ଗୋଟିଏ ରାତି
ଗୋଟିଏ ରାତି

ଗୋଟିଏ ରାତି

ଆଦିତ୍ୟ ସେଦିନ ଅଫିସରୁ ଫେରି ମେସରେ ରୋଷେଇ ଆରମ୍ଭ କରୁଥିଲା । ସମୟ ପ୍ରାୟ ରାତି ଆଠଟା, ହଠାତ ମୋବାଇଲ ବାଜିଉଠିଲା । ଦେଖିଲାବେଳକୁ ଭିଣେଇ କଲ୍ କରୁଛନ୍ତି । ଆଦିତ୍ୟ ଭାବିଲା ଏବେ ସେ କାହିଁକି କଲ କଲେ ! କିଛି ସମୟ ପୂର୍ବରୁ ବାବା ଫୋନ କରିଥିଲେ, ମୋ ବଡ଼ଭଉଣୀର ଝିଅ ହେଲା ବୋଲି ଖବର ଦେବାପାଇଁ । ଭିଣେଇ ବି ବୋଧେ ସେଇଥିପାଇଁ କଲ୍ କରିଥିବେ, ଏପରି ଚିନ୍ତା କରି ଆଦି ଫୋନ ଉଠେଇଲା । “କଙ୍ଗ୍‌ରାଚୁଲେସନ୍‌ସ୍ ଭାଇ !” ଆଦି କହିଲା । “କିଛି କଙ୍ଗ୍‌ରାଚୁଲେସନ୍‌ସ୍ ନାହିଁ ଆଦି, ତମେ ଘରକୁ ଶୀଘ୍ର ଆସ, ତମ ଭଉଣୀକୁ ରକ୍ତ ଦରକାର । ତୁମର ଆଉ ତୁମ ଅପାର ବ୍ଲଡ୍ ଗ୍ରୁପ B(+), ତେଣୁ ତୁମେ ଯେତେ ଶୀଘ୍ର ହେଇପାରିବ ଆସ ।” ଏତିକି କହି ସେ ଫୋନ ରଖିଦେଲେ । ଆଦିତ୍ୟର ପାଦତଳୁ ଯେମିତି ମାଟି ଖସିଗଲା, କ’ଣ କରିବ କ’ଣ ନକରିବ ସେ କିଛି ଭାବିପାରିଲାନାହିଁ । ଆଦି ପାଠ ପଢ଼ିବା ପାଇଁ ଘରୁ ମାନେ ବାଲେଶ୍ୱରରୁ ବାହାରି ଆସିଚି ଭୁବନେଶ୍ୱର ବିଗତ ୪ ବର୍ଷଧରି । ଏଇ ଦୁଇଦିନ ପୂର୍ବରୁ ହିଁ ଭୁବନେଶ୍ୱରସ୍ଥିତ ଏକ ଘରୋଇ କମ୍ପାନୀରେ ତା’ର ଚାକିରୀ ହେଇଚି । ସରକାରୀ ଦଫ୍ତରରୁ ଏକ କିରାଣୀ ରୂପେ ଅବସର ନେଇଥିବା ବାପା ଓ ଗୃହିଣୀ ମାଆ ବହୁତ କଷ୍ଟ କରି ଆଦି ଓ ତା’ ଭାଇଭଉଣୀମାନଙ୍କୁ ପାଠ ପଢ଼େଇ ମଣିଷ କରିଛନ୍ତି । ଆଜି ଯେତେବେଳେ ଆଦିର ଚାକିରୀ ହୋଇଯାଇଛି, ସଭିଁଏ ଖୁସି ଥିଲେ । କିନ୍ତୁ ହଠାତ୍ ଏ କ’ଣ ହେଲା । ଆଦି ଭାବିଲା ସେ ବାପାଙ୍କୁ ଫୋନ କରି ପଚାରିବ କ’ଣ ହେଇଚି, କିନ୍ତୁ ବାପାଙ୍କ ଫୋନ ବ୍ୟସ୍ତ ଆସୁଛି । ଆଦି ତା’ ମାଆଙ୍କୁ ବି ଫୋନ କରିବାକୁ ଚେଷ୍ଟା କଲା କିନ୍ତୁ ସଫଳ ହେଲାନାହିଁ । ଆଉ କିଛି ଅଧିକ ଚିନ୍ତା ନକରି ସେ ତା’ ରୁମମେଟଠାରୁ କିଛି ଟଙ୍କା ଉଧାରୀ ନେଇ ଚାଲିଲା ଷ୍ଟେସନ ଆଡ଼େ ।

ସିଟିବସ୍‌ରେ ଷ୍ଟେସନ ଅଭିମୁଖେ ଯାଉଥିବାବେଳେ ଆଦିର ଫୋନ ପୁଣି ବାଜିଉଠିଲା । ଡରି ଡରି ଯତେବେଳେ ସେ ଫୋନ ଦେଖିଲା ତା’ ବଡ଼ଭାଇ ବାଙ୍ଗଲୋରରୁ ଫୋନ କରୁଛନ୍ତି । ଆଦି ଫୋନ ଉଠେଇ କଥାହେଲା । ଭାଇ ତାକୁ ସବୁକଥା ବୁଝେଇ କହିଲେ ଯେ ଅପାର ଛୁଆ ଜନ୍ମହେବାପରେ ଅତ୍ୟଧିକ ରକ୍ତସ୍ରାବ ହଉଚି । ଡାକ୍ତରମାନେ ତା’ର କାରଣ ଖୋଜି ପାଉନାହାନ୍ତି । କିନ୍ତୁ ଯେତେସମୟଯାଏଁ ସେମାନେ କାରଣ ଖୋଜିପାଇବେ ଓ ଚିକିତ୍ସା ଆରମ୍ଭ କରିବେ ସେ ସମୟଯାଏଁ ବାହାରୁ ରକ୍ତ ଦେବାକୁ ପଡ଼ିବ । ବାଲେଶ୍ୱରରେ ଯେତବି ବନ୍ଧୁ ଓ ପରିଚିତ ବ୍ୟକ୍ତି ଅଛନ୍ତି ସଭିଙ୍କୁ ଖବର ଦିଆଯାଇଛି, ରକ୍ତଦାନ ନିମନ୍ତେ ଲୋକ ଖୋଜିବା ପାଇଁ । ଯେହେତୁ ଆଦି ଆଉ ତା’ ଅପାର ବ୍ଲଡ୍ ଗ୍ରୁପ ସମାନ, ତେଣୁକରି ଆଦି ଯତେ ଶୀଘ୍ର ଯାଇ ପହଞ୍ଚିବ ସେତେ ଭଲ ଓ ସେ ନିଜେ ବି ବାଙ୍ଗଲୋରରୁ ବାହାରୁଛନ୍ତି । ମନରେ ଅନେକ କଳ୍ପନା ଜଳ୍ପନା ରଖି ସେ ଷ୍ଟେସନରେ ପହଞ୍ଚିଲା । ସେଠାକାର ଅନୁସନ୍ଧାନ ବିଭାଗରେ ବୁଝିବାରୁ ଜଣାଗଲା ଯେ ବାଲେଶ୍ୱର ପାଇଁ ଆଗାମୀ ୪/୫ ଘଣ୍ଟା ଯାଏଁ କିଛି ଟ୍ରେନ ନାହିଁ । କଥାରେ ନାହିଁ, “ଅସୁବିଧା ଯେତେବେଳେ ଆସେ ଏକା ଆସେନା, ଆସେ ତା’ ସାଙ୍ଗସାଥିଙ୍କୁ ନେଇ ।” ଆଦି ସେଠାରୁ ବାହାରି ପୁଣି ବରମୁଣ୍ଡା ବସଷ୍ଟାଣ୍ଡରେ ପହଞ୍ଚିଲା । ସେଠାରୁ ୯.୩୦ରେ ବାହାରିବାକୁଥିବା ବସରେ ସେ ବାଲେଶ୍ୱର ବାହାରିଲା ।

ବସ୍ ଠିକ ସମୟରେ ବାହାରିସାରିଥାଏ । ଧୀରେ ଯାତ୍ରୀମାନେ ଶୋଇବା ଆରମ୍ଭ କଲେ, କିନ୍ତୁ ଆଦି ଆଖିରେ ନିଦ ନଥାଏ । ହଠାତ ଫୋନ ବାଜିଉଠିଲା, ଦେଖିଲାବେଳକୁ ବାବା ଥିଲେ । ଆଦି କୋହଭରା କଣ୍ଠରେ ପଚାରିଲା, “ସେଠାକାର ବର୍ତ୍ତମାନ କ’ଣ ଅବସ୍ଥା?” ବାବା କହିଲେ, “ଅପାକୁ ୮ଟି ରକ୍ତ ଦିଆସାରିଲାଣି, ଆଉ ୨ଟିର ବ୍ୟବସ୍ତା ଚାଲିଛି । ଡାକ୍ତର କହୁଛନ୍ତି ଭୁବନେଶ୍ୱର ବା କଲିକତାର କୌଣସି ବଡ଼ ହସ୍ପିଟାଲ ଯିବାକୁ ପଡ଼ିବ ଯେଉଁଠି ICU ଓ ଭେଣ୍ଟିଲେଟରର ବ୍ୟବସ୍ତା ଥିବ, ତାହା ପୁଣି ICU ବାଲା ଆମ୍ବୁଲାନ୍ସରେ, ସାଧାରଣ ଆମ୍ବୁଲାନ୍ସରେ ନୁହଁ ।“ ଆଦି ପଚାରିଲା, “ତେବେ ଡେରି କାହିଁକି କରୁଛନ୍ତି, ଶୀଘ୍ର ଭୁବନେଶ୍ୱର ଆଣିବା ବ୍ୟବସ୍ତା କରନ୍ତୁ ।“ ବାବା କହିଲେ, “ବାଲେଶ୍ୱରରେ କୌଣସି ICU ଆମ୍ବୁଲାନ୍ସ ନାହିଁ ଏବଂ ସେ ଭୁବନେଶ୍ୱରସ୍ଥିତ ସମ୍ପର୍କୀୟ ମଉସାଙ୍କୁ କହିଛନ୍ତି ଆମ୍ବୁଲାନ୍ସ ବୁଝିବା ପାଇଁ ।“ ଏତିକି କହି ବାବା ଫୋନ କାଟିଦେଲେ । ଆଦି କିଛି ବୁଝିପାରୁନଥାଏ କ’ଣ ଚାଲିଛି ଏ ସବୁ । ତା’ ମନକୁ ପାପ ଆସୁଥାଏ, କିଛି ଅଘଟଣ ହେଇଯିବନି ତ ! କିଛି ସମୟ ପରେ ଭୁବନେଶ୍ୱରରେ ରହୁଥିବା ମଉସାଙ୍କ ଫୋନ ଆସିଲା, ସେ ଭୁବନେଶ୍ୱରରେ ICU ଆମ୍ବୁଲାନ୍ସ କଥା ବୁଝିବାପାଇଁ ବିଭିନ୍ନ ହସ୍ପିଟାଲମାନଙ୍କୁ ଯାଉଛନ୍ତି ବୋଲି ଜଣେଇଲେ ଏବଂ ଜାଣିବାକୁ ଚାଁହୁଥିଲେ ଯେ ଆଦି ବର୍ତ୍ତମାନ କେଉଁଠି ଅଛି । ଆଦି ବାଲେଶ୍ୱର ଯାଉଥିବା କଥା ଜଣାଇଲ । ପରେ ଫୋନ କରିବେ କହି ମଉସା ଫୋନ ରଖିଦେଲେ ।

ଏମିତି ସମୟ ପରେ ସମୟ ଗଡ଼ିଯାଉଥାଏ ଏବଂ ଆଦି ଯାଇ କତେବେଳେ ବାଲେଶ୍ୱର ବାସଷ୍ଟାଣ୍ଡରେ ପହଞ୍ଚିଯାଏ ସେ ଜାଣିପାରେନା । ସମୟ ଭୋର ୨.୩୦, ସେଇଠି ଆଉଜଣେ ସମ୍ପର୍କୀୟ ଆଦିକୁ ଅପେକ୍ଷା କରୁଥାନ୍ତି । ସେ ଆଦିକୁ ନେଇଗଲେ ସେଇ ଘରୋଇ ହସ୍ପିଟାଲକୁ ଯେଉଁଠି ତା’ର ଅପା ଥିଲେ । ସେଇଠି ଆଜି ଆଦି ଦେଖିଲା ଯେ ବାବା ଓ ମା ଦୁହେଁ ଏକା ବେଞ୍ଚରେ ବସିଛନ୍ତି । ଆଦି ସେମାନଙ୍କୁ ଦେଖି ଭାବୁଥାଏ, ଯେଉଁ ବାବା ବୋଉ ସାରାଜୀବନ ଝାଞ୍ଜି-ବାତ୍ୟା ସହି ଆମକୁ ଛୋଟରୁ ବଡ଼ କରିଛନ୍ତି, ଯେ ଏକ ସୁଦୃଢ଼ ମୂଳଦୁଆ ଭଳି ଆମ ପରିବାରକୁ ଧରିରହିଥିଲେ ସେ ଆଜି ସଂପୂର୍ଣ୍ଣ ଅସହାୟ, ସମ୍ପୂର୍ଣ୍ଣ ନିରୁପାୟ । କ’ଣ ସତରେ ଏପରି ପରିସ୍ଥିତି ଆସିଲା ଯେ ସେମାନେ ମଧ୍ୟ ଆଶା ଛାଡ଼ିସାରିଲେଣି? ଆଦି ଯାଇ ବାବାଙ୍କ ପାଖେ ବସିଲା ଆଉ ପଚାରିଲା, “କ’ଣ ହେଇଚି ବାବା? ଅପା କେମିତି ଅଛି?” ବାବା କହିଲେ, “ସେ ଆଉ ବଞ୍ଚିବନିରେ, ମୋତେ କାଇଁ କିଛି ଭଲ ଦେଖାଯାଉନାହିଁ” ଏତିକି କହି ବାବା ଚୁପ ରହିଲେ । ଆଦି ଦେଖିଲା ବୋଉ ମଧ୍ୟ ଦୁଃଖ ମନରେ ବସିଛନ୍ତି, ଆଦିକୁ ଦେଖି ତାଙ୍କ କୋହ ଲୁହର ରୂପ ନେଇସାରିଥିଲା, କେବଳ ଭଗବାନଙ୍କୁ ପ୍ରାର୍ଥନା କରିବା ଛଡ଼ା ବୋଉ ଆଉ କିଛି କହୁନଥିଲେ, ଆଦିର ସାହସ ହେଲାନାହିଁ ବୋଉକୁ ଆଉକିଛି ପଚାରିବାଲାଗି । ଜଣେ ସମ୍ପର୍କୀୟା ଆସି ଆଦିକୁ ନେଇଗଲେ ICU ରୁମକୁ ଯେଉଁଠି ତା’ ଅପା ଥିଲେ । ସେ ଦେଖିବାକୁ ପାଇଲା ଯେ ତା’ ଅପା ଏକ ବେଡ୍‌ରେ ଅଚେତ ଅବସ୍ଥାରେ ପଡ଼ିରହିଛି, ଗୋଟିଏ ହାତରେ ବ୍ଲଡ ଆଉ ଆର ହାତରେ ସାଲାଇନ ଚାଲିଛି । ଶରୀରର ଅନ୍ୟ କେତକ ସ୍ଥାନରେ ବହୁତ କିଛି ଯନ୍ତ୍ରପାତି ଖଞ୍ଜାଯାଇଛି । ନିଶ୍ୱାସ ନେବାପାଇଁ ଅମ୍ଳଜାନ ନଳୀ ବି ଲାଗିଛି । ନିଜ ଅପାକୁ ଏହିଭଳି ଅବସ୍ଥାରେ ଆଦି ଦେଖିପାରୁନଥାଏ, ତଥାପି ମଧ୍ୟ ସେ ତା’ ଅପାକୁ ଡାକିଲା, “ଅପା! ଅପା! ଦେଖ ମୁଁ ଆସିଗଲି, ଆଉ କିଛି ଅସୁବିଧା ହବନି, ଅପା! ଦେଖେ ।” ଅପା କିଛି ଉତ୍ତର ଦେଲେନାହିଁ, କିନ୍ତୁ ଟିକେ ଡାହାଣକୁ ମୁଣ୍ଡ କଲେ, ଯେଉଁଠି ଆଦି ଠିଆହୋଇଥିଲା, ଏବଂ ଆଖି ଖୋଲିଲେ । ସେ କିଛି କହିବା ଅବସ୍ଥାରେ ନଥିଲେ, ଆଦିକୁ ଦେଖି ତାଙ୍କ ଆଖିରୁ ବି ଲୁହ ଆସିଗଲା । ବୋଧେ ସେ ଆଉ କିଛି କହିବାକୁ ଚାଁହୁଥିଲେ, କେବଳ ଦୁଇଧାର ଲୁହ ଛଡ଼ା ସେ ଆଉ କିଛି କହିପାରିଲେ ନାହିଁ । ଆଉ ତା’ପରେ ପୁଣି ଅଚେତ ହୋଇଗଲେ । ଡାକ୍ତରମାନେ ଆଦିକୁ ବାହାରକୁ ଯିବାକୁ କହିଲେ ଓ ପୁଣି ଥରେ ସେମାନଙ୍କ ପରୀକ୍ଷାରେ ଲାଗିପଡ଼ିଲେ ।

ସେପଟେ ଭୁବନେଶ୍ୱରରେ ବହୁତ କଷ୍ଟରେ ଏକ ICU ଆମ୍ବୁଲାନ୍ସ ବ୍ୟବସ୍ତା ହେଲା । ମଉସା ସେ ଆମ୍ବୁଲାନ୍ସ ସହ ହସ୍ପିଟାଲରେ ପହଞ୍ଚିଲେ । ସେତେବେଳକୁ ଦିନ ୯.୦୦ଟା । ଡାକ୍ତର ଓ ନର୍ସମାନଙ୍କ ସହାୟତାରେ ଅପାକୁ ସେ ଆମ୍ବୁଲାନ୍ସରେ ରଖାଗଲା । ଆଦି ଆମ୍ବୁଲାନ୍ସର ସାମ୍ନା ସିଟରେ ଓ ବୋଉ ଅପା ସହ ଆମ୍ବୁଲାନ୍ସରେ ବସିଲେ । ଯେଉଁ ହସ୍ପିଟାଲରୁ ଆମ୍ବୁଲାନ୍ସ ଆସିଥିଲା, ସେଠୁ ଜଣେ ଡାକ୍ତର ଓ ନର୍ସ ବି ଆସିଥିଲେ, ସେମାନେ ବି ଅପା ବେଡ୍ ପାଖେ ରହି ସମସ୍ତ ବ୍ୟବସ୍ତା କଲେ । ଆମ୍ବୁଲାନ୍ସ ଭୁବନେଶ୍ୱର ଅଭିମୁଖେ ବାହାରିଲା । ବାବା, ଭିଣେଇ ଓ ମଉସା, ମଉସାଙ୍କ କାରରେ ଆମ୍ବୁଲାନ୍ସ ପଛେ ବାହାରିଲେ । ବାଟ ସାରା ବୋଉ ଓ ଆଦି ନିଜ ଦୁଃଖକୁ ଛାତିରେ ଧରି ଓ ଆଶାକୁ ମନରେ ଧରି ଚାଲୁଥାନ୍ତି । ପ୍ରାୟ ଅଧା ବାଟ ଗଲାପରେ ହଠାତ ଅପାକୁ ହୋସ ଆସିଲା, ସେ ଟିକେ ଆଖି ଖୋଲି ବୋଉଙ୍କୁ ଦେଖିଲା ଓ ପୁଣିଥରେ ବେହୋସ ହୋଇଗଲା । ଉପସ୍ଥିତ ଥିବା ଡାକ୍ତର କିଛି ପରୀକ୍ଷା ନିରୀକ୍ଷା କଲେ ଓ ଏକ ବ୍ଲଡ୍ ଚଢ଼େଇବା ଆରମ୍ଭ କଲେ । ସମସ୍ତେ ଭାବିଲେ ବୋଧେ ବଞ୍ଚିବାର କିଛି ଆଶା ଦେଖାଯାଉଛି, କିନ୍ତୁ ଅପା ସେଭଳି ଅଚେତ ହେଇ ପଡ଼ିରହିଥାଏ । କିଛି ସମୟ ପରେ ସମସ୍ତେ ହସ୍ପିଟାଲରେ ପହଁଚିଲେ । ସେଠାରେ ପୂର୍ବରୁ ହିଁ ଡାକ୍ତର ଓ ନର୍ସମାନଙ୍କର ଏକ ଗୋଷ୍ଠୀ ଅପେକ୍ଷା କରୁଥାନ୍ତି । ସେଠାରେ ପହଞ୍ଚିବା କ୍ଷଣି ଅପାକୁ ICUକୁ ନିଆଗଲା । ବାବା ଓ ବୋଉ ଅପା ସହ ICU ଯାଏଁ ଗଲେ ଓ ଆଦି ରିସେପ୍‌ସନ୍‌ରେ ରହିଲା କାଗଜ ପତ୍ର ଓ ଅନ୍ୟାନ୍ୟ ଆନୁସଙ୍ଗିକ କଥା ବୁଝିବା ପାଇଁ । ସେ ସବୁ କାମ ଚାଲୁଥିବାବେଳେ ହଠାତ୍ ରିସେପ୍‌ସନ୍‌ରେ ବସିଥିବା କର୍ମଚାରୀଙ୍କୁ ଫୋନ ଆସିଲା ସବୁ କାମ ବନ୍ଦକରିବାପାଇଁ, କାରଣ ରୋଗୀ ମାନେ ଅପା ଆଉ ନାହାନ୍ତି, ଏକ ଘଣ୍ଟା ପୂର୍ବରୁ ହିଁ ସେ ଚାଲିଗଲାଣି । ଆଦିର ମୁଣ୍ଡ କାମକଳାନି, ତା’ ମୁଣ୍ଡ ଘୁରିବାରେ ଲାଗିଲା ଓ ତାକୁ ଅନ୍ଧାର ଦେଖାଗଲା । ଲଥ୍ କରି ବସିଗଲା ଆଦି ସେଠାରେ ଥିବା ଏକ ବେଞ୍ଚ ଉପରେ ।

ଏଭଳି ସମୟରେ ବୋଉ ଆସି ପହଁଚିଲେ, ଏକଦମ ଚୁପଚାପ! ସେ ଆସି ଆଦିକୁ କହିଲେ, “ପୁଅରେ! ସେ ଚାଲିଗଲା, ଆଉ ନାହିଁ ସେ, ମୋ ଝିଅ ଚାଲିଗଲା…” ଏପରି କହି ସେ କାନ୍ଦିବାକୁ ଲାଗିଲେ । ଆଦି କ’ଣ କରିବ ବୁଝିପାରୁନଥାଏ, ବୋଉ ସହ ସେ ବି କାନ୍ଦିବ ନା ବୋଉଙ୍କୁ ବୁଝେଇବ । କ’ଣ କହିକି ବା ସେ ଏକ ମା’କୁ ବୁଝେଇବ? କୌଣସି ମତେ ନିଜ କୋହକୁ ସମ୍ଭାଳି ଅପାକୁ ସେଠାରୁ ପୁଣି ବାଲେଶ୍ୱର ଅଣାଗଲା । ଭିଣେଇ ଅପାକୁ ତାଙ୍କଘରକୁ ନେଇଗଲେ, କାରଣ ଅନ୍ତିମ ସଂସ୍କାର ଇତ୍ୟାଦି ସେ ତାଙ୍କଘରୁ କରିବେ । ଇଏ ତ ଆମ ସମାଜର ଚଳଣି, ବାପା ଘରୁ ଝିଅର ସବାରୀ ବାହାରିବ ଓ ଶାଶୂଘରୁ କୋକେଇ । ବାହାଘର ପାଇଁ ବାପା-ମା ଯେମିତି ଝିଅକୁ ବିଦାୟ ଦିଅନ୍ତି ସେହିଭଳି ସବୁଦିନ ଲାଗି ନିଜ ଝିଅକୁ ଆଦିର ବାବା ବୋଉ ବିଦାୟ ଦେଲେ । ବାହାଘରପରେ ଯେଉଁ ଅପାକୁ ନେଇ ଶାଶୂଘରେ ଛାଡ଼ି ଆସିଥିଲା ଆଜି ସେହି ଅପାକୁ ମସାଣିରେ ଛାଡ଼ିବା ପାଇଁ ଆଦି ବାହାରିଲା । ବାହାଘର ପରଠୁ ଆରମ୍ଭ କରି ସମସ୍ତ ପର୍ବପର୍ବାଣିରେ ଭାର ନେଇ ଯାଉଥିବା ଆଦି ଆଜି ନିଜ ଅପା ପାଇଁ ଶେଷ ଭାର ନେଇ ବାହାରିଲା, ନୂଆ ଶାଢ଼ୀ, ଶଙ୍ଖା ଓ ସିନ୍ଦୁର । ତା’ ଅପା ଯାହାହେଲେ ବି ଅହିସୁଲକ୍ଷଣୀ ହୋଇ ମଶାଣି ଯିବ, ତା’ହେଲେ ବାପ ଘରୁ ଆସିଥିବା ନୂଆ ଶାଢ଼ୀ ପିନ୍ଧି ଯିବ ନା । ତା’ ଶାଶୂଘର ସ୍ତ୍ରୀ ଲୋକମାନେ ତାକୁ ସୁଲକ୍ଷଣୀ ବେଶରେ ସଜାଇଲେ ଓ ପୁରୁଷ ବ୍ୟକ୍ତିମାନେ ରାମ ନାମ ସତ୍ୟ ହେ ଡାକ ଦେଇ ତାକୁ ମସାଣି ନେଇଗଲେ । ସମସ୍ତ ରୀତିନୀତିରେ ଅନ୍ତିମ ସଂସ୍କାର ହେଲା । ସେ ଜୁଇ ଅଗ୍ନିରେ କେବଳ ଯେ ତା’ ଅପାର ପାର୍ଥିବ ଶରୀର ପୋଡ଼ିଗଲା ତାହା ନୁହଁ ସେଠି ପ୍ରତି ରାକ୍ଷାବନ୍ଧନରେ ସମସ୍ତ ଅସୁବିଧାରୁ ରକ୍ଷା କରିବା ପାଇଁ ନେଉଥିବା ଶପଥ ବି ପୋଡ଼ିଗଲା, ମା ଭଳି ଓ ଏକ ସାଙ୍ଗ ଭଳି ପାଉଥିବା ସ୍ନେହ ବି ପୋଡ଼ିଗଲା, ଭଉଣୀ ଭାବେ ଭାଇ ପାଖେ କରୁଥିବା ସମସ୍ତ ଅଳି-ଅର୍ଦ୍ଦଳି ବି ପୋଡ଼ିଗଲା । ରହିଗଲା ତ’ ଜୀବନସାରାର ସ୍ମୃତି ଓ କିଛି ପାଉଁଶ ।

ଘରକୁ ଫେରୁ ଫେରୁ ଆଦି ଭାବୁଥାଏ, କେବଳ ଗୋଟିଏ ରାତିରେ କ’ଣ ଘଟିଗଲା ତା’ ଜୀବନରେ । ସତେ ଯେମିତି ଗୋଟିଏ ରାତିରେ ସେ ଏକ ସାନ ଭାଇ ଓ ଗେଲ୍ହା ପୁଅରୁ ବଦଳିଗଲା ଏକ ଦୃଢ ମନୋବଳସମ୍ପନ୍ନ ପୁଅ ଯାହାକୁ ନିଜେ ନିଜ ଲୁହକୁ ପୋଛି ନିଜ ବାବା-ବୋଉଙ୍କୁ ବି ସମ୍ଭାଳିବାକୁ ପଡ଼ିବ । ନିଜ ଦୁଃଖକୁ ଭୁଲିଯାଇ ଅନ୍ୟ ପାଇଁ ବଞ୍ଚିବାକୁ ପଡ଼ିବ, ଜୀବନକୁ ଜିଇଁବାକୁ ପଡ଼ିବ ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu