You are currently viewing ପିଶାଚୁଣୀର ଆତ୍ମଗାଥା
ପିଶାଚୁଣୀର ଆତ୍ମଗାଥା

ପିଶାଚୁଣୀର ଆତ୍ମଗାଥା

ସହରଠାରୁ ଚାଳିଶି କିଲୋମିଟର ଦୂରରେ ମଧୁପୁରର ଥାନାରେ ବସି, ଗୁନୁ ଅପେକ୍ଷା କରିଛି ଥାନା ଅଧିକାରୀ ବଂଶୀଧର ମହାନ୍ତିଙ୍କୁ । “ବାବୁ ଆଇବେ ନା ଆଜି?” ଗୁନୁ ପଚାରିଲା ଥାନା କନେଷ୍ଟବଳ ସାହୁବାବୁଙ୍କୁ । ହଁ ଅଭିପ୍ରାୟରେ ମୁଣ୍ଡ ଟୁଙ୍ଗାରିଦେଲେ ସାହୁବାବୁ । ପାଖାପାଖି ଛଅ ଘଣ୍ଟା ଯାଏଁ ଅପେକ୍ଷା କରିରହିଲା ଗୁନୁ । ଥାନା ଅଧିକାରୀ ମହାନ୍ତି ବାବୁ ଆସି ପହଞ୍ଚିଗଲେ, ଗୁନୁ ତାଙ୍କୁ ଦେଖୁ ଦେଖୁ ବଡ଼ ନମସ୍କାରଟେ ମାରିଦେଲା । ମହାନ୍ତି ବାବୁ ବୋଧେ ଗୁନୁକୁ ଧ୍ୟାନ ନଦେଇ ଆଗକୁ ବଢ଼ିଗଲେ । ଗୁନୁ ତାଙ୍କ ପଛେ ପଛେ ଚାଲିଥାଏ, ସାହୁବାବୁ ଆସି ପଛପଟୁ ତାକୁ ଅଟକାଉଥାନ୍ତି । ସେ କିନ୍ତୁ ଏକମୁହାଁ ହୋଇ ଚାଲିଥାଏ ମହାନ୍ତି ବାବୁଙ୍କ ପଛରେ । ମହାନ୍ତି ବାବୁ ପ୍ରବେଶ ହେଲେ ତାଙ୍କ କକ୍ଷରେ, ମୁଣ୍ଡରୁ ଖାକି ଟୋପିଟି ବାହାରକରି ଟେବୁଲରେ ରଖି ଦେଖିଲେ ଗୁନୁ ତାଙ୍କ ସମ୍ମୁଖରେ । ମୁଣ୍ଡରୁ ଗୋଡ଼ଯାଏଁ ଆଖିବୁଲେଇ ଦେଖିଲେ ତାକୁ । ପଚିଶ କି ସତେଇଶି ବର୍ଷୀୟ ସ୍ତ୍ରୀଲୋକଟା । ମୁଣ୍ଡ କେଶ ନୁଖୁରା, ଆଖି ଦୁଇଟି କରୋଡ଼ ଭିତରେ ପଶିଯାଇଛି, ଗାଲରେ ପୁଳେ ମାଂସ ନାହିଁ, ହାତ ଗୋଡ଼ ସବୁ ସରୁଳିଆ ବତା ସଦୃଶ, ଦେହ ରଙ୍ଗ କଳା କିନ୍ତୁ ନିର୍ମଳ, ଦେହରେ ଖଣ୍ଡେ ସସ୍ତା ଲୁଗା । ସେ ଲୁଗାରେ କିନ୍ତୁ ଗୁନୁର ଦେହ ଲୁଚୁନଥାଏ, ଆଣ୍ଠୁ ଲମ୍ବାର ଶାଢ଼ୀଟି ମାତ୍ର । ହାତରେ ଅଳ୍ପ ଚୁଡ଼ି କିନ୍ତୁ ମଥାରେ ସିନ୍ଦୁର ନାହିଁ । ଗୁନୁର ଶରୀରରେ ବନ୍ଧାହୋଇଛି ଗୋଟିଏ ତିନି ଚାରିମାସର ଶିଶୁଟିଏ । ଶିଶୁଟି ରୁଗ୍ଣ ଏବଂ ଶାନ୍ତ ହୋଇ ସେ ଗଣ୍ଠିଲିରେ ଶୋଇଥାଏ ।

“କଣ ହେଲା, ଏଠି କ’ଣ ଗହଳି କରିଛୁ? ଯାହା ହେଇଛି ସେଠି ବାହାରେ ସାହୁକୁ କହ । ଯା ଏଠୁ ।” ମହାନ୍ତି ବାବୁ ଟିକେ ଆଖି ଦେଖେଇ କହିଲେ ଗୁନୁକୁ । “ମୁଁ ସେଇକଥା କେତେବେଳୁ କହିଲିଣି ସାର୍ । ଇଏ ଶୁଣୁନି ଆଜ୍ଞା । ଆପଣ ବ୍ୟସ୍ତ ହୁଅନ୍ତୁନି ସାର୍, ମୁଁ ୟା କଥା ବୁଝୁଛି ।” ସାହୁବାବୁ ଥାନା ଅଧିକାରୀଙ୍କ କ୍ରୋଧକୁ ମାପିନେଇଥିଲେ ବୋଧେ । ଗୁନୁକୁ ନିଜ ସହ ବାହାରକୁ ନେଇଗଲେ ସାହୁବାବୁ । “କ’ଣ କିଲୋ, ତୋ ମୁଣ୍ଡ ଖରାପ ନା କ’ଣ? ପଶିଗଲୁ କ’ଣ ସାର୍‌ଙ୍କ ରୁମକୁ? ଏଠି ସାର୍ ଯାହା କହିବେ ତାହା ହବ । ମାମଲତକାର ହବୁ ଯଦି ତୋତେ ହାଜତରେ ପୁରେଇଦେବେ ।” ସାହୁବାବୁ ତାଗିଦ କରି କହିଲେ । “ହଁ ପୁରାନ୍ତୁ ହାଜତରେ । ଯାହା କରିବେ କରନ୍ତୁ ହେଲେ ତାଙ୍କୁ ଦେଖା କରବି ଆଉ ସବୁ କହିକି ଯିବି ।” ଗୁନୁ ବୀର ଦର୍ପରେ କହିଗଲା । “ଭାକ୍, ବେଶୀ କଥା କହିଲା ଏଠି । ଚୁପ ହେଇକି ବସ ସେଠି ।” ସାହୁବାବୁ ଏଥର ଟିକିଏ ଆଖି ଲାଲ କରି କହିଲେ । ଘଣ୍ଟାରେ ସମୟଟା ଯେମିତି ଘୋଡ଼ା ଉପରେ ବସି ଆଗକୁ ବଢ଼ୁଥିଲା । ସମୟ ସନ୍ଧ୍ୟା ଆଠଟା ବାଜିଥାଏ, ମହାନ୍ତି ବାବୁ ବାହାରିଲେ ତାଙ୍କ କକ୍ଷରୁ ଘରକୁ ଯିବା ପାଇଁ । ଘର ତ’ ନୁହେଁ ସେଇଟା ସରକାରୀ କ୍ୱାଟର, ସମସ୍ତ ସୁଖ ସୁବିଧାଠାରୁ ଦୂରରେ । ଯେହେତୁ ସହରଠାରୁ ଏତେ ଦୂରରେ ଥିଲା ଏହି ଗାଁଟି, ସେଥିପାଇଁ ମହାନ୍ତି ବାବୁ ତାଙ୍କ ପରିବାରକୁ ସହରରେ ଛାଡ଼ି ଏକା ରହୁଥିଲେ । ଗୁନୁ ଏଥର ଯାଇ ଧରିପକେଇଲା ମହାନ୍ତି ବାବୁଙ୍କ ପାଦ । ମହାନ୍ତି ବାବୁ ହଠାତ୍ ଆକ୍‌ଚା ହେଲା ପରି ହେଇଗଲେ, କାରଣ ଭାବିନଥିଲେ ଯେ କେହି ଜଣେ ଆସି ତାଙ୍କ ପାଦ ଧରିଦେବ ବୋଲି । “ମୋର୍ କଥାଟା ଟିକେ ଶୁଣୁନ୍ ଆଜ୍ଞା ।”ଗୁନୁ କାନ୍ଦ କାନ୍ଦ ସ୍ୱରରେ କହିଲା । ମହାନ୍ତି ବାବୁ ଏଥର ଗୁନୁକୁ ଆଖିଦେଖେଇଲେ ନାହିଁ ବରଂ ଶାନ୍ତ ସ୍ୱରରେ କହିଲେ, “ହଉ ହେଲା, ତୁ ଉଠିଲୁ । ପାଦ କ’ଣ ଧରୁଛୁ ତୁ ମୋର ।” ଗୁନୁ ଆଖି ଛଳ ଛଳ ଏବଂ ହାତ ଦୁଇଟି ଯୋଡ଼ି ଠିଆ ହୋଇଥାଏ ସେ ଥାନା ଅଧିକାରୀ ମହାନ୍ତି ବାବୁଙ୍କ ସମ୍ମୁଖରେ ।

ମହାନ୍ତି ବାବୁ ଦେଖୁଥାନ୍ତି ଗୁନୁକୁ ଏବଂ ଗୁନୁ ତଳକୁ ମୁହଁ କରି ବସିଥାଏ । ଗୁନୁ ଏଥର ନିଜ କଥା ଆରମ୍ଭ କଲା ।

“ମୋ ନା ହେଲା ଗୁନୁ ବେଣ୍ଟକାର । ମୁଁ ଗାଁ ଆଗରେ ଯଉ ତଳସାହି ଅଛି ସେଇଠିନି ରୁହେ । ମୋର୍ ଗୁଟେ ଦିଟା ପୁଅ ଆଉ ଦୁଇଟା ଝିଅ । ମୋର ନୁକର ନା ଟା ପାଟରା ବେଣ୍ଟକାର । ସେଟା ମଦୁଆଟା ଆଜ୍ଞା । ମକେ ବହୁତ ମାରେ, ମୋର୍ ଛୁଆଗାକେ ବି ମାରେ । କିନାଗି ମାରେ ଆଉ କି କହିବି? ତାକେ ପଇସା ନଦେଲେ ମଦ୍ ପିଇତେ, ସେ ଆମକେ ମାରେ । ତା’ର ପଇସା ଗା ଖାଲି ମଦ୍ ପିଇ ପିଇ ନି ସରେଇ ଦେଉଛି । ହେଲେ ମୁଇଁ ତାର୍ ପାଇଁ ଆସିନି, ମୁଇଁ ଆର୍ ଗୁଟେ କଥା ପାଇଁ ଆଇଚି ।”

“ତୋ ସ୍ଵାମୀ ତୋତେ ମାରୁଛି କିନ୍ତୁ ତୁ ତା’ ନାଁରେ ଏତେଲା ଦେବାକୁ ଆସିନୁ!! ତେବେ କ’ଣ କଥା?” ମହାନ୍ତି ବାବୁ ଆଶ୍ଚର୍ଯ୍ୟ ହୋଇ ପଚାରିଲେ ।

ଗୁନୁ ପୁଣି ଆରମ୍ଭ କଲା, “କିଶ କହିବି? ମୋର ବଡ଼ ଝିଅର ନା ପେଚି, ତାକେ ବୟସ ନଅ ବରଷ୍ । ପେଚି ମୋର ସାଙ୍ଗରେ ବିଲକେ କାମ୍ କରତେ ଯାଉଥିଲା । ଆମେ ମା ଝିଅ ମିଶିକି ଘରଟାକେ ଚଳଉଥିଲୁ ହେଲେ ମୁଁ ମୋ ବଡ୍ ଝିଅକେ ବିକ୍ରି କରିଦେଲି ।”

ମହାନ୍ତି ବାବୁ ଯିଏକି ଆରମ୍ଭରୁ ଗୁନୁ କଥାରେ ଏତେ ଧ୍ୟାନ ଦେଇନଥିଲେ, କିନ୍ତୁ ତାଙ୍କ ମୁହଁର ଭାବ ବଦଳିଗଲା ଯେତେବେଳେ ସେ ଝିଅ ବିକ୍ରି କଥା ଶୁଣିଲେ । “କ’ଣ! ଝିଅକୁ ବିକ୍ରି କରିଦେଲୁ? କାହାକୁ ବିକ୍ରି କଲୁ? କାହିଁକି ଏମିତି କଲୁ? ଜାଣିଛୁ କେତେ ବଡ଼ ପାପ କାମ କରିଛୁ?” ମହାନ୍ତି ବାବୁ ଅସମ୍ଭାଳ ହୋଇ ପ୍ରଶ୍ନ ପଚାରିଚାଲିଲେ । ମନରେ ମନରେ ଭାବିଲେ ଯେ କେହି କ’ଣ କେବେ ଏତେ ନିଷ୍ଠୁର ହେଇପାରେ? ନିଜ ଝିଅକୁ ବିକ୍ରି କରିଦେବାଟା ସମ୍ଭବ? କେଉଁ ପରିସ୍ଥିତିରେ ଜଣେ ଏମିତି କରିବ? କ’ଣ କେହି କେବେ କୌଣସି ପରିସ୍ଥିତିରେ ପଡ଼ି ଏପରି କରିପାରିବ? ଏଇଟା ଗୋଟେ ମା ନା ପିଶାଚୁଣୀ?

ଗୁନୁ ସେମିତି ବସିଥାଏ, ଥାନା ଅଧିକାରୀଙ୍କ ପ୍ରଶ୍ନର ଉତ୍ତର ନଦେଇ ତଳକୁ ଚାହିଁ । ବୋଧହୁଏ ନିଜ ଭୁଲ ବିଷୟରେ ଭାବୁଥିଲା।

ପୁଣିଥରେ ଗୁନୁ ନିଜ କାହାଣୀ ଆରମ୍ଭ କଲା, “ମୁଇଁ ନାଇ ବିକ୍ରି କରଛି ତା’ର ବାପ କରିଛି, ମୁଇଁ କିଶ କରିଥାନ୍ତି? ପେଚି ବଡ୍ ହେଉଥିଲା ଆଉ ମୋର୍ ପାଖରେ ପଇସା ନାଇ ଥିଲା ତାକେ ପାଳିତେ । ତାକେ ଘରେ ରଖଲେ ବାହା କିଏ କରେଇବ? ତା’ର ବାପ ତ ସବୁ ପଇସା ଗା ସାରିଦେଲା । ତା’ ବାପା ସବୁ ଦିନ ଏଠକି ସେଠକି ନେବି ବୋଲି କହୁଥିଲା । ମଦନ ଆସଲା ଦିନେ କିଗା କହିକି ପଳେଇଲା କେଜାଣ, ଦୁଇଦିନ ପରେ ପେଚିକୁ ବିକ୍ରି କରିଦେଲା । ତା’ର ବାପ କି ଖୁସିହେଲା, ମୋର୍ କଲଜାଟା ଫାଟିଯାଉଥାଏ । ମକେ ସବୁ ସାହାଯ୍ୟ ସେ କରୁଥିଲା ଆଜ୍ଞା । ଦୁଇ ଦିନ କାନ୍ଦିଛି ମୁଇଁ । ପୁଲିସକେ କହିଦେବି ବୋଲଲି ଯେ, ମକେ ମାରିଗୁଡ଼େଇଲା ଆଜ୍ଞା । ମକେ କହିଲା ଯେ ଛୁଆର କିଶ ଅଛି ଗୁଟେ ଗଲେ ଆଉ ଗୁଟେ ଆଇବ । ପେଚି ଗଲା ପରେ ମୋର୍ ଆଉ ଗୁଟେ ପୁଅ, ଗୁରା ଆଇଲା । ପେଚି ତଳେ ଆଉ ଗୁଟେ ଝିଅ ଅଛି, ତା’ର ନା ହେଲା ଛୁଟି । ସେଟା ସାନ ବେଳେ ଟିକେ ଛୁଟଉଥିଲା ବୋଲି ତାକେ ଛୁଟି ଡାକୁ ଆମେ । ତା’ର କଥା କିଶ ଯେ, ବାବୁ ତାକେ ଖାଲି ଜର ହୁଏ ଛୁଆବେଳୁ । ବଡେ ରୁଗିଣାଟା । ତଥାପି ଯାଇ ପଣ୍ଡା ଘରେ ବାସନ ମାଜେ । ବିଲକୁ ନେଲି ଯେ ଦିନକରେ ଚିତ ପଟାଙ୍ଗ । ତାକେ କେହି କିଣବେନି ବୋଲି ତା’ର ବାପ ତାକେ ବଢେ ମାରେ, ମକେ କୁହେ ଖାଇତେ ନଦେବା ଲାଗି । ସେଇନାଗି ତାକେ ପଣ୍ଡା ଘରକେ ପଠାଏ । ତା’ର ପରେ ଗୁଟେ ପୁଅ ବୁଲା । ବୁଲା ତା’ର ବୁଲୁଥାଏ ସାଙ୍ଗ ମାନକା ସାଙ୍ଗରେ । ମନୁ ଘର ଟ୍ରାକ୍ଟରରେ ଯାଏ, ତା’ର ଯାହା ମିଳେ ସେଇଗା ଆମକେ ଦିଏନି । ଆଉ ସଭା ସାନ ହେଲା ଗୁରା, ଏଇଟା ମୋ କାଖରେ । ଏଇଟା ସାନ ଛୁଆଟା, ତିନ ମାସ ହେଇଛେ । ଏତାର ବାପ ୟାକେ ବିକ୍ରି କରିବ ବୋଲି ନେଇଯାଉଥିଲା ହେଲେ ମୁଇ ନେଇତେ ଦେଲିନି ।”

ମହାନ୍ତି ବାବୁ ଚାହିଁରହିଥିଲେ ଗୁନୁ ମୁହଁକୁ । ମହାନ୍ତି ବାବୁ ପ୍ରାୟ ଦିନ ଏମିତି ଘଟଣା ସଂସ୍ପର୍ଶରେ ଆସନ୍ତି, କେବେ ଛୁଆ ବିକ୍ରି, କେବେ ସ୍ଵାମୀ-ସ୍ତ୍ରୀର ଝଗଡ଼ା ହୋଇ ଟାଙ୍ଗିଆରେ ହଣାକଟା ତ’ କେବେ ମଦ ପିଇ ଉତ୍ପାତ ହବା । କିନ୍ତୁ ଗୁନୁର କାହାଣୀ ଟିକେ ଅଲଗା ଲାଗୁଥିଲା । ଗୁନୁ ମୁହଁକୁ ଆଉ ଟିକିଏ ନିରୀକ୍ଷଣ କଲେ ସେ, ମୁହଁରେ ଦୁଇ ତିନି ଯାଗାରେ ଖଣ୍ଡିଆ ଥିଲା । ସକାଳେ ନିହାତି ଗୁନୁ ଏବଂ ତା’ ସ୍ଵାମୀର ମାରପିଟ ହେଇଥିବ । ଏତେ ସମୟ ଥାନାରେ ବସି ସେ ଖଣ୍ଡିଆର ରକ୍ତ ସବୁ ଶୁଖିଯାଇଛି । “ତୋର କ’ଣ ଆଜି ତୋ’ ସ୍ଵାମୀ ସହ ମାରପିଟ ହେଇଛି କି?” ସଂକୋଚ କରି କରି ଶେଷକୁ ପଚାରିଲେ ମହାନ୍ତି ବାବୁ ।

“ତାକେ ମାରିଦେଲି ମୁଇଁ । ହଁ ତାକେ ବୁଡ଼ିଆରେ ହାଣିଦେଲି ।” ଗୁନୁର ମୁହଁ ରକ୍ତମୁଖା, ଆଖିରେ କ୍ରୋଧର ଅଗ୍ନି ଏବଂ ସ୍ୱରରେ ନିଷ୍ଠୁରତା । “କାହାକୁ ମାରିଦେଲୁ! ପାଗିଳିଟା କିଲୋ ତୁ? କାହାକୁ ମାରିଛୁ ବୋଲି କହୁଛୁ?” ମହାନ୍ତୀ ବାବୁ ଏବଂ ସାହୁ ବାବୁ ଦୁହେଁ ନିଜ ନିଜ ବସିଥିବା ଆସନରୁ ଉଠିପଡ଼ି କହିଲେ । “ମକେ ବାନ୍ଧିକରି ମୋର ଗୁରାକେ ବିକ୍ରି କରିବ ବୋଲୁଥିଲା । ମୋର ଛୁଆଗା କି ବାଛୁରୀ ନା ମେଣ୍ଢା? ବିକ୍ରି କରିଦବ! ପେଚିର କି ଦୋଷ ଥିଲା ଆଜ୍ଞା, କୁହ ମକେ? ତାକେ ବିକ୍ରି କରିଦେଲା । ମଦ୍ ପିଇବାର ଲାଗି ଏମେ ପାଗଲ୍ ଯେ ଛୁଆ ଗାକେ ବିକ୍ରି କରିଦବୁ? ପେଚି ବେଳେ ମୁଇଁ କିଛି ନାଇ ବୋଲଲି । ହେଲେ ଗୁରାଟା ତିନ୍ ମାସ୍‌ର ଆଜ୍ଞା । ମୋର୍‌ଠୁ କ୍ଷୀର ଛାଡ଼ିନି, ତାକେ ବିକବ ବୋଲି ବାହାରିଲା । ମୁଇଁ ମନା କରିଛେଁ ତାକେ, ତାର୍ ଗୋଡ ବି ଧରଲି, ତାକେ ସବୁ ପଇସା ଦେବି ବୋଲଲି ହେଲେ ଶୁଣଲାନି । ମକେ ମାରିକି ବାନ୍ଧିଦେଲା । ହେଲେ ମଦ୍ ପିଇଥିଲା ନା ସେଇନାଗି ଭଲରେ ବାନ୍ଧିନାଇ ପାରିଥିଲା । ମୋର ହାତଟା ବାହାରିଆଇଲା ଆଉ ମୁଇଁ ଘଟକିକି ଗଲି ବୁଡ଼ିଆଟା ଗୁବୁର ଗଦା ପାଖରେ ପଡ଼ିଥିଲା ଆଣଲି ଆଉ ତାକେ ଚୁଟେ ପକେଇଲି । ମୋର୍ ଛୁଆ ଗାକେ ବିକିବ ହାଁ ବଡ଼େ ବିକାଳି ହେଇତେ ମନ ତାର୍ । ଦେଲି ଆଉ ପାହାରେ ମୁଣ୍ଡକୁ । ମୋର ଗୁରାକେ ଧରିଲି ଆଉ ଆସିଲି ଥାନାକେ । ବାବୁ ଏଇନା ତୁମର୍ ଯାହା କରବା କଥା କର ।”

ଗୁନୁ ନିଜ ମୁହଁରେ ନିଜ ଅପରାଧର ବ୍ୟାଖ୍ୟା କରୁଥିଲା । ମହାନ୍ତି ବାବୁ ଏବଂ ସାହୁ ବାବୁ ମୁକ ଶ୍ରୋତା ସାଜି ଚାହିଁରହିଥାନ୍ତି ଗୁନୁ ମୁହଁକୁ । ଠିକ ସେହି ସମୟରେ ଗୁନୁ କୋଳରେ ଥିବା ଶିଶୁ କାନ୍ଦିଉଠିଲା । ଗୁନୁ ତାକୁ ଖୁଆଇବା ନିମନ୍ତେ ପଛକୁ ବୁଲିଗଲା । ଥାନା ଅଧିକାରୀ ସାହୁବାବୁଙ୍କ ସହ ବାହାରକୁ ଆସିଗଲେ । ଆଉ ରହିପାରିଲେନି, ପକେଟରୁ ସିଗାରେଟଟେ ବାହାରକରି ଫୁଙ୍କିବାକୁ ଲାଗିଲେ । ସତେ ଯେମିତି ପାଟିରୁ ଛାଡ଼ୁଥିବା ଧୁଆଁ ସହ ତାଙ୍କ ମନରେ ଚାଲିଥିବା ଦ୍ୱନ୍ଦକୁ ମଧ୍ୟ ବାହାରକୁ ଛାଡ଼ୁଥିଲେ । ନିଜ ଭିତରେ ତର୍ଜମା କରୁଥାନ୍ତି ମହାନ୍ତି ବାବୁ “ସତରେ ପିଶାଚୁଣୀ କୁହାଯିବ ଗୁନୁକୁ? ନିଜ ସ୍ଵାମୀର ଏତେ ନିର୍ମମ ଭାବରେ ହତ୍ୟା କରିଛି, ସେ ସତରେ ମଣିଷ ନୁହେଁ ପିଶାଚୁଣୀ । କିନ୍ତୁ ହତ୍ୟା କରିବା ପଛର କାରଣ! ମା କେବେ କ’ଣ ନିଜ ଆଖି ଆଗରେ ନିଜ ଛୁଆ ସହ ହେଉଥିବା ଅତ୍ୟାଚାରକୁ ସହିଯାଇଥାନ୍ତା? ତେବେ ଗୁନୁ ଠିକ କରିଛି । କିନ୍ତୁ ସେ ପୋଲିସକୁ କାହିଁକି ଜଣେଇଲାନାହିଁ, ଆମେ ସମାଧାନ କରିଥାନ୍ତୁ । କିନ୍ତୁ ସେ ସମୟରେ କ’ଣ ତା’ ମୁଣ୍ଡରେ ଏତକ କଥା ଆସିଥିବ?”

ମହାନ୍ତି ବାବୁ ଗୁନୁ ବସିଥିବା ସ୍ଥାନକୁ ଫେରିଆସିଲେ । ଗୁନୁ ନିଜ କୋଳରେ ଶିଶୁକୁ ଧରି ଆଖି ବୁଜି ବସିଥିଲା । କିଛି କ୍ଷଣ ପୂର୍ବରୁ ଯେଉଁ ମୁହଁଟି ଏକ ରକ୍ତମୁଖା ପିଶାଚୁଣୀ ପରି ଲାଗୁଥିଲା ସେଇଟି ବର୍ତ୍ତମାନ ଏକ ମମତାମୟୀ ମା’ର ରୂପ ନେଇଛି । “ଆଛା, ଗୁନୁ ତୁ ଜାଣିଛୁ ନା ତୁ କେତେ ବଡ଼ ଅପରାଧ କରିଛୁ? ହତ୍ୟା କରିଛୁ ତୁ ଆଉ ତା’ ପାଇଁ ତୋତେ ବର୍ତ୍ତମାନ ହାଜତରେ ରଖାହବ । କୋର୍ଟ ତୋ’ ପାଇଁ ଯାହା ଦଣ୍ଡ ନିର୍ଣ୍ଣୟ କରିବା କଥା କରିବ ।” ମହାନ୍ତି ବାବୁ ନମ୍ର ସ୍ୱରରେ ଗୁନୁକୁ କହିଲେ । “ହଇ, ବାବୁ ଯାହା କରବେ କରବେ । ହେଲେ ଗୁରାକେ ମୁଇଁ ପାଖରେ ରଖିପାରବି ନା?” “ହଁ ଯେ ପର୍ଯ୍ୟନ୍ତ ତୋ’ ଘରଲୋକ କେହି ଆସିନାହାନ୍ତି ତୋ’ ପୁଅ ତୋରି ପାଖରେ ରହିବ ।” ଏତିକି କହି ମହାନ୍ତି ବାବୁ ଲେଡି କନେଷ୍ଟବଳ ଉର୍ମିଳାଙ୍କ ନିର୍ଦ୍ଦେଶ ଦେଲେ ଗୁନୁକୁ ହାଜତକୁ ନେବା ପାଇଁ । ଗୁନୁର ମୁହଁରେ ତିଳେ ମାତ୍ର ପଶ୍ଚାତାପ ନଥିଲା କିନ୍ତୁ ମହାନ୍ତି ବାବୁ କିଛି ଗୋଟେ ଦ୍ୱନ୍ଦରେ ଅଟକି ଯାଇଥିଲେ । “ସାର୍ ଆପଣ ଘରକୁ ଯିବେନି?” ସାହୁ ବାବୁ ପଚାରିଲେ । “ମୁଁ ବୁଝିପାରୁନି ଗୁନୁ ଠିକ କରିଛି ନା ଭୁଲ କରିଛି । ଏଇ ଗାଁରେ ସ୍ତ୍ରୀଲୋକମାନଙ୍କୁ ପିଶାଚୁଣୀ, ଡାହାଣୀ ବୋଲି ଆଖ୍ୟା ଦେଇ ଜାଳିଦିଆଯାଇଛି, ଗାଁରୁ ବିତାଡ଼ିତ କରାଯାଇଛି କିନ୍ତୁ ଆଜି ଦେଖିଲି ଜଣେ ମାଁ ନିଜ ଛୁଆଙ୍କୁ ବଞ୍ଚେଇବା ପାଇଁ ପିଶାଚୁଣୀ ସାଜିଗଲା ।”

ସଂଘମିତ୍ର ମହାପାତ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସଂଘମିତ୍ର ମହାପାତ୍ର ଜଣେ ଗବେଷକ । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗଳ୍ପ, କବିତା ଆଦି ରଚନା କରିଥାନ୍ତି ।