ଛକ ମୁଣ୍ଡର ବୁଢ଼ୀ ମାଉସୀ
ଛକ ମୁଣ୍ଡର ବୁଢ଼ୀ ମାଉସୀ

ଛକ ମୁଣ୍ଡର ବୁଢ଼ୀ ମାଉସୀ

ସକାଳ ହେଲେ ବାହାରିଯାଏ ସେ । ତା’ର ଟିକି ଦୁନିଆକୁ ନେଇ ସେ ଖୁସିଥାଏ । ଆଗାମୀ ଦିନର ସ୍ୱପ୍ନିଳ ପରିକଳ୍ପନା ମଧ୍ୟରେ ସେ କେବେ ନିଜକୁ ହଜାଇ ଦିଏନି । ଖାତିର ନଥାଏ ସମାଜର କଟାକ୍ଷକୁ । ଖାତିର ନଥାଏ ବର୍ଷା, ଖରା, ଶୀତ, ପାଣି-ପବନକୁ । ସବୁଦିନ ସେଇଠି ଥାଏ । ଅତି ନିର୍ଭୀକ ଭାବରେ, ଅତି ନିରବଚ୍ଛିନ୍ନ ଭାବରେ, ଅତି ଅଲୋଡ଼ା, ଅଖୋଜା ଭାବରେ ଆଉ ଅତି ନିଷ୍ଠୁର ଭାବରେ । ତାକୁ ଦେଖିଲେ ଲାଗେ ଆହାଃ ଭାଗ୍ୟ କେତେ କଠୋର । ହେଲେ ସେ କେବେ ଭାଗ୍ୟକୁ ଦୋଷ ଦିଏନି । କେବେ ହାରିଯାଏନି ଭାଗ୍ୟ ଆଗରେ । କେବେ ଦୁର୍ବଳ ପଡ଼ିଯାଏନି ସମାଜ ଆଗରେ । ସେମିତି ଚାଲିଥାଏ ତା’ ଦୁନିଆର ନିଆରା ବାଟରେ । ସମାଜକୁ ଦେଇ ଚାଲିଥାଏ ଅନେକ ଉପଦେଶ ତା’ ଅଜାଣତରେ ।

ନଭେମ୍ବରର ଶୀତୁଆ ସକାଳରେ ମୁଁ ମୋର କର୍ମମୟ ଜୀବନ ପାଇଁ ମହାବିଦ୍ୟାଳୟକୁ ଆସୁଥାଏ । ଗତବର୍ଷ ଅପେକ୍ଷା ଏ ବର୍ଷ ଶୀତର ପ୍ରକୋପ ଅଧିକ ଅନୁଭବ ହେଉଥାଏ । ଭାଗ୍ୟକୁ ଲଘୁଚାପ, ବର୍ଷା-ପବନ ଆଉ ତା’ ସହ ଅସହ୍ୟ ଶୀତ । ଆମ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ କଡ଼ା ନିର୍ଦ୍ଦେଶ ଯେ, ଯେମିତି ସକାଳବେଳା କୌଣସି କ୍ଲାସ୍ ଏପଟସେପଟ ନହୁଏ । ତେଣୁ ମୁଁ ସବୁଦିନ ପ୍ରାୟ ୬:୫୫ରୁ ୭ଟା ଭିତରେ ପହଞ୍ଚି ଯାଇଥାଏ । ବାବା-ମମିଙ୍କର ଲକ୍ଷେ ବାରଣ ସତ୍ତ୍ୱେ ମଧ୍ୟ ସେମିତି ଦରକାର ନହେଲେ ମୁଁ ଛୁଟି ନିଏନି ।

ସେଦିନ ପ୍ରବଳ ବର୍ଷା । ସକାଳୁ ପବନ ବି ହେଉଛି । ଉଠିବାକୁ ଟିକେ ବି ଇଚ୍ଛା ନାହିଁ । ଖାଲି ନ ଗଲେ ନ ହେବ ବୋଲି ଅନିଚ୍ଛାସତ୍ତ୍ୱେ ବାହାରିଲି । ଗୋଟେ ମୋଟା କପଡ଼ାର ଚୁନିଦାର, ତା’ ସହ ଶୀତ ବସ୍ତ୍ର ସବୁ; ହାତ, ଗୋଡ଼କୁ ଲୁଚାଇଲା ପରି କିଛି ଶୀତବସ୍ତ୍ର ଆଉ ଚଷମା ପିନ୍ଧିବା ପରେ, ବାବା କହୁଛନ୍ତି ଚଦରଟେ ନେଇ ଯାଉନୁ । ମୁଁ ଟିକେ ବିରକ୍ତହୋଇ ବାହାରିଲି ମହାବିଦ୍ୟାଳୟ ଅଭିମୁଖେ । ଠିକ୍ ୬:୧୫ରେ ଗାଡ଼ି ଆସିଲା । ଆଉ ୬:୫୫ ସୁଦ୍ଧା ମୁଁ ବିରିବାଟିରେ ପହଞ୍ଚିଗଲି । ମା’ ତାରିଣୀଙ୍କୁ ଦିନଟି ସମର୍ପିଦେଇ ମୁଁ ମହାବିଦ୍ୟାଳୟ ଅଭିମୁଖେ ଆଗେଇଲି । ସେଇ ଗଡ଼ାଣିଆ ରାସ୍ତା । ରାସ୍ତାକଡ଼ରେ ଛୋଟ ଦୋକାନଟିଏ । ଦୋକାନ ବାରଣ୍ଡାରେ ଛିଣ୍ଡା ସପ, ଆଉ ତା’ଉପରେ ଶୋଇଛି ଏକ ମଇଳା ଲୁଗା ପିନ୍ଧା ବୟସ୍କ ବୁଢ଼ୀ, ଦୁଇ ମିନିଟ୍ ଅଟକିଗଲି ସେଇଠି । କି ଭାଗ୍ୟ ତା’ର ଆହାଃ…!! ଆଖିରେ ମୋର ଆଖିଏ ଲୁହ । ପାଦ ଚାଲୁନି ଆଗକୁ । କିଂକର୍ତ୍ତବ୍ୟବିମୁଢ଼ ଭାବରେ ପୁଣି ଆଗେଇ ଚାଲିଲି ମହାବିଦ୍ୟାଳୟ ଆଡ଼କୁ । ଦିନସାରା ସେଇ ଛବି ମୋ ଆଖି ସାମ୍ନାରେ । ଆଜି ବି ଭୁଲିପାରୁନି ମୁଁ ସେ ବିକଳ ଦୃଶ୍ୟକୁ । ଯେଉଁଠି ଆମେ ଘର ଭିତରେ କମ୍ବଳ ଘୋଡ଼ିହୋଇ ବି ଶୀତକୁ ସମ୍ଭାଳି ପାରୁନୁ, ସେଇଠି ଏ ରାସ୍ତା କଡ଼ରେ ଖାଲି ଦେହରେ ସେ କେମିତି ଏତେ ସହଜରେ ଶୀତକୁ ସାମ୍ନା କରୁଛି । ବୟସର ଅପରାହ୍ଣରେ ପହଞ୍ଚି ସାରିଥିବା ଏ ବୁଢ଼ୀମାଉସୀ ଜଣକ କ’ଣ ଶୀତକୁ ଚିହ୍ନି ପାରୁନି କି?? ଶୀତର ଏ ଭୟଙ୍କର ଲହରୀରେ ସେ କେମିତି ସମ୍ଭାଳି ନେଉଛି ନିଜକୁ? ଘରକୁ ଆସିଲି । ଭୁଲିପାରୁନଥିଲି ସେ ମୁହୂର୍ତ୍ତଟାକୁ । ରାତିରେ ଶୋଇବା ଘରକୁ ଆସିଲି । ପୁଣି ସେଇ ଛବି ଆଖିଆଗରେ । କ’ଣ କରିବି କିଛି ଜାଣି ପାରୁନଥିଲି । ସାଙ୍ଗେ ସାଙ୍ଗେ ନେଟ୍ ଅନ୍ କଲି । ଆଉ ମହାବିଦ୍ୟାଳୟର ସବୁ ଟିଚିଂ ଷ୍ଟାଫ୍‌ମାନଙ୍କର ହ୍ୱାଟ୍ସ୍ଆପ୍ ଗ୍ରୁପରେ ଏ କଥା କହିଲି । ଆମେ ସମସ୍ତେ କଥା ହେଲୁ କି ସେ ବୁଢ଼ୀ ମାଉସୀକୁ ଗୋଟେ କମ୍ବଳଟେ ଦେବୁ ଆଉ ତା’ର ଯାହାସବୁ ଦରକାର ସବୁ ଦେଇଦେବୁ ।

ସକାଳ ହେଲା । ଜଣେ ସାର୍ କମ୍ବଳଟିକୁ ନେଇକି ଆସିଲେ । ବିରିବାଟି ଛକରେ ଗାଡ଼ି ରଖିଲେ ଏବଂ ସେ କମ୍ବଳଟି ଦେବା ଉଦ୍ଦେଶ୍ୟରେ ବୁଢ଼ୀମାଉସୀକୁ ଖୋଜିବା ଆରମ୍ଭ କଲେ । ପାଖାପାଖି ୩୦ ମିନିଟ୍‌ର ଖୋଜିବା ପରେ ମଧ୍ୟ ସେ ମିଳିନଥିଲା । ବୁଢ଼ୀ ପୁଣି ନିଜେ ନିଜେ ଆସି ନିଜ ଆସ୍ଥାନ ଅଳଂକୃତ କଲା । ସେତେବେଳେକୁ ପାଖାପାଖି ୪ଟା ବାଜି ସାରିଥାଏ । ମୁଁ ମଧ୍ୟ ଘରକୁ ଆସି ସାରିଥାଏ । ଆଉ ସବୁ ଅଧ୍ୟାପିକା ବନ୍ଧୁମାନଙ୍କୁ ତାଗିଦ୍ କରି ଆସିଥାଏ କି ଯେମିତି ହେଲେ ଏ କମ୍ବଳଟା ସେ ବୁଢ଼ୀ ମାଉସୀକୁ ଦେଇଦେବେ ।

ଅପରାହ୍ନ ଘ୪.୧୦ମି., ମହାବିଦ୍ୟାଳୟ ବନ୍ଦ ହେବା ପରେ ସବୁ ସହକର୍ମୀମାନଙ୍କର ଘରକୁ ଫେରିବାର ବେଳ । ଜଣେ ଅଧ୍ୟାପିକା ବାନ୍ଧବୀ ମୋର ସେ କମ୍ବଳ ସହ କିଛି ଆଦର ଓ ସହାନୁଭୂତି ନେଇ ପହଞ୍ଚିଗଲେ ସେ ବୁଢ଼ୀମାଉସୀ ପାଖରେ । ସେ ବୁଢ଼ୀମାଉସୀ ସେମିତି ସ୍ଥିର ଆଉ ସ୍ଥାଣୁ ହୋଇ ବସି ରହିଛି ସେଇ କଂକ୍ରିଟ୍ ରାସ୍ତାର କଡ଼ରେ । ଅଧ୍ୟାପିକା ବାନ୍ଧବୀ ମୋର ମାଉସୀ ବୋଲି ସମ୍ବୋଧନ କଲେ । ହେଲେ ସେ ବୁଢ଼ୀ ମାଉସୀର କିଛି ବି ପ୍ରତିଉତ୍ତର ନଥିଲା । ନଶୁଣିଲା ପରି ସେ ସେମିତି ସ୍ଥିର ଥିଲା । ଯେମିତି ସେ କହୁଥିଲା ଜୀବନର କଠୋରତାକୁ ସାମ୍ନାକରି କରି ମୁଁ ଏପରି ନିସ୍ତବ୍ଧ ହୋଇଯାଇଛି ଯେ, କୌଣସି କୋମଳ ବାର୍ତ୍ତାର ଧ୍ୱନୀ ଶୁଣିବାକୁ ମୁଁ ଅସମର୍ଥ ।

ଅଧ୍ୟାପିକା ବାନ୍ଧବୀ ଜଣକ ଆଉ ଟିକେ ସଚେତନ ହୋଇଗଲେ ଓ ପାଖକୁ ଯାଇ ପଚାରିଲେ- ମାଉସୀ କେମିତି ଅଛୁ?

ବୁଢ଼ୀ ପ୍ରଶ୍ନିଳ ଚାହାଁଣୀରେ ଅନେଇ ରହିଲା କିଛି ସମୟ ।

ଅଧ୍ୟାପିକା ବାନ୍ଧବୀ ଜଣକ ପୁଣି ଆରମ୍ଭ କଲେ, ଏତେ ଶୀତ ହେଉଛି ମାଉସୀ, ଏ କମ୍ବଳଟା ରଖିଥା, କାମରେ ଆସିବ । ଏତକ କହି କମ୍ବଳ ବ୍ୟାଗ୍‌ଟା ବୁଢ଼ୀ ହାତକୁ ଦେଇଦେଲେ ।
ବୋଧହୁଏ ବୁଢ଼ୀର ଧୈର୍ଯ୍ୟର ସବୁ ସୀମା ସରିଯାଇଥିଲା । ସ୍ୱଳ୍ପ ଶବ୍ଦର ସମ୍ଭାରରେ ସେ କହିବାକୁ ଆରମ୍ଭ କଲା; ନେଇଯା ତା’କୁ… ମୁଁ ନେବିନି… ନେଇଯା ତାକୁ…

ବୁଢ଼ୀର ଏଭଳି ବ୍ୟବହାରରେ ମୋ ଅଧ୍ୟାପିକା ବାନ୍ଧବୀ ଜଣକ ମର୍ମାହତ ହେଲେ । କ’ଣ କହିବେ କିଛି ଜାଣିପାରୁ ନଥା’ନ୍ତି । ଚାହୁଁ ଚାହୁଁ ରାସ୍ତା ଉପରେ କିଛି ଲୋକ ବି ଜମା ହୋଇଗଲେ । ସେମାନେ ବୁଢ଼ୀକୁ କହିଲେ ରଖିନେ ତାକୁ… ଏତେ ଶୀତ ହେଉଛି ।

ମାଉସୀ ଥିଲା ସ୍ଥିର ଆଉ ଚାହାଣୀରେ ତା’ର ନିରୁଦ୍ଧିଷ୍ଟତା । ସେ ଆଖିରେ ବାରି ହୋଇ ପଡ଼ୁଥିଲା ଆଖିଏ ଦୁଃଖ । କିନ୍ତୁ ଲୁହଟୋପାଏ ବି ନଥିଲା । ଯେମିତି ଯୁଗ ଯୁଗ ପର୍ଯ୍ୟନ୍ତ ବି ସେ ଦୁଃଖରୁ ସେ କାହାକୁ ଚେନାଏ ବି ଦେବାକୁ ଚାହେଁନା ।

ଧୀରେ ଧୀରେ ସନ୍ଧ୍ୟା ହୋଇଆସୁଥିଲା । ତେଣୁ ଅଧ୍ୟାପିକା ବାନ୍ଧବୀ ଜଣକ ସେଠାକାର ଲୋକମାନଙ୍କ କଥା ଅନୁସାରେ ସେ କମ୍ବଳଟିକୁ ବୁଢ଼ୀ ପାଖରେ ରଖିଦେଇ ଆସିଲେ । କୌଣସି କାରଣ ବଶତଃ ମୁଁ ତାଙ୍କ ସହ ସେଦିନ ରାତିରେ କଥା ହୋଇପାରି ନଥାଏ । ତା’ ପରଦିନ ପୁଣି ସକାଳ ୯.୪୦ମିରେ ସବୁଦିନ ପରି ଅଧ୍ୟାପିକା ବନ୍ଧବୀଙ୍କ ସହ ଦେଖା ହେଲା । ସେ କହିଲେ ମାଉସୀ କମ୍ବଳ ନେଲେନି ମ୍ୟାଡାମ୍ । ମୁଁ ପଚାରିଲି ଯେ ଆପଣ ତେବେ କ’ଣ କଲେ?

ସେ କହିଲେ- ମୁଁ ଜାଣିପାରିଲିନି ମ୍ୟାଡମ୍ କ’ଣ କରିବି। ଉପସ୍ଥିତ ଲୋକମାନେ କହିଲେ ତା’ପାଖରେ ରଖିଦେଇ ଯାଅ ଝିଅ । ତେଣୁ ମୁଁ ସେଇଠି, ତା’ ପାଖରେ ରଖିଦେଇ ଆସିଲି । ଏତିକି କହିବା ଭିତରେ ମୋ ଅଧ୍ୟାପିକା ବାନ୍ଧବୀ ପୂର୍ବଦିନର ସବୁ ଘଟଣାକୁ ମୋ ଆଗରେ ବର୍ଣ୍ଣନା କରି ସାରିଥିଲେ । ତା’ଙ୍କ ମନରେ ସେ ବୁଢ଼ୀ ମାଉସୀ ପାଇଁ ଅନେକ କୋହ ଥିଲା । କିନ୍ତୁ ଲୁହକୁ ଲୁଚାଇବା ବୋଧେ ଶିଖିସାରିଥିଲେ ସେ ବୁଢ଼ୀ ମାଉସୀ ପାଖରୁ । ମୁଁ କିଛି ଭାବିପାରୁନଥିଲି । ହଠାତ୍ କାହିଁକି କେଜାଣି ସେ ବୁଢ଼ୀ ବିଷୟରେ ମୋର ଜାଣିବାକୁ ଇଚ୍ଛା ହେଲା ।

ସେ କ’ଣ ଖାଏ? ସେ ଦୋକାନରେ କାହିଁକି ରୁହେଁ? ତା’ଘର କୋଉଠି? ସେ ବିରିବାଟୀ ଛକରେ କେମିତି ପହଞ୍ଚିଲା? ଏମିତି ଅନେକ ପ୍ରଶ୍ନ । ଏସବୁ ପ୍ରଶ୍ନର ଉତ୍ତର ମୁଁ ମହାବିଦ୍ୟାଳୟର ଅନେକ କର୍ମଚାରୀଙ୍କଠାରୁ ପାଇଗଲି, କିନ୍ତୁ ନିଜକୁ ଧିକ୍କାର ନକରି ରହିପାରିଲିନି ।

କେତେ କଷ୍ଟରେ ରହୁଛି ସେ, ଦୋକାନୀ ପିଣ୍ଡାରେ । କିନ୍ତୁ ମାଗଣାରେ ନୁହେଁ, ସବୁଦିନ ତା’ ପିଣ୍ଡାରେ ଆଉ ଅଗଣାର ସଫା ଦାୟିତ୍ୱ ସେ ନିଜେ ତୁଲାଏ । ଖାଇବାକୁ କାହାକୁ କିଛି ମାଗେନି ସେ, ଯେତେ ପରିବା ଦୋକାନୀ ବାସୀ, ପଚା ପରିବା ଫୋପାଡ଼ି ଦିଅନ୍ତି, ତା’ ଦେହରୁ ସେ ନିଜ ପାଇଁ ଆହାର ମୁଠାଏ ଯୋଗାଡ଼ କରିନିଏ । ଏମିତି ବଞ୍ଚିଯାଏ ମୃତ୍ୟୁକୁ ଅପେକ୍ଷା କରି କରି । ତଥାପି ସେ ମରେନି । ମୃତ୍ୟୁ ବି କେତେ କଠୋର ତା’ପାଇଁ, ଦି’ପାଦ ବାଟ ଚାଲିଗଲେ ତାରିଣୀ ମା’ଙ୍କ ମନ୍ଦିର, ସେ କେବେ ବି ଯାଏନି ସେଠାକୁ ।

ନା ମଣିଷଙ୍କୁ, ନା ଠାକୁରଙ୍କୁ କାହାରିକୁ କିଛି ମାଗିବାର ଅଭିପ୍ରାୟ ବି ନାହିଁ ତା’ର । ଖାଲି ଅଛି ସ୍ୱଭିମାନ ଟିକେ, ଆଉ ନିଜ ଜୀବନ ପ୍ରତି ଅନେକ ଅଭିମାନ । ଜୀବନକୁ ଡରି ସେ କେବେ ମୃତ୍ୟୁକୁ ଆମନ୍ତ୍ରଣ କରିନି । ପ୍ରକୃତି ଆଉ ପରିବେଶକୁ ଡରି ସେ କେବେ କାହା ନିକଟରେ ହାତ ପତେଇନି ଆଉ ସମାଜକୁ ଡରି ସେ କେବେ ନିଜର ଅସ୍ତିତ୍ୱ ମଧ୍ୟ ହରେଇନି ।

ଆଜିର ପାରିପାର୍ଶ୍ୱିକ ପରିସ୍ଥିତିକୁ ସିନା ସେ ବଦଳେଇ ପାରିବନି କିନ୍ତୁ ସେ ତା’ ଅଜାଣତରେ, ଆଜିର ସମାଜ, ଆଜିର ଶିକ୍ଷିତ ଯୁବଗୋଷ୍ଠୀଙ୍କୁ ଦେଇ ଚାଲିଛି ଅନେକ ଶିକ୍ଷା… ଅନେକ ଉପଦେଶ ।

ସେ ପାଗଳି ନୁହେଁ, ବୋଧେ ଜୀବନ ଉପରେ ଅଭିମାନ କରି ବଞ୍ଚିବାର ନିଶାରେ ସେ ମତୁଆଲା ଆଜି… ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu