହେବ । ଅନ୍ୟାୟ ଆଗରେ ମୁଣ୍ଡ ପାତିବା ଅପେକ୍ଷା ତା’ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିବାକୁ ହେବ । ନିର୍ଦୋଷରେ ଦଣ୍ଡ ଭୋଗୁଥିବା ବସ୍ତି ବାସିନ୍ଦାଙ୍କୁ ଜେଲ୍‌ରୁ ମୁକୁଳେଇବାକୁ ହେବ । କିନ୍ତୁ ଏ ସବୁ ସମ୍ଭବ କିପରି ହେବ? ସେଥିପାଇଁ ସେ ବସ୍ତିର କିଛି ଯୁବକଙ୍କୁ ଏକତ୍ରିତ କଲା ଓ ଇଉନିଭର୍ସିଟିର କିଛି ବନ୍ଧୁମାନଙ୍କୁ ବି ଏ ବିଷୟରେ ଜଣେଇଲା । ଦିନେ ବସ୍ତିର ଲୋକମାନଙ୍କୁ ଏକାଠି କରି ବିକ୍ରମ ଏ ସବୁ ଅତ୍ୟାଚାରର କଥା ବିଭାଗୀୟ ମନ୍ତ୍ରୀଙ୍କୁ ଜଣେଇବା ପାଇଁ ରାସ୍ତାରେ ଶାନ୍ତିପୂର୍ଣ ଧାରଣାରେ ବସିଲା । ସେମାନଙ୍କୁ ଧାରଣାରେ ବସିଥିବାର ଦେଖି କିଛି ସାମ୍ୱାଦିକ ଓ ଟିଭି ଚ୍ୟାନେଲର ଲୋକମାନେ ବି ଜମିଗଲେ । ବିଭାଗୀୟ ମନ୍ତ୍ରୀ ମହୋଦୟ ଏସବୁ ଦେଖି ଡରିଗଲେ । ମୁଖ୍ୟମନ୍ତ୍ରୀଙ୍କର କଡ଼ା ତାଗିଦ୍ ଆସିଲା ଆଗରେ ନିର୍ବାଚନ ଅଛି ଯେତେଦୂର ସମ୍ଭବ ଏ ସବୁ ସମସ୍ୟାକୁ ସମାଧାନ କରି ବସ୍ତି ଲୋକଙ୍କୁ ଶାନ୍ତ କରାଅ । କାରଣ ବସ୍ତି ବାସିନ୍ଦାମାନେ ହିଁ ଗୋଟେ ବଡ଼ ଭୋଟ୍‌ବ୍ୟାଙ୍କ୍ । ମୁଖ୍ୟମନ୍ତ୍ରୀଙ୍କ ଆଦେଶକୁ ପାଳିବାକୁ ଯାଇ ବିଭାଗୀୟ ମନ୍ତ୍ରୀ ବିକ୍ରମ ପାଖକୁ ଆସି ତାକୁ ଆଶ୍ଵସନା ଦେଲେ ଯେ ସେମାନଙ୍କ ଦାବୀ ଖୁବ୍ ଶୀଘ୍ର ପୂରଣ ହେବ ଏବଂ ସେଇଆ ହେଲା ମଧ୍ୟ; ସେମାନେ ଧାରଣାରୁ ଓହରିବାର କିଛିଦିନ ପରେ ହିଁ ବସ୍ତିର କିଛି ଲୋକମାନଙ୍କୁ ଜେଲ୍‌ରୁ ଜାମିନ୍‌ରେ ଛାଡ଼ି ଦିଆଗଲା । ଯେଉଁଦିନ ସେମାନେ ଜେଲ୍‌ରୁ ଫେରିଲେ ସେଦିନ ବସ୍ତିବାଲା ସମସ୍ତେ ମିଶି ବିକ୍ରମକୁ କାନ୍ଧରେ ବସେଇ ବୁଲେଇଲେ, ହୋ-ହାଲ୍ଲା କଲେ, ଉତ୍ସବ କଲେ ରାତାରାତି ବିକ୍ରମ ପାଲଟିଗଲା ବସ୍ତିର ହିରୋ । ବିକ୍ରମ ସ୍ଵପ୍ନରେ ବି ଭାବି ନଥିଲା ଯେ ତା’ ଜୀବନକୁ ଏ ଘଟଣାଟି ଏତେ ପ୍ରଭାବିତ କରିବ ବୋଲି । ସେ ବସ୍ତିର ସବୁ ଲୋକଙ୍କ ଭଲମନ୍ଦ ବୁଝିଲା କାହାର ରେସନ କାର୍ଡ଼ ଦରକାର, କାହାର ଭୋଟର୍ ପରିଚୟ ପତ୍ର ଦରକାର, କାହାକୁ ଅସହାୟ ଭତ୍ତା ଦରକାର ଇତ୍ୟାଦି ସବୁ ଛୋଟ ବଡ଼ କାମ ପାଇଁ ବସ୍ତିବାଲା ବିକ୍ରମ ଉପରେ ନିର୍ଭର କରିବାକୁ ଲାଗିଲେ । ଏ କଥା ସହରର କୋର୍ପୋରେଟରଙ୍କ କାନକୁ ଆସିଲା । ବିକ୍ରମକୁ ବିଭିନ୍ନ ଦଳ ପକ୍ଷରୁ ନିମନ୍ତ୍ରଣ ମଧ୍ୟ ମିଳିଲା । ଏଇ କିଛିଦିନ ଭିତରେ ବିକ୍ରମ ଜାଣି ପାରିଥିଲା ଯେ ଶାସକ ଦଳ ସହ ନ ମିଶିଲେ କୌଣସି କାମକୁ ଆଗକୁ ନେଇ ହେବନି । ସେଥିପାଇଁ ସେ ଶାସକ ଦଳରେ କର୍ମୀ ହିସାବରେ ଯୋଗଦେଲା କିନ୍ତୁ ଏଇ ଭିତରେ ବସ୍ତିରେ ଅନ୍ୟ ଏକ ଗୋଷ୍ଠୀ ତା’ର କାର୍ଯ୍ୟକଳାପକୁ ଜମା ପସନ୍ଦ କରୁ ନଥିଲେ । ବିକ୍ରମକୁ ଅପଦସ୍ଥ କରାଇବା ପାଇଁ ସେମାନେ ତା’ ମଦ୍ୟପ ମାମୁଁର ସହାୟତା ଲୋଡ଼ିଲେ ଓ ବିକ୍ରମ ନାଁରେ ମିଛକଥା କହି ଉସୁକାଇଲେ । ବିକ୍ରମର ମାମୁଁ ଝିଅ ମିତା ଉପରେ ଖରାପ ନଜର ପକେଇଲେ । ଦିନେ ଏକ ରାତିରେ ସେଇ ଗୋଷ୍ଠୀର ରାଜୁଆ ଓ ତା’ର ଦୁଇଜଣ ମଦ୍ୟପ ସାଙ୍ଗ ମିତା ଟିଉସନରୁ ଫେରୁଥିବାର ସୁଯୋଗ ନେଇ ତାକୁ ଟେକି ନେଇ ଦୁଷ୍କର୍ମ କରି ତଣ୍ଟିଚିପି ହତ୍ୟା କଲେ ଓ ତା’ର ମାମୁଁକୁ ଆସି କହିଲେ ଯେ ସେମାନେ ଦେଖିଛନ୍ତି ଯେ ବିକ୍ରମ ତା’ର ଝିଅକୁ ଧର୍ଷଣ କରି ହତ୍ୟା କରିଛି ବୋଲି । ବିକ୍ରମ ଘରକୁ ଆସି ଦେଖେ ତ ମିତାର ରକ୍ତ ଜୁଡ଼ୁବୁଡ଼ୁ ଅର୍ଧନଗ୍ନ ଶରୀର ତା’ ସାମ୍ନାରେ ପଡ଼ିଛି । ମାମୁଁ ବିକ୍ରମ ଉପରେ ଝପଟି ପଡ଼ି ତା’ର ବେକକୁ ଧରି କୁହନ୍ତି ଯେ ସେ ହିଁ ମିତାର ହତ୍ୟାକାରୀ ବୋଲି । ଏକଥା ଶୁଣି ବିକ୍ରମର ଗୋଡ଼ ତଳୁ ମାଟି ଖସିଯାଏ । କ୍ରୋଧରେ ଅନ୍ଧ ହୋଇ ସେ ଜାଣିବାକୁ ଚାହେଁ ଯେ କିଏ ତା’ ନାଁରେ ଏ ଅପପ୍ରଚାର କରିଛି ବୋଲି । ଠିକ୍ ଏହି ସମୟରେ ପୋଲିସ୍ ଆସି ବିକ୍ରମକୁ ବାନ୍ଧି ଥାନାକୁ ନେଇଯାଏ । ସେଠି ରାତିସାରା ବିକ୍ରମ ଉପରେ ଅତ୍ୟାଚାର କରେ ପୁଲିସ ବିକ୍ରମର କୌଣସି କଥାକୁ ପୋଲିସ ବିଶ୍ୱାସ କରେ ନାହିଁ । ପରଦିନ ଶାସକ ଦଳର କିଛି ଲୋକ ଆସି ତାକୁ ଜାମିନରେ ପୋଲିସ ଥାନାରୁ ଉଦ୍ଧାର କରନ୍ତି ଏବଂ ତାଙ୍କଠାରୁ ସେ ଜାଣିବାକୁ ପାଏ ଯେ ମିତାର ଅସଲ ହତ୍ୟାକାରୀ କିଏ । ବିକ୍ରମ କ୍ରୋଧରେ ଅନ୍ଧ ହୋଇ ପଡ଼େ; ସେ ଯାଏ ସହରର ମାଫିଆ ଡନ୍ ରାଙ୍ଗା ଭାଇ ପାଖକୁ । ଯିଏକି ଶାସକ ଦଳର ଡାହାଣ ହାତ କହିଲେ ଚଳେ । ନିର୍ବାଚନ ପୂର୍ବ ଓ ପରର ପ୍ରାୟ ସମସ୍ତ ଖର୍ଚ୍ଚ ରାଙ୍ଗା ଭାଇ ହିଁ କରିଥାଏ । ରାଙ୍ଗା ଭାଇ ବିକ୍ରମଠାରୁ ସବୁ କଥା ଶୁଣେ ଏବଂ ସେ ବିକ୍ରମକୁ ଉସୁକାଏ ଯେ ହତ୍ୟାର ବଦ୍‌ଲା କେବଳ ହତ୍ୟାରେ ହିଁ ନିଆଯାଇପାରିବ । ପ୍ରଥମଥର ପାଇଁ ରାଙ୍ଗାଭାଇ ବିକ୍ରମ ହାତରେ ଧରେଇ ଦିଏ ଗୋଟେ ଛଅ ରାଉଣ୍ଡର ଦେଶୀ ପିସ୍ତଲ । ବିକ୍ରମ ପିସ୍ତଲ ଓ ରାଙ୍ଗା ଭାଇର କିଛି ଲୋକଙ୍କୁ ଧରି ଯାଇଁ ପହଞ୍ଚିଯାଏ ବସ୍ତି ଭିତରକୁ ଓ ରାଜୁଆକୁ ଘର ଭିତରୁ ଟାଣି ଆଣେ । ରାଙ୍ଗା ଭାଇର ଲୋକମାନେ ତା’ର ଅନ୍ୟ ଦୁଇଜଣ ସାଥିଙ୍କୁ ମଧ୍ୟ ଘରୁ ଟାଣିଆଣି ଥାଆନ୍ତି । ବିକ୍ରମ ସେ ତିନି ଜଣଙ୍କୁ ଘୋଷାଡ଼ି ଘୋଷାଡ଼ି ନେଇ ତା’ ମାମୁଁଙ୍କ ଘର ଆଗରେ ପକେଇଦିଏ ଏବଂ ରାଜୁଆକୁ କହେ ଯେ ତା’ର ଭୁଲ୍ ସ୍ଵୀକାର କରିବାକୁ । ରାଜୁଆ ପୂରା ବସ୍ତି ସାମ୍ନାରେ ତା’ର ଦୋଷ ସ୍ଵୀକାର କରେ ଏବଂ ମିତାକୁ ସେଇ ଧର୍ଷଣ କରିଛି ବୋଲି ମାନିଯାଏ । ସମସ୍ତଙ୍କ ସାମ୍ନାରେ ବିକ୍ରମ ସେ ତିନି ଜଣଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ତିନି ରାଉଣ୍ଡ ଗୁଳି ମାରେ । ସେ ତିନିଜଣ ସେଇଠି ହିଁ ଟଳି ପଡ଼ନ୍ତି । ବିକ୍ରମ ଆଉ ତିନି ରାଉଣ୍ଡ ଗୁଳି ଶୂନ୍ୟରେ ମାରି ସେଠାରୁ ଫେରାର୍ ହୋଇଯାଏ । ରାଙ୍ଗା ଭାଇ ଓ ଶାସକ ଦଳର ମନ୍ତ୍ରୀମାନେ ମିଶି କେସ୍‌କୁ ରଫାଦଫା କରି ଦିଅନ୍ତି । ଯାହା ଫଳରେ କି ବିକ୍ରମକୁ ମାତ୍ର ଗୋଟିଏ ବର୍ଷରେ ହିଁ ଜେଲ୍‌ରୁ ମୁକ୍ତି ମିଳିଯାଏ । ଜେଲ୍‌ରୁ ମୁକ୍ତି ପାଇବା ପରେ ବିକ୍ରମର ନା ବଦଳି ଭିକି ଭାଇ ହୋଇଯାଏ । କାରଣ ସେତେବେଳକୁ ସେ ହୋଇସାରିଥାଏ ରାଙ୍ଗା ଭାଇର ଖାସ୍ ଲୋକ । ଭିକି ବସ୍ତିର ଉନ୍ନତି ପାଇଁ ବହୁତ କାମ କରେ । ସମସ୍ତଙ୍କୁ ପକ୍କା ଘର, ପାଣି, ବିଜୁଳି, ପିଲାମାନଙ୍କ ପଢ଼ିବା ପାଇଁ ସ୍କୁଲ ଆଦିର ସବୁ ସୁବ୍ୟବସ୍ଥା କରିଦିଏ । ସେ ପାଲଟି ଯାଏ ବସ୍ତି ଲୋକମାନଙ୍କ ପାଇଁ ଚଳନ୍ତି ଦେବତା । ବସ୍ତିରେ ଯାହାର ଯାହା ଅସୁବିଧା ହେଲେ ସମସ୍ତେ ଦଉଡ଼ନ୍ତି ଭିକିଭାଇ ପାଖକୁ । ଭିକି ତା’ ମାମୁଁ ଓ ମାଇଁଙ୍କୁ ନେଇ ନିଜ ପାଖରେ ରଖିଥାଏ । ସହରର ମଝିରେ ତା’ର ଦ୍ଵିତଳ ପ୍ରାସାଦ । ଏଇମିତି ଭାବେ ୪ବର୍ଷ କଟିଯାଏ । ହଠାତ୍ ‌ରାଙ୍ଗାଭାଇର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୁଏ ଏବଂ ରାଙ୍ଗା ଭାଇ ପରେ ଭିକି ହୋଇଯାଏ ଦଳର ମୁଖ୍ୟ । ସେ ଦଳର ମୁଖିଆ ହେବା ପରେ ମନ ବଳାଏ ଏକ ସ୍ଵତନ୍ତ୍ର ସ୍ଵାଧୀନ ଦଳ ଗଢ଼ି ନିର୍ବାଚନ ଲଢ଼ିବା ପାଇଁ । ଏହି କଥା ଶାସକଦଳର ମନ୍ତ୍ରୀ ସହ୍ୟ କରିପାରନ୍ତି ନାହିଁ । ସେ ଲୋକ ପଠାନ୍ତି ଭିକିକୁ ଧରି ଏକ ଅଜଣା ଜାଗାକୁ ନେଇ ହତ୍ୟା କରିବା ପାଇଁ ଆଉ ଦିନେ ରାତିରେ ସେ ଘରେ ଶୋଇଥିବା ବେଳେ କିଛି ଲୋକ ତାକୁ ନିଶା ଦେଇ ଅପହରଣ କରି ନେଇ ଯାଆନ୍ତି ।

ସକାଳର ସୂର୍ଯ୍ୟ ଭିକିର ମୁହଁ ଉପରେ ବିଛାଡ଼ି ହୋଇ ପଡ଼ିଲା । ଚାଉଁକିନା ତା’ର ନିଦ ଭାଙ୍ଗିଗଲା । ସକାଳୁ ଉଠି ଦେଖିଲା ବେଳକୁ ପୁଣି ସେଇ ବୁଢ଼ା ହାତରେ କିଛି ଜଳଖିଆ ଧରିକି ଛିଡ଼ା ହେଇଛି ଆଉ ବୁଢ଼ାର ପଛରେ ଗୋଟେ ଝିଅଟି ଛିଡ଼ା ହୋଇଛି । ଝିଅଟି ହିନ୍ଦୀ କହି ପାରୁଥିଲା ଏବଂ ବୁଝି ବି ପାରୁଥିଲା । ସେ ଭିକିକୁ କହିଲା ଯେ ଯୋଉ ଲୋକମାନେ ତାକୁ ଏଠିକି ଛାଡ଼ିକି ଯାଇଛନ୍ତି ସେମାନେ କିଛି ସମୟ ପରେ ଆସିଯିବେ ଓ ତାଙ୍କର ମାଲିକର ଆଦେଶ ଅନୁସାରେ ତୁମକୁ ହତ୍ୟା କରିବେ । ଆମର ଏଇ ଆଦିବାସୀ ବସ୍ତିରେ ସେମାନେ ୫ବର୍ଷ ହେଲାଣି ବହୁତ ଖରାପ କାମ କରୁଛନ୍ତି; ଯେହେତୁ ଆମ ବସ୍ତି ସହରଠାରୁ ବହୁତ ଦୂର, ସେମାନେ ଏହିଠାରୁ ନିଶା କାରବାର ମଧ୍ୟ କରୁଛନ୍ତି ଯାହା ଫଳରେ ନିଶା ଆମ ବସ୍ତିର ଯୁବକମାନଙ୍କୁ ନଷ୍ଟ କରିବା ସହ ସହରର ଚାରିଆଡ଼େ ଏହି ବ୍ୟବସାୟ ଖେଳିଯାଇଛି । ତୁମେ ଯେତେଶୀଘ୍ର ପାରୁଛ ଏଠୁ ଖସିକି ପଳାଅ । ନହେଲେ ସେମାନେ ତୁମକୁ ଆଜି ମାରିବାର ବନ୍ଦୋବସ୍ତ କରିଛନ୍ତି । ଭିକି ସେ ଝିଅଠାରୁ ସବୁ କଥା ଶୁଣିବା ପରେ ନିଶ୍ଚିନ୍ତ ହୋଇ କହିଲା ମୁଁ କୁଆଡ଼େ ବି ଯିବିନି । ଯେଉଁପର୍ଯ୍ୟନ୍ତ ତୁମମାନଙ୍କୁ ମୁଁ ଏ ରାକ୍ଷସମାନଙ୍କ କବଳରୁ ମୁକ୍ତି ନ ଦେଇଛି ମୁଁ ଏଇଠି ହିଁ ରହିବି । ଏତିକି କହି ଭିକି କୁଡ଼ିଆରୁ ବାହାରି ଯାଇ ଗୋଟେ ଗଛ ଉପରେ ଲୁଚି କି ବସି ପଡ଼ିଲା ଏବଂ କୁଡ଼ିଆ ଆଡ଼କୁ ଲକ୍ଷ୍ୟ କରି ଅପେକ୍ଷାକରି ରହିଲା ସେମାନଙ୍କର ଆସିବାକୁ । କିଛି ସମୟ ପରେ ୩ଜଣ ଲୋକ ହାତରେ ଏକେ୪୭ ବନ୍ଧୁକ ଧରି କୁଡ଼ିଆ ଭିତରକୁ ଧସେଇ ପଶି ଅନ୍ଧାଧୁନ୍ ଗୁଳି ଚଳେଇଲେ । ଗୁଳି ଚଳେଇସାରି ଦେଖିଲା ବେଳକୁ ସେଠି କେହି କୁଆଡ଼େ ନାହାନ୍ତି । ଗୋଟେ ଲୋକ ଆଉ ଜଣଙ୍କୁ କହିଲା ଯେ ଯାଇକି ସେ ବୁଢ଼ାକୁ ପଚାର ଯେ ଯାହାକୁ ଗତକାଲି ଆଣି ଛାଡ଼ି ଦେଇ ଯାଇଥିଲେ ସେ ଲୋକ କୁଆଡ଼େ ଗଲା ବୋଲି । ଲୋକଟି ବୁଢ଼ା ଘରକୁ ଆସୁଥିବା ସମୟରେ ଆଗରୁ ଲୁଚି କି ଥିବା ବୁଢ଼ାର ଝିଅ ଗୋଟେ ବାଉଁଶରେ ତା’ ମୁଣ୍ଡକୁ ଏକ ଶକ୍ତ ପ୍ରହାର ଦେଲା, ଯାହା ଫଳରେ ସେ ଲୋକଟି ସେଇଠି ଟଳି ପଡ଼ିଲା । ସେ ଲୋକ ହାତରୁ ବନ୍ଧୁକ ନେଇ ବୁଢ଼ାର ଝିଅ ଭିକିକୁ ଗଛ ଉପରୁ ତଳକୁ ଆସିବା ପାଇଁ କହିଲା । ଭିକି ତା’ ହାତରୁ ବନ୍ଧୁକ ନେଇ କୁଡ଼ିଆ ଭିତରକୁ ଅତର୍କିତ ଭାବେ ପଶି ଗୁଳି କରି ସେ ଦୁଇ ଜଣଙ୍କୁ ମଧ୍ୟ ମାରିଦେଲା । ପଛରେ ଭିକି ଜାଣିବାକୁ ପାଇଲା ଯେ ସେ ଯାହାକୁ ଗୁଳି କରିଥିଲା ସେ ହେଉଛି ଅନ୍ତର୍ଜାତିକ ନିଶା ବେପାରୀ ଓ କୁଖ୍ୟାତ ଆତଙ୍କବାଦୀ ଅବଦୁଲ ୱାକର୍, ଯାହାକୁ ଭାରତୀୟ ସେନା ବହୁତ ଦିନ ହେଲାଣି ଖୋଜୁଥିଲେ । ଏହି ଖବର ପ୍ରସାରିତ ହେବା କ୍ଷଣି ଚାରିଆଡ଼ୁ ଭିକି ପାଇଁ ପ୍ରଶଂସାର ସୁଅ ଛୁଟିବାକୁ ଲାଗିଲା । ଆତଙ୍କବାଦୀକୁ ମାରିଥିବା ହେତୁ ତାକୁ ସବୁ ଦୋଷରୁ ମୁକ୍ତି ମିଳିଗଲା ଏବଂ ଜାତୀୟସ୍ତରରେ ପୁରସ୍କୃତ ହେବା ପାଇଁ ମଧ୍ୟ ଡାକରା ଆସିଲା । ଆଉ ଭିକି ସେ ଆଦିବାସୀ ବସ୍ତିରେ ସବୁଦିନ ପାଇଁ ରହି ଭିକି ଭାଇରୁ ପୁଣି ବନି ଯାଇଥିଲା ବିକ୍ରମ ଭାଉ ।

– ଦୀପକ ଷଡ଼ଙ୍ଗୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଦୀପକ ଷଡ଼ଙ୍ଗୀ ପେଶାରେ ଜଣେ ଅଧ୍ୟାପକ, ଯିଏକି ରୋଲାଣ୍ଡ ଫାର୍ମାସୀ କଲେଜରେ କାର୍ଯ୍ୟରତ । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି । ଏତଦ୍‌ବ୍ୟତୀତ ସେ ନିଜେ ଜଣେ ଗୀତାର ବାଦକ ।