You are currently viewing ପୁସ୍ତକ ସମୀକ୍ଷା: ମାଡାମ୍ ପ୍ରେସିଡେଣ୍ଟ (Madam President)
Madam President Book Review by Nidhi Aja

ପୁସ୍ତକ ସମୀକ୍ଷା: ମାଡାମ୍ ପ୍ରେସିଡେଣ୍ଟ (Madam President)

ପୁସ୍ତକ ନାମ : Madam President (The Biography of Droupadi Murmu)
ଲେଖକ: ସନ୍ଦୀପ ସାହୁ (@geminianguddu)
ପ୍ରକାଶକ: Penguin Books
Genre: Non Fiction
ପୃଷ୍ଠା : 252
ମୂଲ୍ୟ : ₹ 299.00 (paperback)

ଲେଖକ ପରିଚୟ: ଲେଖକ ଶ୍ରୀଯୁକ୍ତ ସନ୍ଦୀପ ସାହୁ ଓଡ଼ିଶାର ଜଣେ ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର । ସେ ସମ୍ବାଦ, ଓଟିଭି, Outlook, BBC ଆଦି ସଂସ୍ଥା ପାଇଁ କାର୍ଯ୍ୟ କରିଛନ୍ତି । ସାମ୍ପ୍ରତିକ ଘଟଣାବଳୀକୁ ନେଇ ନିଜର ନିରପେକ୍ଷ ତଥା ନିର୍ଭିକ ଆଲେଖ୍ୟ ପାଇଁ ପାଠକ ମହଲରେ ସିଏ ବେସ ଆଦୃତ ଓ ପରିଚିତ । English ବ୍ୟତୀତ ସେ ଓଡ଼ିଆ ଓ ହିନ୍ଦୀ ଭାଷାରେ ମଧ୍ୟ ଲେଖନ୍ତି ।

ପୁସ୍ତକ: ଯାହା ପୁସ୍ତକର ନାଁ ରୁ ସୁସ୍ପଷ୍ଟ, Madam President ବହିଟି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପିଲାଦିନରୁ ନେଇ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ଘଟଣାବହୁଳ ଜୀବନଯାତ୍ରାକୁ ନେଇ ରଚିତ । ପୁସ୍ତକଟି ୧୪ଟି ଅଧ୍ୟାୟରେ ବିଭକ୍ତ । ଅଧ୍ୟାୟ ଗୁଡ଼ିକ ଏମିତି ଭାବରେ ସଜା ଯାଇଛି, ଯାହା ସବୁ ବର୍ଗର ପାଠକଙ୍କୁ ବାନ୍ଧି ରଖିବ । ଏମିତି କି ରାଜନୀତିରେ ଅଧିକ ରୁଚି ନ ରଖୁଥିବା ବ୍ୟକ୍ତିଟିଏ ମଧ୍ୟ ପୁସ୍ତକଟି ଥରେ ପଢ଼ିବା ଆରମ୍ଭ କଲେ ଶେଷ ପର୍ଯ୍ୟନ୍ତ ଯୋଡ଼ି ହୋଇ ରହିବ ।

ପୁସ୍ତକଟିରେ ଦ୍ରୌପଦୀ ମୁର୍ମୁଙ୍କର ପିଲାଦିନ, ଗ୍ରାମ୍ୟ ଜୀବନ, ପାଠପଢ଼ା, ଚାକିରୀ, ବିବାହ, ସାମାଜିକ କାର୍ଯ୍ୟ, ଶିକ୍ଷକତା ଓ ଶେଷରେ ରାଜନୀତିକୁ ଆସିବା ଆଦି ବିଷୟ ଉପରେ ଅନେକ ରୋଚକ ତଥା ଅଜଣା କଥା ତଥ୍ୟ ସହ ବର୍ଣ୍ଣନା କରାଯାଇଛି । ଅନେକ ତଥ୍ୟ ଲେଖକ ମୁର୍ମୁଙ୍କ ସହ ସିଧାସଳଖ ସମ୍ପୃକ୍ତ ଥିବା ବ୍ୟକ୍ତି ବିଶେଷ ଓ ଅନ୍ୟାନ୍ୟ ମିଡିଆରେ ପ୍ରକାଶିତ ଲେଖା ତଥା ସାମ୍ବାଦିକଙ୍କ ଠାରୁ ସଂଗ୍ରହ କରିଛନ୍ତି । ତେବେ ମୟୁରଭଞ୍ଜର ଅଖ୍ୟାତ ପଲ୍ଲୀରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ଦ୍ରୌପଦୀ ମୁର୍ମୁଙ୍କ ଏ ରାସ୍ତା ଏତେ ସହଜ ନଥିଲା । ଗୋଟିକ ପରେ ଗୋଟିଏ ବ୍ୟକ୍ତିଗତ କ୍ଷତି (ପ୍ରଥମେ ବଡ଼ ଝିଅ ପରେ ମାତ୍ର କିଛି ବର୍ଷ ଅନ୍ତରାଳରେ ଦୁଇ ପୁଅ ଓ ସ୍ୱାମୀଙ୍କ ହରାଇବା) ମାନସିକ ସ୍ତରରେ ପୁରାପୁରି ଭାଙ୍ଗି ଦେଇଥିଲା ତାଙ୍କୁ । ଈଶ୍ୱରଙ୍କ ଉପରେ ପ୍ରଗାଢ଼ ବିଶ୍ୱାସ ଓ ନିଜ ଦୃଢ଼ ମନୋବଳ ଦ୍ୱାରା ହିଁ ମାନସିକ ଦୁଃଶ୍ଚିନ୍ତାର ଗଭୀର ଅନ୍ଧକାରରୁ ସେ ନିଜକୁ ବାହାର କରି ପାରିଥିଲେ । ନିଜର ସାଧାରଣ ଜୀବନଶୈଳୀ, ବ୍ୟବହାର ତଥା ସମୟାନୁବର୍ତ୍ତିତା ତାଙ୍କୁ ପୁଣିଥରେ ଛିଡ଼ା ହେବା ପାଇଁ ପ୍ରେରଣା ଯୋଗାଇଥିଲା ।

ଅନେକ କଥା ଶିଖିବାକୁ ମିଳେ ମୁର୍ମୁଙ୍କ ଏ ଜୀବନୀ ପୁସ୍ତକକୁ ପଢ଼ିଲା ବେଳେ । ପଢ଼ୁ ପଢ଼ୁ କେତେବେଳେ ଆଖି କୋଣରେ ଲୁହ ଜକେଇ ଆସେ ତ କେତେବେଳେ ଗର୍ବରେ ଛାତି କୁଣ୍ଢେମୋଟ ହୋଇଯାଏ ।

ମାଡାମଙ୍କ କର୍ମମୟ ଜୀବନକୁ ନେଇ କିଛି ଅଧ୍ୟାୟ ବର୍ଣ୍ଣିତ ହୋଇଛି । ସ୍କୁଲ ଶିକ୍ଷୟତ୍ରୀ, ଓଡ଼ିଶା ସରକାରରେ ମନ୍ତ୍ରୀ ଓ ଝାଡ଼ଖଣ୍ଡର ରାଜ୍ୟପାଳ ଭାବେ ତାଙ୍କର କାର୍ଯ୍ୟ ସବୁ ବିସ୍ତୃତ ଭାବେ ଲେଖା ଯାଇଛି ।

ରାଷ୍ଟ୍ରପତି ଭାବେ ପ୍ରାର୍ଥୀ ହେବାର phone callଟି PMO ଅଫିସରୁ ପାଇବାଠାରୁ ନେଇ ରାଷ୍ଟ୍ରପତି ନିର୍ବାଚନ ଓ ପରର ଘଟଣାବଳୀ ସମ୍ପର୍କିତ ଅନେକ ଅଜଣା ତଥ୍ୟ ସାମ୍ନାକୁ ଆଣିଛନ୍ତି ବରିଷ୍ଠ ସାମ୍ବାଦିକ ଲେଖକ ସନ୍ଦୀପ ସାହୁ । ଜଣେ ସାମ୍ବାଦିକ ଜୀବନୀ ଲେଖିବାର ଏଇ ହେଉଛି advantage ଯେ ତାଙ୍କ ପାଖରେ ଅନେକ ଖବର ମହଜୁଦ ଥାଏ । ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟ ଠାରୁ ନେଇ ମୁଖ୍ୟମନ୍ତ୍ରୀଙ୍କ ରାକ୍ଷୀ ବନ୍ଧା ଭଉଣୀ ସମ୍ପର୍କ, ଚା ଦୋକାନୀ ଠାରୁ ନେଇ ରାଜ୍ୟପାଳ ଅଫିସ ପର୍ଯ୍ୟନ୍ତ ସବୁ ଛୋଟମୋଟ କଥା ସ୍ଥାନ ଦେଇଛନ୍ତି, ଯାହା ବହିଟିକୁ ଆକର୍ଷଣୀୟ କରିଛି ।

ଲେଖକ ଶ୍ରୀଯୁକ୍ତ ସାହୁ ଗୋଟେ ଅଧ୍ୟାୟ ସ୍ୱତନ୍ତ୍ର ଭାବେ ରଖିଛନ୍ତି ଓଡ଼ିଶା ଅସ୍ମିତାକୁ ନେଇ, Odisha’s Finest Hour. ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ରତ୍ନଗର୍ଭା ରାଜ୍ୟଟି ଯାହାର ଗୌରବମୟ ଇତିହାସ ଗଙ୍ଗା ଠାରୁ ଗୋଦାବରୀ ଓ ସୁଦୂର ବାଲି, ସୁମାତ୍ରା ପର୍ଯ୍ୟନ୍ତ ବ୍ୟାପ୍ତ କେମିତି ସୁପ୍ତ ହୋଇଗଲା ! ଲେଖକଙ୍କ କ୍ଷୋଭ ସ୍ପଷ୍ଟ ଜଣାପଡ଼େ ଏ ଅଧ୍ୟାୟଟିରେ । ତେବେ ଲେଖକ ଆଶାବାଦୀ ଏସବୁର ପରିବର୍ତ୍ତନ ନିଶ୍ଚୟ ହେବ । ଆଜି ଦେଶରେ ଅନେକ ଉଚ୍ଚ ପଦପଦବୀରେ ଓଡ଼ିଆ ଅଧିକାରୀ ରହି ନିଜର ପରାକାଷ୍ଠା ପ୍ରତିପାଦନ କରୁଛନ୍ତି । ଏଇ ସମୟରେ ଦ୍ରୌପଦୀ ମୁର୍ମୁଙ୍କର ରାଷ୍ଟ୍ରପତି ପଦବୀ ଅଳଙ୍କୃତ କରିବା ଆମକୁ ଆଶାବାଦୀ କରିଛି ।

ଶେଷରେ: ସମୀକ୍ଷାଟି ଜାଣିଶୁଣି ସଂକ୍ଷିପ୍ତ ରଖୁଛି ଯେମିତି ପାଠକ ଜଣେ ପୁସ୍ତକଟି ଥରେ ପଢ଼ିବା ଆରମ୍ଭ କଲେ ତା ଉତ୍କଣ୍ଠାରେ ଭଟ୍ଟା ପଡ଼ିବନି । ଯଦିଓ ପୁସ୍ତକଟି ଇଂରାଜୀରେ କିନ୍ତୁ ଏତେ ସହଜ ସରଳ ଶବ୍ଦ ସବୁ ବ୍ୟବହାର କରାଯାଇ ଲେଖାଯାଇଛି, ଜଣେ ସାଧାରଣ ପାଠକକୁ ପଢ଼ିବାରେ, ବୁଝିବାରେ କୌଣସି ସମସ୍ୟା ହେବନି ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ନିଧି ଅଜା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ, କବିତା ତଥା ସମୀକ୍ଷାଗୁଡ଼ିକ ପାଠକୀୟ ଆଦୃତି ଲାଭ କରିବା ସହିତ ଉଚ୍ଚ ପ୍ରସଂଶିତ ହୋଇଛି ।