You are currently viewing ବିଚିତ୍ର ଭାବନା (ଗାଉଁଲି ଲେଖା)
Odia Story Bichitra Bhabana (ବିଚିତ୍ର ଭାବନା) by Rajeev Kumar Nayak

ବିଚିତ୍ର ଭାବନା (ଗାଉଁଲି ଲେଖା)

ଆମେ ସବୁବେଳେ ଅପ୍ରତ୍ୟାଶିତ ଭାବେ ମୋଡ଼ ବଦଳାଉଥିବା ଅଭିନେତାମାନଙ୍କୁ ଭଲପାଆନ୍ତି, ଯାହାକି କେବଳ ଏକ ଲିଖିତ ସ୍କ୍ରିପ୍ଟ ମାଧ୍ୟମରେ ସମ୍ଭବ ହୋଇଥାଏ !
ସାଧାରଣ ଗାଉଁଲି ମଣିଷଟିଏ ମଧ୍ୟ ମହା-ଆକାଶ ଯାତ୍ରାର ସ୍ୱପ୍ନ ଦେଖି ପାରିବ ଆଉ ପରିଶ୍ରମ ଏବଂ ପ୍ରଶିକ୍ଷଣ ମାଧ୍ୟମରେ ତାକୁ ସାକାର ମଧ୍ୟ କରିପାରିବ ! ବିଡ଼ମ୍ୱନାର ବିଷୟ ଯେ, କିଛି ସାଧାରଣ ବ୍ୟକ୍ତି-ବିଶେଷ ବିନା ପରିଶ୍ରମରେ ଅନ୍ୟମାନଙ୍କ ସାହାଯ୍ୟରେ ଅତି ଅଦ୍ଭୁତ କାର୍ଯ୍ୟକୁ ଇଚ୍ଛା ବଳେଇଥାନ୍ତି । ବର୍ତ୍ତମାନ ସମୟରେ ବୈଷୟିକ ଜ୍ଞାନ କୌଶଳ ମାଧ୍ୟମରେ ଅନେକ ସାମାଜିକ ମଙ୍ଗଳ କାର୍ଯ୍ୟ ସମ୍ପାଦନ କରିବା ସମ୍ଭବପର ହୋଇପାରୁଛି । ଏହାକୁ ଦେଖି ବିଚିତ୍ର ଭାବନା ରଖିଥିବା ଅଦ୍ଭୁତ ମଣିଷମାନେ ସେମାନଙ୍କ ବିଚିତ୍ର ଚିତ୍ରକୁ ଅଙ୍କିବା ପାଇଁ ସାମାଜିକ କାର୍ଯ୍ୟକର୍ତ୍ତାଙ୍କର ସାହାଯ୍ୟ ପାଇଁ ଅଡ଼ିବସନ୍ତି ।
ଏହିପରି ଏକ ବିଚିତ୍ର ଭାବନା ରଖୁଥିବା ମଣିଷ ଆଉ ଜଣେ ସାଧାରଣ ସାମାଜିକ କାର୍ଯ୍ୟକର୍ତ୍ତାଙ୍କର ଟେଲିଫୋନ ଆଳାପରୁ କିଛି;
ରବି ଜଣେ ବିଚିତ୍ର ଭାବନାର ମଣିଷ ଆଉ ତାଙ୍କ ଗାଁ କବି, ଯିଏ ପୂରା ସାଧାରଣ ଫେସବୁକ ଚଳାଳୀ, ତାଙ୍କ ଭିତରର କଥୋପକଥନ ।

ରବି: ଆରେ କବି ଏବେ କୋଉଠି ଅଛୁ, କ’ଣ କରୁଛୁ, କେବେ ଘରକୁ ଆସିବୁ, ଆଉ ସବୁ ଭଲ ଟି? (ପୂରାପୂରି ଗୋଟେ ମିନିଟ୍‌ର ଲମ୍ୱା ପ୍ରଶ୍ନ)
କବି: ବଡ଼ ଭାଇ ନମସ୍କାର, କ’ଣ ହଠାତ ମନେ ପକେଇଲେ ।
ରବି: ବହୁତ କଥା ଅଛି ତୋ’ ସାଙ୍ଗରେ… ଗୋଟେ ଗୋଟେ କରି ସବୁ କହିବି, ହେଲେ ମୋର ଗୋଟେ ଡାଉଟ୍ ଥିଲା ତାକୁ ଆଗେ ଶୁଣ !
କବି: କୁହନ୍ତୁ ବଡ଼ ଭାଇ !
ରବି: ଆଛା, କାଳେ ପଞ୍ଜାବର ଗୋଟେ ଝିଅ ମୋଦି ଆଜ୍ଞାଙ୍କୁ ଟୁଇଟ୍ କରି ତାଙ୍କ ଗାଁ ନାଁ ତିନି ଦିନ ଭିତରେ ବଦଳେଇ ଦେଲା?
କବି: ମୁଁ ତ ଏକଥା ଜାଣିନି, ହେଇଥାଇପାରେ !
ରବି: ଆଉ ତୁ କାଳେ ଟୁଇଟ୍ ଫୁଇଟ୍ ଭଲ କରୁ ତ, ଚାଲୁନୁ ଆମ ଗାଁ ନାଁ’ଟା ମୋଦି ଆଜ୍ଞାକୁ ଟୁଇଟି କରି ବଦଳେଇ ଦେବା ।
କବି (କିଛି କ୍ଷଣ ସ୍ତବ୍ଧ): ବଡ଼ ଭାଇ, ଏଭଳି ଭାବନା କାହିଁକି ଆପଣଙ୍କ ମୁଣ୍ଡକୁ ଆସିଲା !?
ରବି: ଆରେ… ଏ ଗାଁ ନାଁଟା ଆଉ ଭଲ ଲାଗୁ ନାହିଁ… କ’ଣ କହିବି, ବାହାରକୁ ଗଲେ ନିଜ ଗାଁ ନାଁ କହିବାକୁ କେମିତି କେମିତି ଲାଗୁଛି ।
କବି: ବଡ଼ ଭାଇ ଦେଖନ୍ତୁ ଏହା ଆମ ପୂର୍ବ ପୁରୁଷର ଐତିହାସିକ ନାଁ । ଏକୁ ନେଇ ଗର୍ବ କରିବା କଥା କିନ୍ତୁ ତମ ମନରେ ଏଭଳିଆ କଥା କାହିଁକି ଆସୁଛି ! ଆଶ୍ଚର୍ଯ୍ୟ !!
ରବି: ହେଲେ ତୁ’ ଯାହାବି କହ ଏ ନାଁ ଟା ଆଉ ଭଲ ଲାଗୁନାହିଁ…ତୁ ଯେମିତି ହେଲେ ଟିକେ ଟୁଇଟି କର !
କବି: ଭାଇ, ଏ’ ତ ପୂରା ଗାଁର କଥା ତମେ ମନେ ମନେ ଭାବିଲେ କ’ଣ ହେବ?

ରବି କିନ୍ତୁ ତା’ ଜିଦ୍‌ରେ ଅଟଳ… କବି ବିଚରା କରିବ କ’ଣ… ସମ୍ପର୍କୀୟ ବଡ଼ଭାଇ, ଗାଉଁଲି ସଭ୍ୟତାରେ ବହୁତ ମୂଲ୍ୟ ରଖେ !
ଶେଷରେ କବି, ରବିକୁ ଏକ ଅନ୍ୟ ଉପାୟରେ ବୁଝାଇବାକୁ ଚେଷ୍ଟା କଲା !

କବି: ଆଛା ଭାଇ ଯଦି ଆମେ ଗାଁ ନାଁ ବଦଳେଇ ଦେବା ତା’ହେଲେ ସବୁ ଲୋକଙ୍କୁ ତାଙ୍କ ପରିଚୟ ପତ୍ର ବଦଳେଇବାକୁ ପଡ଼ିବ , ଏ ତ’ ଗୋଟେ ବଡ଼ ସମସ୍ୟା ହେଇଯିବ ସମସ୍ତଙ୍କ ପାଇଁ !
ରବି: ନାଁ, ସମସ୍ୟା କ’ଣ ହବ ! ପଞ୍ଜାବର ସେ’ ଝିଅଟା କେମିତି କରିଦେଲା ସେମିତି କରିଦେ ଟିକେ ।
କବି: (ସବୁ କଥା ବୁଝାଇ ସାରିଲା ପରେ) ମୋ ଦ୍ୱାରା ଏ କଥା ସମ୍ଭବ ନୁହେଁ ଭାଇ ! ଆପଣ ଗାଁ ଲୋକଙ୍କୁ ଡାକି ସମସ୍ତଙ୍କ ମତାମତ ନେଇ ଜିଲ୍ଲା କଲେକ୍ଟର ସାହାବଙ୍କୁ ଗୋଟେ ଚିଠି କରନ୍ତୁ… ଯଦି ହେଇ ପାରିବ ହଉ !

ଉପର କଥୋପ କଥନର ସାରାଂଶ ହେଲା, “ଜଣେ ସାଧାରଣ ମଣିଷର ଆତ୍ମବିଶ୍ୱାସର ବହୁ ଉପରର କଥା ।”
ଆମେ ମହାନ ବ୍ୟକ୍ତି ତଥା ଭାରତର ଅତି ପ୍ରିୟ ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏ. ପି. ଯେ. ଅବଦୁଲ କଲାମଙ୍କ କଥା ମନେ ପକେଇବା କଥା; ସେ ଖାଲି ଶୋଇକି ସ୍ୱପ୍ନ ଦେଖିବାକୁ କହି ନଥିଲେ, ସ୍ୱପ୍ନକୁ ସତ କରିବାରେ ଯେଉଁ ଜ୍ଞାନ ଏବଂ ବୁଦ୍ଧିର ଆବଶ୍ୟକତା ଥାଏ ତାକୁ ମଧ୍ୟ ହାସଲ କରିବା ପାଇଁ ପ୍ରଥମେ ପରିଶ୍ରମର ଆବଶ୍ୟକତା ବିଷୟରେ ମଧ୍ୟ ଉପଦେଶ ଦେଇଥିଲେ !
ଦୁର୍ଭାଗ୍ୟବଶତଃ, ବେଳେବେଳେ ଅପ୍ରତ୍ୟାଶିତ କିଛି ହୋଇପାରେ ଯାହା ଆପଣ କେବେବି ସାମ୍ନା କରି ନଥାନ୍ତି !

– ରାଜୀବ କୁମାର ନାୟକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ରାଜୀବ କୁମାର ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗଳ୍ପ ଓ ପ୍ରବନ୍ଧ ଆଦି ରଚନା କରିଥାନ୍ତି ।