ଇଦ୍
ଇଦ୍

ଇଦ୍

କୁହାଯାଏ କଟକ ହେଉଛି ଭାଇଚାରାର ସହର । ସମସ୍ତେ ସମସ୍ତଙ୍କୁ ଭାଇ ବୋଲି ସମ୍ବୋଧନ କରନ୍ତି । ଅସୁବିଧା ବେଳେ ଭାଇ ଡାକି ଦେଲେ ୪ ଲୋକ ଆସିକି ଛିଡ଼ା ହେଇଯିବେ । ହିନ୍ଦୁ ମୁସଲମାନ ବି ଭାଇ ଭାଇ ଭଳି ଚଳନ୍ତି । ଏଠି ଦଶହରା, କାଳୀପୂଜା, ଇଦ, ରମଜାନ ସମସ୍ତେ ଏକାଠି ମିଶିକି ପାଳନ କରନ୍ତି । କିଛି ବାଛ ବିଚାର ନଥାଏ ।

ଇଦ ହେଉଛି ମୁସଲମାନ ଭାଇମାନଙ୍କ ପାଇଁ ଏକ ବଡ଼ ପର୍ବ । ବର୍ଷକୁ ୫ଟି ଇଦ ପଡ଼ୁଥିଲେ ବି ଇଦ-ଉଲ-ଫିତର ଏବଂ ଇଦ-ଉଲ-ଜୁହାକୁ ସବୁଠୁ ଅଧିକ ଉତ୍ସାହର ସହିତ ପାଳନ କରାଯାଏ । କଟକ ସହରରେ ମୁସଲମାନ ସଂପ୍ରଦାୟର ଲୋକଙ୍କ ସଂଖ୍ୟା ଅତି ବେଶିରେ ୪-୫ ପ୍ରତିଶତ ହେବ । ମୋର ଜନ୍ମ ଏଇ ସହରରେ । ଜନ୍ମରୁ ୨୫-୨୬ ବର୍ଷ ହବା ପର୍ଯ୍ୟନ୍ତ କଟକ ସହର ଥିଲା ମୋର ବାସସ୍ଥାନ । ସ୍କୁଲରେ ପଢ଼ିଲା ବେଳେ ଆମ ପାଇଁ ଇଦ କେବଳ ଏକ ଛୁଟିଦିନ ଥିଲା । ଶ୍ରେଣୀରେ ଶିକ୍ଷକ କେବେ ଇଦର ମହତ୍ତ୍ୱ ବୁଝେଇଥିବାର ମନେ ପଡ଼ୁନି । ଯଦିଓ କହିଥିବେ ସେତେବେଳର ଚପଳ ମସ୍ତିଷ୍କରେ ବୋଧେ ପଶିନଥିବ । ବାପା ଯେହେତୁ ପୋଲିସ ବିଭାଗର କର୍ମଚାରୀ ଥିଲେ ଇଦ ଦିନ ବଡି ଭୋରୁ ଡ୍ୟୁଟିରେ ଯିବାର ଦେଖିଛି । ସକାଳୁ ଯାଉଥିଲେ ଯେ ଏକାଥରେ ରାତିକୁ ଆସୁଥିଲେ । ଆମ ଦୁଇ ଭାଇଙ୍କର ସେଦିନ କଚେ ପୁଅ ବାର । ସ୍କୁଲ ଛୁଟିକୁ ବାପା ରୁହନ୍ତିନି ଘରେ । ଉଦଣ୍ଡ କରିବାକୁ ଭଲ ସୁଯୋଗ ମିଳି ଯାଉଥିଲା ।

ସ୍କୁଲରୁ କଲେଜ ଗଲା ବେଳକୁ ନୂଆ ନୂଆ ସାଇକଲ ଖଣ୍ଡେ ମିଳିଥିଲା । ତାକୁ ଧରି କଟକର ବିଭିନ୍ନ ସାହି ବୁଲା ଆରମ୍ଭ ହେଲା । ଧୀରେ ଧୀରେ ଜଣା ପଡ଼ିଲା ଯେ ଅଲିସା ବଜାର, ଶେଖ ବଜାର, ଓଡ଼ିଆ ବଜାର ଇତ୍ୟାଦି ସାହିରେ ମୁସଲିମ ଭାଇମାନଙ୍କ ସଂଖ୍ୟା ଟିକେ ଅଧିକ । କେବେ କେମିତି ରମଜାନ ସମୟରେ ଯଦି ସେପଟକୁ ସାଇକଲ ଗଡ଼େ, ଭଳିକି ଭଳି ଲିଚୁ ଲାଇଟ, ବିଭିନ୍ନ ପ୍ରକାରର ତୋରଣ, ଯାକଯମକ ଦେଖିବାକୁ ମିଳେ । ମୁଁ ଭାବୁଥିଲି ହଁ ଆମର ଦଶହରା, ଗଣେଶ ପୂଜା ଭଳିଆ ତାଙ୍କର ବି ଗୋଟେ କ’ଣ ପର୍ବ ହେଇଥିବ । ସେତେବେଳକୁ ଜଣେ ଅଧେ ମୁସଲିମ ସାଙ୍ଗ ମଧ୍ୟ ମିଳି ଯାଇଥିଲେ । ହେଲେ ତାଙ୍କ ସହିତ ବି ଇଦ ବିଷୟରେ ବିସ୍ତୃତ ଭାବେ କଥୋପକଥନ କରିବାକୁ କେବେ ସୁଯୋଗ ମିଳି ନଥିଲା । ତେଣୁ ଇଦର ପ୍ରକୃତ ସଂଜ୍ଞା ବୁଝିବା କେବେ ସମ୍ଭବ ହେଇନଥିଲା ବା ମୁଁ କେବେ ଚେଷ୍ଟା କରି ନଥିଲି ।

କିଛି ବର୍ଷ ତଳେ ଭୁବନେଶ୍ୱରରୁ ଚାକିରି ଛାଡ଼ି ନୂତନ କର୍ମ ସଂସ୍ଥାନରେ ଯୋଗ ଦବାକୁ ହାଇଦ୍ରବାଦ ଆସିଲି । ଘର ଲୋକ ପ୍ରଥମେ ହାଇଦ୍ରାବାଦ ନାଁ ଶୁଣିକି ନାସ୍ତିବାଣୀ ଶୁଣେଇ ଦେଇଥିଲେ । ହାଇଦ୍ରାବାଦ ହେଉଛି ନିଜାମଙ୍କର ସହର । ଏଠାରେ ମୁସଲିମମାନଙ୍କ ସଂଖ୍ୟା ଅଧିକ । ଘର ଲୋକଙ୍କର ଚିନ୍ତା ଥିଲା କୋଉଠି ରହିବୁ, କ’ଣ ଖାଇବୁ । ସେଇଠି ତ’ କଥା କଥାରେ ଦଙ୍ଗା ହେଇଯାଉଥିବ । ତଥାପି କିଛିଟା ବୁଝାବୁଝି ପରେ ଅନିଚ୍ଛା ସତ୍ତ୍ୱେ ରାଜି ହେଲେ ।

ଯୋଗକୁ ମତେ ଘର ଭଡ଼ା ମିଳିଲା ଏକ ପ୍ରତିଷ୍ଠିତ ମୁସଲିମ ବହୁଳ ସାହିରେ । ଘର ମାଲିକ, ପଡ଼ିଶା, ବିଲ୍ଡିଙ୍ଗ ପରିଚାରକ ସମସ୍ତେ ଥିଲେ ମୁସଲିମ । ଏ ସମସ୍ତଙ୍କ ଭିତରେ ମୋର ସବୁଠୁ ବେଶି ଦୃଷ୍ଟି ଆକର୍ଷଣ କରିଥିଲେ ଜଣେ ମହିଳା । ମୁଁ ରହୁଥିବା ଆପାର୍ଟମେଣ୍ଟର ପ୍ରଭାରୀ (care taker) । ତାଙ୍କ ନାଁ, ସଲମା ମାଉସୀ । ସେ ଜଣେ ସ୍ୱାମୀ ପରିତ୍ୟକ୍ତା ମହିଳା । ବୟସ ୪୫-୫୦ ବର୍ଷ ଭିତରେ ହବ । ରହୁଥିଲେ ଆପାର୍ଟମେଣ୍ଟର ସିଡ଼ିଘରେ । ଅତି ବେଶୀ ରେ ୮*୮ ବର୍ଗଫୁଟର ଘର ହେବ । ସାଙ୍ଗରେ ଥିଲେ ୩ଟି ଝିଅ । ଘର ଭିତରେ ଭଙ୍ଗା ଖଟ ଗୋଟେ । ଲୁଗାପଟା ରଖିବା ପାଇଁ ଛୋଟ ଆଲେଣା ଖଣ୍ଡେ । ରୋଷେଇ ପାଇଁ କିରୋସିନ ଚୁଲା ଗୋଟେ, ଆଉ କିଛି ବାସନ କୁସନ । ତାଙ୍କ ଉପରେ ନ୍ୟସ୍ତ ଥିଲା ଆପାର୍ଟମେଣ୍ଟକୁ କେମିତି ସଫା ସୁତର ରଖିବା, କିଏ ଆସିଲା, କିଏ ଗଲା ନଜର ରଖିବା, କାହାର ବିଦ୍ୟୁତ ସରବରାହ ବନ୍ଦ ହେଲା, କାହାର ପାଣି ପାଇପ ଜାମ୍ ହେଲା ଠିକ କରେଇବା, ଇତ୍ୟାଦି ଦାୟିତ୍ୱ । ଘରମାଲିକ ଏବଂ ଭଡ଼ାଟିଆମାନେ ଆପାର୍ଟମେଣ୍ଟ ଅନୂରକ୍ଷଣ ପ୍ରତି ମାସରେ କିଛି କିଛି ଟଙ୍କା ଦିଅନ୍ତି । ସେଇଥିରେ ସେ ମାସକର ଗୁଜୁରାଣ ମେଣ୍ଟାନ୍ତି ।

ମୁଁ ହାଇଦ୍ରବାଦ ଆସିବାର ଖୁବ କମ ଦିନ ଭିତରେ ସେ ବର୍ଷ ଇଦ-ଉଲ୍-ଫିତର ପଡ଼ିଥିଲା । ଅଫିସ ଛୁଟି ଥାଏ । କିନ୍ତୁ କୌଣସି ଅନିବାର୍ଯ୍ୟ କାରଣ ବସତଃ ମତେ ଅଫିସ ଯିବାକୁ ପଡ଼ିଲା । ଅଫିସରୁ ଫେରିଲା ବେଳକୁ ରାତି ୧୧ । ଘରେ ପହଞ୍ଚି ଦେଖିଲି ରାତ୍ରିଭୋଜନ ପାଇଁ parle-G ବିସ୍କୁଟ ପ୍ୟାକେଟଟିଏ ଛଡ଼ା ଆଉ କିଛି ନାହିଁ । ପ୍ରବଳ ଭୋକ ଲାଗୁଥାଏ । ପାଖ ଫାଷ୍ଟଫୁଡ୍ ଦୋକାନରୁ କିଛି କିଣିକି ଖାଇବି ଭାବି ତଳକୁ ଓହ୍ଲେଇ ରାସ୍ତା ଉପରକୁ ଆସିଲି । ମୋର ଦୁର୍ଭାଗ୍ୟକୁ ସବୁ ଦୋକାନ ବନ୍ଦ । ସେତେବେଳେ ଆଜିକାଲି ଭଳିଆ ଅନଲାଇନ ଖାଦ୍ୟ ବିତରଣ ବି ଆରମ୍ଭ ହେଇନଥାଏ । କ’ଣ କରିବି ଭାବିକି ଆପାର୍ଟମେଣ୍ଟ ଗେଟ ସାମ୍ନାରେ ଛିଡ଼ା ହେଇଥାଏ । ଭିତରୁ ହଠାତ ସଲମା ମାଉସୀ ଆସିଲେ । ପଚାରିଲେ;

– କ୍ୟା ହୁଆ ବେଟା । ଇତନେ ରାତ କୋ ବାହାର ଖଡ଼େ ହୋ । ଖାନା ହୋଗେୟା?
– ନହିଁ ମୌସୀ… ଆଜ୍ ୟହାଁ ପେ ସବ୍ ହୋଟେଲ ବନ୍ଦ ହେ କ୍ୟା ?
– ଆରେ ବେଟା ଆଜ ସବ ଲୋଗ ଇଦ ମନା ରହେ ହେଁ । ଦୁକାନ କୌନ୍ ଖୋଲେଗା !

ମୁଁ ସେତେବେଳକୁ ଭାବିସାରିଥାଏ ଆଜି ରାତିଟା Parle-G ଖାଇକି ରହିବାକୁ ପଡ଼ିବ । ସାଙ୍ଗେ ସାଙ୍ଗେ ସେ କହିଲେ;

– କୋଇବାତ୍ ନେହିଁ । ଆଜ ଇଦ ମେଁ ମେରେ ହାତ କା ଖାନା ଖା ଲୋ । ଚଲୋ ଅନ୍ଦର୍ । ମେ ଟିଫିନ ମେଁ ଦେ ଦେତୀହୁଁ ।
– ନହିଁ ମୌସୀ । ଠିକ ହେ । ମେ କୁଛ ଖା ଲୁଙ୍ଗା ।

ସେ ବୋଧେ ମୋ ଅସହଜତାକୁ ପଢ଼ିପାରି କହିଲେ;

– ଚିକେନ ହେ ବେଟା । ସାଥ ମେଁ ଚାୱଲ ।

ଏତିକି କହିକି ସେ ଜବରଦସ୍ତି ଟିଫିନରେ ଭାତ, ଚିକେନ ତରକାରୀ ଭର୍ତ୍ତିକରି ଦେଲେ । ମୁଁ ରୁମକୁ ନେଇକି ତ’ ଆସିଲି । କିନ୍ତୁ ତଥାପି ମନକୁ ପାପ ଲାଗୁଥାଏ । କାଳେ ଗାଈ ମାଂସ ହେଇନଥିବ ତ ! ମୋର ଧର୍ମ ଭ୍ରଷ୍ଟ ହେଇଯିବନି ତ !! ମୋ ଠାକୁର ରାଗିବେନି ତ ! ସେତେ ବେଳକୁ କିନ୍ତୁ ଭୋକର ଜ୍ୱାଳା ସବୁ ସୀମା ଟପିସାରିଲାଣି । ଆଉ ମସ୍ତିଷ୍କକୁ ଅଧିକ କଷ୍ଟ ନ ଦେଇ ଖାଇ ଗଲି । କି ସ୍ୱାଦ ସେ ତରକାରୀ ! ସତେ ଯେମିତି ସଲମା ମାଉସୀ ହାତରେ ଯାଦୁ ଥିଲା ।

ଖାଇସାରି ହାତ ଧୋଇଲା ବେଳକୁ ମୁଁ ବୁଝିସାରିଥିଲି ଇଦ-ଉଲ-ଫିତରର ପ୍ରକୃତ ଅର୍ଥ । ଇଦ ହେଉଛି ଦୟା, ପ୍ରେମ, ଶ୍ରଦ୍ଧା, ଦାନ, ମାନବିକତାର ଉତ୍ସବ । ଯାହା ଧର୍ମ ଠାରୁ କାହିଁ କେତେ ଉପରେ । ଧର୍ମ ତ’ କେବଳ ଏକ ମାନସିକତା । ପ୍ରକୃତ ତତ୍ତ୍ୱ ହେଉଛି ମାନବିକତା ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu