ଭାବକୁ ନିକଟ…
ଭାବକୁ ନିକଟ…

ଭାବକୁ ନିକଟ…

ତା’ ନାଆଁ କାଳିଆ । ତା’ର ପ୍ରକୃତ ଜାତି ଗୋତ୍ରର ପରିଚୟ କେହି ଜାଣନ୍ତିନି । ବୁଢ଼ା କେଉଟର ପିଲା ଛୁଆ ନଥିଲେ ଆଉ ଯୋଗକୁ ବୁଢ଼ୀ କେଉଟୁଣୀ ନଦୀ ପଠାରୁ ପାଇଥିଲା କାଳିଆକୁ । ନାଲି ପାଟ କନାରେ ଗୁଡ଼େଇ କିଏ ଛାଡ଼େଦେଇଥିଲା ତାକୁ ସେଇଠି । ଗାଁ’ଟାଯାକ କଥା ହେଲେ, “ପିଲାଟା କୋଉ ବଡ଼ଘରେ ଜନ୍ମ ହେଇଛି ନିଶ୍ଚିତ କିନ୍ତୁ ଏଡ଼େ ଅସୁନ୍ଦର ହେଇଛି ବୋଲି ବୋଧେ ଆପଣେଇ ନାହାନ୍ତି, ହେଲେ କେଉଟୁଣୀ ଭାଗ୍ୟରେ ପିଲାଟେ ଆଉ ଅନାଥ ଭାଗ୍ୟରେ ବାପାମାଆଙ୍କୁ ଖଞ୍ଜି ଦେଇଛନ୍ତି କାଳିଆ ଠାକୁରେ ।” କାଳିଆର ଆଠ ବର୍ଷ ବେଳକୁ ବୁଢ଼ା କେଉଟ ଆଉ ଏଗାର ବର୍ଷ ବେଳକୁ ବୁଢ଼ୀ କେଉଟୁଣୀ ଆରପରିକି ବାଟକାଟିଲେ । ସେତେବେଳକୁ କାଳିଆ ବାପାଠୁ ଜାଲ ବୁଣିବା ଅଳ୍ପେ ବହୁତେ ଶିଖିଯାଇଥିଲା । ବୁଢ଼ା କେଉଟ ସବୁଦିନ ସନ୍ଧ୍ୟା ହେଲେ ଭଜନ, ଗୀତ ଯାହା ପାଏ ବଡ଼ ପାଟିରେ ଗାଏ, ସେତକ ବି ଶିଖିଥିଲା ବାପାଠୁ । ବୁଢ଼ାବୁଢ଼ୀଙ୍କ ପରେ ଗାଁ ଲୋକେ କଥା ହେଲେ, “ଅନାଥ ପିଲାଟା କୁଆଡ଼େ ଆଉ ଯିବ? ଗାଆଁରେ ପାଳି କରି ଭାତ ଦି’ମୁଠା ଖାଇବାକୁ ଦେବା, ଯୋଉଦିନ ଯାହା ଘରେ ଖାଇବ ତାଙ୍କର ଛୋଟମୋଟ ବୋଲହାକ କରିଦବ ।” ଏମିତି ଚାଲିଲା କିଛି ବର୍ଷ । ଦିନଟିଏ, କାଳିଆ ତା’ ଘର ବାରଣ୍ଡାରେ ବସି ଭଜନ ଗାଉଥାଏ, ସେଇବାଟ ଦେଇ ଯାଉଥିଲେ ମନ୍ଦିରର ବଡ଼ ପୁରୋହିତେ । ତା’ର ଭଜନ ତାଙ୍କୁ ଭାରି ଭଲ ଲାଗିଲା । ଏଥର କାଳିଆ ସବୁଦିନ ସନ୍ଧ୍ୟା ହେଲେ ମନ୍ଦିର ପାଖ ଭାଗବତ ଟୁଙ୍ଗି ଆଗରେ ଜରି ଅଖାଟିଏ ପକେଇ ବସିପଡ଼େ ଭଜନ ଗାଇବାକୁ । ସମସ୍ତେ କୁହନ୍ତି, କାଳିଆର ଭଜନକୁ ଆହୁରି ସୁନ୍ଦର କରିଦେଉଛି ତା’ର ଭାବପୂର୍ଣ୍ଣ ଜଣାଣ । ସତେ ଯେମିତି ତାକୁ ଶୁଣିବାକୁ ଠାକୁରେ ଉଠିଆସିବେ ଗର୍ଭଗୃହରୁ । ଢୋଲ, ଗିନି କିଛି ଲୋଡ଼ା ନାହିଁ, ଆଖି ବୁଜି ଭଜନ ଗାଇବ କାଳିଆ, ବାହାର ଦୁନିଆରେ କ’ଣ ଚାଲିଛି ତାକୁ ଜଣା ନାହିଁ ଆଉ ମଝିରେ ମଝିରେ ଗାମୁଛାରେ ଆଖି ପୋଛିବ । ଲୋକେ ଭାବନ୍ତି ଭକ୍ତିରେ କାନ୍ଦି ପକାଉଚି ବୋଧେ, ହେଲେ କେହି ଜାଣନ୍ତିନି ତା’ର ଲୁହର ପ୍ରକୃତ କାରଣ । ବେଳେ ବେଳେ ଭଜନ ଗାଇବାରେ ଏତେ ମଜ୍ଜିଯାଏ, ବର୍ଷା ଅସରାଏ ହେଇ ସରିଗଲେ ବି ସେ ଉଠେନି ତା’ ଯାଗାରୁ ।

ଏବେ କାଳିଆ ଦରବୁଢ଼ା ହେଲାଣି । ଯୁଗ ବି ବଦଳିଲାଣି । ଆଗପରି ଭାଗବତଟୁଙ୍ଗିରେ ଲୋକେ ଏକାଠି ହଉନାହାନ୍ତି କି କାଳିଆ ଭଜନ ଗାଉନି । ମନ୍ଦିରରେ ସନ୍ଧ୍ୟା ଆଳତି ପରେ ମେସିନରେ ଗୀତ ବାଜୁଛି । ସମସ୍ତେ ନିଜ ଘରେ ଟିଭି ଆଉ ମୋବାଇଲରେ ବ୍ୟସ୍ତ । କାଳିଆ ପାଇଁ କିନ୍ତୁ କିଛି ବଦଳିନି । ଦିନ ଯାକର କାମ ସାରି, ନିଜ ଘରେ କାଳିଆ ନିତି ଭଜନ ଗାଉଛି ଆଉ ମଝିରେ ମଝିରେ ଗାମୁଛାରେ ଲୁହ ପୋଛୁଛି । ଥରେ ଗୀତ ଗାଇବା ଆରମ୍ଭ କଲେ ତ ତାକୁ ନିଆଁ ପାଣି କିଛି ଜଣା ପଡ଼େନି । ଦିନଟିଏ କାଳିଆକୁ ଭଜନ ଗାଉ ଗାଉ କାଶ ଉଠେଇଲା, ପାଣି ପିଈବାକୁ ଉଠିଗଲାବେଳେ, ବାହାରୁ କିଏ ଜଣେ ପଚାରିଲା, “କାହିଁକି ବନ୍ଦ କଲୁ ଗାଇବା?” କାଳିଆ ଯାଇ ବାହାରେ ଦେଖେ ତ, ତା’ରି ବୟସର ଲୋକଟେ ବସିଛି । “ତମେ କିଏ? ଆମ ଗାଁ ଲୋକ ପରି ତ ଲାଗୁନ?” ପଚାରିଲା ସେ । ଲୋକଟି କହିଲା ସେ ଗାଁ ଆର ମୁଣ୍ଡରେ ରହୁଛି, ସେଇବାଟେ ଯାଉଥିଲା, ଭଜନ ଶୁଣି ଅଟକି ଗଲା । କହିଲା “ଏଡ଼େ ସୁନ୍ଦର ଭଜନ ଗାଉଛ, ସତେ ଯେମିତି ପ୍ରଭୁ ରତ୍ନ ସିଂହାସନ ଛାଡ଼ି ଚାଲି ଆସିବେ ।“ ହସିଦେଲା କାଳିଆ । କହିଲା “ମୁଁ କ’ଣ “ସାଲବେଗ” ହେଇଛି ନା “ଦାଶିଆ ବାଉରି” ହେଇଛି ଯେ ମୋ ପାଇଁ କାଳିଆ ହାତ ବଢ଼େଇ ଦବ? ନିଇତି ମୀନ ଅବତାରର ହତ୍ୟା କରିକି ପାପ କରୁଛି । ପେଟ ପୋଷିବାର ଆଉ କିଛି ବାଟ ଜାଣିଥିଲେ ଏଇ କାମ କରିନଥାନ୍ତି । ସିଏ ବା କାହିଁ ମୋ ପରି ଅଧମ କଥା ଭାବିବ?“ ଏତିକି ବେଳକୁ କାଳିଆ ଦେଖିଲା ଲୋକଟିର ପାଦ ତଳୁ ରକ୍ତ ବୋହିଯାଉଛି । ଅନ୍ଧାର ବାଟରେ ଝୁଣ୍ଟି ଖଣ୍ଡିଆ ହେଇଯାଇଛି । ଧାଇଁ ଯାଇ ମୁଠେ ବିଶଲ୍ୟକରଣୀ ତୋଳି ଆଣିଲା କାଳିଆ, ହାତରେ ମନ୍ଥି ତାକୁ ଖଣ୍ଡିଆ ଉପରେ ରଖିଲା ଆଉ ନିଜ ଗାମୁଛାରୁ ଖଣ୍ଡେ ଚିରି ବାନ୍ଧିଦେଲା । ସେଇ ଦିନଠୁ ସେ ହେଲା କାଳିଆର ନୂଆ ବନ୍ଧୁ । ଦି’ସାଙ୍ଗ କଥା ହେଲେ ନିତି ରାତିରେ ଦେଖା ହେବେ । ରାତିରେ କାଳିଆ ଆହୁରି କେତେ ଭଜନ ଗାଇଲା ଆଉ ତା’ ସାଙ୍ଗ କାନ୍ଥକୁ ଆଉଜି ଗୋଡ଼ ଲମ୍ବେଇ ଭଜନରେ ହଜିଗଲା । ସକାଳୁ କାଳିଆ ଉଠି ଦେଖେ ତ ସାଙ୍ଗ ଚାଲିଯାଇଛି ।

ରାତିରେ ଦୁଇ ସାଙ୍ଗ ଦେଖାହେଲେ । ସାଙ୍ଗ କହିଲା, ”ଜାଣିଛୁ କାଳିଆ, ଆଜି ମନ୍ଦିରର ଶୁଦ୍ଧି ହଉଥିଲା । କାଲି ରାତିରେ କିଏ ଜଣେ ବୋଧେ ମନ୍ଦିରର ଗର୍ଭଗୃହରେ ପଶିଥିଲା । ଚୋର ହେଇଥିବ ନିଶ୍ଚୟ ।“ ସାମାନ୍ୟ ହସି କାଳିଆ କହିଲା, ”ଯୋଉଠି ଖୋଦ୍ ମହାପ୍ରଭୁ ବସିଛନ୍ତି, ସେ ସ୍ଥାନ କେମିତି ଅଶୁଦ୍ଧ ହେଇପାରିବ? ଚକାଆଖିର ଆଖି ଯୋଉଠି ପଡ଼ିବ ସେ ସ୍ଥାନ ତ ଚିରଦିନ ପାଇଁ ପବିତ୍ର ହେଇଯିବ ।” ସାଙ୍ଗ ପୁଣି ପଚାରିଲା, ”କାଳିଆ, ତୁ ଭଜନ ଗାଇବା ବେଳେ କ’ଣ ଭାବି କାନ୍ଦୁଛୁ? ତୁ ବେଳେବେଳେ ଗାମୁଛାରେ ଲୁହ ପୋଛିବା ମୁଁ ଦେଖିଛି ।” “ସେଇଟା ମୁଁ କହିବିନି ।” ଉତ୍ତର ଦେଲା କାଳିଆ । ଅଭିମାନ କରି ସାଙ୍ଗ ପଚାରିଲା, “ମତେ କହିବୁନି? ମୁଁ ପରା ତୋର ବନ୍ଧୁ । ଯଦି ତୋର କିଛି ଦୁଃଖ ଅଛି ମତେ କହ, ଆମେ କିଛି ଉପାୟ କରିବା ।” ଆଖିରେ ଆଖିଏ ଲୁହ ନେଇ କାଳିଆ କହିଲା, ”ମୋର ଯାହା ଇଚ୍ଛା ,ତାହା କେହି ପୂରଣ କରିପାରିବେନି । ଖୋଦ୍ ମହାପ୍ରଭୁ ବି ନୁହେଁ । ତାଙ୍କ ପାଇଁ ତ ଏ ମଣିଷ କେତେ କାଇଦା କଟକଣା ରଖିଛି, ମୁଁ ବା ଛାର କେଉଟ ।“

“କ’ଣ ସବୁ କହୁଛୁ, ମୁଁ କିଛି ବୁଝିପାରୁନି । ଟିକିଏ ବୁଝେଇ କହ” ପଚାରିଲା ସାଙ୍ଗ । ଆଖି ପୋଛୁ ପୋଛୁ କାଳିଆ କହିବା ଆରମ୍ଭ କଲା,”ପିଲାଟିବେଳୁ ଯାହା କଥା ଶୁଣି ବଡ଼ ହେଇଛି, ଯାହାପାଇଁ ନିଇତି ଭଜନ ଗାଉଛି, ତାକୁ ଥରୁଟେ ନିଜ ଆଖିରେ ଦେଖିବାକୁ ଇଚ୍ଛା । ଖାଲି ଦେଖିବାକୁ ନୁହଁ, ତାକୁ ଥରେ କୁଣ୍ଢେଇ ଧରିବାକୁ ଇଚ୍ଛା । କିନ୍ତୁ ମୁଁ ତ କେଉଟ, ମନ୍ଦିର ବେଢ଼ାରେ ମୋ ଛାଇ ବି ପଡ଼ିବା ମନା । ମୁଁ ସିନା ଯାଇ ପାରୁନି, ସିଏ କ’ଣ ମୋ ପାଖକୁ ଆସିପାରନ୍ତାନି? ଏତିକି ମୋର ଦୁଃଖ ଆଉ ଅଭିମାନ, ଯାହା ମୁଁ ସବୁଦିନ ତାକୁ ମନେ ମନେ କୁହେ ଆଉ କାନ୍ଦିପକାଏ । ହେଲେ ତତେ ଆମ ବନ୍ଧୁତାର ରାଣ ରହିଲା, କାହାକୁ କିଛି କହିବୁନି । ଲୋକହସା ହେବି ମୁଁ ଅଯଥାରେ ।”

ସାଙ୍ଗ କହିଲା, “ଏତିକି କଥା? ମୁଁ ମୋ ବନ୍ଧୁ ପାଇଁ କ’ଣ ଏତିକି କରିପାରିବିନି? ଆରେ ମନ୍ଦିର ପଛରେ ପରା ମୋର ଘର, ମତେ ସବୁ ବାଟ ଜଣା । ତତେ ମୁଁ ନିଜେ ନେଇକି ଯିବି । ରାତି ଅଧରେ,ସମସ୍ତେ ଶୋଇଥିବାବେଳେ ଯିବା ଯେ, କେହି ଜାଣିବେନି ।” “ନାଇଁ ନାଇଁ, ମୁଁ ଛୁଇଁବିନି । ବିଗ୍ରହ ମାରା ହେଇଯିବେ । ମୋ ମନକଥା ମନରେ ଥାଉ, ମୋର ମନ୍ଦିରରେ ପଶିବା ଦରକାର ନାହିଁ” କହିଲା କାଳିଆ । “କି’ରେ, ତୁ ପରା ଏବେ କହୁଥିଲୁ ଯୋଉଠି ଚକା ଆଖିର ନଜର ପଡ଼ିବ ସେ ଜାଗା ସବୁଦିନ ପାଇଁ ପବିତ୍ର ହେଇଯିବ । ଏବେ ପୁଣି ଏମିତି କ’ଣ କହୁଛୁ?“ ଚିନ୍ତାରେ ପଡ଼ିଗଲା କାଳିଆ । ଏଣେ ବିଗ୍ରହଙ୍କୁ ନିଜ ଆଖିରେ ଦେଖିବାର ଆଉ ଥରୁଟେ କୁଣ୍ଢେଇ ଧରିବାର ଲୋଭ ତେଣେ ମଣିଷ ସମାଜର ତିଆରି କାଇଦା କଟକଣାର ଡର । ଗାଲରେ ହାତ ଦେଇ ଭାବିବାକୁ ଲାଗିଲା ସେ । ସାଙ୍ଗ କହିଲା, “ଯଦି କେହି ଛୁଇଁଦେଲେ ଜଗା ପ୍ରକୃତରେ ଅଶୁଦ୍ଧ ହେଇଯାଉଥାନ୍ତା, ଦାଶିଆ ବାଉରି ହାତରୁ ହାତ ବଢ଼େଇ ନଡ଼ିଆ ନେଇନଥାନ୍ତା, ନୀଳମାଧବ ହେଇ ଶବର ହାତରୁ ଖାଉନଥାନ୍ତା କି ସାଲବେଗ ପାଇଁ ରଥ ଅଟକାଇ ଜଗି ନଥାନ୍ତା । ଏମାନେ ସବୁ ଯଦି ତୋ ଭଳି ଦ୍ଵନ୍ଦ ଭିତରେ ରହିଥାନ୍ତେ କେବେ ଜଗାକୁ ଦେଖିପାରିନଥାନ୍ତେ ।”

“ସତ କହୁଛୁ ସାଙ୍ଗ, ମୁଁ କିଏ ଛୁଆଁ ଅଛୁଆଁ ବିଚାର କରିବାକୁ? ଯଦି ମୋ ଭାଗ୍ୟରେ ଅଛି, ସେ ହିଁ ମୋ ପାଇଁ ବାଟ କାଢ଼ିବ, ହେଲେ ପ୍ରଥମେ ଏ କୁଡ଼ିଆରୁ ମତେ ଗୋଡ଼ କାଢ଼ିବାକୁ ପଡ଼ିବ । ଏବେ ଯିବା?” ଉଚ୍ଛୁକ ହେଇ ପଚାରିଲା କାଳିଆ । ସାଙ୍ଗ କହିଲା, ଥରେ ଗଲେ ଆଉ ଫେରିବା ବାଟ ନାହିଁ । ଯଦି ଗାଁ ଲୋକେ ଜାଣନ୍ତି, ଏ ଗାଆଁରେ ଆଉ ରହି ହେବନି । ତେଣୁ ଏ ଘର ଦ୍ଵାର ସବୁଥିର ମୋହ ଛାଡ଼ି ଯିବାକୁ ପଡ଼ିବ । କାଳିଆ ମଧ୍ୟ ଖୁସିରେ ରାଜି ହେଇଗଲା, କହିଲା “ଜଗା ଯୋଉଠି, ମୋ ଘର ସେଇଠି । ଚାଲ ସାଙ୍ଗ ଯିବା, ଚକା ଆଖି ଡାକିଲାଣି ମତେ ।“ କାଳିଆକୁ ଲାଗୁଥାଏ ସତେ ଯେମିତି ବିଦ୍ୟାପତି ସୋରିଷ ଫୁଲ ପଛରେ ଯିବାପରି ସେ ଚାଲିଛି ଆଗେଇ ଆଗେଇ ତା’ କାଳିଆକୁ ଦେଖିବାକୁ ।

ତା’ ପରଦିନ ଗାଁରେ ଚହଳ ପଡ଼ିଯାଇଥାଏ । ମହାପ୍ରଭୁଙ୍କ କଠଉ ମିଳୁନି । ଗର୍ଭଗୃହର ତାଲା, ଶିକୁଳିସବୁ ଯେଝା ଜାଗାରେ ବାହାରୁ ଭଲ ଭାବେ ବନ୍ଦ ଥିଲା । ଚୋରି ହେବାର ପ୍ରଶ୍ନ ନାହିଁ । ଏଇଟା ଏମିତି ଦ୍ଵିତୀୟ ଘଟଣା । ବଡ଼ ପୁରୋହିତେ ମୁଣ୍ଡରେ ହାତ ଦେଇ ବସିଛନ୍ତି ଆଉ କହୁଥାନ୍ତି, ”ପ୍ରଭୁ, ଏ ଅଧମର କି ଭୁଲ ହେଲା? କ’ଣ ଦେଉଳ ଛାଡ଼ି ଚାଲିଗଲ? ମୋର ଦୋଷ ତ୍ରୁଟି କ୍ଷମା କର ଜଗତର ନାଥ, ଫେରିଆସ ଦେଉଳକୁ । ଏ ଜୀବନ ତମ ପୂଜାଅର୍ଚ୍ଚନାରେ କଟିଗଲା, ବୁଢ଼ା ବୟସରେ ଅପନିନ୍ଦାରୁ ତ୍ରାହି କର ଚକାଡୋଳା ।” ନିଷ୍ପତ୍ତି ହେଲା, ସମସ୍ତଙ୍କ ଘର ବୁଲି ପଚରାଯିବ, କାଳେ କେହି ଦେଖିଥିବେ କାହାକୁ ରାତିରେ ମନ୍ଦିର ପାଖରେ । ପ୍ରତି ସାଇକୁ ଜଣେ ଜଣେ ଗଲେ । କେଉଟ ସାଇକୁ ଯାଇଥିବା ପିଲାଟି ଧଇଁସଇଁ ହେଇ ଆସିଲା ଆଉ କହିଲା, ”କାଳିଆ କେଉଟର ଦୁଆର ଠିଆ ମେଲା ଥିଲା, ଭିତରକୁ ଯାଇ ଦେଖିଲି ସିଏ ଶୋଇଛି । ଯେତେ ଡାକିଲି ଶୁଣିଲାନି, ଦେହରେ ହାତ ମାରି ଦେଖିଲାବେଳକୁ ଦେହ ପୂରା ଥଣ୍ଡା । ମରିଯାଇଛି ବୋଧେ । ତା’ ଶେଯ ପାଖରେ କଠଉ ହଳେ ପଡ଼ିଛି, ହେଲେ ସେଇଟା ମନ୍ଦିର କଠଉ କି ନାହିଁ ମୁଁ ଜାଣିନି ।“

ବିଜୁଳି ପରି ଗାଆଁଟା ଯାକ ଏକଥା ଖେଳିଗଲା । ସମସ୍ତେ ଧାଇଁଲେ କେଉଟ ସାହିକୁ । ବଡ଼ ପୁରୋହିତେ ଦୋ ଦୋ ପାଞ୍ଚ ହେଇ ପାଦ ରଖିଲେ କେଉଟ ସାହିରେ । କଠଉ ନିଜ ଆଖିରେ ଦେଖିବାକୁ ଚାହୁଁଥିଲେ ସେ । ଜାତି ଅଜାତି ପଛରେ ପକେଇ କାଳିଆ କେଉଟର ଘର ଭିତରକୁ ଗଲେ । ଯାହା ଦେଖିଲେ, ନିଜ ଆଖିକୁ ବିଶ୍ଵାସ କରିପାରିଲେନି । ଶାନ୍ତିରେ ଶୋଇଥାଏ କାଳିଆ, ଦେହରେ ଜୀବନ ନଥାଏ । ତା’ ପାଖକୁ ଲାଗି ପଡ଼ିଥାଏ ଆଉ ଗୋଟେ ଶେଯ ଆଉ ସେ ଶେଯର ଗୋଡ଼ ଆଡକୁ ଥାଏ ମହାପ୍ରଭୁଙ୍କ କଠଉ । ଏଥିରୁ କି ସିଦ୍ଧାନ୍ତରେ ଉପନୀତ ହେବେ ଭାବି ପାରୁନଥାନ୍ତି ସେ ଆଉ ସେତିକି ବେଳକୁ ତାଙ୍କ ନଜର ଯାଏ କାଳିଆର ମୁଣ୍ଡତଳେ ଥିବା ମଳିଛିଆ ନାଲି ଗାମୁଛା ଉପରେ । ଧାଇଁଯାଇ ଉଠେଇ ଦେଖିଲେ, ଗାମୁଛାର ଗୋଟେ ପଟ ଧଡ଼ି ଚିରା ହେଇଛି । ଆଉ କିଛି ବୁଝିବା ବାକି ରହିଲାନି ତାଙ୍କର । ଏଇ ଗାମୁଛାର ଧଡ଼ି ବିଗ୍ରହଙ୍କ ପାଖରେ ଦେଖି ପ୍ରଥମଥର ସେ ଭାବିଥିଲେ ମନ୍ଦିରରେ କିଏ ପଶିଛି ବୋଲି । “ଧନ୍ୟ ତୁ କାଳିଆ, ଧନ୍ୟ ତୋ’ର ଭକ୍ତି“ କହି କଠଉ ଯୋଡ଼ିକୁ ମୁଣ୍ଡରେ ଲଗେଇ ବାହାରିଲେ ପୁରୋହିତେ । ଯେତିକି ସେ ବୁଝିଥିଲେ ଗାଁ ଲୋକଙ୍କୁ କହିଲେ । “ଭକ୍ତ ଯଦି ଭଗବାନଙ୍କ ପାଖକୁ ନ ଯାଇପାରେ, ଭଗବାନ ଭକ୍ତ ପାଖକୁ ଆସନ୍ତି । ଆଜିଠୁ ଆମ ଗାଁ ମନ୍ଦିରରେ ଜାତି ଅଜାତିର ଭେଦଭାବ ରହିବ ନାହିଁ, ନହେଲେ ସତରେ କୋଉଦିନ ଦିଅଁ ଦେଉଳ ଛାଡ଼ି ଚାଲିଯିବେ । ଆଜି ସିନା କାଳିଆ ଘରେ ମିଳିଗଲେ, ହେଲେ ବାରମ୍ବାର ଆମକୁ ଚେତାଇବାକୁ ଆସିବେନି ।“

ସବୁ ଆବଶ୍ୟକ ବିଧି ବିଧାନରେ କାଳିଆ କେଉଟର ଶବ ସତ୍କାର କରାଗଲା । କିଛି ଗାଁ ଲୋକେ ଆଜି ବି ବିଶ୍ଵାସ କରିପାରୁନାହାନ୍ତି ଏସବୁ, କିନ୍ତୁ ଆଖିଦେଖା ଘଟଣାକୁ ମଧ୍ୟ ଏଡ଼େଇ ପାରୁନାହାନ୍ତି ମନରୁ । ସମୟକ୍ରମେ ଏଇ ଘଟଣା ଲୋକ କଥାରେ ପରିଣତ ହେଇଯିବ, କାଳିଆ କେଉଟ ପିଲାଙ୍କ ପାଇଁ ଗପ ହେଇଯିବ । ପୁଣି ମନ୍ଦିରର ନୂଆ ନୀତି ନିୟମ ଗଢ଼ା ହେଇଯିବ । ଦିଅଁ ରୁହନ୍ତୁ କି ନ ରୁହନ୍ତୁ, ଦେଉଳରେ ନୀତି-ନିୟମ, ଜାତି-ଅଜାତି ଏସବୁ ରହିବା ନିହାତି ଦରକାର ନହେଲେ ବିଶ୍ଵାସ ଆଉ ଭକ୍ତିର ବ୍ୟବସାୟ ଚାଲିବ କେମିତି?

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu