ବଢ଼ି ଛାଡ଼ିଗଲାପରେ…..
ବଢ଼ି ଛାଡ଼ିଗଲାପରେ

ବଢ଼ି ଛାଡ଼ିଗଲାପରେ…..

(୧)

ପଖାଳ ବେଲା ସାଙ୍ଗକୁ ଶାଗଭଜା, ବଡ଼ିଚୁରା ଆଉ ବିଲାତି ବାଇଗଣ ପାଗ ଥାଳିଟି ବାଢ଼ୁ ବାଢ଼ୁ ରମା କହୁଥିଲା ବିଜୁକୁ, “ହେଇଟି ଶୁଣିଲଣି ନା ନାଇଁ? ସେଇ ଯୋଉ ରିକିସାରେ ମାଇକି ବୁଲେଇ ବୁଲେଇ କ’ଣ ଗୋଟେ ଶୁଣେଇ ଶୁଣେଇ ଯାଉଥିଲା ୨୪ ଘଣ୍ଟା ଭିତରେ ନିଜ ନିଜ ଘର ଖାଲି କରି ଉଚ୍ଚା ସୁରକ୍ଷିତ ଜାଗାକୁ ପଳେଇବା । କାଳେ ନଈ ବଢ଼ିଛି !” ବିଲାତି ପାଗରେ ଲଙ୍କା ଦଳୁ ଦଳୁ ବିଜୁ କହିଲା, “ଆଲୋ ହୁଣ୍ଡି, ନଈ ପରା ଆମ ମୁରବୀ। ପିଲାଟି ଦିନରୁ ତାଆରି ବାଲିରେ ଖେଳି, ତାରି ଛଳଛଳିଆ ପାଣି ଖାଈ, ତାରି କନକନିଆ ପବନରେ ବଢ଼ିଛି । ତା’ପରେ ଆମ ଘର ପରା ଗାଁର ସବୁଠାରୁ ଉଚ୍ଚ ଜାଗାରେ, ଠାକୁରାଣୀଙ୍କ ଆସ୍ଥାନ ପାଖରେ । ଆଜି ଯାଏ କେତେ ବଢ଼ି ଏମିତି ଆଇଚି ଯାଇଚି ହେଲେ ଆମ ଘର ପିଣ୍ଡା ତଳ ପାହାଚ ପଅନ୍ତ ବି ପଶିପାରିନି । ତୁ ଚିନ୍ତା କରନା ଲୋ ରମା, ଆମର କିଛି ହବନି ।” ବିଜୁର କଥା ଶୁଣି ହସି ଉଠିଲା ରମା । ତା’ ହସରେ ବିଶ୍ୱାସର ଚମକ ଥିଲା । ବିଜୁ ପଖାଳ ଗୁଣ୍ଡା ପାଟିକି ବି ନେଇନଥିବ କବାଟ ଠେଲି ଧସେଇ ପଶିଲା ପାଣି ପ୍ରଥମେ ପାଦେ ପାଦେ ତା’ପରେ ଆଣ୍ଠୁଏ ତାପରେ ଅଣ୍ଟାଏ । ଗୁଣ୍ଡା ଫୋପାଡ଼ି ବିଜୁ ରମାର ହାତ ଧରି ଟାଣି ଆଣିଲା ଭିତର ଖଞ୍ଜା ଆଡ଼େ ପଛପଟ ତାଟି ଫିଟେଇ । ସେତେବେଳକୁ ଦୁହେଁ ବେକେ ବେକେ ପାଣିରେ । ରମା କହିଲା, “ମୋର ବାହାଘର ବେଳର ଗହଣା ସବୁ ରହିଗଲା । ସାଙ୍ଗରେ ନେଇ ଆସିଥିଲେ ଦରକାର ବେଳେ କାମରେ ଆସିଥାନ୍ତା ।” ବିଜୁ କ’ଣ କହିବ କିଛି ବୁଝିପାରୁନଥିଲା । ବୋଧେ ଘଟି ଯାଉଥିବା ଘଟଣାକୁ ଭରଷା କରିପାରୁନଥିଲା । ରମା ଅବାକ୍ ! ନୂଆ ସଂସାର ଗଢ଼ିବାର ମାସ କେଇଟା ବି ଯାଇନି ବିଜୁ ସହ ଆଉ ଏମିତି ଅଘଟଣ !! ପାଣି ହାବୁକା ପରେ ହାବୁକା । ସୁଅ ଉପରେ ସୁଅ । ସେଇ ସୁଅ ଭିତରେ କେତେ ଚିହ୍ନା ଅଚହ୍ନା ଲୋକଙ୍କ ମୁହଁ ଗାଈ ଗୋରୁ ଛେଳି ମେଣ୍ଢା… ଏମିତି ଗୋଟେ ବଡ଼ ସୁଅଟେ କୋଉଠି ଥିଲା କେଜାଣି, ଏତେ ଜୋର କରି ଧରିଥିବା ହାତମୁଠା ଭିତରୁ କେତେବେଳେ ଖସିଗଲା ବିଜୁର ହାତ ରମାର ଖିଆଲ ବି ପଡ଼ିଲାନି । ଏବେ ସିଏ ଏକା, ଚାରି ଆଡ଼େ ପାଣି ଆଉ ପାଣି ଭିତରେ ମିଳେଇଯାଉଥିବା ସଂସାର। ପିଲା ବେଳରୁ ନଦୀକୁ ଭଲପାଇଥିବା ରମାକୁ ଭାରି ଡର ଲାଗୁଥିଲା ନଦୀର ଏ ରୂପ ଦେଖି ।

(୨)

ନଦୀ ବଢ଼ି ଛାଡ଼ିବାର କେତେ ମାସ ବିତିଗଲାଣି । ରମା ଗାଁ ଛାଡ଼ି ଗୋଟେ କୁଦରେ ରହିଛି । ଆଶ୍ରୟ ଭୂମିରେ ଆଉରି ରହିଛନ୍ତି ତା’ପରି ଅନେକ। ତା’ ପରି ନିଜ ଲୋକକୁ ହରାଇ ଥିବା ସ୍ତ୍ରୀ, ପୁରୁଷ, ବୁଢ଼ା, ବୁଢ଼ୀ ଛୋଟ ପିଲା । ସେଦିନ ବଢ଼ିର ସୁଅରେ ଭାସି ଭାସି ସେ ବୋଧେ ଏଇ କୁଦ ପାଖାପାଖି ପହଞ୍ଚିଥିଲା ଅଚେତ ଅବସ୍ଥାରେ । କିଛି ଲୋକ ତାକୁ ଛାଣି ଆଣିଥିଲେ । ସେଇ ଦିନଠାରୁ ରମା ଏଇ କୁଦରେ । ଖୋଲା ଆକାଶ ତଳେ । କୁଦ ମାନେ ଢିପ ଅରମା ଭୁଇଁଟିଏ ମୁଣ୍ଡ ଉପରେ ଛାତ ନାହିଁ । କେବେ କେମିତି ଛିଣ୍ଡା ପାଲ ମିଳିଯାଏ । ଖାଇବା ମୁଣି ବି ଯୋଗାଡ଼ ହେଇଯାଏ ୩/୪ ଦିନରେ ଥରେ । ବିଜୁର କିଛି ଖବର ନାହିଁ । ସେ ବି ନେବାକୁ ଚେଷ୍ଟା କରିନି । ଜାଣିନି ବିଜୁ ବଞ୍ଚିଛି କି ଚାଲିଯାଇଛି ସବୁଦିନ ପାଇଁ । ରମା ଜାଣିଶୁଣି ଖବର ନେବାକୁ ଚାହିଁନି ବୋଧେ । କିଛି ଖରାପ ଖବର ପାଇବା ଅପେକ୍ଷା ନିରୁଦ୍ଦିଷ୍ଟ ରହିବା ବରଂ ଭଲ। ଆଖିରୁ ଲୁହ ବି ଶୁଖି ଯାଇଛି ବହୁତ ଦିନରୁ। ଯେଉଁଦିନ ସେଇ କୁଦରେ ତାଆରି ବୟସର ପୋଖତି ଝିଅଟାଏ ଛୁଆଟିଏ ଜନ୍ମଦେଲା ବିନା କିଛି ସ୍ୱାସ୍ଥ୍ୟସେବାରେ, ପିଲାଟିର କାନ୍ଦଣା ଶୁଣି ବୋଧେ ପ୍ରଥମଥର ଖୁସିରେ କାନ୍ଦି ପକେଇଥିଲା ରମା । ହେଲେ କିଛି ସମୟ ପରେ ପିଲାଟି ଆଉ ନକାନ୍ଦି ଚୁପ ପଡ଼ିଯିବା ଦେଖି ଡରିଗଲା । ଝିଅଟି ମୂର୍ଛା ଯାଇଛି, ତାର ସ୍ୱାମୀ ବି ବୋଧେ ବିଜୁ ପରି ନିଖୋଜ ହେଇଯାଇଛି ଅବା ମରିଯାଇଛି । କାହାକୁ ଡାକିବ ସିଏ ? ସଦ୍ୟ ଜନ୍ମିତ ସେଇ କଁଳା ପିଲାଟିକୁ ନିଜ ପିନ୍ଧିଥିବା ସାତ ସିଆଁ ଲୁଗାଟିକି ଚିରି ପୋଛା ପୋଛି କରିପକେଇଥିଲା ରମା । ଉଷୁମ ଟିକେ ଦେବା ପାଇଁ ନିଆଁର ଯୋଗାଡ଼ ଯେମିତି ହେଲେ କରିବାକୁ ପଡ଼ିବ । ଦିଆସିଲି ଖଣ୍ଡେ ହେଲେ ଏଠୁ ସେଠୁ ଡାଳ ଭାଙ୍ଗି ନିଆଁ କରିପାରିବ ଯେ ସେ । ହେଲେ ଦିଆସିଲି ଭଲା ମିଳିବ କୋଉଠୁ । ଆଖପାଖରେ ଯାଉଥିବା ଆସୁଥିବା ଲୋକଙ୍କୁ ଦିଆସିଲି ଟିକେ ପାଇଁ କେତେ ନେହୁରା ହେଲା । ଅନ୍ୟ ଉପାୟ ନ ପାଇ ପିଲାଟାକୁ କାଖରେ ଯାକି ବାହାରିଗଲା ଦିଆସିଲି ପାଇଁ ଓ ଶେଷରେ ଦିଆସିଲି, ମହମବତୀ ଆଉ କେଇଖଣ୍ଡ ଚିରାଲୁଗା ପାଇଲା କିଛି ଲୋକଙ୍କ ପାଖରୁ । ତୁରନ୍ତ ନିଆଁ ଲଗାଇ ଉଷୁମ କରିଦେଲା ଆଉ ସେଇ ଲୁଗା ଚଉତିକି ବିଛଣା କରି ଶୁଆଇଦେଲା ପିଲାଟିକି । କିନ୍ତୁ ଆଉ କିଛି ହଲଚଲ ହେଉନଥିଲା ପିଲାଟି । ରମା ଆଖିରୁ ଧାର ଧାର ଲୁହ ବୋହି ଯାଉଥାଏ । କିଛି ସମୟପରେ କାହାର ଚିଁ ଚିଁ ସ୍ୱର ଶୁଣି ଅନେଇଲା ରମା । ଦେଖିଲା ମାଆଟି ଚେତା ଫେରି ଛୁଆକୁ ଖୋଜୁଛି । ରମା ବହୁତ ଜୋରରେ ଦୌଡ଼ି ପଳେଇଆସିଥିଲା ସେ ଜାଗାରୁ । ସେଇ ଦିନଠାରୁ ବୋଧେ ରମା ଆଉ କେବେ କାନ୍ଦି ନାହିଁ ।

(୩)

ହଠାତ୍ ଦିନେ ପୁଣି ମାଇକ୍ ଶବ୍ଦ ଶୁଣିଲା ରମା କୁଦରେ । ହୁଲି ଡଙ୍ଗାଟିଏ ତା’ଉପରେ କିଛି ଭଦ୍ରଲୋକିଆ ସମାଜସେବୀଏ ଆଉ କାର୍ପଟଦାର ଲୋକ ମାଇକ ଧରି ତା’ ଗାଁ ନାଁରେ ଡକା ପକାଉଛନ୍ତି । ସେ ଡଙ୍ଗା ପାଖକୁ ଗଲା କିଛି କାଗଜପତ୍ରରେ ଦସ୍ତଖତ କରି ଅପେକ୍ଷା କଲା । ଆଉ କେତୋଟି ଡଙ୍ଗା ଆସି ଲାଗିଲେ । ତା’ ଗାଁର ଆଉ ପାଖ ଗାଁର କିଛି ଲୋକ ଡଙ୍ଗାରେ ଭର୍ତ୍ତି ହେଇ ଚାଲିଲେ । ଡଙ୍ଗା ଚାଲିଲା ପୁଣି ନଦୀ ଉପରେ ତା ଗାଁ ଆଡ଼େ । ରମା ଆଖି ଆଗରେ ବଢ଼ି ତାଙ୍କ ଘରେ ପଶିବା ଦିନଠାରୁ ସବୁ ଦୃଶ୍ୟ ଗାରେଇ ହେଇଚାଲିଥାଏ । ମନେପଡ଼ିଯାଉଥାଏ ବିଜୁର କଥା “ନଦୀ ପରା ଆମ ମୁରବୀ । ତାରି ପାଣିପବନରେ ପରା ଏଇ ଦେହ ଗଢ଼ା ।” ପୁଣି ତା’ ଆଗରୁ ନଈ ଆରପାରିରୁ ନୂଆ ବାହା ହୋଇ ବୋହୂବେଶରେ ଯେବେ ଏମିତିଆ ଡଙ୍ଗାଟିଏରେ ଆସିଥିଲା ବିଜୁଘର ଗାଁକୁ । ସତରେ ନଦୀଟା ଖାଲି ଗୋଟେ ଜଳର ଉତ୍ସ ନୁହଁ ଆମ ଭାଗ୍ୟ ବିଧାତା, କର୍ମ ନିୟନ୍ତା । ଏଇ ନଦୀରେ ସେ ବିଜୁର ହାତ ଧରି ସଂସାର ଆରମ୍ଭ କରିଥିଲା । ଏଇ ନଦୀରେ ହିଁ ତାକୁ କୁଆଡ଼େ ହଜେଇଦେଲା । ଅଥଚ ଏବେ ଏକୁଟିଆ ଏଇ ନଦୀରେ ନିଜ ଠିକଣା ଖୋଜୁଛି । ଡଙ୍ଗା ତା’ ଗାଁ ମୁହଁରେ ପହଞ୍ଚିଲାବେଳକୁ ରମାକୁ ପୁଣି ସବୁ ଖାପଛଡ଼ା ଲାଗିଲା । ଯୁଦ୍ଧ ପରବର୍ତ୍ତୀ ରଣକ୍ଷେତ୍ରର ଦୃଶ୍ୟପଟ ପରେ ସବୁ କିଛି ଉଜୁଡ଼ା, ସବୁ କିଛି ଉଚ୍ଛନ୍ନ, ସବୁଆଡ଼େ ଖାଁ ଖାଁ । ଗାଁର ପ୍ରାୟ ଘରର ଛପର ଉଡ଼ିଯାଇଥିଲା । କାନ୍ଥ ସବୁ ପଡ଼ି ଯାଇଥିଲା । ଆଉ ଯାହା କିଛି ବଳିଯାଇଥିଲା ସେଗୁଡ଼ିକ ଶିଉଳି ମାଡ଼ି କଳା ଦେଖା ଯାଉଥିଲା । ଗଛ ବୃଛ ସବୁ କଳା ଦେଖାଯାଉଥିଲେ ବିନା ଡାଳ ପତ୍ରରେ ଶିଉଳିର ଆସ୍ତରଣ ତଳେ । ରମା ନିଜ ଘରେ ପହଞ୍ଚିଲା । କଙ୍କାଳଟିଏ ପରି ବିନା ଛପର, ବିନା କାନ୍ଥର ଘରଟି ଛିଡ଼ା ହେଇଥିଲା । ରମା ଘର ଭିତରକୁ ପଶିଲା । ଦେଖିଲା ଏବେ ବି ପଛପାଖର କିଛି କାନ୍ଥ ପାଣିରେ ବତୁରି ବତୁରି ଠିଆ ହେଇଛି । କାନ୍ଥରେ ଠଣିଟା ବି ସେମିତି ଅଛି । ହାତ ମାରିଲା ବେଳକୁ କିଛି ଗହଣା ଥାଇ ଛୋଟ ବାକ୍ସଟିଏ । ଆଉ ସରାଗାତ କେଜାଣି ପାଣିରେ ନମିଳେଇ ଏଗୁଡ଼ାକ ଯେମିତି ସେମିତି ଥୁଆ ହେଇଛି ! ଏଇ ସରାଗାତଟି ବିଜୁ ସହ ଜିଦି କରି ବଡ଼ଓଷା ଯାତ୍ରାରେ କିଣିଥିଲା । ଟଙ୍କା ଜମା କରି କାଳେ ସୁନା ବ୍ରୋଞ୍ଚର ଖଡ଼ୁ କିଣିଥାନ୍ତା । ସେଇ ସରାଗାତକୁ ଧରି ରମା ବହୁତ ସମୟ ଯାଏଁ କାନ୍ଦିଲା । ବନ୍ୟାଜଳରେ ମିଳେଇ ନଥିବା ସରାଗାତଟା ବୋଧେ ତାଆରି ଅପେକ୍ଷାରେ ଥିଲା । ତା’ ଲୁହରେ ଧିରେ ଧିରେ ମିଳେଇଗଲା । ଆଉ ରମା ପାଦ ଉପରେ ଖଣ ଖଣ ଶବ୍ଦ କରି କିଛି ଖୁଚୁରା ଟଙ୍କା ମୁହଁମାଡ଼ି ପଡ଼ିଗଲେ । ରମା ଏଥର ଟଙ୍କା ଓ ଗହଣାଗୁଡ଼ିକୁ ସାଉଁଟି ନଦୀ ଆଡ଼େ ଚାଲିଲା । ନଦୀରେ ମୁଣ୍ଡ ବୁଡ଼େଇ ଭଲକି ଗାଧୋଇଲା । ନିଜ ହାତମୁଠାରେ ଚାପିଥିବା ଖୁଚୁରା ଟଙ୍କା ଓ ଗହଣା ସବୁ ଆଞ୍ଜୁଳାରୁ ତର୍ପଣ କଲାପରି ନଈରେ ଅଜାଡ଼ି ଦେଲା ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu