ଅପେକ୍ଷାର ବାଟ
ଅପେକ୍ଷାର ବାଟ

ଅପେକ୍ଷାର ବାଟ

ବହୁ ଦିନ ପରେ ବହୁ କଷ୍ଟରେ ଘରୁ ପାଦ କାଢ଼ି ବଜାରକୁ ଆସିଥିଲା କିଛି କିଣାକିଣି କରିବ ବୋଲି । ଏତେ ଭିଡ଼ରେ ବି ନାଆଁଟା ଶୁଣି ଚମକି ପଡ଼ିଲା ମୀରା । ଏତେ ଭିଡ଼ରେ ବି ଆଖି ତା’ର ଖୋଜି ବୁଲୁଥାଏ ଆଉ ଖୋଜି ଚାଲିଥାଏ କାହାକୁ ଯେମିତି । ହେଲେ ସେ ନାଆଁଟା ପୁଣି ତାକୁ ସେହି ଅନ୍ଧାରକୁ ନେଇ ଚାଲିଗଲା । ଛଳ ଛଳ ଆଖି, ମଉଳି ଯାଇଥିବା ମୁହଁ, ପାଦରେ ଯେମିତି ଆଉ ବଳ ନାହିଁ ଚାଲିବାକୁ । ମିଲିକୁ କହିଲା ତୁ ଯା, କିଣାକିଣି କର, ମୁଁ ଏଇଠି ବସିଛି । ବସି ପଡ଼ିଲା ସେ ସେଇଠି ଆଉ ଚାଲିଗଲା ତା’ ଅତୀତକୁ……

ପ୍ରକାଶ… ସୁଦୂର ବାଲେଶ୍ୱରରୁ ପାଠପଢ଼ା ସାରି ଭୁବନେଶ୍ୱର ଆସିଥାଏ ଇଞ୍ଜିନିଅରିଂ ପଢ଼ିବା ପାଇଁ, କିଟ୍ କଲେଜରେ । ବହୁତ ମେଧାବୀ ଛାତ୍ର ସିଏ । ପାଠ ପଢ଼ାରେ ଯେମିତି ଗୁଣରେ ବି ସେମିତି । ସବୁବେଳେ ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ଆଗଭର । ଶୈଳଶ୍ରୀ ବିହାରରେ ଘର ଭଡ଼ା ନେଇ ରହୁ ଥାଏ ସିଏ । ପ୍ରତି ଦିନ କଲେଜରୁ ଫେରିଲା ପରେ ସାମନା ଚାହା ଦୋକାନରେ ଟିକେ ସମୟ ଅଟକି ଯାଏ । ସବୁ ସାଙ୍ଗମାନେ ତା’ର ସେଇଠି ବସି ଝିଅଠାରୁ ଆରମ୍ଭ କରି ସ୍ଥାନୀୟ ରାଜନୀତି ଯାଏ ସବୁ ଚର୍ଚ୍ଚାରେ ବ୍ୟସ୍ତ ଥିବେ । ସେ କିନ୍ତୁ ସେ’ଠି ବସି ଆସୁଥିବା ଯାଉଥିବା ସବୁ ପାଖାପାଖି ଛୁଆଙ୍କୁ ଅଟକେଇ ତାଙ୍କ ପାଠପଢ଼ା ବିଷୟରେ ପଚାରି ଚାଲିଥିବ । ଏପରିକି ଯାହାର ପଢ଼ାରେ କିଛି ଅସୁବିଧା ଥାଏ, ତାକୁ ମଧ୍ୟ ସାହାଯ୍ୟ କରେ । ଆସ୍ତେ ଆସ୍ତେ ସେ ଅଞ୍ଚଳରେ ବହୁତ ପ୍ରସିଦ୍ଧ ବି ହେଇ ଯାଇଥିଲା ପ୍ରକାଶ । ଅଭିଭାବକମାନେ ତାକୁ ଅନୁରୋଧ ବି କଲେ ଟ୍ୟୁସନ ଦେବା ପାଇଁ । ସେ କିନ୍ତୁ ମନା କରି ଦିଏ, ଆଉ କହେ ଯାହାର ଯଦି କିଛି ଅସୁବିଧା ଅଛି ପାଠରେ, ତେବେ ତା’ ପାଖକୁ ଆସିଲେ, ସେ ସାହାଯ୍ୟ କରିବ ।

ଏମିତି ଦେଖୁ ଦେଖୁ ତିନି ବର୍ଷ କଟିଗଲା । ତା’ର ଶେଷ ବର୍ଷ ଇଞ୍ଜିନିଅରିଂ । ତେଣୁ ସିଏ ନିଜର ପଢ଼ାପଢ଼ିରେ ବ୍ୟସ୍ତ ଯୋଗୁଁ ଆଉ ଆଗଭଳି ପଦାକୁ ବାହାରି ପାରୁ ନଥିଲା । ଦିନେ କଲେଜରୁ ଫେରି ସେହି ଚାହା ଦୋକାନରେ ବସିଥାଏ । ଏକୁଟିଆ, କେହି ନଥାନ୍ତି ପାଖରେ । ହଠାତ କାହାର ଗୋଟେ ଡାକ ଶୁଣାଗଲା, Excuse me, Sir! ବୁଲିକି ପଛକୁ ଦେଖିଲା ସେ । ଗୋଟେ ଝିଅଟେ ଛିଡ଼ା ହେଇଥାଏ । ଡେଙ୍ଗା, ଗୋରା ଲମ୍ବା ମୁହଁ, ମିନି ଫ୍ରକଟେ ପିନ୍ଧି ଥାଏ । ହାତେରେ ବହି କେତେଟା । କୋଉ ସ୍କୁଲ ପଢ଼ିଲା ପରି ଲାଗୁଥାଏ । ପ୍ରକାଶ ତାକୁ ଏକ ପ୍ରଶ୍ନିଳ ଆଖିରେ ଚାହିଁଥାଏ । ଝିଅଟି କହି ଚାଲିଲା- “ସାର, ମୁଁ ଏହି ପାଖରେ ରହୁଛି । ଡି.ଏ.ଭି ସ୍କୁଲରେ ଦଶମ ଶ୍ରେଣୀରେ ପଢ଼ୁଛି । ଆପଣଙ୍କ ପାଖରେ ଟିକେ କାମ ଥିଲା । ଆପଣ ଟିକେ ଆମ ଘରକୁ ଆଜି ସନ୍ଧ୍ୟାରେ ଆସିବେ କି? ବାପା ମୋର ଆପଣଙ୍କ ସହ କିଛି କଥାହେବାକୁ ଚାଁହୁଥିଲେ !!” ଏକା ନିଶ୍ୱାସରେ କହି ଦେଲା ସିଏ ।

ଏକଥା ଶୁଣି ପ୍ରକାଶ ଚିନ୍ତାରେ ପଡ଼ିଗଲା । ଝିଅଟେ ପୁଣି ଆସି କହୁଛି ତା’ର ଘରକୁ ଯିବା ପାଇଁ ! ସିଏ ମନା କରି ଆସୁଥିଲା । ହେଲେ ଝିଅଟା ପୁଣି ଥରେ “ପ୍ଲିଜ ସାର ମନା କରନ୍ତୁ ନାହିଁ” କହି ଗୋଟେ କାଗଜରେ ତା’ ଘର ଠିକଣା ଲେଖି ପ୍ରକାଶ ହାତରେ ଦେଇ ଚାଲିଗଲା । ପ୍ରକାଶ ଦେଖିଲା, ଠିକଣାଟା ତା’ର ଘର ପାଖପାଖି । ଚାହା ଦୋକାନରେ କିଛି ସମୟ ବସି ସେ ରୁମକୁ ଫେରିଲା । ବାଟଯାକ ଭାବୁଥାଏ, ସେ ଝିଅ ଘରକୁ ଯିବ କି ନାହିଁ । ସନ୍ଧ୍ୟା ହେଇ ଆସୁଥାଏ, ବାହାରିଲା ସେ ଝିଅର ଘରକୁ ।

ତା’ ଘର ଆଗରେ ପହଞ୍ଚି ଡୋର୍ ବେଲ୍ ମାରିଲା । କବାଟ ଖୋଲିଲା ବେଳକୁ ଦେଖିଲା ସେ ଝିଅଟା ଛିଡ଼ା ହେଇଛି । କଲା ରଙ୍ଗର ଗୋଟେ ଫ୍ରକ ପିନ୍ଧି ଥାଏ, ଛୋଟ ଛୋଟ ବାଳ । ସେ ଘରର ଧଳା ଆଲୁଅରେ ତା’ ମୁଁହଟା ପୁନେଇ ରାତିର ଜହ୍ନ ପରି ଦିଶୁଥାଏ, ଆଉ ତା’ ପଛରେ ଠିଆ ହେଇଥାନ୍ତି ତା’ ବାପା ।

ସାର ନମସ୍କାର, କହି ସେ ଘର ଭିତରକୁ ଆସିଲା । ଦୁଇଜଣଯାକ ସୋଫାରେ ବସିଲେ । ଭିତର ଘରୁ ତା’ ମାଆ ବୋଧେ କିଛି ଖାଇବା ଜିନିଷ ନେଇକି ଆସିଲେ । ପ୍ରକାଶ ମନା କରି ଆସୁଥିଲା, କିନ୍ତୁ ତା’ ମାଆ ବାଧ୍ୟ କଲେ କିଛି ଖାଇବା ପାଇଁ । ଖାଇବା ଭିତରେ, ତା’ ବାପା କହିବା ଆରମ୍ଭ କଲେ, “ମୋ ନାଁ ପ୍ରଦୀପ ମହାନ୍ତି । ସେ ମୋ ଝିଅ ମୀରା । ଦଶମ ଶ୍ରେଣୀରେ ପଢ଼ୁଛି । ମୋର ଗୋଟେ ଛୋଟ ଅନୁରୋଧ ଥିଲା । ମୁଁ ତମ ବିଷୟରେ ବହୁତ ଶୁଣିଛି ଏହି ପାଖାପାଖି ଲୋକଙ୍କ ପାଖରୁ । ଏପରିକି ମୀରା ବି ତମ ବିଷୟରେ ମତେ ବହୁତ ଥର କହିଛି । ବହୁତ ଥର ଭାବିଛି ତମ ସହ ଟିକେ କଥା ହେବି ବୋଲି । କାଳେ ତମେ କିଛି ଭାବିବ, ସେଥିପାଇଁ କହି ପାରୁନଥିଲି ।”

ପ୍ରକାଶ ମନେ ମନେ ଭାବୁଥାଏ, ମୋ ସହ କ’ଣ କଥା ହେବେ । ଭାବି ଭାବି ପଚାରିଲା, “ମୋ ପାଖରେ ଆପଣଙ୍କ କ’ଣ କାମ?” ମହାନ୍ତି ବାବୁ କହିଲେ, “ମୋ ଝିଅଟି ବହୁତ ଭଲ ପାଠ ପଢ଼ୁଛି । ବହୁତ ଟ୍ୟୁସନ ମଧ୍ୟ ଯାଉଛି, ସବୁ ବିଷୟରେ ପ୍ରାୟ ଭଲ କରୁଛି ହେଲେ ସବୁ ଚେଷ୍ଟା କରି ମଧ୍ୟ ତା’ର ଗଣିତରେ ଜମା ଭଲ ହେଉନି । ମୁଁ ଶୁଣିଛି ତମେ କୁଆଡ଼େ ଗଣିତ ଭଲ ପଢ଼ାଅ ! ତୁମେ ତାକୁ ଟିକେ ଫାଇନାଲ ପରୀକ୍ଷାଯାଏଁ ଗଣିତ ପଢ଼ାଇ ପାରିବ?” ଏ କଥା ଶୁଣି ପ୍ରକାଶ କ’ଣ କହିବ କିଛି ଭାବି ପାରିଲା ନାହିଁ । ସେ ଆଜିଯାଏଁ ବହୁ ଲୋକଙ୍କୁ ଟ୍ୟୁସନ ପାଇଁ ମନା କରିଛି । ମୀରାକୁ ପଢ଼େଇଲେ ଯେ ହଜାରେ କଥା ଉଠିବ ଏଥିରେ ସନ୍ଦେହ ନାହିଁ !

ବହୁତ ଭାବିଲା ପରେ କହିଲା, “ସାର ! ମୁଁ କରି ପାରିବି ନାହିଁ । ପୂର୍ବରୁ ମୁଁ ବହୁ ଲୋକଙ୍କୁ ମନା କରିଛି ଏମିତି ଟ୍ୟୁସନ ଦେବାକୁ । ଏବେ ମୀରାକୁ ପଢ଼େଇଲେ କଥାଟା ଭଲ ହେବନି । ତା’ଛଡ଼ା, ମୋର ଏଇଟା ଶେଷ ବର୍ଷ । ମୋ ଉପରେ ବି ବହୁତ ଚାପ । ପ୍ରୋଜେକ୍ଟର କାମ, ପ୍ଲେସମେଣ୍ଟର ଚିନ୍ତା । ତେଣୁ ମତେ କ୍ଷମା କରି ଦିଅନ୍ତୁ ।”

ଏତିକି କହି ପ୍ରକାଶ ଛିଡ଼ା ହେଇ ଚାଲି ଆସୁଥିଲା । ହଠାତ ମୀରା ଘରଭିତରୁ ଆସି ତା’ ଆଗରେ ହାତ ଯୋଡ଼ି ଛିଡ଼ାହେଇ କହିଲା, “ସାର୍ ପ୍ଲିଜ ! ମନା କରନ୍ତୁ ନାହିଁ ।” ତାକୁ ଏମିତି ଅବସ୍ଥାରେ ଦେଖି ତା’ ବାପା ପ୍ରକାଶକୁ ପୁଣି କହିଲେ, “ଦୟାକରି ମୋ ଝିଅକୁ ଟିକେ ସାହାଯ୍ୟ କରନ୍ତୁ । ଆପଣଙ୍କ ପାଖରେ ଯେତିକି ବି ସମୟ ହେବ ତାକୁ ଟିକେ ପଢ଼ାନ୍ତୁ । ଆପଣ ନ ଆସି ପାରିଲେ ବି ସେ ଆପଣଙ୍କ ଘରକୁ ପଢ଼ିବା ପାଇଁ ଚାଲିଯିବ ।” ସେମାନଙ୍କୁ ଏପରି ଅବସ୍ଥାରେ ଦେଖି ପ୍ରକାଶର ମୁଣ୍ଡ କିଛି କାମ କରୁନଥାଏ । କିଛି ସମୟ ଭାବି କହିଲା, “ଠିକ ଅଛି ସାର ! ମତେ ଯେତେବେଳେ କିଛି ସମୟ ମିଳିବ ମୁଁ ଆସି ଏଇଠି ପଢ଼େଇ ଦେଇ ଯିବି ।”

ସେଇଠୁ ଆରମ୍ଭ ହେଲା ପ୍ରକାଶ ଆଉ ମୀରାର କାହାଣୀ । ଆଉ ତାଙ୍କ କାହାଣୀଟା ବି ନିଆଁ ପରି ବ୍ୟାପି ଚାଲିଲା । ବହୁତ ଲୋକ ବହୁତ କଥା ବି କହିବା ଆରମ୍ଭ କରି ଦେଲେ । କିନ୍ତୁ ପ୍ରକାଶ ଜାଣିଥିଲା ଏମିତି କିଛି ଗୋଟେ ହେବ ବୋଲି ଆଉ ସେଥିପାଇଁ ସେ ଲୋକଙ୍କର କଥାକୁ ଏତେ ଖାତିର କଲାନି । କିଛିଦିନ ପରେ ଲୋକ ବି ଚୁପ ହେଇଗଲେ । ପ୍ରକାଶ ସପ୍ତାହରେ ଥରେ କି ଦି’ଥର ଆସି ମୀରାକୁ ଗଣିତ ପଢ଼େଇଦେଇ ଯାଏ ।

କିଛି ଦିନ ଏମିତି ଚାଲିଗଲା । ଆସ୍ତେ ଆସ୍ତେ ପ୍ରକାଶ ମୀରାର ସ୍ୱଭାବରେ କିଛି ପରିବର୍ତ୍ତନ ଦେଖିବାକୁ ଲାଗିଲା । ମୀରା ଅଯଥା କଥାରେ ସମୟ ନଷ୍ଟ କରୁଥିଲା । ପାଠ ଅପେକ୍ଷା ଅନ୍ୟସବୁ ବିଷୟରେ ଅଧିକ ଚର୍ଚ୍ଚା କରୁଥିଲା ପ୍ରକାଶ ସହ । ପ୍ରକାଶ ବି ଧୀରେ ଧୀରେ କିଛି ଗୋଟେ ଅଜଣା ପରିସ୍ଥିତିର ଆଭାସ ପାଉଥିଲା ତା’ ବ୍ୟବହାରରୁ । ଭାବିଲା ଗୋଟେ ବିରତି ନିହାତି ଦରକାର ।

ଡ଼ିସେମ୍ବର ମାସ । ପ୍ରକାଶ ମୀରାକୁ କହିଲା, “ମୋର ଟିକେ ଘରେ କାମ ଅଛି, ମୋତେ ଘରକୁ ଯିବାକୁ ପଡ଼ିବ । ଘରକାମ ସାରି ପୁଣି ପ୍ରୋଜେକ୍ଟ କାମରେ ଟିକେ ବାହାରକୁ ଯିବାକୁ ପଡିବ ।” ଏହା ଶୁଣି ମୀରା ହଠାତ ବିଚଳିତ ହୋଇପଡ଼ିଲା । କେବେ, କାହିଁକି, କ’ଣ ପାଇଁ, କେତେ ଦିନ??? କେତେସବୁ ପ୍ରଶ୍ନବାଣ ପ୍ରକାଶ ଉପରେ । ମୀରା ଜିଦ ଧରି ବସିଲା ତା’ ଘରର ଫୋନ୍ ନମ୍ବର ନେବା ପାଇଁ । ପ୍ରକାଶ କିନ୍ତୁ ତାକୁ ଘରେ ତାଙ୍କର ଫୋନ ନାହିଁ କହି ଚାଲି ଆସିଲା । ଆସିଲା ବେଳକୁ କହି ଆସିଲା, “ମନ ଦେଇ ପାଠ ପଢ଼ିବ । ଫେରିଲା ପରେ ଯଦି କିଛି ବି ଅଭିଯୋଗ ଶୁଣେ ତେବେ ତମକୁ ପଢ଼େଇବା ବନ୍ଦ ।”

ପ୍ରକାଶ ମୀରାର ବଦଳିତ ସ୍ୱଭାବକୁ ଭଲ ଭାବରେ ବୁଝି ପାରିଥିଲା । ଡ଼ିସେମ୍ବର ସରି ଜାନୁଆରୀ ଅଧା ଯାଏଁ ସେ ତା’ ବସାକୁ ଫେରି ପାରିଲା ନାହିଁ । ଭୁବନେଶ୍ୱରରେ ପହଞ୍ଚିଲା ଦିନ ରାତିରେ ଗଲା ମୀରା ଘରକୁ । ମୀରାକୁ ଯେଉଁ ଅବସ୍ଥାରେ ସେ ଦେଖିଲା, ବିଶ୍ୱାସ କରିପାରିଲା ନାହିଁ । ଖୋଲା ବାଳ, ମୁଁହ ତା’ର ଶୁଖି ପୁରା କଳା କାଠ ପଡ଼ିଯାଇଛି । ତା’ ମାଆ ଆସି ପ୍ରକାଶକୁ କହିଲେ, ଦେଖ ପୁଅ, ତମେ ଯିବା ଦିନଠାରୁ ସେ ଗୋଟିଏ ଘରେ ବନ୍ଦୀ ଭଳି ପଡ଼ିରହିଛି । ଖିଆ ନାହିଁ, ପିଆ ନାହିଁ, ସବୁ ବେଳେ ଗୋଟେ ବହି ଧରି ସେ ଘର ଭିତରେ । ହଉ ତମେ ବସ, ମୁଁ ତମ ପାଇଁ କ’ଣ ଟିକେ ଖାଇବା ଜିନିଷ ନେଇକି ଆସୁଛି କହି ଭିତରକୁ ଚାଲିଗଲେ ସେ । ପ୍ରକାଶ ମୀରାକୁ ପଚାରିଲା, ଏ ସବୁ କ’ଣ ମୀରା? ମୀରା କହିଲା, “ତମେ କହିଥିଲା ନା, ଭଲ କରି ପାଠ ପଢ଼ିବା ପାଇଁ, ସେଥିପାଇଁ ରାତି ଦିନ ସବୁବେଳେ ପଢ଼ୁଥିଲି । ସେଥିପାଇଁ ଦେହ ଟିକେ ଖରାପ ହେଇଗଲା । ଏବେ ତମେ ଆସିଲାଣି ମୋ ଦେହ ଠିକ ହେଇଯିବ । ପ୍ରକାଶ ରାଗିଯାଇ କହିଲା, “ଏ ସବୁ କ’ଣ ପାଇଁ ତମେ କରୁଛ? ଆଉ ଦି ମାସ ପରେ ତମ ଫାଇନାଲ ପରୀକ୍ଷା । ତମେ ପଢ଼ାପଢ଼ି ଆଉ ଦେହ ପ୍ରତି ଧ୍ୟାନ ନ ଦେଇ ଏ ସବୁ ଫାଲତୁ କଥାରେ କ’ଣ ପାଇଁ ସମୟ ନଷ୍ଟ କରୁଛ?? ଦେଖ ! ତମେ ଯଦି ଏହିପରି କାମସବୁ କରିବ, ମୁଁ ଯାଉଛି । ଆଜିଠାରୁ ଆଉ ଆସିବି ନାହିଁ ।” ମୀରା ଏହା ଶୁଣି କହିଲା, “ନା ନା, ମୁଁ ଏବେ ପୁରାପୁରି ଠିକ । ପାଠ ବି ମନ ଦେଇ ପଢ଼ିବି ।”

ସମୟ ଆଗକୁ ବଢ଼ି ଚାଲିଲା । ପ୍ରକାଶ ପ୍ରାୟ ସବୁ ଗଣିତ ବିଷୟ ପଢ଼େଇ ଦେଇଥିଲା, ସେଥିପାଇଁ ତା’ର ମୀରା ଘରକୁ ଯିବା ଟିକେ କମି ଯାଇଥିଲା । ମଝିରେ ମଝିରେ ଯେବେ ଯାଏ ମୀରା ମୁଁହର ସେ ଖୁସିକୁ ସେ ଭଲରେ ବୁଝିପାରେ ହେଲେ ତାକୁ ଡର ବି ଲାଗେ ଏ କାହାଣୀ କୋଉଠି ଯାଇ ସରିବ ବୋଲି । ସିଏ କିନ୍ତୁ ମୀରାକୁ କେବେ କିଛି କୁହେନି । ଭାବିନିଏ ତା’ର ପିଲାଳିଆମୀ ବୋଲି ।

ଦିନେ ସେ ତା’ର ଘରେ ଥାଏ । ସକାଳ ସମୟ, କବାଟରେ କିଏ ଗୋଟେ ଠକ ଠକ କଲା । କବାଟ ଖୋଲି ଦେଖିଲା ମୀରା ତା’ ଘର ଆଗରେ ଠିଆ ହେଇଛି । ତାକୁ ସେ’ଠି ଦେଖି ସେ ପୁରା ଆଶ୍ଚର୍ଯ୍ୟ ହେଇଗଲା । ସେ ତା’ ହାତରେ କ’ଣ ଗୋଟେ ଧରିଥାଏ ଆଉ ତାକୁ ପଛ ପଟକୁ ଲୁଚେଇ ରଖିଥାଏ । ପ୍ରକାଶ ପଚାରିଲା, “ତମେ ଏଠି? ଏତେ ସକାଳୁ?? ତମ ପରୀକ୍ଷା ଆଉ ଅଳ୍ପ ଦିନ ରହିଲା, ତମେ ପାଠ ନ ପଢ଼ି ଏତେ ସକାଳୁ କୁଆଡ଼େ ଆସିଛ? ଆଉ ହାତରେ କ’ଣ ଧରିଛ ଦେଖାଅ ମତେ ।” ସେ ଲାଜେଇ ଯାଇ ତଳକୁ ମୁଁହ ପୋତି ଗୋଟେ ଗୋଲାପ ଫୁଲ ବାହାର କରି ପ୍ରକାଶକୁ କହିଲା, “ହାପି ଭାଲେଣ୍ଟାଇନ ଡେ ।” ତା’ପରେ କହିଲା, “ଆଜି ଆମେ ଫିଲ୍ମ ଦେଖିବାକୁ ଯିବା କି?” ପ୍ରକାଶ ଏହା ଶୁଣି ବହୁତ ରାଗିଗଲା । ରାଗିଯାଇ କହିଲା, “ମୀରା ! ତମେ ହୋସରେ ଅଛ ତ? କ’ଣ କରୁଛ, କ’ଣ କହୁଛ ଜାଣି ପାରୁଛ କି ନାହିଁ । ତମ ପରୀକ୍ଷା ଆଉ ମାତ୍ର କେତେ ଦିନ ପରେ । ତମେ ଆସିଛ ଏଠିକୁ ଫିଲ୍ମ ଦେଖିବାକୁ ଯିବା ପାଇଁ !! ତମ ଘରେ ଜାଣିଛନ୍ତି, ତମେ ଏଠାକୁ ଆସିଛ ବୋଲି?” ମୀରା କହିଲା, ମୁଁ କହି କି ଆସିଛି ପଢ଼ିବାକୁ ଯାଉଛି ବୋଲି । ହେଲେ ଆଜି ପୁରା ଦିନ ମୁଁ ତମ ସହ ବିତାଇବାକୁ ଚାଁହୁଛି ।”

ପ୍ରକାଶର ଆଉ ଧୈର୍ଯ୍ୟ ନଥିଲା ଏ ସବୁ ଶୁଣିବା ପାଇଁ । କହିଲା, “ତମେ ଏବେ ଘରକୁ ଯିବ ନା ମୁଁ ତମକୁ ନେଇ ତମ ଘରେ ଛାଡ଼ିକି ଆସିବି?” କିନ୍ତୁ ମୀରା କିଛି ଶୁଣିବା ଅବସ୍ଥାରେ ନ ଥାଏ । ପ୍ରକାଶ ତାକୁ କେମିତି ବୁଝେଇବ ତା’ ମୁଣ୍ଡ କିଛି କାମ କରୁ ନଥାଏ । ମୀରାକୁ ପାଖରେ ବସାଇ କହିଲା, “ଦେଖ ମୀରା, ତମ ପରୀକ୍ଷା ଆଉ ମାତ୍ର ଅଳ୍ପ କେତେ ଦିନ ରହିଲା । ତମେ କ’ଣ ଚାଁହୁନ, ତମେ ପରୀକ୍ଷାରେ ଭଲ କର ବୋଲି । ତମର ଯଦି ପରୀକ୍ଷାରେ ଖରାପ ହେଲା ତମ ବାପାଙ୍କର କ’ଣ ହେବ କେବେ ଭାବିଛ? ତାଙ୍କର ତମ ଉପରେ କେବେ ଆଶା, ଭରଷା । କିନ୍ତୁ ତମେ କରୁଛ କ’ଣ ! ପାଠ ନ ପଢ଼ି ଏହି ସବୁ ବାଜେ କାମ ପଛରେ କାହିଁକି ପଡ଼ିଛ । ଏବେ ଘରକୁ ଯାଅ । ମତେ ବାଧ୍ୟ କରନି ଯାଇ ତମ ଘରେ ସବୁ କଥା କହିବା ପାଇଁ । ତମେ ପ୍ରଥମେ ପରୀକ୍ଷାରେ ଭଲ କର । ତା’ ପରେ ତମେ ଯୁଆଡ଼େ କହିବ ମୁଁ ତମସହ ଯିବି । ଏତିକି କଥା କ’ଣ ମୋର ରଖିବନି?”

ଏ କଥା ଶୁଣି ମୀରା ଚୁପ ହେଇଗଲା । କହିଲା, “ଠିକ ଅଛି, ଆଜି ଯାଉଛି । ଖାଲି ପାଠ ପଢ଼ିବି । ପରୀକ୍ଷା ସରିବା ଯାଏଁ ତମ ମୁଁହ ମୁଁ ଆଉ କେବେ ବି ଦେଖିବି ନାହିଁ ।” ପ୍ରକାଶ ହସି ହସି କହିଲା, “ସେମିତି ବି ପରୀକ୍ଷା ସରିବାଯାଏଁ ତମେ ଚାହିଁଲେ ବି ମୋ ମୁଁହ ଦେଖି ପାରିବ ନାହିଁ । କାରଣ ବହୁତ ଗୁଡ଼େ ଇଣ୍ଟରଭିଉ ମତେ ଦେବାର ଅଛି ତ ପ୍ରାୟ ସବୁଆଡ଼େ ଯିବାକୁ ପଡ଼ିବ । ତେଣୁ ତୁମକୁ ମୁଁ ଗୋଟେ ଦି ମାସ ଦେଖା କରିପାରିବି ନାହିଁ । ତମ ପରୀକ୍ଷା ସାରିଲେ ହିଁ ଦେଖା ହେବ ।” ମୀରା ଚାଲିଗଲା । ଆଖିରେ ତା’ର ଛଳ ଛଳ ଲୁହ । ହେଲେ ପ୍ରକାଶକୁ ସେ ତା’ର ଦୁର୍ବଳ ମୁହୂର୍ତ୍ତକୁ ଦେଖେଇବାକୁ ଚାଁହୁ ନଥିଲା ବୋଧେ ! ଆସ୍ତେ କିନା ଲୁହଟିକୁ ପୋଛି ଦେଇ ଦୌଡ଼ି ଦୌଡ଼ି ଚାଲିଗଲା ।

ଦି’ମାସ ବିତିଗଲା । ମୀରାର ଆଜି ପରୀକ୍ଷା ସରି ଯାଇଛି । ସେ ପରୀକ୍ଷାରେ ବହୁତ ଭଲ କରିଛି । ଗଣିତରେ ୧୦୦ରୁ ୧୦୦ ଆଣିବ ବୋଲି ପୁରା ତା’ର ଆଶା । ସେସବୁ କେବଳ ସମ୍ଭବ ହେଇଛି ପ୍ରକାଶ ପାଇଁ । ଖୁସି ମନରେ ଚାଲିଲା ପ୍ରକାଶକୁ ଦେଖା କରିବାକୁ । ଆଜି ସେ ବହୁତ ଖୁସି । ତା’ ମନ କଥା ସବୁ ଖୋଲି କି କହିଦେବ । ପ୍ରକାଶ ଯାହା କୁହନ୍ତୁ, କି ଯାହା କରନ୍ତୁ । ତା’ଘର ପାଖରେ ପହଞ୍ଚି ଦେଖିଲା ଘରେ ତାଲା ପଡ଼ିଛି । ସେ ଆଶ୍ଚର୍ଯ୍ୟ ହେଇଗଲା । କାରଣ ସେ ତାଲାଟା ପ୍ରକାଶଙ୍କର ନଥିଲା । ଗୋଟେ ନୂଆ ତାଲା । ପ୍ରକାଶ ଜାଣିଛନ୍ତି ଆଜି ତା’ର ପରୀକ୍ଷା ସରିବ । ଆଉ ସେ କହିଥିଲେ ସେ ଆସି ଯାଇଥିବେ ବୋଲି । ବାହାରେ କିଛି ସମୟ ଠିଆ ହେଲା । ତା’ପରେ ପାଖରେ ଥିବା ଘର ମାଲିକକୁ ପଚାରିବାକୁ ଗଲା । ଘର ମାଲିକ ତାକୁ ଯାହା କହିଲା ତାକୁ ଶୁଣି, ତା’ ପାଦ ତଳ ମାଟି ଯେମିତି ଖସିଗଲା । ଘର ମାଲିକ କହିଲା, “ଆଲୋ ମା ! ସେ ପିଲାଟା ତ ଦି ମାସ ହେଲାଣି ଘର ଛାଡ଼ି ଚାଲିଯାଇଛି ।” “ଚାଲିଗଲେ? କୁଆଡ଼େ??” ମୀରା ପଚାରିଲା । ମାଲିକ କହିଲା, “ସେ ତ ସେମିତି କିଛି କହିଲାନି । କହିଲା ତା’ ପାଠପଢ଼ା ସରିଗଲାଣି, ତାକୁ ଚାକିରୀ ବି ମିଳିଯାଇଛି । ସେଥିପାଇଁ ସେ ଘର ଛାଡ଼ି ଦେଲା ।”

ମୀରାକୁ ଲାଗିଲା ଯେମିତି ତା’ ଗୋଡ଼ ତଳର ମାଟି ଧସି ଧସି ଯାଉଛି । କ’ଣ କରିବ ସେ କିଛି ବୁଝି ପାରୁ ନଥାଏ । ପ୍ରକାଶ ଏମିତି କାହିଁକି କଲେ !! ତା’ ପରୀକ୍ଷାର ସବୁ ଖୁସି ତାକୁ ପୁରା ଫିକା ଫିକା ଲାଗୁଥାଏ କିନ୍ତୁ ସେ କାନ୍ଦିଲା ନାହିଁ । ସବୁ ଲୁହକୁ ଆଖି ଆଖିରେ ପିଇଗଲା । ମନକୁ ଦୃଢ଼ କଲା ଆଉ ଭାବିଲା, ଯେବେ ତା’ ପ୍ରକାଶ ଦେଖା ହେବେ ସେହି ଦିନ ହିଁ ଏହି ସବୁ ଲୁହକୁ ବୋହି ଯିବାକୁ ଦେବ ସେ ।ମିଲି ଆସି ତାକୁ ଧକାଟେ ପକାଇଲା । କହିଲା, କ’ଣ ଏଠି ବସି ଏତେ ଭାବୁଛୁ । ତତେ ନେଇକି ଆସିବାର ନଥିଲା ମୋର, ଚାଲ ଯିବା ।

ମୀରା କେମିତି ବା କହିବ, ଆଜି ବି ତା ମନ କବାଟ ଖୋଲି କାହା ବାଟ ଚାହିଁ ବସିଛି । ଆଉ ତା’ ଲୁହସବୁ ଆଜି ବି ବନ୍ଧ ବାଡ଼ ଭିତରେ ବାନ୍ଧିହୋଇ ରହିଛି ବୋହିଯିବା ପାଇଁ ।

ହେଲେ ସେ ବା କାଁହୁ ବୁଝିବ, ତା’ ମନର ମିତ, କାହିଁ କେତେ ଦୂରେ ସାତ ସମୁଦ୍ର ପାରିରେ ଆଉ କୋଉ ପ୍ରିୟା ମଥାର ସିନ୍ଦୁର ସାଜି ଯାଇଛି ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu