ଦୁଦୁରା ଫୁଲ
ଦୁଦୁରା ଫୁଲ

ଦୁଦୁରା ଫୁଲ

ଘର ବଗିଚାରେ ଗୋଲାପ, ଡାଲିଆ, ଗେଣ୍ଡୁ, ରଜନୀଗନ୍ଧା ଆଦି ନାନା ପ୍ରକାର ଫୁଲ ଫୁଟି ଚାରିଆଡ଼େ ମହକି ଯାଉଛି । ବଗିଚାଟି ସ୍ଵର୍ଗର ନନ୍ଦନକାନନ ପରି ଦୂରରୁ ଦୃଶ୍ୟମାନ ହେଉଛି । ଯିଏ ବି ଏପଟେ ଯାଉଛି ଲୋଭିଲା ଆଖିରେ ଥରେ ଫୁଲଗୁଡ଼ିକୁ ନ ଅନେଇ ରହି ପାରୁନି । ବଗିଚାର ଗୋଟିଏ କଣରେ କଳା ଦୁଦୁରା ଫୁଲଟିଏ ଫୁଟିଛି । କେହି ବି ଦିନେ ତା’ ପାଖକୁ ଯିବା କି ତା’ ଆଡ଼େ କଣେଇକି ଅନେଇବା ସୁମି ଦେଖିନି । ସବୁ ଫୁଲ ପରି ଦୁଦୁରା ବି ତ’ ଫୁଲଟିଏ । ତା’ର ରଙ୍ଗ ଅଛି । ଚେହେରାରେ ମାଦକତା ଅଛି । ଦେଖିବାକୁ ସେମିତି ଅସୁନ୍ଦର ବି ନାହିଁ । ତେବେ କ’ଣ ପାଇଁ ସେ ଫୁଲର କେହି ଆଦର କରୁ ନାହାନ୍ତି ।

ସୁମି କିଛି ବୁଝି ପାରେନି ଲୋକ ମାନଙ୍କ ରଙ୍ଗ ଢଙ୍ଗକୁ । ଯେତେବେଳେ ଯିଏ ବଗିଚାର ଫୁଲ ବିଷୟରେ କଥା ହେବେ ତେବେ ଖାଲି ଗୋଲାପ, ଡାଲିଆ ନ ହେଲେ ସେବତୀ ବିଷୟରେ କଥା ହେବେ । ମାଳି କାକା ସବୁ ଗଛରେ ପାଣି ଦିଅନ୍ତି, ସାର ଦିଅନ୍ତି, ସେସବୁର କେତେ ଯତ୍ନ ନିଅନ୍ତି କିନ୍ତୁ ଦୁଦୁରା ଗଛଆଡ଼େ ଟିକିଏ ବି ଅନାନ୍ତିନି । ସେ ଦୁଦୁରା ଗଛର କେତେ ମନ ଦୁଃଖ ହେଉଥିବ? ତାକୁ ବି ଇଚ୍ଛା ହେଉଥିବ ଲୋକମାନଙ୍କ ମୁହଁରୁ ତା’ ସୌନ୍ଦର୍ଯ୍ୟର ପ୍ରଶଂସା ଶୁଣିବା ପାଇଁ । କଳା ବୋଲି କ’ଣ ସେତିକି ତା’ର ଅଧିକାର ନାହିଁ?

ସେ ଦୁଦୁରା ଫୁଲ ଓ ନିଜ ଭିତରେ ସୁମି କୌଣସି ପାର୍ଥକ୍ୟ ଦେଖୁନଥିଲା । ସେ କଳା ବୋଲି କେତେ ଟାହିଟାପରା ତାକୁ ଶୁଣିବାକୁ ପଡ଼ୁଛି । କିଏ କାଳୀ ବିଲେଇ କହି ଚିଡ଼େଇଲାଣି ତ’ ଆଉ କିଏ ମାତା କାଳୀ କହି ତା’ ମନ ଭିତରକୁ ରାମ୍ପି ବିଦାରି ପକାଉଛନ୍ତି । କ’ଣ ନାହିଁ ତା’ର? ବିଜ୍ଞାନରେ ସେ ସ୍ନାତକୋତ୍ତର । ଭଲ ଗୀତ ଗାଏ । ଓଡ଼ିଶୀ ନୃତ୍ୟରେ ଦକ୍ଷତା ଅଛି । ଖାଲି କଳା ରଙ୍ଗ ବୋଲି ଯେତେସବୁ ପ୍ରସ୍ତାବ ଆସୁଛି ସବୁ ଭାଙ୍ଗି ଯାଉଛି ।

ରଙ୍ଗ କଳା ବୋଲି କ’ଣ ତା’ର ଜୀବନଟା ଏମିତି କଳା ହେଇ ରହିବ? ସେଥିରେ କଣ ଇନ୍ଦ୍ରଧନୁର ସପ୍ତ ରଙ୍ଗ ଫୁଟି ଉଠିବନି? ମହାପ୍ରଭୁ ଜଗନ୍ନାଥ ତ କଳା? କାହିଁ ତାଙ୍କୁ ତ କେହି ବାହୁନୁ ନାହାନ୍ତି? ହେଲେ ତା’ ପାଇଁ ଏପରି ବେନିୟମ କାହିଁକି?

ସେଦିନ ଅର୍ଦ୍ଧଶିକ୍ଷିତ ସାମାନ୍ୟ ଚପରାସୀଟା ତା’ ବାପାଙ୍କ ମୁହଁରେ ଜବାବ ଦେଇ ଚାଲିଗଲା ଆମର ଏ କାଳୀ ବୋହୂ ଦରକାର ନାହିଁ । ସତରେ କ’ଣ ତା’ ଜୀବନର କୌଣସି ମୂଲ୍ୟ ନାହିଁ? ମା’ କୁହନ୍ତି ସମସ୍ତଙ୍କ ପାଇଁ ଦୁନିଆରେ କେହି ନା କେହି ଜଣେ ଅଛନ୍ତି । କିନ୍ତୁ କାଇଁ କିଏ, କୋଉଠି ସିଏ?

ସୁମି ନିଜକୁ ବାରମ୍ବାର ଏ ପ୍ରଶ୍ନ ପଚାରି ଥକି ଗଲାଣି । ଆଇନାରେ ଅନେକ ଥର ନିଜ ମୁହଁ ଦେଖଗିଲାଣି । କାଇଁ? କୋଉଠି କିଛି ଅସୁବିଧା ତ’ ନାହିଁ? ଆଖି ଜାଗାରେ ଆଖି ଅଛି । ନାକ ଜାଗାରେ ନାକ ଅଛି । ସବୁ ତ’ ଠିକ ଅଛି । ତେବେ ଖାଲି ରଙ୍ଗ ନାହିଁ ବୋଲି ତାକୁ ସଭିଏଁ ଏତେ ହତାଦର କରୁଛନ୍ତି ।

ଆଜି ପୁଣି ତାକୁ ଜଣେ ସ୍କୁଲ ଶିକ୍ଷକ ଦେଖିବାକୁ ଆସିବେ । ସେ ଜାଣିଛି ସବୁଥର ପରି ଏଥର ବି ତାକୁ ନା ଶୁଣିବାକୁ ପଡ଼ିବ । ଯେତେ ମନା କଲେବି ମା’ ତା’ର ପ୍ରତିଥର କଣ୍ଢେଇଟିଏ ପରି ସଜେଇ ବଜାରରେ ବିକ୍ରି ପାଇଁ ଛିଡ଼ା କରୁଛନ୍ତି ଆଉ ପ୍ରତିଟି ଥର ତା’ ମନ ଭାଙ୍ଗି ଚୁର୍‌ମାର ହେଇ ଯାଉଛି । ମା ବୁଝୁ ନାହାନ୍ତି ତା’ର ଦିନକୁ ଦିନ ସହିବା ଶକ୍ତି ସରି ଗଲାଣି । ସେ ବି ସ୍ୱପ୍ନ ଦେଖିବା ବନ୍ଦ କରି ଦେଇଛି ଏ ଦୁଦୁରା ଫୁଲ ପରି ।

ଦୁଦୁରା ଫୁଲ ଯେପରି କାହାର ବୈଠକଖାନାରେ ପହଞ୍ଚି ପାରିବନି, ଠିକ ସେପରି ସୁମି ଓ ବିବାହ ସମାନ୍ତରାଳ ରେଖା । କେହି କେବେ କାହାକୁ ଛୁଇଁ ପରିବେନି । ସୁମି ଯାହା ଭାବୁଥିଲା ଠିକ ସେହି କଥା ଘଟିଗଲା । ସ୍କୁଲ ଶିକ୍ଷକଙ୍କ ବାପା ରୋକଠୋକ ମନା କରି ଦେଇଗଲେ ବାପାଙ୍କ ମୁହଁ ଉପରେ । ଝିଅ ଗୁଣର ହେଇଥିଲେ କ’ଣ ହେବ ରଙ୍ଗ ତ’ ନାହିଁ ।

ଦୁନିଆ କେଡ଼େ ବିଚିତ୍ର ସତେ । କଳିହୁଡ଼ି, ଚଣ୍ଡୀ ଝିଅ ଚଳିବ ଯଦି ଗୋରା ଅଛି କିନ୍ତୁ କଳା ରଙ୍ଗ ଆଗରେ ଯେତେ ଗୁଣର ଝିଅ ହେଇଥିଲେ ମଧ୍ୟ ସବୁ ଫିକା ପଡ଼ିଯାଏ । ସୁମି ଦୁଦୁରା ଗଛଟିକୁ ଦେଖିଲା । ଗଛରେ ଫୁଲ ଭର୍ତ୍ତି ହେଇଛି । ସେ ଜାଣିଛି ଏ ଦୁନିଆରେ ଦୁଦୁରା ଫୁଲ ହିଁ ତା’ର ସାଥୀ । ସିଏ ଖାଲି ତା’ ଦୁଃଖ ବୁଝେ । ଗୋଟିଏ ଦୁଦୁରା ଫୁଲ ଧୀରେ ଛିଣ୍ଡେଇ ଆଣି ତା’ ହାତରେ ଧରିଲା ଓ ତାକୁ ଅତି ଯତ୍ନରେ ଆଉଁସି ଆଉଁସି ଘରକୁ ପଶି ଆସିଲା । ଆଜି ଶିବରାତ୍ରୀ । ମା’ ଶିବ ପୂଜା ପାଇଁ ବ୍ୟସ୍ତ ଅଛନ୍ତି । ସାନଭାଇ ବୁନୁ ଝୁଡ଼ିଏ ଗୋଲାପ ଫୁଲ ଆଣି ମା’ଙ୍କ ପାଖରେ ରଖିଲା । ମା ଝୁଡ଼ିଟିକୁ ଘାଣ୍ଟିବାକୁ ଲାଗିଲେ । ବ୍ୟସ୍ତ ହୋଇ କହିଲେ ଏସବୁ ମୋର କ’ଣ ହେବ? ଆଜି ପରା ଶିବ ପୂଜା । ଦୁଦୁରା ଫୁଲ କାହିଁ? ବିନା ଦୁଦୁରା ଫୁଲରେ ଶିବ ପୂଜା ଅସମ୍ଭବ ।

ସୁମି ଦୁଦୁରା ଫୁଲ ନାଁ ଶୁଣି ଚମକି ପଡ଼ିଲା । ନାଲି ନାଲି ସଦ୍ୟ ପ୍ରସ୍ଫୁଟିତ ଗୋଲାପ ଗୁଡ଼ିକ ଏଣେ ତେଣେ ବିଛାଡ଼ି ହୋଇ ପଡ଼ିଛି । ସୁମି କହିଲା- ଏତେ ସୁନ୍ଦର ଗୋଲାପ ଫୁଲରେ ଠାକୁର ପୂଜା ନ କରି ତୁ ଏଇ କାଳିଆ ଦୁଦୁରା ଫୁଲକୁ ଖୋଜୁଛୁ ମା । ମାଆ ତା’ ହାତରୁ ଦୁଦୁରା ଫୁଲଟିକୁ ନେଇକହିଲେ- ତୁ କ’ଣ ବୁଝିବୁରେ ପାଗଳୀ । ଗୋଲାପ ଫୁଲ ଯେତେ ସୁନ୍ଦର ଯେତେ ବାସ୍ନାଯୁକ୍ତ ହେଲେ କ’ଣ ହେଲା ଶିବ ମସ୍ତକରେ ଦୁଦୁରା ଫୁଲ ହିଁ ଶୋଭା ପାଏ ।

ସୁମି ମନେ ମନେ ଖୁସି ହେଉଥିଲା- ଯାହାହେଉ ଏତେ ଦିନପରେ ଦୁଦୁରା ଫୁଲର ଦୁଃଖ ଘୁଞ୍ଚିଲା । ହେଲେ ସେ ବି ତ ଗୋଟେ ଦୁଦୁରା ଫୁଲ । ସେ କ’ଣ କାହା ମସ୍ତକରେ ଶୋଭା ପାଇବ? କେହି କ’ଣ ତାକୁ ଏତେ ଯତ୍ନରେ ସାଉଁଟି ନେବ?

ଚିଠି…….ଚିଠି…..

ପୋଷ୍ଟମ୍ୟାନର ଡାକ ଶୁଣି ମାଆ ଦଉଡ଼ି ଗଲେ । ଚିଠି ପଢ଼ି ସୁମି ସୁମି କହି ଚିତ୍କାର କରିବାକୁ ଲାଗିଲେ । ଚିଠିଟି ତା’ ବାପାଙ୍କ ପାଖକୁ ଲେଖା ହେଇଥିଲା ।

“ପଟ୍ଟନାୟକ ବାବୁ,
ଜାଣିକରି ଖୁସି ହେବେ ଆପଣଙ୍କ ଝିଅ ମୋ ପୁଅର ପସନ୍ଦ ହେଇଛି । ମୁଁ ଝିଅର କଳା ରଙ୍ଗ ପାଇଁ ବୋହୂ କରିବାକୁ ମନା କରୁଥିଲି କିନ୍ତୁ ମୋ ପୁଅ ଆଜି ମୋ ଆଖି ଖୋଲି ଦେଇଛି । ସେ କହିଲା ରଙ୍ଗରୁ କ’ଣ ମିଳିବ? ଆଜି ଅଛି କାଲି ନାହିଁ । କିନ୍ତୁ ଗୁଣ ସଦାସର୍ବଦା ପାଖରେ ରହିଥିବ । ଆପଣଙ୍କ ଗୁଣବତୀ ଝିଅର ହାତ ମୋ ପୁଅ ପାଇଁ ମାଗୁଛି । ମୋର କିଛି ଯୌତୁକ ଦରକାର ନାହିଁ ଖାଲି ଆପଣଙ୍କ ଝିଅ ଦରକାର । ଝିଅର ବାହାଘର ପାଇଁ ପ୍ରସ୍ତୁତି ଆରମ୍ଭ କରି ଦିଅନ୍ତୁ ।”

ମାଙ୍କ ଆଖିରୁ ଧାର ଧାର ଲୁହ ଝରୁଥିଲା । ସେ ସ୍ନେହରେ ସୁମିକୁ କୋଳେଇ ନେଇ କହିଲେ-

ସୁମି ଦେଖିଲୁ ତ ଏ ଦୁଦୁରା ଫୁଲ ଯେପରି ଶିବ ମସ୍ତକରେ ଶୋଭା ପାଇବ ଠିକ ତୁ ବି ସେପରି ତାଙ୍କ ଘରର ଗୃହଲକ୍ଷ୍ମୀ ହେବୁ । ସୁମି ଖୁସିରେ ଝୁମି ଉଠିଲା ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu