You are currently viewing ପୁସ୍ତକ ସମୀକ୍ଷା: ଆନିର ରୋଷେଇଘର
ପୁସ୍ତକ ସମୀକ୍ଷା: ଆନିର ରୋଷେଇଘର

ପୁସ୍ତକ ସମୀକ୍ଷା: ଆନିର ରୋଷେଇଘର

ନିଉଟନଙ୍କ ପ୍ରଥମ ନିୟମ କହେ ଯେ, “ଯେଉଁ ପର୍ଯ୍ୟନ୍ତ କୌଣସି ବାହ୍ୟ ଶକ୍ତିର ପ୍ରଭାବ ନ ପଡ଼ିଛି ସେ ଯାଏଁ ସ୍ଥିର ବସ୍ତୁ ସ୍ଥିର ରହେ ଓ ଗତିଶୀଳ ବସ୍ତୁ ଗତିଶୀଳ । ଆନିର ରୋଷେଇଘର ଉପନ୍ୟାସ ବି କିଛି ସେହିଭଳି ହେଇଛି । ଥରେ ପଢ଼ିବା ଆରମ୍ଭ କଲେ ଆପଣ ଗୋଟେ ପରେ ଗୋଟେ ପୃଷ୍ଠା ପଢ଼ି ଚାଲିବେ, ଭାବୁଥିବେ ଏଇଠି ରଖିଦେଇ ନିଜର କିଛି କାମ କରିଦେବି କିନ୍ତୁ ପାରୁନଥିବେ । ମୋର ଅବସ୍ଥା କିଛି ସେଇଭଳି ହେଇଛି । ଭାବିଥିଲି ଥରକରେ ପୁରାଟା ପଢ଼ିଦେବି କିନ୍ତୁ ପରିସ୍ଥିତି ଦୃଷ୍ଟିରୁ ୩ ଦିନ ଲାଗିଗଲା ଆମୂଳଚୂଳ ପଢ଼ିବା ପାଇଁ ।

ପୂର୍ବ ସମୟରେ, ଗୁରୁକୁଳ ଆଶ୍ରମରେ ଷଡ଼ରସ ପାକବିଦ୍ୟା ବିଷୟରେ ଶିକ୍ଷା ଦିଆଯାଉଥିଲା । ମିଠା, ପିତା, ରାଗ, ଲୁଣି, ଖଟା ଓ କଷା, ଏମାନେ ହଉଛନ୍ତି ସେଇ ରସ ଯେଉଁମାନେ ଏକ ଆହାରକୁ ସୁଷମ ଓ ସୁସ୍ୱାଦୁ ଆହାରରେ ପରିଣତ କରନ୍ତି । ସୁଲଗ୍ନା ଦିଦି ମଧ୍ୟ ନିଜ ବହିରେ ଅନେକ ରସ ଯେମିତିକି ପାରିବାରିକ, ନାଟକୀୟ, ରୋମାଞ୍ଚକ, ବ୍ୟଙ୍ଗ ଓ ସ୍ୱାଭିମାନ ଦେଇ ଆମପାଇଁ କିଛି ତିଆରି କରିଛନ୍ତି ଯାହା କି ଓଡ଼ିଆ ପାରମ୍ପରିକ ଛୁଙ୍କରେ ମହକୁଛି ।

ପଢ଼ିବାର ଏକ ଅବିରଳ ଧାରା ମଝିରେ ମଝିରେ ଅତୀତକୁ ଫେରିଯାଇ ପୁଣି ବର୍ତ୍ତମାନକୁ ଫେରିବା ହଉଚି ଏକ ସ୍ୱତନ୍ତ୍ର ପରିଚୟ ସୁଲଗ୍ନା ଦିଦିଙ୍କ ଲେଖା ଶୈଳୀର । କେଉଁ ନା କେଉଁ ଦିଗରୁ ଆମ ଓଡ଼ିଆ ଜାତି, ଖାଦ୍ୟ ଓ ଜଗନ୍ନାଥଙ୍କ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଓ ତାହାର ଉଦାହରଣ ଆମେ ଏଠି ପାଇବା ।

ଆମ ପାଇଁ ଓ ଆମ ପରବର୍ତ୍ତୀ ପିଢ଼ି ପାଇଁ ଏ ବହି ବହୁତ ଶିକ୍ଷଣୀୟ ଓ ମନୋରଞ୍ଜକ ହୋଇପାରିବ ବୋଲି ମୋର ଆଶା । ସୁଲଗ୍ନା ଦିଦି ଏମିତି ହିଁ ଭାବୁଥାନ୍ତୁ, ଲେଖୁଥାନ୍ତୁ ଓ ବହି ଛାପୁଥାନ୍ତୁ । ମା ଲକ୍ଷ୍ମୀ ଓ ମା ସରସ୍ୱତୀ ଉଭୟଙ୍କ କୃପା ତାଙ୍କ ଉପରେ ରହୁ । ଏକ ସାଧାରଣ ପାଠକ ହିସାବରେ ମୋର ଆଉ ଅଧିକା କିଛି କହିବା ସମୀଚିନ ନୁହେଁ । ଧନ୍ୟବାଦ ।

ଅଶୋକ ମିଶ୍ର

Buy from Shubhapallaba Store Now

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଅଶୋକ ମିଶ୍ର ପେଶାରେ ଜଣେ ସଫ୍ଟଓୟାର୍ ଇଞ୍ଜିନିୟର୍ । ସେ ତାଙ୍କର ଫାଙ୍କା ସମୟରେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ରଚନା କରିଥାନ୍ତି । ତାଙ୍କ ରଚିତ କିଛି ଗଳ୍ପ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନିତ ହୋଇଛି ।