ଜନ୍ମଦାତା
ଜନ୍ମଦାତା

ଜନ୍ମଦାତା

“ଓହୋ ! ଝୁନା ବୋଉ ତୁମ ଗୁଣମନ୍ତ ପୁଅକୁ ଟିକେ କୁହ ଜଲଦି ବାହାରିକି ଆସିବ । ମୋ ଗାଡ଼ିଟା ଖରାପ ହୋଇଯାଇଛି । ତା’ପରେ ମଧ୍ୟ ସାନ ଭାଇଠୁ ଗାଡ଼ିଟା ମାଗିକି ଆଣିଛି । ତାକୁ ହଷ୍ଟେଲରେ ଛାଡ଼ି ଆସିଲେ ମୋର କେତେ କାମ ।” ପାଟି କରୁଥିଲେ ସରୋଜ ବାବୁ । ତର ତର ହୋଇ ଘରୁ ବାହାରି ଆସିଲା ସୋଭନ୍ । “ବୋଉ ମୁଁ ଯାହା କହିଥିଲି ମୋ ବ୍ୟାଗରେ ରଖିଛୁ ନା ନାଇଁ?” “ହଁ ରଖିଛି ରଖିଛି, ଆରେ କେତେ ଡେରି କରୁଛୁ? ବାପା ବିରକ୍ତ ହେଲେଣି ଜଲଦି ଯାଇ ଗାଡ଼ିରେ ବସ ।” “ତୋର ସମୟ ଜ୍ଞାନ ବୋଲି କିଛି ନାହିଁ ସୋଭନ୍” କହି ଗାଡ଼ି ଷ୍ଟାର୍ଟ କଲେ ସରୋଜ ବାବୁ ।

ସୋଭନ, ସରୋଜ ମହାନ୍ତି ଓ ଉର୍ମିଳା ଦେବୀଙ୍କର ଏକମାତ୍ର ଗେହ୍ଲା ପୁଅ । ସମୟାନୁବର୍ତ୍ତିତାକୁ ଭଲପାଉଥିବା ସରୋଜ ମହାନ୍ତି ପେସାରେ ଜଣେ ସରକାରୀ କର୍ମଚାରୀ, ସେଥିପାଇଁ ଗାଆଁ ଲୋକେ ତାଙ୍କୁ ସରୋଜ ବାବୁ ଡାକନ୍ତି । ସମୟ ଓ ପରିବେଶ ସହ ଖାପଖୁଆଇ ଚଳୁଥିବା ମଣିଷ ଜଣେ ସେ । ତାଙ୍କ ମାସିକ ଦରମା ଆବଶ୍ୟକତାଠାରୁ କମ ଥିଲେ ମଧ୍ୟ ସେତିକିରେ ନିଜ ପେଟ କଥା ନଭାବି ପିଲାଙ୍କ ପାଠପଢ଼ାରେ ସବୁ ଖର୍ଚ୍ଚ କରିଦିଅନ୍ତି । କେମିତି ବା ନକରିବେ ! ପିଲାମାନଙ୍କ ଭବିଷ୍ୟତକୁ ନେଇ ସେ ବହୁତ ସ୍ୱପ୍ନ ଦେଖିଛନ୍ତି । ଆଜି କିନ୍ତୁ ସୋଭନ୍ ଉପରେ ଗାଳି ବର୍ଷା ହେଇଛି କାରଣ ଖରାଛୁଟି ପରେ କ୍ଲାସ ଖୋଲିବାର ତିନିଦିନ ହୋଇଗଲାଣି ଆଉ ସେ ହଷ୍ଟେଲ ଯିବାକୁ ନାଁ ଧରୁନି । ହେଲେ ଆଜି ସରୋଜ ବାବୁଙ୍କ ଗାଡ଼ି ଷ୍ଟାର୍ଟ ହୋଇଛି ମାନେ ସୋଭନ ହଷ୍ଟେଲରେ ହିଁ ଯାଇ ଅଟକିବ । “ସୋଭନ ଦୁଷ୍ଟାମି ନକରି ମନ ଦେଇ ପାଠ ପଢ଼ିବୁ” ବୁଝେଇ ଶେଷରେ ହଷ୍ଟେଲରେ ଛାଡ଼ି ଆସିଲେ ।

ସକାଳ ୯ଟା ହେବ, ଅଫିସ ଯିବାକୁ ବାହାରୁଥାନ୍ତି ସରୋଜ ବାବୁ ।

“ହେଇଟି ଶୁଣୁଛ… ତୁମକୁ ଗୋଟେ କଥା କହିବାର ଥିଲା ।” ସୁଶୀଳ କଣ୍ଠରେ କହିଲେ ଉର୍ମିଳା ଦେବୀ ।
“କ’ଣ କହିବ କହୁନ?”
“ମୁଁ କ’ଣ କହୁଥିଲି କି ଆମ ପଡ଼ିଶାଘର ଯୋଉ ରୀତା ମାଉସି, ଆମ ଝୁନା ପାଇଁ ଭଲ ବର ପାତ୍ର ଦେଖିଛନ୍ତି ବୋଲି କହୁଥିଲେ ।”

“ଦେଖ ଝୁନା ବୋଉ ! ଆମ ଝୁନାପାଇଁ କେତେ ଭଲପାତ୍ର ମିଳିବେ । ତା’ଛଡ଼ା ସେ ଏବେ ପାଠ ପଢ଼ୁଛି । ତା’ ପାଠପଢ଼ା ସରୁ ତା’ପରେ ଦେଖିବା ।”

ଝୁନା, ସରୋଜ ବାବୁଙ୍କର ଅଲିଅଳି ଝିଅ । କେମେଷ୍ଟ୍ରି ଅନର୍ସରେ ଗ୍ରାଜୁଏସନ୍ କଲାପରେ ଏବେ ପିଜି କରୁଛି । ରୂପରେ ଗୁଣରେ କେହି ସରି ହେବେନି । ହିଂସା ଅହଂକାର ତା’ର ନାହିଁ । ଖୋଲାଖୋଲି କହିଲେ ଝୁନା ଗୋଟିଏ ଚାଉଳରେ ଗଢ଼ା, ଏ କଥା ଗାଁ ସାରା ଲୋକ କୁହନ୍ତି । କହିବା ବି ସ୍ୱଭାବିକ, କାରଣ ସରୋଜ ବାବୁଙ୍କ ପରି ଜଣେ ସଂସ୍କାରୀ ଲୋକଙ୍କ ସଂସ୍କାରରେ ଅନୁପ୍ରାଣିତ ହୋଇଛି ସେ ।

ଚାହୁଁ ଚାହୁଁ ଗାଁ’ରେ ଦଶହରା ପର୍ବ ପାଳନ ପାଇଁ ସାଜସଜ୍ୟା କାର୍ଯ୍ୟ ଆରମ୍ଭ ହୋଇଗଲାଣି । ଜଗତ ଜନନୀ ମାଆ ମହିଷା ମର୍ଦ୍ଦିନୀଙ୍କ ଧରାପୃଷ୍ଠ ଆଗମନରେ ପୁରପଲ୍ଲୀ ଉତ୍ସବମୁଖର । ବହୁଦିନ ପରେ ଘରେ ଝୁନା ଓ ସୋଭନଙ୍କର ଉପସ୍ଥିତି ଉର୍ମିଳା ଦେବୀଙ୍କ ମନକୁ ଉତ୍‌ଫୁଲ୍ଲିତ କରିଦେଉଥାଏ । ମାଆଙ୍କର ସପ୍ତମୀ ପୂଜା ସାମଗ୍ରୀ ଆଣିବାକୁ ସକାଳୁ ସକାଳୁ ସରୋଜ ବାବୁ ବଜାର ଚାଲିଗଲେ । ଫେରି ଆସି ଦେଖନ୍ତି ଘର ଶୁନ୍‌ସାନ୍ । “ଝୁନାବୋଉ ! ଏ କି ଚମତ୍କାର ହୋଇଗଲା । ଝୁନା, ସୋଭନ ଘରେ ଥିଲେ ସେମାନଙ୍କ ପାଟିରେ କଳକାରଖାନାର ଯନ୍ତ୍ରମାନେ ଆତ୍ମହତ୍ୟା କରିଦିଅନ୍ତି । ଆଜି ଜଗନ୍ନାଥ ମନ୍ଦିରେ ପହଡ଼ ପଡ଼ିଲା ପରି ମୋ ଘର ଏତେ ଶୁନ୍‌ସାନ୍ କାହିଁକି ??”

“ତମେ କ’ଣ ଜାଣିନ ତୁମ ପିଲାମାନଙ୍କୁ ! ସକାଳୁ ଝଗଡ଼ା ଲାଗି ଏବେ କେହି କାହା ସହ କଥା ହେଉନାହାନ୍ତି ।” ଦୁଇ ପିଲାଙ୍କୁ ପାଖରେ ବସାଇ ବୁଝାସୁଝା କଲାପରେ ଘରଟା ଟିକେ ଶାନ୍ତି ପଡ଼ିଲା । ହସଖୁସିରେ ଦଶହରା ଉତ୍ସବ ପାଳନ ସରିଲା । ଝୁନା ଆଉ ସୋଭନ ହଷ୍ଟେଲ ଗଲା ପରଠୁ ଉର୍ମିଳା ଦେବୀ ଭାରି ବ୍ୟସ୍ତ ହୋଇପଡ଼ିଛନ୍ତି । ଆଉ ସହିହବନି । କହିଦେଲେ ଭଲ ହେବ ଭାବି ଉର୍ମିଳା ଦେବୀ ଯାଇ ସରୋଜ ବାବୁଙ୍କ ଆଗରେ ପାଇଥିବା ପ୍ରେମ ପତ୍ର ବିଷୟରେ କହିଲେ । “ଜାଣିଛ ! ମୁଁ ଝୁନାର ପୁରୁଣା ବହି ଭିତରୁ ଏ ଚିଠି ପାଇଲି । ସେ ପୁଅ କୁଆଡ଼େ ଆମ ଝୁନା ବିନା ବଞ୍ଚିପାରିବନି ବୋଲି ଏ ଚିଠିରେ ଲେଖିଛି । ହେଇଟି ସତରେ କ’ଣ ଆମ ଝୁନା ସେ ପୁଅକୁ…..”

“ତମେ କ’ଣ ଆମ ଝୁନାକୁ ଜାଣିନ? କିଏ ଗୋଟେ ଲଫଙ୍ଗା କ’ଣ ଦି’ଚାରି ପଦ କଥା ଲେଖିଦେଲା ବୋଲି ଆମ ଝିଅ ତାକୁ ଭଲ ପାଇଯିବ ନା କ’ଣ??”

“ହେଲେ ତଥାପି ମତେ ଡର ଲାଗୁଛି”

ସେଦିନର ବାର୍ତ୍ତାଳାପ ଘରର ଚାରିକାନ୍ଥ ଭିତରେ ଲୁଚିଯାଇ ଆଜି ପାଇଁ ଅତୀତ ହୋଇଗଲା । ରାସ୍ତାରେ ଯାଉଥିବା ବାଟୋଇମାନେ ଥକାପଣ ଦୂର କରିବାପାଇଁ କିଛି ସମୟ ବିଶ୍ରାମ ନେଲାପରେ ପୁଣି ଯାତ୍ରା ଆରମ୍ଭ କରିଦିଅନ୍ତି କିନ୍ତୁ ସମୟ ସବୁବେଳେ ଗତିଶୀଳ । କେବେ କାହାକୁ ଅପେକ୍ଷା କରିନି କି କରିବନି ମଧ୍ୟ । ସମୟ ଚକ୍ରଟା ଘୂରି ଚାଲିଛି । ମନେପକାଇବିନି କହି କହି ଆଜିକୁ ଆଠ ବର୍ଷହେଲା ଝୁନାକୁ ଝୁରୁଛନ୍ତି ଉର୍ମିଳା ଦେବି ।

ଝୁନା କଥା ମନେ ପଡ଼ିଲେ ଲୁହ ଗୁଡ଼ାକ ଅବୋଲକରା ପାଲଟିଯାଆନ୍ତି । ଝୁନାକୁ ହଜେଇବା ଦୁଃଖରେ କି ଆତ୍ମସମ୍ମାନ ହରାଇବା ଦୁଃଖରେ, ସେ କଥା କେବଳ ଉର୍ମିଳା ଦେବୀ ହିଁ ଜାଣନ୍ତି । ମାଆ ମନ ଚିରହରିତ ଅରଣ୍ୟ ପରି ସ୍ୱଚ୍ଛ ଓ ନିର୍ମଳ । ସାରାବର୍ଷ ଚିରହରିତ ଅରଣ୍ୟର ଗଛର ପତ୍ରସବୁ ସବୁଜ କାରଣ ସେ ପତ୍ରଝଡ଼ା ଦିଅନ୍ତିନି । ଠିକ୍ ସେମିତି ପିଲାମାନେ ଯେତେ ବଡ଼ ଭୁଲ କଲେ ମଧ୍ୟ ମାଆର ବକ୍ଷରୁ ମମତା କେବେ ସରେନି । ସେଦିନ ଝୁନା ଆଗରେ ଦୁଇଟି ରାସ୍ତା ଥିଲା । ଗୋଟିଏ ପାର୍ଶ୍ୱରେ ବାପାମାଆଙ୍କ ଆତ୍ମସମ୍ମାନ ଅନ୍ୟ ପାର୍ଶ୍ୱରେ ପ୍ରେମ । ପ୍ରେମର ବର୍ଣ୍ଣନା କରିବା ଅସମ୍ଭବ । କେବେ କଣ୍ଟାରେ ଚାଲିବାକୁ ହୁଏ ତ କେବେ ସେ ପ୍ରେମର ନିଆଁରେ ଜଳିବାକୁ ହୁଏ । ପ୍ରେମ ଦୁଇଟି ଅଜଣା ଅଚିହ୍ନା ଅଲଗା ଦେଶର ଚଢ଼େଇକୁ ଗୋଟିଏ ସ୍ଥାନରେ ବସା ବାନ୍ଧିବାକୁ ବାଧ୍ୟ କରେ । ଚଗଲା ମନଟା କାହା ପାଇଁ ଦିନେ ପାଗଳ ହୋଇଯିବ । ହାତେ ମାପି ଚାଖେଣ୍ଡେ ଚାଲୁଥିବା ପାଦ ଦୁଇଟି ପ୍ରେମ ପାଇଁ ଅଶାନ୍ତ ସମୁଦ୍ରକୁ ବି ଲଂଘିଯାଏ । କେବେ ହୃଦୟ ଭାଙ୍ଗିଯାଏ ଆଉ କେବେ ଜୀବନ ଚାଲିଯାଏ ପ୍ରେମ ପାଇଁ ! ଇଶ୍ୱରଙ୍କ ବିଚିତ୍ର ସୃଷ୍ଟିରେ, ଯୁଗ ପରେ ଯୁଗ ବିତିଯିବ କିନ୍ତୁ ପ୍ରେମ ଚିରନ୍ତନ ଅମର ହୋଇ ରହିବ । ସେଥିପାଇଁ ତ ଝୁନା ବାହାବେଦୀକୁ ଯିବା ପୂର୍ବରୁ, ବାପାମାଆଙ୍କ ଆତ୍ମସମ୍ମାନକୁ ଗୋଡ଼ରେ ଆଡ଼େଇ ହିତେଶର ହାତଧରି ସବୁଦିନ ପାଇଁ ଚାଲିଯାଇଥିଲା । କଲେଜ ସମୟରୁ ହିତେଶକୁ ନିଜର ଜୀବନସାଥି କରିବା ପାଇଁ ମନେ ମନେ ନିଷ୍ପତି ନେଇସାରିଥିଲା ସେ । ଆଉ କାହା ହାତରୁ ସଙ୍ଖା ସିନ୍ଦୂରକୁ କେମିତି ପିନ୍ଧିପାରିଥାନ୍ତା ସେ ! ଗଲାବେଳେ “ମତେ କ୍ଷମା କରିଦେବ ବାପା” ଲେଖି ଚିଠିଟିଏ ଛାଡ଼ିଯାଇଥିଲା ଯେ ସେହିଦିନରୁ ଆଉ ଘରକୁ ଫେରିନି ।

ଉର୍ମିଳାଙ୍କୁ ବୁଝେଇ ବୁଝେଇ ଥକି ଗଲେଣି ସରୋଜ ବାବୁ । ହେଲେ ତାଙ୍କର ଗୋଟିଏ କଥା “ମୋ ଝୁନା କେବେ ଫେରିବ?” ଝୁନା ଫେରିଲା ସତ କିନ୍ତୁ ସେତେବେଳକୁ ସରୋଜ ବାବୁ ଓ ଉର୍ମିଳା ଦେବି ଆରପାରିକୁ ଚାଲି ଯାଇଥିଲେ । ତୀର୍ଥଯାତ୍ରୀ ବସ ଦୁର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ହୋଇସାରିଥିଲା । ତୀର୍ଥଯାତ୍ରାରେ ଜୀବନ ଯାତ୍ରାର ସାମାପ୍ତି ହୋଇଯାଇଥିଲା । କ୍ଷତ ବିକ୍ଷତ ହୋଇ ଚିରଦିନ ପାଇଁ ସୁଖ ନିଦ୍ରାରେ ଶୋଇ ଯାଇଥିଲେ ତା’ ଜନ୍ମଦାତ୍ରୀ ଆଉ ଜନ୍ମଦାତା !

ଜନ୍ମଦାତାଙ୍କ ରୁଣ ସୁଝିବା ଅସମ୍ଭବ। କ୍ଷମା ମାଗିଦେଲେ କି କ୍ଷମା କରିଦେଲେ ସମ୍ପର୍କ ମଜବୁତ ହୋଇଥାଏ ସତ କିନ୍ତୁ ଥରେ ଆତ୍ମ ସମ୍ମାନ ଚାଲିଗଲେ, ଫେରିବା ପାଇଁ କେତେ ସମୁଦ୍ର ଲଂଘିବାକୁ ପଡ଼େ ତାହା କେବଳ ଜଣେ ଆତ୍ମସମ୍ମାନକୁ ଅଳଙ୍କାର କରି ପିନ୍ଧୁଥିବା ବ୍ୟକ୍ତି ହିଁ ବୁଝାଇ ପାରିବ ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu